‘‘ବିଜୁ (ନୂଆ ବର୍ଷର ପର୍ବ) ସମୟରେ ଆମେ ସମସ୍ତେ ସକାଳୁ ଶୀଘ୍ର ଉଠି ଫୁଲ ତୋଳିବାକୁ ଚାଲିଯାଉ। ତା’ପରେ ଆମେ ଫୁଲଗୁଡ଼ିକୁ ନଦୀରେ ଭସାଇ ଦେଇ ବୁଡ଼ ପକାଉ। ଏହାପରେ ଆମେ ଗାଁର ପ୍ରତ୍ୟେକ ଘରକୁ ଯାଉ ଏବଂ ଲୋକମାନଙ୍କୁ ଭେଟି ଅଭିନନ୍ଦନ ଜଣାଇଥାଉ,’’ ଜୟା କୁହନ୍ତି। ଅର୍ଦ୍ଧଶତାବ୍ଦୀରୁ ଅଧିକ ସମୟ ବିତିସାରିଛି, କିନ୍ତୁ ସେହି ଦିନଗୁଡ଼ିକୁ ନେଇ ତାଙ୍କର ସ୍ମୃତି ଏବେ ସୁଦ୍ଧା ସ୍ପଷ୍ଟ ରହିଛି।
‘‘ଆମେ ମୁଠାଏ ଚାଉଳ (ସୌଭାଗ୍ୟର ପ୍ରଦର୍ଶନ ରୂପରେ) ଉପହାର ଦେଉ ଏବଂ ଏହା ବଦଳରେ ସବୁ ଘରୁ ଆମକୁ ଲାଙ୍ଗି (ଚାଉଳରେ ପ୍ରସ୍ତୁତ ମଦ) ମିଳିଥାଏ। ପ୍ରତ୍ୟେକ ଘରୁ ମାତ୍ର କିଛି ଢୋକ ପାନୀୟ ମିଳେ, କିନ୍ତୁ ଆମେ ଏତେ ଘର ବୁଲୁ ଯେ ଶେଷ ବେଳକୁ ଆମେ ସମସ୍ତେ ନିଶାରେ ଥାଉ,’’ ସେ କୁହନ୍ତି। ଆହୁରି, ‘‘ସେହି ଦିନ ଗାଁରେ ଯୁବବର୍ଗ ସମ୍ମାନ ପ୍ରଦର୍ଶନ ଉଦ୍ଦେଶ୍ୟରେ ବଡ଼ମାନଙ୍କୁ ନଦୀ ପାଣିରେ ଗାଧୋଇ ଦିଅନ୍ତି।’’ ବାର୍ଷିକ ଉତ୍ସବର ସ୍ମୃତିରେ ଜୟାଙ୍କ ମୁଖମଣ୍ଡଳ ଚମକି ଉଠେ।
ବର୍ତ୍ତମାନ, ଅନ୍ତର୍ଜାତୀୟ ସୀମା ଆରପଟେ ଏବଂ ସେହି ଘରଠାରୁ ଶତାଧିକ କିଲୋମିଟର ଦୂରରେ, ଯେଉଁ ସ୍ମୃତି ଏବେ ବି ଉଜ୍ଜୀବିତ ରହିଛି ତାହା ହେଉଛି ଲାଙ୍ଗି। ଏହା ଏମିତି ଏକ ସୂତ୍ର ଯାହା ଅନେକ ଶରଣାର୍ଥୀଙ୍କୁ ସେମାନଙ୍କ ଚକମା ସମ୍ପ୍ରଦାୟର ରୀତିନୀତି ଓ ପ୍ରଥା ସହ ଯୋଡ଼ିଥାଏ। ବାଂଲାଦେଶର ରଙ୍ଗମାଟିରେ ବଡ଼ ହୋଇଥିବା ଜୟା କୁହନ୍ତି, ‘‘ଏହା ଆମ ସଂସ୍କୃତିର ଅଭିନ୍ନ ଅଙ୍ଗ ଅଟେ।’’ ଏହି ଅଞ୍ଚଳର ଅନ୍ୟ ଜନଜାତି ମଧ୍ୟ ରୀତିନୀତି ଓ ପ୍ରସାଦରେ ଲାଙ୍ଗିର ଉପଯୋଗ କରିଥା’ନ୍ତି।
‘‘ମୋ ବାପା-ମା’ଙ୍କ ଠାରୁ ଦେଖି ଦେଖି ମୁଁ ଏହାକୁ (ଲାଙ୍ଗି) ତିଆରି କରିବା ଶିଖିଥିଲି। ମୁଁ ବାହା ହୋଇଯିବା ପରେ, ମୋ ସ୍ୱାମୀ ସୁରେନ୍ ଏବଂ ମୁଁ ମିଶି ଏହାକୁ ତିଆରି କରିବା ଆରମ୍ଭ କରିଦେଲୁ,’’ ସେ କୁହନ୍ତି। ଅନ୍ୟ ତିନି ପ୍ରକାର ବିୟର୍ - ଲାଙ୍ଗି, ମୋଦ୍ ଓ ଜୋଗୋରା କେମିତି ତିଆରି କରିବାକୁ ହୁଏ ତାହା ଏହି ଦମ୍ପତି ଜାଣନ୍ତି।
ଜୋଗୋରାକୁ ମଧ୍ୟ ଭାତରୁ ତିଆରି କରାଯାଏ ଯାହାକି ଚୈତ୍ର ମାସର (ବଙ୍ଗଳା ପଞ୍ଜିକାରେ ବର୍ଷର ଅନ୍ତିମ ମାସ) ପ୍ରଥମ ଦିନରୁ ଆରମ୍ଭ ହୁଏ । ‘‘ଆମେ ବିରୋଇନଚାଲ୍ (ଏକ ପତଳା ଅଠାଳିଆ ଚାଉଳ) ବ୍ୟବହାର କରୁ ଏବଂ ଏହାକୁ ପାଣିଆ କରିବା ଲାଗି ଅନେକ ସପ୍ତାହ ଧରି ବାଉଁଶରେ ପଚାଇ ଥାଉ। ଏବେ ଆମେ ପ୍ରାୟତଃ ଆଉ ଜୋଗୋରା ତିଆରି କରୁନାହୁଁ,’’ ଜୟା କୁହନ୍ତି। କାରଣ ଏହାକୁ ମଦରେ ପରିଣତ କରିବା ଲାଗି ଅତିକମ୍ରେ ଗୋଟିଏ ମାସ ଲାଗିଥାଏ, ତା’ଛଡ଼ା ଚାଉଳ ଦାମ୍ ମଧ୍ୟ ଏବେ ଅଧିକ ହେଲାଣି। ‘‘ପୂର୍ବରୁ ଆମେ ଝୁମ୍ (ପାର୍ବତ୍ୟ କୃଷି)ରେ ଏହି ଧାନ ଅମଳ କରୁଥିଲୁ, କିନ୍ତୁ ଏବେ ଏହାକୁ ଚାଷ କରିବା ଲାଗି ଏତେ ଅଧିକ ଜମି ନାହିଁ।’’
















