ଅଞ୍ଜଳି ସବୁବେଳେ ତୁଳସୀଙ୍କୁ ନିଜ ଆମ୍ମା (ମା’) ବୋଲି ପରିଚୟ ଦେଇଥା’ନ୍ତି। ଏହି କୁଞ୍ଚିତ କେଶୀ ମା’ ମୁଣ୍ଡରେ ଖୋସା ପକାଇଛନ୍ତି ଓ ଗୋଲାପୀ ଶାଢ଼ୀକୁ ସୁନ୍ଦର ଭାବେ ପିନ୍ଧିଛନ୍ତି ଏବଂ ଆମକୁ ଏ କଥା କହିବା ସମୟରେ ଅଳ୍ପ ଅଳ୍ପ ହସୁଥା’ନ୍ତି। ତୁଳସୀ ଜଣେ କିନ୍ନର ମହିଳା ଅଟନ୍ତି ଏବଂ ନଅ ବର୍ଷର ଗୋଟିଏ ଝିଅର ମା’ ବୋଲି ନିଜର ପରିଚୟ ଦିଅନ୍ତି।
କିଶୋରାବସ୍ଥାର ଅନ୍ତିମ ପର୍ଯ୍ୟାୟରେ ତୁଳସୀ ନିଜକୁ ‘କାର୍ତିଗା’ ବୋଲି ପରିଚୟ ଦେବା ଆରମ୍ଭ କରିଥିଲେ। ପରବର୍ତ୍ତୀ ସମୟରେ, ଜଣେ ସରକାରୀ ଅଧିକାରୀ ତାଙ୍କ ରାସନ କାର୍ଡରେ ଭୁଲ କରିଦେଲେ ଏବଂ ତାମିଲରେ ଏକ ଉଭୟଲିଙ୍ଗୀ ନାମ ‘ତୁଳସୀ’ ଲେଖି ଦେଇଥିଲେ। ସେ ଏହାକୁ ଖୁସିର ସହିତ ସ୍ୱୀକାର କରିଥିଲେ ଏବଂ ଏହା ପରଠାରୁ ଉଭୟ ନାମରେ ସମ୍ବୋଧିତ ହେବାକୁ ଲାଗିଲେ।
ତାମିଲନାଡ଼ୁର ତିରୁପୁରୁର ତାଲୁକ ରେ ଥିବା ଏକ ଇରୁଲା ପଡ଼ା ଦରଗାସ୍ରେ ଥିବା ଛୋଟିଆ କଚ୍ଚା ଘରେ ଝିଅ ଅଞ୍ଜଳି ସହିତ ସେ ରୁହନ୍ତି। ଅଞ୍ଜଳି ଅତି ଛୋଟ ହୋଇଥିବା ବେଳେ ତୁଳସୀଙ୍କ ପତ୍ନୀ ତା’ ଠାରୁ ଅଲଗା ହୋଇଯାଇଥିଲେ। ତେଣୁ ଏକାକିନୀ ଅଭିଭାବକ ଭାବେ ସେ ତା’କୁ ବଢ଼ାଇଥିଲେ। ୨୦୧୬ରେ ବରଦା ବାତ୍ୟା ସମୟରେ ଏହି ଦମ୍ପତି ସେମାନଙ୍କର ନଅ ବର୍ଷର ପ୍ରଥମ ସନ୍ତାନକୁ ହରାଇଥିଲେ।
ବର୍ତ୍ତମାନ ୪୦ ବର୍ଷ ବୟସରେ ପହଞ୍ଚି ସାରିଥିବା ତୁଳସୀ କିଛି ବର୍ଷ ଧରି ତିରୁନଙ୍ଗଇ (ତାମିଲରେ କିନ୍ନର ମହିଳା) ସମାଜର ଅଂଶବିଶେଷ ହୋଇ ରହିଆସିଛନ୍ତି। ନିଜ କୋଳରେ ବସିଥିବା ଅଞ୍ଜଳିକୁ ସ୍ନେହର ସହିତ ଦେଖିବା ସମୟରେ ସେ କୁହନ୍ତି, ‘‘ମୁଁ ହାତରେ କ୍ଷୀର ବୋତଲ ଧରି ତା’କୁ ନେଇ ଆମ (ତିରନଙ୍ଗଇ) ବୈଠକୁ ଯାଇଥାଏ।’’


















