ଅରତତୋଣ୍ଡି ଗାଁର ଅଣଓସାରିଆ ଗଳି ରାସ୍ତାରୁ ଭାସି ଆସୁଥିଲା ମାଦକତା ଭରା ମିଠା ମିଠା, ମନ ମତାଣିଆ ବାସ୍ନା ।

ଗାଁର ପ୍ରତିଟି ଘରର ଦାଣ୍ଡ ଅଗଣାରେ ବାଉଁଶ ଚଟେଇରେ, ନରମ ପଟିରେ ଏବଂ ମାଟି ଚଟାଣରେ ଶୁଖୁଥିଲା ହଳଦିଆ, ସବୁଜ ଏବଂ ବାଦାମୀ ଭଳି ଚମତ୍କାର ରଙ୍ଗର ଗଦା ଗଦା ମହୁଲ ଫୁଲ । ତାଜା ତାଜା ତୋଳାଯାଇଥିବା ହଳଦିଆ ଓ ସବୁଜ ରଙ୍ଗର ଫୁଲଗୁଡ଼ିକ ଖରାରେ ଶୁଖି ଟାଣ ହୋଇଯିବା ସହିତ ଏହାର ରଙ୍ଗ ବାଦାମୀ ହୋଇଯାଏ ।

ନିର୍ବାଚନ ପାଖେଇ ଆସିଲାଣି ଏବଂ ମହାରାଷ୍ଟ୍ରର ଗୋନ୍ଦିଆରେ ଅନୁଭୂତ ହେଲାଣି ମହୁଲ ଫୁଲର ଋତୁ ।

“ଏପ୍ରିଲରେ ମହୁଲ ଏବଂ ମେ’ରେ କେନ୍ଦୁପତ୍ର,” କହନ୍ତି ସାର୍ଥିକା କୈଳାସ ଆଡ଼େ । “ଆମର ଏଠି ଏଇଆ ହିଁ ଅଛି ।” ବଡ଼ ବଡ଼ ମହୁଆ ଗଛରୁ ଖସି ପଡୁଥିବା ଏହି କୋମଳ ଫୁଲ ଗୋଟାଇ ଆଣିବା ଲାଗି ପ୍ରତିଦିନ ସକାଳେ ୩୫ ବର୍ଷୀୟ ସାର୍ଥିକା ଏବଂ ମାନା ଓ ଗୋଣ୍ଡ ସଂପ୍ରଦାୟର ଅନ୍ୟ କେତେକ ଗ୍ରାମବାସୀ ଆଖପାଖ ଜଙ୍ଗଲରେ ୪-୫ ଘଣ୍ଟା ବିତାଇ ଦିଅନ୍ତି । ଏ ସମୟରେ ମହୁଲ ଗଛର ପତ୍ର ଲାଲ ପଡ଼ି ଗଲାଣି । ମଧ୍ୟାହ୍ନ ସୁଦ୍ଧା ତାପମାତ୍ରା ୪୧ ଡିଗ୍ରୀ ସେଲ୍‌ସିୟସରେ ପହଞ୍ଚିଲା ବେଳକୁ ଅସହ୍ୟ ତାତି ଅନୁଭୂତ ହୁଏ ।

ପ୍ରତି ମହୁଆ ଗଛରୁ ହାରାହାରି ୪ରୁ ୬ କିଲୋଗ୍ରାମ ପର୍ଯ୍ୟନ୍ତ ଫୁଲ ବାହାରେ । ଅରତତୋଣ୍ଡି (ସ୍ଥାନୀୟ ଲୋକେ ଅରକତୋଣ୍ଡି ବି କହନ୍ତି) ଗାଁର ଲୋକେ ଏହି ଫୁଲକୁ ବାଉଁଶ ଟୋକେଇ କିମ୍ବା ପ୍ଲାଷ୍ଟି୍ କ ବସ୍ତାରେ ସଂଗ୍ରହ କରି ଘରକୁ ଆଣନ୍ତି ଏବଂ ଖରାରେ ଶୁଖାଇ ଦିଅନ୍ତି । ଗୋଟିଏ କିଲୋ ଶୁଖିଲା ମହୁଲ ଫୁଲ ୩୫ରୁ ୪୦ ଟଙ୍କା ଦରରେ ବିକ୍ରି ହୁଏ ଏବଂ ଜଣେ ବ୍ୟକ୍ତି ପ୍ରତିଦିନ  ୫-୭ କିଲୋ ମହୁଲ ସଂଗ୍ରହ କରିପାରନ୍ତି ।

PHOTO • Jaideep Hardikar

ସାଧାରଣ ନିର୍ବାଚନ ଲାଗି ଏପ୍ରିଲ ୧୯ ତାରିଖ ଦିନ ପୂର୍ବ ବିଦର୍ଭର ଗୋନ୍ଦିଆ, ଭଣ୍ଡାରା, ଗଡ଼ଚିରୋଲି ଏବଂ ଚନ୍ଦ୍ରପୁର ଜିଲ୍ଲାରେ ଭୋଟଗ୍ରହଣ କରାଯିବ । ଆଜିକାଲି ସାରା ଅଞ୍ଚଳର ପୁରୁଷ, ମହିଳା ଓ ପିଲାମାନେ ମହୁଲ ଫୁଲ ସଂଗ୍ରହରେ ଲାଗି ପଡ଼ିଛନ୍ତି

