ରୁବେଲ ଶେଖ ଏବଂ ଅନିଲ ଖାନ ଗାଡ଼ି ଚଲାଉଥିଲେ ସତ... ହେଲେ ସେମାନେ ଭୂମି ଆଖପାଖରେ ବି ନଥିଲେ । ସେମାନେ ଥିଲେ ପ୍ରାୟ ୨୦ ଫୁଟ ଉପରେ ଏବଂ ପ୍ରାୟ ୮୦ ଡିଗ୍ରୀ କୋଣରେ ଢଳି ରହିଥିବା ଏକ ଢାଞ୍ଚାରେ । ଅଗରତଲାର ଏହି ମେଳାରେ ସମବେତ ଲୋକେ ପାଟି କରି ସେମାନଙ୍କୁ ଉତ୍ସାହିତ କରୁଥିଲେ । ରୁବେଲ ଏବଂ ଅନିଲ କାର ୱିଣ୍ଡୋ ପାଖକୁ ଆସି ହାତ ହଲାଇ ଏହାକୁ ସ୍ୱୀକାର କରୁଥିଲେ ।
ସେମାନେ ‘ମୌତ କା କୂଆଁ’ (ମୃତ୍ୟୁର କୂଅ)ରେ କଳାକୌଶଳ ପରିବେଷଣ କରୁଛନ୍ତି – କୂଅ ଭଳି ଉପରକୁ ଲମ୍ବ ଭାବରେ ନିର୍ମିତ ଏକ ଢାଞ୍ଚାର ‘କାନ୍ଥ’ ଉପରେ ଏବଂ କଡ଼ରେ କାର ଓ ବାଇକ ଚାଳନାର ବିଭିନ୍ନ ଦୁଃସାହସିକ କୌଶଳ ପ୍ରଦର୍ଶନ ।
ସେମାନଙ୍କର ଏହି କଳାକୌଶଳ ପ୍ରଦର୍ଶନ ସମୟକୁ ୧୦ ମିନିଟର ଅବଧିରେ ବିଭକ୍ତ କରାଯାଇଛି ଏବଂ ଏହା ଘଣ୍ଟା ଘଣ୍ଟା ଧରି ଚାଲେ । ସେମାନଙ୍କ କଳା ପ୍ରଦର୍ଶନର ସ୍ଥଳଟି କାଠର ପ୍ୟାନେଲରେ ତିଆରି କୂଅ ଭଳି ଏକ ଢାଞ୍ଚା ଏବଂ ମେଳାରେ ଏହା ଗଢ଼ିବା ଲାଗି କିଛି ଦିନ ଲାଗିଯାଏ । ଏହି ପ୍ରଦର୍ଶନ ମଞ୍ଚ ନିର୍ମାଣରେ ବ୍ୟବହୃତ ଯାନ୍ତ୍ରିକ ପଦ୍ଧତି ଏବଂ ସେମାନଙ୍କ ନିଜର ସୁରକ୍ଷା ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ଅଧିକାଂଶ ଗାଡ଼ି ବା ବାଇକ ଚାଳକ ଏହାର ନିର୍ମାଣ ପ୍ରକ୍ରିୟାରେ ନିଜକୁ ସାମିଲ କରନ୍ତି ।
୨୦୨୩ ଅକ୍ଟୋବରରେ, ଦୁର୍ଗାପୂଜା ଉପଲକ୍ଷେ ତ୍ରିପୁରାର ଅଗରତଲାରେ ଆୟୋଜିତ ମେଳାରେ ‘ମୌତ କା କୂଆଁ’ ଭଳି ଭୟଙ୍କର ଶିରୋନାମାରେ ପ୍ରଦର୍ଶିତ ଏହି କ୍ରୀଡ଼ା କୌଶଳ ଥିଲା ଅନ୍ୟତମ ଆକର୍ଷଣର କେନ୍ଦ୍ରବିନ୍ଦୁ । ଅନ୍ୟାନ୍ୟ ଆକର୍ଷଣରେ ରହିଥିଲା ଚକ୍ରି ଦୋଳି, ମେରୀ-ଗୋ-ରାଉଣ୍ଡ ଏବଂ ଖେଳନା ଟ୍ରେନ୍ ।























