ପ୍ରଥମ ଥର ପାଇଁ ଦୀୟା ପ୍ରାୟତଃ ମୁକୁଳି ଯାଇଥିଲେ।
ସେ ବସ୍ରେ ବସିଥିଲେ, ଭୟଭୀତ ହୋଇ ସବୁ ସିଟ୍ ପୂରଣ ହେବାକୁ ଅପେକ୍ଷା କରିଥିଲେ। ସେ ସୁରଟ୍ରୁ ଝାଲୋଡ଼ ପର୍ଯ୍ୟନ୍ତ ଟିକେଟ୍ କାଟିଥିଲେ। ସେ ଜାଣିଥିଲେ ସେଠାରୁ ଗୁଜରାଟ ସୀମା ଅତିକ୍ରମ କରିବା ପରେ ଗୋଟିଏ ଘଣ୍ଟାର ରାସ୍ତା ଅତିକ୍ରମ କରି ତାଙ୍କ ଗାଁ ରାଜସ୍ଥାନର କୁଶଲଗଡ଼ରେ ପହଞ୍ଚି ହେବ।
ସେ ଝରକା ପଟେ ବାହାରକୁ ଚାହିଁଥିବା ସମୟରେ ହଠାତ୍ ରବି ତାଙ୍କ ପଛପଟୁ ଆସି ପହଞ୍ଚିଗଲା। ସେ କୌଣସି ପ୍ରତିକ୍ରିୟା ପ୍ରକାଶ କରିବା ପୂର୍ବରୁ ରବି ତାଙ୍କ ହାତ ଧରି ବସ୍ରୁ ବାହାରକୁ ଟାଣି ନେଇ ପଳାଇଲା।
ଚାରି ପାଖରେ ଥିବା ଲୋକମାନେ ବ୍ୟସ୍ତ ଥିଲେ, ବ୍ୟାଗ୍ପତ୍ର ଲଦୁଥିଲେ, ପିଲାମାନଙ୍କୁ ବସାଉଥିଲେ। କେହି କ୍ରୋଧୀ ଯୁବକ ଏବଂ ଭୟଭୀତ କିଶୋରୀଙ୍କ ପ୍ରତି ଧ୍ୟାନ ଦେଇନଥିଲେ। ‘‘ମୁଁ ଭୟରେ ଚିତ୍କାର କରିପାରୁନଥିଲି,’’ ଦୀୟା କୁହନ୍ତି। ପୂର୍ବରୁ ସେ ରବିର କ୍ରୋଧ ବିଷୟରେ ଜାଣିଥିବାରୁ ନିରବ ରହିବାକୁ ଉଚିତ୍ ମନେ କଲେ।
ସେହି ରାତିରେ, ସେଠାରେ ନିର୍ମାଣ ସ୍ଥଳୀରେ, ତାଙ୍କ ଘରେ ଓ ଗତ ଛଅ ମାସ ଧରି ତାଙ୍କ ପାଇଁ କାରଗାର ପାଲଟିଥିବା ସ୍ଥାନରେ ଦୀୟା ଆଦୌ ଶୋଇ ପାରିଲେ ନାହିଁ। ତାଙ୍କ ଶରୀର ସାରା ଯନ୍ତ୍ରଣାରେ ଫାଟି ପଡ଼ୁଥିଲା। ରବିର ମାଡ଼ରେ ତାଙ୍କ ଶରୀରର ବିଭିନ୍ନ ସ୍ଥାନ ଫାଟି ଯାଇଥିଲା ଓ ଦାଗ ହୋଇଯାଇଥିଲା । ‘‘ସେ ମୋତେ ମୁଥ ଓ ଲାତ ମାରିଲା,’’ ଦୀୟା କୁହନ୍ତି। ‘‘ସେ ବାଡ଼େଇବା ସମୟରେ ତା’କୁ କେହି ଅଟକାଇ ପାରିନଥିଲେ।’’ ଯେଉଁ ବ୍ୟକ୍ତି ଅଟକାଇଲେ ତାଙ୍କ ବିରୋଧରେ ଦୀୟାଙ୍କ ଉପରେ ଖରାପ ନଜର ପକାଉଥିବାର ଅଭିଯୋଗ ହେଲା। ନିର୍ଯାତନା ଦେଖୁଥିବା ମହିଳାମାନେ ନିଜକୁ ଦୂରେଇ ରଖିଥିଲେ। ଯଦି କେହି ପ୍ରତିବାଦ କରୁଥିଲେ, ରବି କହୁଥିଲା, ‘ମେରୀ ଘର୍ ୱାଲି ହୈ, ତୁମ୍ କ୍ୟୁଁ ବୀଚ୍ ମେଁ ଆ ରହେ ହୋ (ସେ ମୋ ପତ୍ନୀ। ତୁମେ କାହିଁକି ମୁଣ୍ଡ ଖେଳାଉଛ)?’
‘‘ପ୍ରତ୍ୟେକ ଥର ମାଡ଼ ଖାଇବା ପରେ, ମୁଁ ମଲ୍ଲମ ପଟ୍ଟି (ଘା’ ଚିକିତ୍ସା ପାଇଁ) କରିବା ଲାଗି ଡାକ୍ତରଖାନାକୁ ଯାଉଥିଲି ଏବଂ ୫୦୦ ଟଙ୍କା ଖର୍ଚ୍ଚ କରୁଥିଲି। ରବିର ଭାଇ ବେଳେବେଳେ ଟଙ୍କା ଦେଉଥିଲେ, ଏପରିକି ମୋତେ ଡାକ୍ତରଖାନା ନେଇ ଯାଇ କହୁଥିଲେ, ‘‘ତୁମ୍ ଘର ପେ ଚଲେଜା (ତୁମ ବାପ ଘରକୁ ଚାଲି ଯାଅ),’’ ଦୀୟା କହିଥାନ୍ତି। କିନ୍ତୁ ସେ କିପରି ଏମିତି କରିବେ ଦୁହିଁଙ୍କୁ ଜଣାନଥିଲା।

