PHOTO • Jaideep Hardikar
PHOTO • Jaideep Hardikar

ମହୁଲ ଫୁଲ ସଂଗ୍ରହ କରିବା ଲାଗି ଦିନକୁ ପାଞ୍ଚ ଘଣ୍ଟା ପର୍ଯ୍ୟନ୍ତ ଲାଗିଥାଏ । ସଂଗୃହୀତ ଫୁଲଗୁଡ଼ିକୁ ବାଉଁଶ ଚଟେଇ, ପଟି ଏବଂ ଚାଦରରେ ଖରାରେ ଶୁଖାଇ ଦିଆଯାଏ । ମଧ୍ୟ ଭାରତର ଲୋକଙ୍କ ପାଇଁ ଏହା ଜୀବିକା ଅର୍ଜନରର ଏକ ବାର୍ଷିକ ପନ୍ଥା

ସମଗ୍ର ମଧ୍ୟ ଓ ପୂର୍ବ ଭାରତର ବିଭିନ୍ନ ଆଦିବାସୀ ସଂପ୍ରଦାୟର ସାଂସ୍କୃତିକ, ଆଧ୍ୟାତ୍ମିକ ଏବଂ ଅର୍ଥନୈତିକ ଜୀବନ ଧାରାର ଏକ ତାତ୍ପର୍ଯ୍ୟପୂର୍ଣ୍ଣ ସ୍ଥାନ ଅଧିକାର କରିଛି ମହୁଆ ( Madhuca longifolia ) ଗଛ । ପୂର୍ବ ବିଦର୍ଭର ଆଦିବାସୀ ବହୁଳ ଗୋନ୍ଦିଆ ଜିଲ୍ଲା ଏବଂ ନକ୍‌ସଲ ଉପଦ୍ରୁତ ଗଡ଼ଚିରୋଲି ଜିଲ୍ଲାରେ ମହୁଆ ବା ମହୁଲ ଜୀବିକା ଉପାର୍ଜନର ଏକ ମୁଖ୍ୟ ସ୍ରୋତ । ୨୦୧୧ର ଜନଗଣନା ଅନୁସାରେ ଏ ଅଞ୍ଚଳରେ ଲୋକସଂଖ୍ୟାର ୧୩.୩ ପ୍ରତିଶତ ଅଧିସୂଚିତ ଜାତି ଏବଂ ୧୬.୨ ପ୍ରତିଶତ ଅଧିସୂଚିତ ଜନଜାତି । ସେମାନଙ୍କ ପାଇଁ ଜୀବିକା ଅର୍ଜନର ଅନ୍ୟ ଏକ ବିକଳ୍ପ ହେଉଛି ମହାତ୍ମା ଗାନ୍ଧି ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ମନରେଗା) ।

ଏହି ଶୁଷ୍କ ଅଞ୍ଚଳର ସ୍ୱଳ୍ପ ଚାଷବାସ କରାଯାଉଥିବା ଗାଁଗୁଡ଼ିକରେ ଚାଷକାମ ସରିଯିବା ପରେ ଏବଂ ଅଣ-କୃଷି କାର୍ଯ୍ୟ ଖୋଜିବା କଷ୍ଟକର ହୋଇପଡ଼ିଥିବା ସମୟରେ ଏପ୍ରିଲ ମାସରେ ଲକ୍ଷ ଲକ୍ଷ ଲୋକ ମହୁଲ ଫୁଲ ସଂଗ୍ରହ କରିବାରେ ଘଣ୍ଟା ଘଣ୍ଟା ବିତାଇ ଦିଅନ୍ତି । ସେମାନେ ନିଜ ଜମିରୁ କିମ୍ବା ଅର୍ଜୁନି-ମୋରଗାଓଁ ତହସିଲ ଅନ୍ତର୍ଗତ ଆଖପାଖର ଜଙ୍ଗଲରୁ ଏହା ସଂଗ୍ରହ କରନ୍ତି । ୨୦୨୨ର ଜିଲ୍ଲା ସାମାଜିକ ଏବଂ ଅର୍ଥନୈତିକ ସମୀକ୍ଷା ଅନୁସାରେ ଗୋନ୍ଦିଆର ମୋଟ କ୍ଷେତ୍ରଫଳର ୫୧ ପ୍ରତିଶତ ଜଙ୍ଗଲ ଅଞ୍ଚଳ ଏବଂ ଏହାର ପ୍ରାୟ ଅଧା ସଂରକ୍ଷିତ ଜଙ୍ଗଲ ।

୨୦୧୯ରେ ‘ମୁମ୍ବାଇ ସ୍କୁଲ ଅଫ୍‌ ଇକୋନୋମିକ୍‌ସ ଆଣ୍ଡ ପବ୍ଲିକ୍ ପଲିସି’ (MSE&PP) ଅନୁଷ୍ଠାନ ଆନୁକୂଲ୍ୟରେ ସଂପାଦିତ ମହୁଆ ଉତ୍ପାଦନ ଏବଂ ଆଦିବାସୀଙ୍କ ଜୀବିକା ସଂପର୍କିତ ଏକ ଅନୁଧ୍ୟାନ ଅନୁସାରେ ପୂର୍ବ ବିଦର୍ଭ ଅଞ୍ଚଳରୁ ଆନୁମାନିକ ୧.୧୫ ଲକ୍ଷ ମେଟ୍ରିକ୍‌ ଟନ୍‌ ମହୁଆ ସଂଗୃହୀତ ହୋଇଥାଏ । ଏହି ଅନୁଷ୍ଠାନର ପୂର୍ବତନ ନିର୍ଦ୍ଦେଶକ ତଥା ସୁପରିଚିତ ଅର୍ଥଶାସ୍ତ୍ରୀ ଡକ୍ଟର ନୀରଜ ହାଟେକର କହନ୍ତି ଯେ, ଏଥିରୁ କେବଳ ଗୋନ୍ଦିଆ ଓ ଗଡ଼ଚିରୋଲି ଜିଲ୍ଲାରୁ ୪,୦୦୦ ମେଟ୍ରିକ୍‌ ଟନ୍‌ ମହୁଲ ସଂଗୃହୀତ ହୁଏ, ଯାହାକି ରାଜ୍ୟର ମୋଟ ମହୁଲ ଉତ୍ପାଦନର ୯୫ ପ୍ରତିଶତ ।

