୨୦୨୩ ଜୁନ୍ ମଧ୍ୟ ଭାଗରେ ଅଜିମ୍ ଶେଖ୍ ପାଞ୍ଚ ଦିନ ଧରି ଔରଙ୍ଗାବାଦ ଉପଖଣ୍ଡ ଆୟୁକ୍ତଙ୍କ କାର୍ଯ୍ୟାଳୟ ଆଗରେ ଅନାହାର ଅନଶନରେ ବସି ରହିଥିଲେ।
ଅସହ୍ୟ ଗରମ ସତ୍ତ୍ୱେ ୨୬ ବର୍ଷ ବୟସ୍କ ଅଜିମ କେବଳ ପାଣି ବ୍ୟତୀତ ଆଉ କିଛି ଗ୍ରହଣ କରିନଥିଲେ। ଅନଶନ ଶେଷ ପର୍ଯ୍ୟାୟରେ ସେ ଦୁର୍ବଳ ହୋଇଯାଇଥିଲେ। ଥକି ଯାଇଥିଲେ ଏବଂ ତାଙ୍କ ମୁଣ୍ଡ ଘୂରାଉଥିଲା। ଏପରିକି ସିଧା ଚାଲିବା ତାଙ୍କ ପାଇଁ କଷ୍ଟକର ହୋଇପଡ଼ିଥିଲା।
ତାଙ୍କର ଦାବି କ’ଣ? ସେ କେବଳ ପୁଲିସ ନିକଟରେ ଏକ ଅଭିଯୋଗ ଦାଖଲ କରିବାକୁ ଚାହୁଁଥିଲେ। କିନ୍ତୁ ଔରଙ୍ଗାବାଦଠାରୁ ପ୍ରାୟ ୮୦ କିଲୋମିଟର ଦୂର ଜାଲନା ଜିଲ୍ଲାରେ ଥିବା ତାଙ୍କ ଗାଁ ପାଖ ସ୍ଥାନୀୟ ପୁଲିସ ଷ୍ଟେସନ ଅଭିଯୋଗକୁ ଗ୍ରହଣ କରୁନଥିଲା।
ଗତ ବର୍ଷ ୧୯ ମେ ୨୦୨୩ରେ ମରାଠା ସମ୍ପ୍ରଦାୟର ପ୍ରତିନିଧିତ୍ୱ କରୁଥିବା ସୋନାୱନେ ପରିବାର ସଦସ୍ୟମାନେ ରାତି ୧୧ଟା ବେଳେ ଅଜିମଙ୍କ ଘରେ ପ୍ରବେଶ କରି ତାଙ୍କ ପରିବାର ଲୋକଙ୍କୁ ଲାଠି ଓ ପଥର ମାଡ଼ କରିଥିଲେ। ଏଥିରେ ତାଙ୍କ ଭାଇ ଓ ବାପା-ମା’ ଆହତ ହୋଇଥିଲେ। ସେ ପରୀକୁ କହିଥିଲେ, ‘‘ମୋ ବୁଢ଼ୀ ମା’ଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡ଼ିଥିଲା। ଏହା ଅତି ବର୍ବର ଆକ୍ରମଣ ଥିଲା। ସେମାନେ ଘର ଭିତରୁ ଅଳଙ୍କାର ଓ ନଗଦ ୧.୫ ଲକ୍ଷ ଟଙ୍କାରୁ ଅଧିକ ଚୋରାଇ ନେଇଥିଲେ।’’
ଆକ୍ରମଣକାରୀଙ୍କ ମଧ୍ୟରେ ସାମିଲ ଥିବା ନୀତିନ ସୋନାୱନେଙ୍କୁ ଯେତେବେଳେ ଏହି ରିପୋର୍ଟର ଯୋଗାଯୋଗ କରିଥିଲେ, ସେ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ଦେବାକୁ ମନା କରି ଦେଇ କହିଥିଲେ, ମୁଁ ଏ ଘଟଣା ବିଷୟରେ କିଛି ଜାଣିନାହିଁ।’’
ମଧ୍ୟ ମହାରାଷ୍ଟ୍ରର ଭୋକରଦାନ ତାଲୁକା ଅଧୀନରେ ଅଜିମଙ୍କ ଗାଁ ପଲସଖେଡ଼ା ମୁର୍ତଡ଼ ରହିଛି । ଗାଁର ଜନବସତି ଠାରୁ ଦୁଇ କିଲୋମିଟର ଦୂରରେ ଥିବା ୮ ଏକର ଚାଷ ଜମିରେ ଅଜିମଙ୍କ ଘର ନିର୍ମିତ ହୋଇଛି।
ସେ କୁହନ୍ତି, ‘‘ରାତି ବେଳା ଏଠାରେ ଏକାନ୍ତ ଓ ଶାନ୍ତ ପରିବେଶ ଥାଏ। ଆମେ ସହାୟତା ପାଇଁ କାହାକୁ ଫୋନ୍ ସୁଦ୍ଧା କରିପାରିଲୁ ନାହିଁ।’’







