‘‘ହମେ ପତା ହି ନହିଁ ହମାରା ବେଟା ଏକଦମ୍ କୈସେ ମରା, କମ୍ପାନୀ ନେ ହମେ ବତାୟା ଭି ନହିଁ (ଆମ ପୁଅର ମୃତ୍ୟୁ କେମିତି ହେଲା ତାହା ଆମେ ଠିକ୍ ଭାବେ ଜାଣିନାହୁଁ। କମ୍ପାନୀ ଆମକୁ ଏକ ବିଷୟରେ କିଛି କହିନଥିଲା),’’ ନୀଲମ ଯାଦବ କୁହନ୍ତି।
ସୋନିପତର ରାଇ ସହରରେ ଥିବା ସେମାନଙ୍କ ଘରେ ଛିଡ଼ା ହୋଇଥିବା ୩୩ ବର୍ଷ ବୟସ୍କା ନୀଲମ କଥା ହେବା ସମୟରେ ଆଖିରେ ଆଖି ମିଶାଇ ପାରୁନାହାନ୍ତି। ପାଖାପାଖି ଛଅ ମାସ ପୂର୍ବରୁ ତାଙ୍କ ଦେଢ଼ଶୂରଙ୍କ ପୁଅ ରାମ କମଲ (୨୭)ଙ୍କର ସ୍ଥାନୀୟ ଏକ ଖୁଚୁରା ଖାଦ୍ୟ କାରଖାନାରେ ମୃତ୍ୟୁ ଘଟିଥିଲା। ସେଠାରେ ସେ ଏସି ମରାମତି ୟୁନିଟ୍ରେ କାମ କରୁଥିଲେ। ୨୦୦୭ରେ ନିଜ ବାହାଘର ପରେ ନୀଲମ୍ ତାଙ୍କୁ ପାଖରେ ରଖି ଲାଳନପାଳନ କରୁଥିଲେ।
ଏହା ୨୯ ଜୁନ୍ ୨୦୨୩ର ଘଟଣା ଥିଲା। ନୀଲମ୍ ସେଦିନ କଥା ମନେ ମକାଇ କୁହନ୍ତି, ତାହା ଏକ ମାନ୍ଦା ଓ ଉତ୍ତପ୍ତ ଦିନ ଥିଲା। ତାଙ୍କର ତିନି ଜଣ ଛୋଟ ପିଲା - ଦୁଇ ଝିଅ ଓ ଗୋଟିଏ ପୁଅ, ଏବଂ ଶ୍ୱଶୁର ଶୋଭନାଥ ତାଙ୍କ ଦ୍ୱାରା ପ୍ରସ୍ତୁତ ଡାଲ୍ ଭାତ୍ (ଡାଲି ଓ ଭାତ) ଖାଇ ସଙ୍ଗେ ସଙ୍ଗେ ଉଠିଥିଲେ। ଏହାପରେ ସେ ରୋଷେଇ ଘର ସଫା କରିବାରେ ଲାଗିପଡ଼ିଥିଲେ ଏବଂ ଶୋଭନାଥ ଅପରାହ୍ଣ ବିଶ୍ରାମ ପାଇଁ ଯୋଜନା କରୁଥିଲେ।
ଅପରାହ୍ଣ ପ୍ରାୟ ଗୋଟାଏ ବେଳେ ଡୋର୍ ବେଲ୍ ବାଜିଲା। ସେ ହାତ ଧୋଇବା ପରେ ମୁଣ୍ଡରେ ଦୁପଟ୍ଟା (ଓଢ଼ଣୀ) ପକାଇ କବାଟ ଖୋଲିବାକୁ ଗଲେ। ଘର ଦ୍ୱାରରେ ନୀଳ ବର୍ଦ୍ଦି ପିନ୍ଧିଥିବା ଦୁଇ ଜଣ ଲୋକ ଛିଡ଼ା ହୋଇଥିଲେ ଯେଉଁମାନେ ଆଙ୍ଗୁଠିରେ ଫସିଥିବା ନିଜ ବାଇକ୍ ଚାବିରେ ଖେଳୁଥିଲେ। ନୀଲମ୍ ସେମାନଙ୍କୁ ଚିହ୍ନି ପାରିଲେ। ସେମାନେ ରାମକମଲ କାମ କରୁଥିବା କମ୍ପାନୀରେ କାମ କରୁଥିଲେ। ତାଙ୍କର ମନେ ଅଛି ସେମାନଙ୍କ ମଧ୍ୟରୁ ଜଣେ ବ୍ୟକ୍ତି କହିଥିଲେ, ‘‘ରାମଙ୍କୁ ବିଦ୍ୟୁତ ଆଘାତ ଲାଗିଛି। ଆପଣ ତୁରନ୍ତ ସିଭିଲ୍ ହସ୍ପିଟାଲ୍କୁ ଆସନ୍ତୁ।’’
‘‘ମୁଁ ସେମାନଙ୍କୁ ପଚାରି ଚାଲିଥିଲି ଯେ ସେ କେମିତି ଅଛି, ତା’ର କିଛି ହୋଇନାହିଁ ତ’, ତା’ର ଚେତା ଅଛି କି ନାହିଁ ? ସେମାନେ କେବଳ ଏହା କହିଲେ ଯେ ତା’ର ଚେତା ନାହିଁ,’’ ଏକଥା କହିବା ସମୟରେ ନୀଲମଙ୍କ କଣ୍ଠ ବାଷ୍ପରୁଦ୍ଧ ହୋଇଯାଉଥାଏ। ସେ ଓ ଶୋଭନାଥ ଗାଡ଼ି ଅପେକ୍ଷାରେ ଅଧିକ ସମୟ ବିତାଇବା ପରିବର୍ତ୍ତେ ତୁରନ୍ତ ସେମାନଙ୍କୁ ବାଇକରେ ନେଇଯିବା ପାଇଁ ସେ ଦୁଇ ଜଣଙ୍କୁ ଅନୁରୋଧ କଲେ। ଡାକ୍ତରଖାନାରେ ପହଞ୍ଚିବା ଲାଗି ସେମାନଙ୍କୁ ପ୍ରାୟ ୨୦ ମିନିଟ୍ ଲାଗିଗଲା।