ଏହି ଅନୁଧ୍ୟାନରୁ ଜଣାଯାଏ ଯେ, ଗୋଟିଏ କିଲୋଗ୍ରାମ ମହୁଆ ଅର୍ଥ ଜଣେ ଲୋକର ଘଣ୍ଟାକର ପରିଶ୍ରମ । ଏପ୍ରିଲ ମାସରେ ଏ ଅଞ୍ଚଳର ହଜାର ହଜାର ପରିବାର ମହୁଲ ଫୁଲ ସଂଗ୍ରହରେ ଦିନକୁ ୫-୬ ଘଣ୍ଟା ଲେଖାଏଁ ବିତାଇ ଥାଆନ୍ତି ।

PHOTO • Jaideep Hardikar
PHOTO • Jaideep Hardikar

ସଂଗୃହୀତ ମହୁଆ ଫୁଲକୁ ଗାଁ ଦାଣ୍ଡରେ ଏକାଠି କରି (ବାମ) ଛତିଶଗଡ଼ରୁ ଆସିଥିବା ବେପାରୀମାନେ ଗାଡ଼ିରେ ରାୟପୁର ପଠାଇ ଦିଅନ୍ତି । ଜୀବିକା ଅର୍ଜନ ଲାଗି ଅରକତୋଣ୍ଡି ଗାଁର ସବୁ ପରିବାର ଏପ୍ରିଲରେ ମହୁଆ ଏବଂ ମେ ମାସରେ କେନ୍ଦୁପତ୍ର ଭଳି ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ ଉପରେ ନିର୍ଭର କରନ୍ତି

ବିଭିନ୍ନ ଗାଁରେ ସଂଗୃହୀତ ମହୁଲ ଫୁଲକୁ ଏକାଠି କରି ପଡ଼ୋଶୀ ଛତିଶଗଡ଼ ରାଜ୍ୟର ବେପାରୀମାନେ କିଣି ନିଅନ୍ତି ଏବଂ ଏହା ମଦ, ବିଭିନ୍ନ ଖାଦ୍ୟ ସାମଗ୍ରୀ ଏବଂ ଗୋଖାଦ୍ୟ ଉତ୍ପାଦନରେ ବ୍ୟବହୃତ ହୁଏ ।

ଡକ୍ଟର ହାଟେକର କହନ୍ତି, “ସଂଗ୍ରହ ପରେ ଏକତ୍ରିତ ଫୁଲର ପରିମାଣ ପ୍ରକୃତ ଉତ୍ପାଦନ ତୁଳନାରେ ଖୁବ୍‌ କମ୍‌ । ଏହାର ଅନେକ କାରଣ ରହିଛି ଏବଂ ମୁଖ୍ୟତଃ ଏହି କାର୍ଯ୍ୟରେ ଅଧିକ ପରିଶ୍ରମ ଏବଂ ସମୟ ଲାଗିଥାଏ ।” ମହାରାଷ୍ଟ୍ରରେ ଫୁଲରୁ ମଦ ତିଆରି ବେଆଇନ ହୋଇଥିବା ବେଳେ ମହୁଲ ଫୁଲ ସଂଗ୍ରହ ନୀତିରେ ଆମୂଳଚୂଳ ସଂସ୍କାର ନିମନ୍ତେ ସେ କେତେକ ପ୍ରସ୍ତାବ ଦେଇଛନ୍ତି । ସେ ଆହୁରି ମଧ୍ୟ କହନ୍ତି ଯେ, ମହୁଲର ଦରଦାମ ସ୍ଥିର ରଖିବା, ଏହାର ମୂଲ୍ୟ ନିରୂପଣ ଶୃଙ୍ଖଳକୁ ବ୍ୟବସ୍ଥିତ କରିବା ସହିତ ବଜାରକୁ ସଂଗଠିତ କରାଗଲେ ଜୀବିକା ପାଇଁ ଏହା ଉପରେ ନିର୍ଭରଶୀଳ ଗୋଣ୍ଡ ଆଦିବାସୀ ସଂପ୍ରଦାୟକୁ ଏହାର ସୁଫଳ ମିଳିବ ।

*****

ସାର୍ଥିକା ଅରବିନ୍ଦ ପାନଗରିୟାଙ୍କ ଲିଖିତ ‘ଡୋଣ୍ଟ ଲୁଜ୍‌ ସ୍ଲିପ୍‌ ଓଭର ଇନଇକ୍ୟୁଆଲିଟି’ (ବିଷମତା କାରଣରୁ ଅନିଦ୍ରା ରହନ୍ତୁ ନାହିଁ) ଶୀର୍ଷକ ଲେଖା ପଢ଼ିଥିବାର କୌଣସି  ସମ୍ଭାବନା ନାହିଁ । ଏହି ଲେଖା ଅଗ୍ରଣୀ ଇଂରାଜୀ ଖବରକାଗଜ ‘ ଟାଇମ୍‌ସ ଅଫ୍‌ ଇଣ୍ଡିଆ ’ର ୨୦୨୪ ଏପ୍ରିଲ ୨ ତାରିଖ ସଂଖ୍ୟାରେ ପ୍ରକାଶ ପାଇଥିଲା । ପାନଗରିୟା ବି କେବେହେଲେ ସାର୍ଥିକାଙ୍କୁ ସାକ୍ଷାତ୍‌ କରି ନଥିଲେ ।

