ନବ କୁମାର ମାଇତିଙ୍କ କାରଖାନାର ଚାରିଆଡ଼େ ବିକ୍ଷିପ୍ତ ଭାବରେ ପଡ଼ିରହିଛି ଅନେକ ବତକ ପର। ସଫା ପର, ମଇଳା ପର, ସମାନ ଭାବରେ କଟାଯାଇଥିବା ପର ଏବଂ ବିଭିନ୍ନ ଆକାରର ଓ ଭିନ୍ନ ଭିନ୍ନ ପ୍ରକାରର ଧଳା ରଙ୍ଗର ପର। ଖୋଲା ଝରକା ଦେଇ ବହିଆସୁଥିବା ହାଲକା ପବନ ପରଗୁଡ଼ିକୁ ଦୋହଲାଇ ଦେଉଛି, ବେଳେବେଳେ ପବନର ଭଉଁରୀରେ ସେଗୁଡ଼ିକ ଉପରକୁ ଉଠି ପୁଣି ତଳେ ପଡୁଛନ୍ତି।
ଆମେ ଅଛୁ ଉଲୁବେରିୟାରେ, ନବ କୁମାରଙ୍କ ତିନି ମହଲା ଘରର ତଳ ମହଲାରେ। କାରଖାନା ଭିତରୁ ଶୁଭୁଥିଲା କଇଁଚି ଚାଲିବାର ଏବଂ ଲୁହାର ବଡ଼ ବଡ଼ କଟାରୀରେ କଟା ହେବାର ଶବ୍ଦ। ଏହିଠାରେ ହିଁ ତିଆରି ହେଉଛି ଭାରତରେ ବ୍ୟାଡମିଣ୍ଟନ ଖେଳର ଶଟଲକକ୍। ବାହାରକୁ ପଠାଯିବା ପାଇଁ ପ୍ରସ୍ତୁତ ଶଟଲକକ୍ ବ୍ୟାରେଲ ଭିତରୁ ଗୋଟିଏକୁ ହାତରେ ଉଠାଇ ସେ ଆମକୁ ବୁଝାଇ ଦିଅନ୍ତି, “ଧଳା ବତକର ପର, ସିନ୍ଥେଟିକ୍ କିମ୍ବା କାଠର ଅର୍ଦ୍ଧଗୋଲାକୃତି ତଳଭାଗ ବା କର୍କ ବେସ୍, ନାଇଲନ୍ ମିଶା ସୂତା ଏବଂ ଅଠା ବ୍ୟବହାର କରି ତିଆରି ହୁଏ ଏହି ଶଟଲକକ୍।”
ସେଦିନ ଥିଲା ୨୦୨୩ ଅଗଷ୍ଟ ଶେଷ ଭାଗର ଏକ ସୋମବାର। ସକାଳ ୮ଟା ସମୟର ଟାଣ ଖରା ସାଙ୍ଗକୁ ଆର୍ଦ୍ର ବାୟୁମଣ୍ଡଳ। ସେତେବେଳ ସୁଦ୍ଧା ଆମେ ଜାଣି ନଥିଲୁ ଯେ, ଆଉ ପାଞ୍ଚ ମାସ ପରେ ଭାରତୀୟ ବ୍ୟାଡମିଣ୍ଟନ ଖେଳାଳିମାନେ ଦକ୍ଷିଣ କୋରିଆକୁ ୨୧-୧୮ ୨୧-୧୬ ପଏଣ୍ଟରେ ହରାଇ ପ୍ରଥମ ଥର ପାଇଁ ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତିବେ।
ଏଣେ ଉଲୁବେରିୟାରେ, କାରଖାନାର ଉତ୍ପାଦନ ବିଭାଗ ପ୍ରବେଶ ଦୁଆରରେ କାରିଗରମାନଙ୍କର ସ୍ଲିପର୍ ଓ ସାଇକେଲର ଲମ୍ବା ଲାଇନ୍ ଲାଗିଲାଣି। ଇସ୍ତ୍ରୀ କରା ହୋଇଥିବା ଈଷତ୍ ଲାଲ ରଙ୍ଗର ଶାର୍ଟ ଏବଂ ଔପଚାରିକ ପ୍ୟାଣ୍ଟ ପିନ୍ଧି ନବ କୁମାର ବି ଦିନର କାମ ଆରମ୍ଭ କରିବା ଲାଗି ପ୍ରସ୍ତୁତ ହେଲେଣି।
“ମୁଁ ୧୨ ବର୍ଷ ବୟସରୁ ହିଁ ଆମ ଗାଁ ବାନିବନର ଗୋଟିଏ କାରଖାନାରେ ହାଂସେର ପାଲକ (ବତକ ପର)ରେ ବ୍ୟାଡ୍ମିଣ୍ଟନ ବଲ୍ ତିଆରି କରିବା ଆରମ୍ଭ କରିଥିଲି,” ବୋଲି କହନ୍ତି ୬୧ ବର୍ଷୀୟ ନବ କୁମାର। ପ୍ରଥମେ ସେ ପରକୁ ଆକାର ଦେବା କାମରୁ ହିଁ ଏହି କାରିଗରୀ ଆରମ୍ଭ କରିଥିଲେ। ହାତରେ ଲୁହା କଇଁଚି ଧରି ସେ ତିନି ଇଞ୍ଚ ଲମ୍ବ ପରକୁ କାଟି ନିର୍ଦ୍ଧାରିତ ଆକାର ଦେଉଥିଲେ। ଏଠାକାର କାରିଗରମାନେ ଶଟଲ୍କକ୍କୁ ‘ବଲ୍’ ବୋଲି କହିଥାଆନ୍ତି।
ସେ କହନ୍ତି, “ପିରପୁର ଗାଁରେ ୧୯୨୦ ଦଶକରେ (ବଙ୍ଗଳାର) ପ୍ରଥମ ଫ୍ୟାକ୍ଟ୍ରି ସ୍ଥାପିତ ହୋଇଥିଲା। ନାଁ ଥିଲା ଜେ.ବୋଷ ଆଣ୍ଡ କମ୍ପାନୀ। କ୍ରମଶଃ ଜେ.ବୋଷରେ କାର୍ଯ୍ୟ କରୁଥିବା କାରିଗରମାନେ ଆଖପାଖ ଗାଁରେ ନିଜ ନିଜର କାରଖାନା ଖୋଲିଲେ। ଏହିଭଳି ଏକ କାରଖାନାରେ ମୁଁ ଏହି କାରିଗରୀ ଶିଖିଥିଲି।”
























