“ସବୁ କିଛି ମରାମତି କରିବାର ଉପାୟ ଖୋଜିବାକୁ ମୁଁ ଚେଷ୍ଟା କରେ।”
ସୁନୀଲ କୁମାର ଜଣେ ଠଠେରା (ଧାତବ ବାସନକୁସନ ନିର୍ମାତା)। “ଆଉ କେହି ମରାମତି କରିପାରୁ ନଥିବା ଜିନିଷକୁ ଲୋକେ ଆମ ପାଖକୁ ଆଣନ୍ତି। ଏମିତି କି ବେଳେବେଳେ ମେକାନିକମାନେ ସେମାନଙ୍କ ସରଞ୍ଜାମ ନେଇ ଆସନ୍ତି।”
ସେ ସେହି ସଂପ୍ରଦାୟର, ଯେଉଁମାନେ କି ପିଢ଼ି ପରେ ପିଢ଼ି ଧରି ତମ୍ବା, କଂସା ଓ ପିତଳ ତିଆରି ରୋଷେଇ ଉପକରଣ ଏବଂ ଅନ୍ୟାନ୍ୟ ଘରକରଣା ସାମଗ୍ରୀ ତିଆରି କରିଆସୁଛନ୍ତି। “ହାତରେ ମଇଳା ଲାଗୁ ବୋଲି କେହି ହେଲେ ଚାହାଁନ୍ତିନି,” ଆଜିକୁ ୨୫ ବର୍ଷ ହେଲା ନିଜକୁ ଠଠେରା କାରିଗର ରୂପେ ପରିଚିତ କରାଇ ଆସିଥିବା ୪୦ ବର୍ଷୀୟ ସୁନୀଲ କହନ୍ତି। “ଦିନ ସାରା ମୁଁ ଏସିଡ୍, କୋଇଲା ଏବଂ ଉତ୍ତାପରେ କାମ କରେ। ଏହା ସହିତ ମୋର ଭାବାବେଗ ଜଡ଼ିତ ହୋଇଥିବାରୁ ମୁଁ ଏହା କରେ।”
ପଞ୍ଜାବରେ ଓବିସି (ଅନ୍ୟାନ୍ୟ ପଛୁଆ ବର୍ଗ) ରୂପେ ତାଲିକାଭୁକ୍ତ ଠଠେରା (ଠଠିଆରା ବି କୁହାଯାଏ) ସଂପ୍ରଦାୟ। ଭିନ୍ନ ଭିନ୍ନ ଧାତୁକୁ ତରଳାଇ ଏହାକୁ ବିଭିନ୍ନ ଆକାର ଦେବା ଏବଂ କେବଳ ହାତରେ ବ୍ୟବହୃତ ହେଉଥିବା ସରଞ୍ଜାମ ବ୍ୟବହାର କରି ଏଥିରେ କବାଟର ଶକ୍ତ ହ୍ୟାଣ୍ଡଲ ଏବଂ ଲକ୍ ସମେତ ଅଣ-ଲୌହଘଟିତ ଧାତୁର ଅନ୍ୟାନ୍ୟ ସାମଗ୍ରୀ ତିଆରି କରିବା ହେଉଛି ସେମାନଙ୍କର ପାରମ୍ପରିକ ବୃତ୍ତି। ତାଙ୍କ ବାପା, ୬୭ ବର୍ଷୀୟ କେୱଲ କ୍ରିଷାନଙ୍କ ସହିତ ସେ ଭଙ୍ଗା ଧାତବ ସାମଗ୍ରୀ କିଣନ୍ତି ଏବଂ ସେଗୁଡ଼ିକ ମରାମତି କାମରେ ଲାଗେ।
ଗତ କିଛି ଦଶନ୍ଧି ହେଲା ଷ୍ଟିଲ ଭଳି ଲୌହଘଟିତ ସାମଗ୍ରୀର ଲୋକପ୍ରିୟତା ବଢ଼ିବା ସହିତ ଏହି ହାତ କାରିଗରମାନଙ୍କ ଜୀବନଧାରା ବଦଳି ଯିବାରେ ଲାଗିଛି। ଆଜିକାଲି, ଘରେ ଘରେ ଷ୍ଟିଲ ତିଆରି ରୋଷେଇ ଉପକରଣର ଆଦୃତି ସହିତ ତୁଳନାତ୍ମକ ଭାବେ ଓଜନିଆ, ଶକ୍ତ ଏବଂ ଅଧିକ ବ୍ୟୟବହୁଳ ପିତଳ ଓ ତମ୍ବାର ଚାହିଦା ନିମ୍ନମୁଖୀ ହୋଇଛି।




