ସେମାନଙ୍କ ନିଜ ନିଜର ଦୁନିଆ ସଂପୂର୍ଣ୍ଣ ଭିନ୍ନ ଏବଂ ସମ୍ବନ୍ଧବିହୀନ ।

ସମ୍ଭବତଃ ପାନଗରିୟାଙ୍କ ଗଣନା ଭାରତର ସେହି ଏକ ପ୍ରତିଶତ ଶୀର୍ଷ ଆୟକାରୀଙ୍କ ମଧ୍ୟରେ ହୋଇଥାଏ, ଯାହା କି ଶହ ଶହ କୋଟି ଡଲାର ମାଲିକମାନଙ୍କର ସମ୍ଭ୍ରାନ୍ତ ବର୍ଗ ନହେଲେ ବି ପ୍ରଭାବଶାଳୀ ନୀତି ପ୍ରଣୟନକାରୀ ବର୍ଗ ରୂପେ ପରିଗଣିତ ।

ଅପରପକ୍ଷରେ, ସାର୍ଥିକା ଏବଂ ତାଙ୍କ ଗାଁ ଲୋକେ ଦେଶର ଦରିଦ୍ରତମ ଏବଂ ସର୍ବାଧିକ ଅସମର୍ଥ ବର୍ଗରେ ରହିଛନ୍ତି ଯାହା କି ଆର୍ଥିକ ସ୍ଥିତି ଦୃଷ୍ଟିରୁ ନିମ୍ନଭାଗର ୧୦ ପ୍ରତିଶତକୁ ସୂଚାଇ ଥାଏ । ସେମାନଙ୍କ ଘରେ କୌଣସି ସୁବିଧା ନାହିଁ- ରୋଜଗାରର ସବୁ ଉତ୍ସ ହିସାବକୁ ନେଲେ ତାଙ୍କ ପରିବାରର ଆୟ ମାସକୁ ୧୦,୦୦୦ ଟଙ୍କାରୁ ଅଧିକ ହୁଏନାହିଁ ବୋଲି ସେ କହନ୍ତି ।

ଦିନକୁ ଦିନ ସେମାନଙ୍କ ଚଳିବା କଷ୍ଟକର ହୋଇପଡ଼ୁଛି ବୋଲି ଦୁଇଟି ପିଲାର ମାଆ ସାର୍ଥିକା କହନ୍ତି ଏବଂ ତାଙ୍କୁ ଘେରି ରହିଥିବା ଗାଁ ଲୋକେ ଏହି କଥାରେ ଏକମତ ହୁଅନ୍ତି । ଦରଦାମ ଦ୍ରୁତ ହାରରେ ବୃଦ୍ଧି ପାଉଥିବା ସମୟରେ ରୋଜଗାର ପନ୍ଥା ସ୍ଥିର ରହିଥିବା କାରଣରୁ ତାଙ୍କୁ ରାତିରେ ନିଦ ହେଉନାହିଁ ।

PHOTO • Jaideep Hardikar
PHOTO • Jaideep Hardikar

ସାର୍ଥିକ ଆଡ଼େ (ମୁଣ୍ଡରେ ନୀଳ ରଙ୍ଗର ପଟି) ଜଣେ କ୍ଷୁଦ୍ର ଚାଷୀ ଯେ କି ମହୁଆ ଓ ମହାତ୍ମା ଗାନ୍ଧି ଜାତୀୟ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ଉପରେ ନିର୍ଭର କରନ୍ତି । ଗତ ୧୦ ବର୍ଷରେ ‘ମନରେଗା’ ଅନ୍ତର୍ଗତ କାମର ଚାହିଦା ବଢ଼ିଛି ବୋଲି ‘ମନରେଗା’ ଅନ୍ତର୍ଗତ କାମରେ ଦିନକୁ ଛଅ-ସାତ ଘଣ୍ଟା ବିତାଉଥିବା ମହିଳାମାନେ କହନ୍ତି । ଏଥିରେ ଶିକ୍ଷିତ ପୁରୁଷ ଓ ମହିଳାମାନେ ବି କାମ କରନ୍ତି  । ଗାଁର ଅନ୍ୟ ମହିଳାମାନଙ୍କ ସହିତ (ଡାହାଣ)

“ସବୁ କିଛି ମହଙ୍ଗା ହେବାରେ ଲାଗିଛି,” ଅରତତୋଣ୍ଡିର ମହିଳାମାନେ କହନ୍ତି । “ଖାଇବା ତେଲ, ଚିନି, ପନିପରିବା, ଜାଳେଣୀ, ବିଜୁଳି, ପରିବହନ, ମନୋହରୀ ଜିନିଷ ଏବଂ ଲୁଗାପଟା ।” ଏମିତି ଏ ତାଲିକା ଲମ୍ବିଯାଏ ।

ସାର୍ଥିକାଙ୍କ ପରିବାର ପାଖରେ ଗୋଟିଏ ଏକରରୁ କମ୍‌ ଚାଷ ଜମି ରହିଛି ଏବଂ ବର୍ଷାପାଣି ଉପରେ ନିର୍ଭର କରୁଥିବା ଏହି ଜମିରେ ସେମାନେ ଧାନଚାଷ କରନ୍ତି । ଏଥିରୁ ସେମାନେ ପ୍ରାୟ ୧୦ କୁଇଣ୍ଟାଲ ଧାନ ଅମଳ କରନ୍ତି ଏବଂ ବର୍ଷକ ପାଇଁ ଚଳିବାକୁ ରଖିବା ପରେ ବଜାରରେ ବିକିବା ପାଇଁ କିଛି ବଳକା ରହେ ନାହିଁ ।

ତା’ହେଲେ ସାର୍ଥିକାଙ୍କ ଭଳି ଆଦିବାସୀମାନେ କ’ଣ କରନ୍ତି ?

