୨୮ ଫେବୃଆରୀ ୨୦୨୩ ସନ୍ଧ୍ୟା ୬ଟା ସମୟ। ସୁଦୃଶ୍ୟ ଖୋଳଦୋଡା ଗ୍ରାମରେ ସୂର୍ଯ୍ୟାସ୍ତ ହେବା ସହିତ ରାମଚନ୍ଦ୍ର ଦୋଡ଼କେ (୩୫) ଆଗକୁ ଲମ୍ବା ରାତି ପାଇଁ ପ୍ରସ୍ତୁତ ହେଉଛନ୍ତି। ଦୂରକୁ ଆଲୁଅ ଦେଖାଉଥିବା ନିଜର ଉଚ୍ଚ କ୍ଷମତାଯୁକ୍ତ ‘କମାଣ୍ଡର’ ଟର୍ଚ୍ଚକୁ ସେ ଯାଞ୍ଚ କରନ୍ତି ଏବଂ ତା’ପରେ ବିଛଣା ସଜାଡ଼ନ୍ତି।
ସେମାନଙ୍କ ସାଧାରଣ ଘର ଭିତରେ, ତାଙ୍କର ପତ୍ନୀ ଜୟଶ୍ରୀ ରାତ୍ରୀ ଭୋଜନ ପ୍ରସ୍ତୁତ କରୁଛନ୍ତି - ଡାଲ୍ (ଡାଲି) ଏବଂ ପରିବା ମିଶା ଏକ ତରକାରୀ। ପଡ଼ୋଶୀ ଘରେ ତାଙ୍କର କକା ଦାଦାଜୀ ଦୋଡ଼କେ (୭୦) ମଧ୍ୟ ରାତ୍ରୀ ପାଇଁ ପ୍ରସ୍ତୁତି କରୁଛନ୍ତି। ତାଙ୍କ ପତ୍ନୀ ଶକୁବାଇ ବାସ୍ନା ଚାଉଳରେ ଭାତ ରାନ୍ଧୁଛନ୍ତି ଏବଂ ରୁଟି ତିଆରି କରୁଛନ୍ତି। ଏହି ବାସ୍ନା ଚାଉଳକୁ ସେମାନେ ନିଜ କ୍ଷେତରେ ଅମଳ କରିଥାନ୍ତି।
‘‘ଆମେ ପ୍ରାୟ ପ୍ରସ୍ତୁତ ହୋଇସାରିଛୁ,’’ ଏହି ୩୫ ବର୍ଷ ବୟସ୍କ ବ୍ୟକ୍ତି ଜଣଙ୍କ ମୋତେ କୁହନ୍ତି। ‘‘ଆମ ଖାଦ୍ୟ ପ୍ରସ୍ତୁତ ହୋଇସାରିବା ପରେ ଆମେ ବାହାରଯିବୁ।’’ ଜୟଶ୍ରୀ ଓ ଶକୁବାଇ ଆମ ପାଇଁ ରାତ୍ରୀଭୋଜନ ବାନ୍ଧି ଦେବେ, ସେ କହିଥାନ୍ତି।
ଦୁଇଟି ଭିନ୍ନ ଭିନ୍ନ ପିଢ଼ିର ବ୍ୟକ୍ତି ଦାଦାଜୀ ଓ ରାମଚନ୍ଦ୍ର ମାନା ସମ୍ପ୍ରଦାୟ (ମହାରାଷ୍ଟ୍ରରେ ଅନୁସୂଚିତ ଜନଜାତି ଭାବେ ତାଲିକାଭୁକ୍ତ)ର ପ୍ରତିନିଧିତ୍ୱ କରିଥାନ୍ତି, ଆଜି ସେମାନେ ମୋତେ ଆତିଥେୟ ଦେଉଛନ୍ତି। ଦାଦାଜୀ ହେଉଛନ୍ତି, ବାବାସାହେବ ଆମ୍ବେଦକରଙ୍କ ଜଣେ ସମର୍ପିତ ଅନୁଗାମୀ କୀର୍ତ୍ତନକାର ତଥା ଜଣେ ଚାଷୀ। ଅନ୍ୟପଟେ ରାମଚନ୍ଦ୍ର ନିଜ ପରିବାରର ୫ ଏକର ଚାଷ ଜମିକୁ ଦେଖାଶୁଣା କରୁଛନ୍ତି, କାରଣ ତାଙ୍କ ବାପା ତଥା ଦାଦାଜୀଙ୍କ ବଡ଼ ଭାଇ ଭୀକାଜୀ ଅସୁସ୍ଥତା ଯୋଗୁଁ ଆଉ ଚାଷ କରିପାରୁନାହାନ୍ତି। ଭୀକାଜୀ ଏକଦା ଗାଁର ‘ପୋଲିସ ପାଟିଲ’ ଥିଲେ। ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦବୀ ଯେଉଁଥିରେ ସେ ଗ୍ରାମବାସୀ ଏବଂ ପୋଲିସ ମଧ୍ୟରେ ସମନ୍ୱୟ ସ୍ଥାପନ କରୁଥିଲେ।
ବନ୍ୟପ୍ରାଣୀଙ୍କଠାରୁ କଞ୍ଚା ଫସଲକୁ ସୁରକ୍ଷା ଦେବା ପାଇଁ ରାତ୍ରି ଜାଗରଣ ବା ଯାହାକୁ ସେମାନେ ଜାଗିଲ୍ ବୋଲି କହିଥାନ୍ତି, ସେଥିପାଇଁ ଆମେ ନାଗପୁର ଜିଲ୍ଲାର ଭିୱାପୁର ତହସିଲ ଅନ୍ତର୍ଗତ ସେମାନଙ୍କ ଗାଁଠାରୁ ଗୋଟିଏ ମାଇଲ୍ ଦୂରରେ ଥିବା ରାମଚନ୍ଦ୍ରଙ୍କ ଚାଷ ଜମି ଅଭିମୁଖେ ଯିବା ପାଇଁ ପ୍ରସ୍ତୁତ ହେଉଛୁ। ରାମଚନ୍ଦ୍ରଙ୍କ ବଡ଼ ପୁଅ ନଅ ବର୍ଷ ବୟସ୍କ ଆଶୁତୋଷ ମଧ୍ୟ ଆମ ୭ ଜଣିଆ ଦଳରେ ରହିଛି।


























