ପୁଅ ପିଲାଟିଏ ଭାବେ ପଞ୍ଚମ ଶ୍ରେଣୀରେ ପଢ଼ିବା ବେଳେ ସେ ନିଜକୁ ଜଣେ ଝିଅ ଭାବେ ଚିହ୍ନିବା ଆରମ୍ଭ କଲେ।
“ଏମ. ଇ. ସ୍କୁଲରେ ଛୋଟ-ପ୍ୟାଣ୍ଟ ପିନ୍ଧିବାକୁ ପଡ଼ୁଥିଲା ଓ ମୋ ଜଙ୍ଘ ଦେଖା ଯାଉଥିଲା”, ସେ କହନ୍ତି - “ପୁଅପିଲାମାନଙ୍କ ସହ ସେମିତି ବସିବାଟା ଭାରି ଲଜ୍ଜାଜନକ ଥିଲା”। ବର୍ତ୍ତମାନ ତିରିଶି ବର୍ଷ ବୟସ ଡେଇଁ ସାରିଥିବା ରମ୍ୟା ଜଣେ ସ୍ତ୍ରୀ ଲୋକର ପରିଚୟ ପାଇବା ପାଇଁ ନାଲି ଶାଢୀ ପିନ୍ଧିବା ସହ ଲମ୍ବା ବାଳ ରଖୁଛନ୍ତି।
ରମ୍ୟା ଚେଙ୍ଗାଲପାଟୁ ଜିଲ୍ଲା ଅନ୍ତର୍ଗତ ଥିରୁପୋରୁର ସହରରେ ଥିବା ଗୋଟିଏ ଛୋଟ ଆମ୍ମା ଠାକୁରାଣୀଙ୍କ ମନ୍ଦିରର ପରିଚାଳନା କରୁଛନ୍ତି। ତାଙ୍କର ମା’ ଭେଙ୍ଗାମ୍ମା ଚଟାଣରେ ତାଙ୍କ ପାଖକୁ ବସିଥିଲେ। “ଛୋଟ ପିଲାରୁ ବଡ଼ ହେଲା ବେଳେ ପୁଅଟିଏ ହେଇ ବି ସେ [ରମ୍ୟାଙ୍କୁ ଦେଖାଇ] ଚୁଡ଼ିଦାର [ମହିଳାମାନେ ପିନ୍ଧୁଥିବା ହଳିକିଆ ପୋଷାକ], ଦଭାନୀ [ଅଧା-ଶାଢ଼ୀ] ଓ କମ୍ମlଲ [କାନ ଫୁଲ] ପସନ୍ଦ କରୁଥିଲା। ଆମେ ତାକୁ ପୁଅଟିଏ ଭଳି ବ୍ୟବହାର କରିବାକୁ କହୁଥିଲୁ। କିନ୍ତୁ ସେ ଏଇଆ ହିଁ ହେବାକୁ ଚାହୁଁଥିଲା”, କହନ୍ତି ରମ୍ୟାଙ୍କ ୫୬-ବର୍ଷ ବୟସ୍କା ମା’।
ଯେହେତୁ କାନ୍ନିଆମ୍ମା ମନ୍ଦିର ବନ୍ଦ ହୋଇ ସାରିଥିଲା, ସେଠାକାର ଶାନ୍ତ ପରିବେଶରେ ଏବେ ଏହି ଖୋଲା କଥାବାର୍ତ୍ତା କରିବାକୁ କୌଣସି ଅସୁବିଧା ନଥିଲା। ଇରୁଲାର ସମାଜର ଲୋକେ, ଏହି ମା’ ଝିଅ ଦୁଇଜଣଙ୍କ ପରି କାନ୍ନିଆମ୍ମା ଠାକୁରାଣୀଙ୍କୁ ପୂଜା କରିବାକୁ ଦିନ ବେଳା ଆସନ୍ତି।
ଚାରି ଭାଇଭଉଣୀଙ୍କ ଭିତରେ ରମ୍ୟା ଜଣେ ଓ ସେ ଇରୁଲାରଠାରେ ବଡ଼ ହୋଇଛନ୍ତି। ଇରୁଲାରମାନଙ୍କୁ ତାମିଲନାଡୁର ପିଭିଟିଜିଏସ ବା ବିଶେଷ ଭାବେ ଅସୁରକ୍ଷିତ ଆଦିବାସୀ ଗୋଷ୍ଠୀ ମଧ୍ୟରେ ଗଣନା କରାଯାଏ। ତାଙ୍କ ସମାଜର ଅନ୍ୟମାନଙ୍କ ଭଳି ରମ୍ୟାଙ୍କ ବାପା ମା’ ସାମୟିକ ଭାବେ ଚାଷ ଜମି, କୋଠାବାଡ଼ି ନିର୍ମାଣ ଓ ମନରେଗା (ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ ରୋଜଗାର ଯୋଜନା) କାର୍ଯ୍ୟସ୍ଥଳୀରେ ଶ୍ରମିକ ଭାବେ କାମ କରି ଦୈନିକ ପ୍ରାୟ ୨୫୦ରୁ ୩୦୦ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରନ୍ତି।
“ସେ ସମୟରେ ଲୋକେ ଥିରୁନାନଗେଇସମାନଙ୍କ (କିନ୍ନର ବା ଟ୍ରାନ୍ସ ଓମେନ୍ ତାମିଲ ଶବ୍ଦ) ବିଷୟରେ କିଛି ଜାଣି ନଥିଲେ। ତେଣୁ ମୁଁ ଯେତେବେଳେ ଘରୁ ବାହାରେ, ସହରର ଲୋକମାନେ ମୋ ପଛରେ କଥା ହେଉଥିଲେ”, କହନ୍ତି ରମ୍ୟା। “ସେମାନେ କହୁଥିଲେ, “ସେ ପୁଅପିଲା ପୋଷାକ ପିନ୍ଧୁଛି, କିନ୍ତୁ ତା’ ଚାଲିଚଳଣ ଝିଅଟିଏ ପରି, ସେ ପୁଅ ନା ଝିଅ?” ଏବଂ ତାହା ମତେ କଷ୍ଟ ଦେଉଥିଲା”।