‘ଉମେଦ’ ଶୀର୍ଷକ ରାଜ୍ୟ ଗ୍ରାମୀଣ ଜୀବିକା ଅଭିଯାନରେ କାର୍ଯ୍ୟରତ ଜଣେ ଗୋଷ୍ଠୀ ସଂପଦ ପ୍ରତିନିଧି ଅଲକା ମାଧବୀ କହନ୍ତି, “ମାର୍ଚ୍ଚରୁ ମେ’ ତିନି ମାସ ମଧ୍ୟରେ ତିନିଟି କାମ ଆମ ଜୀବିକାର ମେରୁଦଣ୍ଡ।”

ତାଲିକା ଅନୁସାରେ ସେଗୁଡିକ ହେଲା: ଲଘୁ ବନଜାତ ଦ୍ରବ୍ୟ- ଏପ୍ରିଲରେ ମହୁଲ, ମେ’ରେ କେନ୍ଦୁପତ୍ର: ମନରେଗା କାମ, ଏବଂ ରାଜ୍ୟ ସରକାର ଶସ୍ତାରେ ଯୋଗାଇ ଦେଉଥିବା ଖାଦ୍ୟ ଶସ୍ୟ । “ଏହି ତିନିଟିକୁ ବାଦ୍‌ ଦେଲେ, ଆମେ ହୁଏତ କାମ ଖୋଜିବାକୁ ସବୁ ଦିନ ପାଇଁ ସହରକୁ ପଳାଇବୁ କିମ୍ବା ଏଠି ଭୋକଉପାସରେ ମରିଯିବୁ,” ଏ ଅଞ୍ଚଳରେ ସ୍ୱୟଂ ସହାୟିକା ଗୋଷ୍ଠୀର ମଙ୍ଗ ଧରିଥିବା ମାଧବୀ କହନ୍ତି ।

ସକାଳେ ସାର୍ଥିକା ଓ ତାଙ୍କ ଗୋଣ୍ଡ ସଂପ୍ରଦାୟର ଅନ୍ୟମାନେ ପାଖ ଜଙ୍ଗଲରୁ ମହୁଲ ଗୋଟାଇବାରେ ପାଞ୍ଚ ଘଣ୍ଟା ବିତାଇ ଦିଅନ୍ତି, ପାଞ୍ଚରୁ ଛଅ ଘଣ୍ଟା ମନରେଗା ଅଧୀନରେ ଚାଲିଥିବା ରାସ୍ତା ନିର୍ମାଣ କାମ କରନ୍ତି, ଏବଂ ସନ୍ଧ୍ୟାରେ, ରୋଷେଇବାସ, ଧୁଆଧୋଇ, ଗୃହପାଳିତ ପଶୁଙ୍କ ଦେଖାରଖା, ପିଲାଙ୍କ ଲାଳନପାଳନ ଏବଂ ଘରସଫା ଭଳି ଘରକାମ କରନ୍ତି । କାମ ଚାଲିଥିବା ସ୍ଥାନରେ ସାର୍ଥିକା ପ୍ଲାଷ୍ଟିକ୍‌ ଝୁଡ଼ିରେ ମାଟି ଭର୍ତ୍ତି କରନ୍ତି ଏବଂ ତାଙ୍କ ସାଥୀମାନେ ସେଗୁଡ଼ିକୁ ମୁଣ୍ଡରେ ବୋହି ନେଇ ରାସ୍ତାରେ ପକାନ୍ତି । ପରେ ପୁରୁଷମାନେ ମାଟିକୁ ସମତଳ କରନ୍ତି । ଏହି କାମରେ ପ୍ରତ୍ୟେକ ମହିଳାଙ୍କୁ କ୍ଷେତର ମାଟିଖୋଳା ସ୍ଥାନରୁ ରାସ୍ତା ଯାଏଁ ଅନେକ ଥର ଯା’ଆସ କରିବାକୁ ପଡ଼ିଥାଏ ।

ନିର୍ଦ୍ଧାରିତ ଦର ଅନୁସାରେ ଦିନକର କାମ ଲାଗି ସେମାନଙ୍କୁ ୧୫୦ ଟଙ୍କା ହିସାବରେ ମଜୁରି ମିଳେ ।  ମହୁଲ ଫୁଲରୁ ମିଳୁଥିବା ଆୟକୁ ମିଶାଇ ସେମାନେ ଦିନ ସାରା କାମ କରି ୨୫୦ରୁ ୩୦୦ ଟଙ୍କା ରୋଜଗାର କରନ୍ତି । ମେ’ ମାସ ଆସିଲେ ସେମାନେ କେନ୍ଦୁପତ୍ର ତୋଳିବାକୁ ଜଙ୍ଗଲରେ ପଶନ୍ତି ।

