ମୁନାୱର ଖାନ, ୬୫, ଥାନାରେ ପହଞ୍ଚିଲା ବେଳକୁ, ଭିତରୁ ଭାସିଆସୁଥିଲା ତାଙ୍କ ପୁଅର କରୁଣ ଆର୍ତ୍ତନାଦ। ପ୍ରାୟ ୧୫ ମିନିଟ ପରେ ସବୁ ଚିତ୍କାର ଥମିଗଲା। ଇସ୍ରାଏଲ ଖାନଙ୍କ ବାପା ଆଶା ବାନ୍ଧିଲେ, ଭାବି ନେଲେ ଯେ ସମ୍ଭବତଃ ପୋଲିସ ତାଙ୍କ ପୁଅକୁ ପିଟିବା ବନ୍ଦ କରିଦେଇଛି।
ପୂର୍ବରୁ, ସେଦିନ ଭୋପାଳରେ ଆୟୋଜିତ ଏକ ଧାର୍ମିକ ସମାରୋହରେ ଯୋଗ ଦେଇ ଇସ୍ରାଏଲ ଘରକୁ ଫେରୁଥିଲେ। ତାଙ୍କ ଘର ଭୋପାଳରୁ ୨୦୦ କିଲୋମିଟର ଦୂର ଗୁନାରେ, ଏବଂ ସେଠାରେ ସେ ଦିନ ମଜୁରିଆ ଭାବେ ବିଭିନ୍ନ ନିର୍ମାଣ ସ୍ଥଳୀରେ କାର୍ଯ୍ୟ କରୁଥିଲେ।
ସେଦିନ (୨୧ ନଭେମ୍ବର, ୨୦୨୨) ସନ୍ଧ୍ୟାରେ ସେ ଗୁନାରେ ପହଞ୍ଚିଲେ ସତ, କିନ୍ତୁ ଘରେ ପହଞ୍ଚିଲେ ନାହିଁ। ରାତି ପ୍ରାୟ ୮ଟା ସମୟରେ, ଗୋକୁଲ ସିଂହ ଚକ ନାମକ ଏକ ବସ୍ତିରେ ଥିବା ତାଙ୍କ ଘରଠାରୁ ପ୍ରାୟ ଦୁଇ କିଲୋମିଟର ଦୂରରେ, ଇସ୍ରାଏଲ ଯେଉଁ ଅଟୋ ରିକ୍ସାରେ ଆସୁଥିଲେ, ତାକୁ ଚାରି ଜଣ ପୋଲିସ ଅଧିକାରୀ ଅଟକାଇଲେ ଏବଂ ତାଙ୍କୁ ସେଠାରୁ ଉଠାଇ ନେଇଗଲେ।
ପ୍ରକୃତରେ, ତାଙ୍କୁ ଅଟକାଇବା ସମୟରେ ଇସ୍ରାଏଲ ତାଙ୍କ ଶାଶୁଙ୍କ ସହିତ ଫୋନ୍ରେ କଥାବାର୍ତ୍ତା କରୁଥିଲେ ବୋଲି ତାଙ୍କ ବଡ଼ ଭଉଣୀ, ୩୨ ବର୍ଷୀୟା ବାନୋ କହନ୍ତି। “ସେହି କାରଣରୁ ଆମେ ଜାଣିବାକୁ ପାଇଲୁ ଯେ ସେ ପୋଲିସ ହାଜତରେ ଅଛନ୍ତି।”
ତାଙ୍କୁ ନିକଟବର୍ତ୍ତୀ କୁଶମୁଡ଼ା ଥାନାକୁ ନିଆଯାଇଥିଲା। ସେଠାରେ ପୋଲିସ ଅଧିକାରୀମାନେ ତାଙ୍କୁ ନିର୍ଦ୍ଦୟ ଭାବରେ ମାଡ଼ ମାରିଥିଲେ ଏବଂ ସେହିଠାରେ ହିଁ ଇସ୍ରାଏଲଙ୍କ ଯନ୍ତ୍ରଣା ଜର୍ଜରିତ ଚିତ୍କାର ଶୁଣିଥିଲେ ତାଙ୍କ ବାପା ମୁନାୱର।
ପ୍ରାୟ ୪୫ ମିନିଟ୍ ପରେ, ମୁନାୱର ବୁଝିପାରିଲେ ଯେ, ତାଙ୍କ ପୁଅର ଆର୍ତ୍ତନାଦ ନିରବି ଯାଇଛି। ଏଥିପାଇଁ ନୁହେଁ ଯେ ପୋଲିସ ତାଙ୍କୁ ମାଡ଼ ମାରିବା ବନ୍ଦ କରିଦେଇଛି, ବରଂ ଏଥିପାଇଁ ଯେ ପୋଲିସ ମାଡ଼ରେ ତାଙ୍କର ମୃତ୍ୟୁ ହୋଇଯାଇଛି। ଶବ ବ୍ୟବଚ୍ଛେଦ ରିପୋର୍ଟରେ, ହୃତ୍ସ୍ପନ୍ଦନ ସହିତ ଶ୍ୱାସକ୍ରିୟା ବନ୍ଦ ହେବା ଏବଂ ମୁଣ୍ଡରେ ଆଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା କଥା ଉଲ୍ଲେଖ କରାଯାଇଥିଲା।
ପରବର୍ତ୍ତୀ ସମୟରେ, ମଧ୍ୟ ପ୍ରଦେଶ ପୋଲିସର ବକ୍ତବ୍ୟ ଉଦ୍ଧାର କରି ଗଣମାଧ୍ୟମରେ ପ୍ରକାଶିତ ଖବରରେ କୁହାଯାଇଥିଲା ଯେ, ଏହି ୩୦ ବର୍ଷୀୟ ମୁସଲମାନ ଶ୍ରମିକ ଜଣକ ପୋଲିସ କବଳରୁ ଜଣେ ଜୁଆଡ଼ିକୁ ରକ୍ଷା କରିବାକୁ ଚେଷ୍ଟା କରୁଥିବା ଦଳେ ଲୋକଙ୍କ ସହିତ ଥିଲେ ଏବଂ ପୋଲିସ ସହିତ ସେମାନଙ୍କର ମୁହାଁମୁହିଁ ସଂଘର୍ଷ ହୋଇଥିଲା।
କିନ୍ତୁ, ତାଙ୍କ ପରିବାର ଏହାକୁ ମାନିବାକୁ ପ୍ରସ୍ତୁତ ନୁହଁନ୍ତି: “ସେ ମୁସଲମାନ ହୋଇଥିବାରୁ ପୋଲିସ ତାକୁ ନେଇଗଲା,” ଇସ୍ରାଏଲଙ୍କ ମା’ ମୁନ୍ନି ବାଇ କହନ୍ତି।
ପୋଲିସ ହାଜତରେ ଇସ୍ରାଏଲଙ୍କ ମୃତ୍ୟୁ ହୋଇଥିବା କଥାକୁ କେହି ଅସ୍ୱୀକାର କରିନାହାନ୍ତି। ବରଂ କେମିତି ତାଙ୍କର ମୃତ୍ୟୁ ହେଲା ବୋଲି ପ୍ରଶ୍ନକୁ ନେଇ ଭିନ୍ନମତ ସୃଷ୍ଟି ହୋଇଛି।






