“ପ୍ରଥମେ ବାମ ପଟେ ବୁଲ। ଆଉ ଟିକିଏ ତଳକୁ ଗଲେ ଗୋଟିଏ କଳା ଖମ୍ବ ଉପରେ ଆପଣ ଫୌଜିଙ୍କ ଫଟୋ ଦେଖିବେ। ସେଇଟା ତାଙ୍କ ଘର”। ରାମଗଡ଼ ସର୍ଦ୍ଦାରା ଜଣେ ବୟସ୍କ ସାଇକେଲ କାରିଗର ରାସ୍ତାର ସୀମାରେ ଥିବା ମୋଡ଼ ଆଡ଼କୁ ଦେଖାଇ ଦିଅନ୍ତି। ଗାଁର ଲୋକମାନେ ଅଜୟ କୁମାରଙ୍କୁ ଜଣେ ସୈନିକ କିମ୍ବା ସହିଦ ବୋଲି କହନ୍ତି।
କିନ୍ତୁ ଭାରତ ସରକାରଙ୍କ ଦୃଷ୍ଟିରେ ସେ କେଉଁଟା ବି ନୁହନ୍ତି।
ଏହି ୨୩-ବର୍ଷୀୟ ଯୁବକ ଜାମ୍ମୁ ଓ କାଶ୍ମୀରଠାରେ ହୋଇଥିବା ଉଗ୍ରବାଦ ବିରୋଧୀ କାର୍ଯ୍ୟାନୁଷ୍ଠାନ ବେଳେ ନିଜ ଦେଶର ସୀମାକୁ ସୁରକ୍ଷିତ ରଖିବା ପାଇଁ ଲଢ଼େଇରେ ସେ ଦେଇଥିବା ଶେଷ ରକ୍ତବିନ୍ଦୁର କୌଣସି ଅର୍ଥ ନାହିଁ। ତାଙ୍କର ବୃଦ୍ଧ, ଭୂମିହୀନ, ଦଳିତ ବାପା ମା’ କୌଣସି ଭତ୍ତା କିମ୍ବା ପୁଅ ପାଇଁ ସହିଦ ମାନ୍ୟତା ପାଇବା କଥା ସ୍ଵପ୍ନରେ ବି ଭାବି ପାରିବେ ନାହିଁ। ପୂର୍ବ-ସୈନିକ ସହଯୋଗ ସ୍ଵାସ୍ଥ୍ୟ ଯୋଜନାରୁ ମିଳୁଥିବା ସାହାଯ୍ୟ କି କ୍ୟାଣ୍ଟିନ ଷ୍ଟୋରରୁ ମିଳୁଥିବା ରିହାତି ପାଇବାକୁ ମଧ୍ୟ ସେମାନେ ଯୋଗ୍ୟ ନୁହନ୍ତି। କାରଣ, ସରକାରୀ ରେକର୍ଡ ଅନୁଯାୟୀ ଅଜୟ କୁମାର ନା ଥିଲେ ସୈନିକ, ନା ଥିଲେ ସହିଦ।
ସେ କେବଳ ଥିଲେ ଜଣେ ଅଗ୍ନିବୀର।
ଅବଶ୍ୟ ଲୁଧିଆଣା ଜିଲ୍ଲାର ଏହି ଗାଁରେ ସରକାରୀ ନଥିପତ୍ରକୁ କିଛିଟା ଗୁରୁତ୍ଵ ଦିଆଯାଏ। ଗ୍ରାଣ୍ଡ ଟ୍ରଙ୍କ ରୋଡ୍ରୁ ୪୫ ମିନିଟ ଗାଡ଼ିରେ ଗଲେ ସୋରିଷ କ୍ଷେତରେ ଫୁଟିଥିବା ଫୁଲର ସୌନ୍ଦର୍ଯ୍ୟ ଆପଣଙ୍କୁ ନେଇଯିବ ରାମଗଡ଼ ସର୍ଦ୍ଦାରା, ଯେଉଁଠାରେ କାନ୍ଥଗୁଡ଼ିକରେ ସତେ ଯେମିତି ଲେଖାହୋଇ ରହିଛି ଏହାର ନିଜସ୍ଵ ନଥି। ସେହି କାନ୍ଥଗୁଡ଼ିକ ଭରି ହୋଇ ରହିଛି ସବୁଜ ରଙ୍ଗର ସୁଦର୍ଶନ ଅଜୟଙ୍କ ଫଟୋଗୁଡ଼ିକରେ, ଓ ତାହା ସ୍ଥାନିତ ହୋଇଛି ସମାନ ଧାଡ଼ିରେ, ଯେଉଁଥିରେ ନ’ ଦଶକ ତଳେ ସହିଦ ଭଗତ ସିଂ ଓ ତାଙ୍କ ସାଥୀମାନେ ଫାଶୀଖୁଣ୍ଟକୁ ଚଢ଼ିଥିଲେ, କିନ୍ତୁ ସେମାନଙ୍କୁ ଆଜି ପର୍ଯ୍ୟନ୍ତ କୌଣସି ସରକାର ପକ୍ଷରୁ ସହିଦ ମାନ୍ୟତା ଦିଆଯାଇ ନାହିଁ।
ଗାଁର ପ୍ରଜ୍ଞାପନ ବୋର୍ଡ଼ଗୁଡିକରୁ ଗୋଟିକରେ ଲେଖା ଅଛି:
ନୌଜୱାନ ଜାଦ ଉଠଦେ ଣେ
ତାଆନ ନିଜାମ ବଦଲ ଯାନ୍ଦି ନେ,
ଭଗତ ସିଂ ଆଯ ଭି ପୈଦା ହୁନ୍ଦେ ନେ,
ବସ ନାମ ବଦଲ ଯାନ୍ଦେ ନେ...
[ଯୁବକମାନେ ଯେବେ ଉଠନ୍ତି ଜାଗି
ରାଜ ମୁକୁଟ ଯାଏ ହଟି,
ଭଗତ ସିଂ ପ୍ରତିଦିନ ଜନ୍ମ ହୁଅନ୍ତି,
ଖାଲି ବଦଳି ଯାଇଥାଏ ନାଁଟି...]