PHOTO • Jaideep Hardikar
PHOTO • Jaideep Hardikar

ଅଲକା ମାଧବୀ (ବାମ) ଉମେଦ ଶୀର୍ଷକ ରାଜ୍ୟ ଜୀବିକା ଅଭିଯାନର ଜଣେ ଗୋଷ୍ଠୀ ସମ୍ବଳ ପ୍ରତିନିଧି । ସାର୍ଥିକା (ଡାହାଣ) ଜଙ୍ଗଲରେ ମହୁଆ ଫୁଲ ସଂଗ୍ରହରୁ ସାମାନ୍ୟ ବିରତି ନେବା ଅବସରରେ

ବିଡମ୍ବନାର ବିଷୟ ଯେ, ମନରେଗାକୁ କଂଗ୍ରେସ ଦଳର ‘ବିଫଳତାର ଜୀବନ୍ତ ସ୍ମାରକୀ’ ବୋଲି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ବାରମ୍ବାର ସମାଲୋଚନା କରିବା ସତ୍ତ୍ୱେ ଦେଶର ଅଧିକାଂଶ ଭାଗରେ ଏହି ଯୋଜନା ହିଁ ଗରିବଙ୍କ ଜୀବିକା ଅର୍ଜନର ଏକମାତ୍ର ମାଧ୍ୟମ ରୂପେ ରହିଆସିଛି । ତାଙ୍କ ଦଶ ବର୍ଷର ଶାସନ କାଳରେ, ‘ମନରେଗା’ର ଚାହିଦା ୨୦୨୪ରେ ଅଧିକ ହୋଇଛି ବୋଲି ମନରେଗା ଅଧୀନରେ ଦିନକୁ ଛଅ-ସାତ ଘଣ୍ଟା କାମ କରୁଥିବା ମହିଳାମାନେ କହନ୍ତି ଏବଂ ଏହି କାମରେ ଶିକ୍ଷିତ ପୁରୁଷ ଓ ମହିଳାମାନେ ବି ସାମିଲ ହେବାରେ ଲାଗିଛନ୍ତି ।

ଭାରତର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ଦିନକର ଆୟ ସହ ସମାନ ରୋଜଗାର କରିବା ଲାଗି ସାର୍ଥିକା ଓ ଅନ୍ୟ ମହିଳାମାନଙ୍କ ଶହ ଶହ ବର୍ଷ ଲାଗିଯିବ । ଅର୍ଥନୀତିଜ୍ଞ ପାନଗରିୟା ଲେଖିଛନ୍ତି ଯେ, ଦିନ ଆସିବ ଏହି ଅସମାନ ରୋଜଗାର ହିଁ ଆମକୁ ରାତିରେ ଶୁଆଇ ଦେବ ନାହିଁ ।

“ମୋର ଚାଷଜମି ନାହିଁ କି ଅନ୍ୟ କୌଣସି କାମ ନାହିଁ,” ମନରେଗା କାର୍ଯ୍ୟସ୍ଥଳୀରେ ଝାଳ ବୁହାଉଥିବା ବେଳେ ୪୫ ବର୍ଷୀୟା ସମିତା ଆଡ଼େ କହନ୍ତି । ସେ ମଧ୍ୟ ମାନା ସଂପ୍ରଦାୟର । “ ରୋଜଗାର ହାମି (ମନରେଗା) ହେଉଛି ଏକମାତ୍ର କାମ ଯେଉଁଥିରୁ ଆମେ କିଛି ରୋଜଗାର କରିପାରୁଛୁ ।” “ବର୍ଷ ସାରା ଅଧିକ ମଜୁରି ଏବଂ ଭଲ କାମ” ପାଇଁ ଦାବି କରନ୍ତି ସାର୍ଥିକା ଏବଂ ଅନ୍ୟମାନେ ।

ସାରା ବର୍ଷ ପାଇଁ କାମଧନ୍ଦା ମିଳୁ ନଥିବାରୁ ଅଧିକରୁ ଅଧିକ ଲୋକ ଜୀବିକା ନିର୍ବାହ ପାଇଁ ଜଙ୍ଗଲଜାତ ସାମଗ୍ରୀ ଉପରେ ନିର୍ଭର କରୁଛନ୍ତି ଏବଂ ଜଙ୍ଗଲରୁ ଉପଲବ୍‌ଧ ସାମଗ୍ରୀ ଲାଗି ପ୍ରତିଯୋଗିତା ଘନେଇବାରେ ଲାଗିଛି ବୋଲି ସୂଚାଇ ଦିଅନ୍ତି ସୁମିତା । ଅରତତୋଣ୍ଡି ଗାଁଟି ନାବେଗାଓଁ ଜାତୀୟ ଉଦ୍ୟାନର ଦକ୍ଷିଣରେ ଅବସ୍ଥିତ ବନାଞ୍ଚଳ ପରିସରରେ ରହିଥିଲେ ହେଁ ବନ ଅଧିକାର ଆଇନ ବଳରେ ଏ ପର୍ଯ୍ୟନ୍ତ ଗାଁ ଲୋକଙ୍କୁ ସାମୂହିକ ଜଙ୍ଗଲ ଅଧିକାର ମିଳିନାହିଁ ।

“କିନ୍ତୁ, ଆମ ପାଇଁ (ଜୀବିକାର) ଏକ ଚତୁର୍ଥ ବାଟ ବି ରହିଛି- ସଠିକ୍‌ ଋତୁରେ ଗାଁ ଛାଡ଼ି ଅନ୍ୟ ସ୍ଥାନକୁ ପଳାୟନ,” ସାର୍ଥିକା କହନ୍ତି ।

