‘‘ମୈନେ କଭି ଦୋ ବୋର୍ଡ ଏକ୍ ଜୈସା ନହିଁ ବନାୟା (ମୁଁ କେବେ ବି ଏକାଭଳି ଦୁଇଟି ବୋର୍ଡ ତିଆରି କରିନାହିଁ),’’ ଅହମ୍ମଦାବାଦର ଜଣେ ସାଇନବୋର୍ଡ ଚିତ୍ରକର ଶେଖ୍ ଜଲାଲୁଦ୍ଦିନ କମରୁଦ୍ଦିନ କୁହନ୍ତି । କଇଁଚି ନିର୍ମାତାଙ୍କ ପାଇଁ ପ୍ରସିଦ୍ଧ ଏକ ବ୍ୟସ୍ତବହୁଳ ଅଞ୍ଚଳ ଘୀକାଣ୍ଟାରେ ସମସ୍ତ ସାଇନ୍ବୋର୍ଡ ସେ ହିଁ ଚିତ୍ରଣ କରିଛନ୍ତି । ଗୋଟିଏ ଜିନିଷ ବିକ୍ରି କରୁଥିବା ଅନେକ ଦୋକାନ ଥିବା ସତ୍ତ୍ୱେ ଜଲାଲୁଦ୍ଦିନଙ୍କ ସାଇନ୍ ବା ସଙ୍କେତଗୁଡ଼ିକ ପ୍ରତ୍ୟେକ ଦୋକାନର ସ୍ୱତନ୍ତ୍ର ଦୃଶ୍ୟମାନ ପରିଚୟ ଦେବାରେ ସଫଳ ହୋଇଥା’ନ୍ତି ।
ଏହି ଅଭିଜ୍ଞ ଚିତ୍ରକରଙ୍କ କାମ ‘‘ଦୀବାର, ଦୁକାନ୍ ଔର୍ ଶଟ୍ଟର୍ (କାନ୍ଥ, ଦୋକାନ ଏବଂ ଦୋକାନ ଶଟର୍)ରେ’’ ଏବଂ ଚଳଚ୍ଚିତ୍ରର ପୃଷ୍ଠଭୂମି ରୂପରେ ଦେଖିବାକୁ ମିଳିପାରିବ। ଜଣେ ସାଇନ ବୋର୍ଡ ଚିତ୍ରକରଙ୍କୁ ବିଭିନ୍ନ ସ୍ଥାନୀୟ ଭାଷାର ଲିପି ଅକ୍ଷରଗୁଡ଼ିକୁ ତିଆରି ଏବଂ ଚିତ୍ର କରି ଆସିବା ଦରକାର। ଅହମ୍ମଦାବାଦର ମାନେକ ଚୌକରେ ଗୋଟିଏ ଗହଣା ଦୋକାନରେ, ଚାରିଟି ଭାଷା - ଗୁଜରାଟୀ, ହିନ୍ଦୀ, ଊର୍ଦ୍ଦୁ ଏବଂ ଇଂରାଜୀ ଅର୍ଦ୍ଧଶତାବ୍ଦୀ ଧରି ପ୍ରଦର୍ଶିତ ହେଉଛି ।
ଜଲାଲୁଦ୍ଦିନ କୁହନ୍ତି, ସ୍ୱାଭାବିକ ଭାବେ ତାଙ୍କଠାରେ ଚିତ୍ର କରିବାର ପ୍ରତିଭା ରହିଛି। ୭୧ ବର୍ଷ ବୟସରେ ସେ ଅହମ୍ମଦାବାଦର ସବୁଠୁ ବୟସ୍କ ସାଇନବୋର୍ଡ ଚିତ୍ରକରମାନଙ୍କ ମଧ୍ୟରୁ ଅନ୍ୟତମ। ତାଙ୍କୁ ସମସ୍ତେ ‘ଜେକେ ପେଣ୍ଟର୍’ ନାମରେ ଜାଣନ୍ତି । ସେ କୁହନ୍ତି, ୫୦ ବର୍ଷ ପୂର୍ବରୁ ସେ ସାଇନ୍ ପେଣ୍ଟିଂ କରିବା ଆରମ୍ଭ କରିଥିଲେ। ହେଲେ ପୂର୍ବରୁ ତାଙ୍କୁ ଯେତିକି କାମ ମିଳୁଥିଲା ଏବେ ମିଳୁନାହିଁ ।
ଏହି ବୟସ୍କ ଚିତ୍ରକର ଜଣଙ୍କ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଛନ୍ତି, ତଥାପି ସେ ପାଞ୍ଚଟି ଭାଷା - ଗୁଜରାଟୀ, ଇଂରାଜୀ, ହିନ୍ଦୀ, ଊର୍ଦ୍ଦୁ ଓ ଆରବୀୟରେ ସାଇନ୍ ବୋର୍ଡ ଆଙ୍କି ପାରିବେ । ଅଧାରୁ ସ୍କୁଲ୍ ଛାଡ଼ିବା ପରେ ସେ ରଶି ତିଆରି, ବହି ବାଇଣ୍ଡିଂ କରିବା ଏବଂ ଗ୍ୟାରେଜ୍ ମେକାନିକ ଭାବେ କାମ କରିଥିଲେ। ଶେଷରେ ଦଲଘରୱାଡ଼ ବଜାରରେ ଥିବା ରହୀମ୍ଙ୍କ ଦୋକାନରେ ଚିତ୍ର କଳା ଶିଖିଥିଲେ।
୭୦ରୁ ଅଧିକ ବୟସ ଅତିକ୍ରମ କରିସାରିଥିଲେ ସୁଦ୍ଧା, ଜଲାଲୁଦ୍ଦିନ ଏବେ ବି ୨୦ କିଲୋ ଘୋଡ଼ା (ଶିଢ଼ି) ବୋହି ସାଇନ୍ ବୋର୍ଡ ଆଙ୍କିବା ଲାଗି କାର୍ଯ୍ୟସ୍ଥଳୀରେ ପହଞ୍ଚିଯାଆନ୍ତି । କିନ୍ତୁ ତାଙ୍କର ବାଏପାସ ଅସ୍ତ୍ରୋପଚାର ହେବା ପରେ ଡାକ୍ତର ତାଙ୍କୁ ଅଧିକ ଓଜନ ଉଠାଇବାକୁ ମନା କରିଛନ୍ତି । ତେଣୁ ବାହାରକୁ ଯାଇ କାମ କରିବା ତାଙ୍କ ପାଇଁ ସମ୍ଭବ ହେଉନାହିଁ ଏବଂ ସେ କେବଳ ନିଜ ଦୋକାନରେ ବସି ସାଇନବୋର୍ଡ ପେଣ୍ଟିଂ କରୁଛନ୍ତି । ‘‘ଦୀର୍ଘ ସମୟ ପର୍ଯ୍ୟନ୍ତ ଶିଢ଼ି ଉପରେ ଛିଡ଼ା ହୋଇ ରହିବା କାରଣରୁ ମୋର ଆଣ୍ଠୁ ମଧ୍ୟ ଯନ୍ତ୍ରଣା ହେଉଛି,’’ ସେ କୁହନ୍ତି, ପୁଣି ସେ କହିଥାନ୍ତି, ‘‘ଯେତେଦିନ ପର୍ଯ୍ୟନ୍ତ ମୋର ହାତଗୋଡ଼ କାମ କରୁଥିବ ମୁଁ ଏହି କାମ ଜାରି ରଖିବି।’’


















