‘ବିରାଟ କୋହଲି’ ବେଶ୍ ଲୋକପ୍ରିୟ ନାମ। ଏହି ଭାରତୀୟ କ୍ରିକେଟ୍ ତାରକାଙ୍କର ଏଠାରେ ଡୁଙ୍ଗ୍ରା ଛୋଟାରେ ଅନେକ ପ୍ରଶଂସକ ରହିଛନ୍ତି।
ଗୋଟିଏ ଶୀତୁଆ ସକାଳର ୧୦ଟା ବାଜିସାରିଛି ଏବଂ ଏଠାରେ ୧୨ରୁ ଅଧିକ ସ୍ଥାନୀୟ ପିଲାମାନେ ଖେଳରେ ମସଗୁଲ ଅଛନ୍ତି। ଉଜ୍ଜ୍ୱଳ ସବୁଜ ମକା କ୍ଷେତ ମଝିରେ ଥିବା ଏହି ଖୋଲା ସ୍ଥାନ ଆପଣଙ୍କୁ କ୍ରିକେଟ୍ ପଡ଼ିଆ ଭଳି ଲାଗିବ ନାହିଁ, କିନ୍ତୁ ବାଂଶୱାଡ଼ା ଜିଲ୍ଲାରେ ଥିବା ଏହି ଗାଁର କ୍ରିକେଟ୍ପ୍ରେମୀମାନେ, ପପିଂ କ୍ରିଜ୍ ଠାରୁ ଆରମ୍ଭ କରି ବାଉଣ୍ଡ୍ରି ଲାଇନ୍ ପର୍ଯ୍ୟନ୍ତ ଏହି ପଡ଼ିଆର ସବୁ ଭାଗକୁ ଜାଣନ୍ତି ।
ସମସ୍ତେ ଜାଣନ୍ତି ଯେ କ୍ରିକେଟ୍ ପ୍ରଶଂସକଙ୍କ ସହ ଆଲୋଚନା ଆରମ୍ଭ କରିବାର ସବୁଠୁ ପ୍ରଭାବଶାଳୀ ଉପାୟ ହେଉଛି ସେମାନଙ୍କୁ ନିଜ ପସନ୍ଦର କିକେଟ୍ ଖେଳାଳୀଙ୍କ ବିଷୟରେ ପଚାରିବା। ଏଠି ବିରାଟ କୋହଲିଙ୍କଠାରୁ ଆରମ୍ଭ ହୋଇଥାଇପାରେ, କିନ୍ତୁ ଖୁବଶୀଘ୍ର - ରୋହିତ ଶର୍ମା, ଯଶପ୍ରୀତ ବୁମ୍ରା, ସୂର୍ଯ୍ୟକୁମାର ଯାଦବ, ମହମ୍ମଦ ସିରାଜ… ଆଦି ଅନ୍ୟ ନାଁ ମଧ୍ୟ ସାମ୍ନାକୁ ଆସିଯାଏ।
ଶେଷରେ ୧୮ ବର୍ଷ ବୟସ୍କ ଶିବମ୍ ଲବାନା କୁହନ୍ତି, ‘‘ମୁଁ ସ୍ମୃତି ମନ୍ଧାନାଙ୍କୁ ପସନ୍ଦ କରେ।’’ ଏହି ବାମହାତି ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଏବଂ ଭାରତୀୟ ମହିଳା ଟି-ଟ୍ୱେଣ୍ଟି ଦଳର ପୂର୍ବତନ ଅଧିନାୟିକା ଦେଶର ସବୁଠୁ ଲୋକପ୍ରିୟ କ୍ରିକେଟରଙ୍କ ମଧ୍ୟରୁ ଅନ୍ୟତମ।
କିନ୍ତୁ ଖୁବଶୀଘ୍ର ଆମକୁ ଜଣାପଡ଼ିଲା ଯେ ଖାଲି ସେ ନୁହନ୍ତି, ଏ ପଡ଼ିଆରେ ଅନ୍ୟ ବାମହାତି ବ୍ୟାଟ୍ସମ୍ୟାନଙ୍କ ବିଷୟରେ ମଧ୍ୟ ଚର୍ଚ୍ଚା ହୋଇଥାଏ।
ମହତ୍ୱାକାଂକ୍ଷୀ ବ୍ୟାଟ୍ସମ୍ୟାନ୍ ଓ ବୋଲରଙ୍କ ସମୂହରେ - ସମସ୍ତେ ପୁଅ ଥିବା ବେଳେ ଝିଅଟିଏ ଏକୁଟିଆ ଦେଖାଯାଏ। ସେହି ଝିଅଟି ହେଉଛି ମାତ୍ର ନଅ ବର୍ଷ ବୟସର ହିତାକ୍ଷୀ ରାହୁଲ ହରକିଶୀ ତା’ର ପତଳା ଶରୀରରେ ଜଂଘ ଓ କହୁଣୀର ଗାର୍ଡ ସୁରକ୍ଷିତ ଭାବେ ବନ୍ଧା ହୋଇଥିବା ବେଳେ ସେ ଧଳା ଜୋତା ଓ ବ୍ୟାଟିଂ ପ୍ୟାଡ୍ ପିନ୍ଧି ପ୍ରସ୍ତୁତ ରହିଛି ।