PHOTO • Jaideep Hardikar
PHOTO • Jaideep Hardikar

ଭାରତର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କ ଦିନକର ଆୟ ସହ ସମାନ ରୋଜଗାର କରିବା ଲାଗି ସାର୍ଥିକା ଓ ଅନ୍ୟ ମହିଳାମାନଙ୍କୁ ଶହ ଶହ ବର୍ଷ ଲାଗିଯିବ । ଅର୍ଥନୀତିଜ୍ଞ ପାନଗରିୟା ଉଲ୍ଲେଖ କରିଛନ୍ତି ଯେ, ଅସମାନ ଆୟ କାରଣରୁ ହିଁ ଭବିଷ୍ୟତରେ ଆମ ନିଦ ହଜିଯିବ । ସାର୍ଥିକା (ଡାହାଣ) ଓ ଅନ୍ୟ ମହିଳାମାନେ ସାରା ବର୍ଷ ପାଇଁ ଅଧିକ ମଜୁରି ଓ ଭଲ କାମ ଦାବି କରିଆସୁଛନ୍ତି

ପ୍ରତି ବର୍ଷ, ଅକ୍‌ଟୋବରରୁ ଫେବ୍ରୁଆରୀ ପର୍ଯ୍ୟନ୍ତ, ଗାଁର ପାଖାପାଖି ଅଧା ଲୋକ ନିଜ ନିଜ ଘରଦ୍ୱାର ଛାଡ଼ି ଅନ୍ୟମାନଙ୍କ ଚାଷଜମିରେ, ଶିଳ୍ପ ସଂସ୍ଥାରେ କିମ୍ବା ନିର୍ମାଣ ସ୍ଥଳରେ କାମ କରିବାକୁ ବହୁ ଦୂର ସ୍ଥାନକୁ ପଳାଇ ଯାଆନ୍ତି ।

“ଧାନକ୍ଷେତରେ କାମ କରିବାକୁ ଏ ବର୍ଷ ମୋ ସ୍ୱାମୀ ଓ ମୁଁ କର୍ଣ୍ଣାଟକର ୟାଦଗିର ଯାଇଥିଲୁ,” ସାର୍ଥିକା କହନ୍ତି । “ଆମେ ପୁରୁଷ ଓ ମହିଳାଙ୍କର ୧୩ ଜଣିଆ ଦଳରେ ଯାଇଥିଲୁ ଏବଂ ସେଠାରେ ସବୁ ପ୍ରକାର ଚାଷକାମ କରି ଫେବ୍ରୁଆରୀ ଶେଷ ଆଡ଼କୁ ଫେରିଲୁ ।” ସେହି ବାର୍ଷିକ ରୋଜଗାର ହିଁ ଏକ ବଡ଼ ସହାୟତା ।

*****

ରାଜ୍ୟର ଭାତହାଣ୍ଡି ରୂପେ ପରିଚିତ ତଥା ଜଙ୍ଗଲ ସଂପଦରେ ଭରପୂର ପୂର୍ବ ବିଦର୍ଭର ଭଣ୍ଡାରା, ଗୋନ୍ଦିଆ, ଗଡ଼ଚିରୋଲି, ଚନ୍ଦ୍ରପୁର ଏବଂ ନାଗପୁର ଜିଲ୍ଲାରେ ମୋଟ ପାଞ୍ଚଟି ଲୋକସଭା ନିର୍ବାଚନମଣ୍ଡଳୀ ରହିଛି । ୨୦୨୪ ସାଧାରଣ ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ସେମାନେ  ଏପ୍ରିଲ ୧୯ ତାରିଖ ଦିନ ଭୋଟ ଦେଇଛନ୍ତି ।

ସାଧାରଣ ଲୋକଙ୍କ ପ୍ରତି ସେମାନଙ୍କର ସଂପୂର୍ଣ୍ଣ ଉଦାସୀନ ମନୋଭାବ କାରଣରୁ ରାଜନେତା ଓ ଅମଲାତନ୍ତ୍ର ସଂପର୍କରେ ଅରତତୋଣ୍ଡି ଗାଁ ଲୋକେ ସଂପୂର୍ଣ୍ଣ ମୋହଭଙ୍ଗ ସ୍ଥିତିରେ ପହଞ୍ଚି ସାରିଛନ୍ତି । ମୋଦି ସରକାରଙ୍କ ୧୦  ବର୍ଷର ଶାସନ କାଳରେ ସେମାନଙ୍କ ଜୀବନ ଧାରଣ ଅଧିକରୁ ଅଧିକ ଜଟିଳ ହୋଇପଡ଼ିଥିବାରୁ ଗରିବ ଲୋକଙ୍କ ମନରେ ସ୍ପଷ୍ଟ କ୍ଷୋଭ ପରିଲୟିତ ହୋଇଛି ।

“ଆମ ପାଇଁ କିଛି ହେଲେ ବଦଳି ନାହିଁ,” ସାର୍ଥିକା କହନ୍ତି । “ଆମକୁ ରାନ୍ଧିବା ପାଇଁ ଗ୍ୟାସ ମିଳେ, କିନ୍ତୁ ତାହା ଖୁବ୍‌ ମହଙ୍ଗା, ମଜୁରି ଯେତିକି ଥିଲା ସେତିକି; ଏବଂ ସାରା ବର୍ଷ ପାଇଁ ନିଶ୍ଚିତ କାମ ନାହିଁ ।”

