‘‘ଭୋକ ସହିତ ଆହୁରି ଅନେକ କିଛି କଥା ମଦ ପିଇଦେଲେ ଭୁଲି ହୋଇଯାଏ,’’ ସିଙ୍ଗଧୁଇ ଗ୍ରାମର ବାସିନ୍ଦା ରବୀନ୍ଦ୍ର ଭୂଇୟାଁ କୁହନ୍ତି।
ଭୂଇୟାଁ ଜଣେ ସବର (ପଶ୍ଚିମବଙ୍ଗରେ ସଭର ଭାବେ ତାଲିକାଭୁକ୍ତ) ଆଦିବାସୀ ଏବଂ ତାଙ୍କ ବୟସ ୫୦ରୁ ଅଧିକ ହେବ । ମୁଣ୍ଡା ଆଦିବାସୀ ସମୁଦାୟରୁ ଆସିଥିବା ସବରମାନେ ଭାରତର ପୂର୍ବ ଭାଗରେ ରହିଥାନ୍ତି । ଏମାନେ ସଅର, ସୋର, ଶବର ଓ ସୁରୀ ନାମରେ ମଧ୍ୟ ପରିଚିତ ହୋଇଥାନ୍ତି । ଲୋଧା ଶବରମାନେ ମୁଖ୍ୟତଃ ଅବିଭାଜିତ ପଶ୍ଚିମ ମେଦିନାପୁରର ବାସିନ୍ଦା ଏବଂ ଖରିଆ ଶବରମାନେ ମୁଖ୍ୟତଃ ପୁରୁଲିଆ, ବାଙ୍କୁଡ଼ା ଓ ଅବିଭାଜିତ ପଶ୍ଚିମ ମେଦିନାପୁରରେ ରହିଥାନ୍ତି ।
ମହାଶ୍ୱେତା ଦେବୀଙ୍କ ପୁସ୍ତକ ଦ ବୁକ୍ ଅଫ୍ ଦ ହଣ୍ଟର (ପ୍ରଥମେ ବଙ୍ଗଳାରେ ବ୍ୟାଧଖଣ୍ଡ ନାମରେ ୧୯୯୪ରେ ପ୍ରକାଶିତ)ରେ ଏହି ସମୁଦାୟର ଉତ୍କଟ ଦାରିଦ୍ର୍ୟ ଏବଂ ଅବହେଳିତ ସ୍ଥିତିକୁ ଦର୍ଶାଯାଇଛି । ଏହାର ବହୁ ଦଶନ୍ଧି ପରେ, ମଧ୍ୟ ସ୍ଥିତିରେ କୌଣସି ପରିବର୍ତ୍ତନ ଆସିନାହିଁ ଏବଂ ୨୦୨୦ରେ ପ୍ରକାଶିତ ରିପୋର୍ଟ ଲିଭିଂ ୱାର୍ଲ୍ଡ ଅଫ୍ ଦ ଆଦିବାସୀସ୍ ଅଫ୍ ୱେଷ୍ଟବେଙ୍ଗଲ ଅନୁଯାୟୀ ‘‘ସର୍ବେକ୍ଷଣରେ ସାମିଲ ହୋଇଥିବା ୬୭ ପ୍ରତିଶତ ଗ୍ରାମ କ୍ଷୁଧାରେ ପ୍ରପୀଡ଼ିତ ଥିବା ଜଣାପଡ଼ିଛି ।’’
ଅଷ୍ଟାଦଶ ଶତାବ୍ଦୀର ଶେଷ ଭାଗଠାରୁ ଆରମ୍ଭ କରି ୧୯୫୨ ପର୍ଯ୍ୟନ୍ତ ଏହି ସମୁଦାୟକୁ ବ୍ରିଟିଶମାନେ ‘ଅପରାଧୀ ସମୁଦାୟ’ ଭାବେ ମାନ୍ୟତା ଦେଇଥିଲେ । ତେବେ ୧୯୫୨ରେ ଏମାନଙ୍କୁ ଅଣ-ଅଧିସୂଚୀତ କରାଯାଇଥିଲା। ପାରମ୍ପରିକ ଭାବେ ଶିକାରୀ ହୋଇଥିବା