PHOTO • Jaideep Hardikar

ଅରକତୋଣ୍ଡି ଗାଁର ମନରେଗା କର୍ମସ୍ଥଳୀ : ଲୋକଙ୍କ ପ୍ରତି ସେମାନଙ୍କର ଉଦାସୀନ ମନୋଭାବ ଯୋଗୁଁ ରାଜନେତା ଓ ଅମଲାତନ୍ତ୍ର ସଂପର୍କରେ ସେମାନଙ୍କର ମୋହଭଙ୍ଗ ହୋଇଛି ; ମୋଦି ସରକାରଙ୍କ ୧୦ ବର୍ଷର ଶାସନରେ ସେମାନଙ୍କ ଜୀବନ ନିର୍ବାହ ଅଧିକରୁ ଅଧିକ ଜଟିଳ ହୋଇଥିବାରୁ ଗରିବଙ୍କ ମନରେ କ୍ଷୋଭ ଉପୁଜିଛି

PHOTO • Jaideep Hardikar
PHOTO • Jaideep Hardikar

ମହାରାଷ୍ଟ୍ରର ଭାତ ହାଣ୍ଡି ରୁପେ ପରିଚିତ ତଥା ଜଙ୍ଗଲ ସଂପଦରେ ଭରପୂର ପୂର୍ବ ବିଦର୍ଭର ଭଣ୍ଡାରା, ଗୋନ୍ଦିଆ, ଗଡ଼ଚିରୋଲି, ଚନ୍ଦ୍ରପୁର ଓ ନାଗପୁର ଜିଲ୍ଲାରେ ମୋଟ ପାଞ୍ଚଟି ସଂସଦୀୟ କ୍ଷେତ୍ର ରହିଛି । ୨୦୨୪ ସାଧାରଣ ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ସେମାନେ ଏପ୍ରିଲ ୧୯ ତାରିଖରେ ଭୋଟ ଦେଉଛନ୍ତି

ଭଣ୍ଡାରା-ଗୋନ୍ଦିଆ ନିର୍ବାଚନମଣ୍ଡଳୀରୁ ବର୍ତ୍ତମାନର ପଦାସୀନ ସାଂସଦ ସୁନୀଲ ମେଣ୍ଢେଙ୍କ ବିରୋଧରେ ପ୍ରବଳ ଜନ ଅସନ୍ତୋଷ  ରହିଥିଲେ ହେଁ ସେ ପୁଣି ଭାରତୀୟ ଜନତା ପାର୍ଟି (ବିଜେପି)ର ପ୍ରାର୍ଥୀ ରୂପେ ନିର୍ବାଚନ ଲଢୁଛନ୍ତି । “ସେ ଆମ ଗାଁକୁ କେବେହେଲେ ଆସିନାହାନ୍ତି,” ଏହି ବୃହତ୍‌ ନିର୍ବାଚନ ମଣ୍ଡଳୀରେ ମୁଖ୍ୟତଃ ଗାଁ ଲୋକଙ୍କ ମୁହଁରୁ ଏହା ହିଁ ଶୁଣିବାକୁ ମିଳୁଛି ।

ମେଣ୍ଢେଙ୍କ ସହିତ ସିଧାସଳଖ ପ୍ରତିଯୋଗିତାରେ ରହିଛନ୍ତି କଂଗ୍ରେସ ପ୍ରାର୍ଥୀ ଡକ୍‌ଟର ପ୍ରଶାନ୍ତ ପାଡ଼ୋଲେ ।

୨୦୨୧ ମସିହାର ଗ୍ରୀଷ୍ମ କାଳରେ, କୋଭିଡ୍‌-୧୯ ଲକ୍‌ଡାଉନ୍‌ ସମୟରେ ପାଦରେ ଚାଲି ଚାଲି ଘରକୁ ବାହୁଡ଼ିବାର ଯନ୍ତ୍ରଣାଦାୟକ ଅନୁଭୂତିକୁ ଭୁଲିନାହାନ୍ତି ଅରତତୋଣ୍ଡି ଗାଁ ଲୋକେ ।

ଏପ୍ରିଲ ୧୯ ତାରିଖ ଦିନ, ଭୋଟ ଦେବାକୁ ଯିବା ସଂପର୍କରେ ସେମାନେ କହନ୍ତି, ବୋଧହୁଏ ସକାଳ ବେଳା ମହୁଆ ସଂଗ୍ରହରେ ପାଞ୍ଚ ଘଣ୍ଟା କାଟିବା ପରେ ହିଁ ଭୋଟ ଦେବାକୁ ଯିବୁ । ମନରେଗା କାମ ସ୍ଥଳରେ କାମ ବନ୍ଦ ରହୁଥିବାରୁ ସମ୍ଭବତଃ ସେ ଦିନ ସେମାନେ ଦିନକର ମଜୁରି ହରାଇବେ ।

କାହାକୁ ସେମାନେ ଭୋଟ ଦେବେ ?

ସେମାନେ ଖୋଲାଖୋଲି ଭାବେ କିଛି କହନ୍ତି ନାହିଁ, କିନ୍ତୁ ମନ୍ତବ୍ୟ ଛଳରେ କହନ୍ତି “ପୁରୁଣା ଦିନ ହିଁ ଭଲ ଥିଲା” ।

ଅନୁବାଦ : ଓଡ଼ିଶାଲାଇଭ୍‍

Jaideep Hardikar

जयदीप हर्डीकर नागपूर स्थित पत्रकार आणि लेखक आहेत. तसंच ते पारीच्या गाभा गटाचे सदस्य आहेत.

यांचे इतर लिखाण जयदीप हर्डीकर
Editor : Priti David

प्रीती डेव्हिड पारीची वार्ताहर व शिक्षण विभागाची संपादक आहे. ग्रामीण भागांचे प्रश्न शाळा आणि महाविद्यालयांच्या वर्गांमध्ये आणि अभ्यासक्रमांमध्ये यावेत यासाठी ती काम करते.

यांचे इतर लिखाण Priti David
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

यांचे इतर लिखाण OdishaLIVE