କାରଣରୁ, ସେମାନେ ଜଙ୍ଗଲରୁ ଫଳ, ପତ୍ର ଓ ମୂଳ ସଂଗ୍ରହ କରିବା ସହିତ ପଶୁ ଶିକାର କରିବାରେ ସିଦ୍ଧହସ୍ତ। ସ୍ୱାଧୀନତା ପରେ, କିଛି ଲୋକଙ୍କୁ ଚାଷ କରିବା ପାଇଁ ଜମି ଦିଆଗଲା, କିନ୍ତୁ ଏଥିମଧ୍ୟରୁ ଅଧିକାଂଶ ପଥୁରିଆ ଓ ଅନୁର୍ବର ଜମି ଥିଲା। ତେଣୁ ସେମାନେ ଅନ୍ୟ ଉପାୟ ନପାଇ ପ୍ରବାସୀ ଶ୍ରମିକ ଭାବେ କାମ ଆରମ୍ଭ କଲେ । ଅଣ-ଅଧିସୂଚୀତ ହେବା ସତ୍ତ୍ୱେ, ସେମାନଙ୍କ ପ୍ରତି ଭେଦଭାବ ଜାରି ରହିଛି । ସେମାନଙ୍କ ଗତିବିଧି ଉପରେ ଅଙ୍କୁଶ ଲଗାଉଥିବା ସ୍ଥାନୀୟ ପୁଲିସ ଓ ଜଙ୍ଗଲ ବିଭାଗର ଦୟାରେ ସେମାନଙ୍କୁ ବଞ୍ଚିବାକୁ ପଡ଼ୁଛି ।
ରୋଜଗାର ପାଇଁ ଖୁବ୍ କମ୍ ସୁଯୋଗ ରହିଥିବା କାରଣରୁ, ପଶ୍ଚିମ ମେଦିନାପୁର ଓ ଝାଡ଼ଗ୍ରାମ ଜିଲ୍ଲାର ସବର ସମୁଦାୟ ମଧ୍ୟରେ ଅନାହାର ସମସ୍ୟା ସ୍ପଷ୍ଟ ଭାବେ ଦେଖିବାକୁ ମିଳିଥାଏ। ଭୂଇୟାଁଙ୍କ ଭଳି ଅନେକ ଲୋକ ମଦ ପିଇ ସେମାନଙ୍କର ଭୋକ ଭୁଲାଇ ଦେବାକୁ ଚେଷ୍ଟା କରନ୍ତି କିମ୍ବା, ‘‘ଆମେ ଦିନକୁ ତିନି ଥର ପାନ୍ତା ଭାତ (ପଖାଳ ଭାତ) ଖାଇଥାଉ। ଆମେ ଏମିତି ଜୀବନ ନିର୍ବାହ କରିଥାଉ,’’ ବଙ୍କିମ୍ ମଲ୍ଲିକ କୁହନ୍ତି । ତପୋବନ ଗ୍ରାମର ୫୫ ବର୍ଷ ବୟସ୍କ ବାସିନ୍ଦା ବଙ୍କିମ ମଲ୍ଲିକ ପରିବାରର ପ୍ରତ୍ୟେକ ସଦସ୍ୟଙ୍କୁ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ)ରେ ମିଳୁଥିବା ମାସିକ ୫ କିଲୋଗ୍ରାମ୍ ଚାଉଳ ବିଷୟରେ ଉଲ୍ଲେଖ କରି ଏହା କୁହନ୍ତି । ‘‘ଲୁଣ ଓ ତେଲ ମିଳିବା ବ୍ୟୟବହୁଳ ବ୍ୟାପାର।’’ ସେ ତାଙ୍କର ଭଙ୍ଗା ଘର ବାହାରେ ବସି ପାନ୍ତାଭାତ ଖାଉଛନ୍ତି।























