ଆଗକୁ ଲମ୍ବି ଆସିଥିବା ହାତ ପାପୁଲିରେ ନଡ଼ିଆଟିଏ ଧରି ମୁଦ୍ଦଲାପୁରମ ଗାଁର କ୍ଷେତ ଭିତରକୁ ଆଗେଇ ଚାଲିଆସନ୍ତି ପୂଜାରୀ ଅଞ୍ଜନେୟୁଲୁ। ଅପେକ୍ଷା କରନ୍ତି, କେତେବେଳେ ନଡ଼ିଆଟି ଘୂରିବାରେ ଲାଗିବ, ଢଳିବ ଏବଂ ପଡ଼ିଯିବ। ଆମକୁ ଆଶ୍ୱସ୍ତ କରି ସେ କହନ୍ତି, ଏହା ହେଉଛି ସେହି ସ୍ଥାନ, ଯାହାକୁ ‘ଏକ୍ସ’ ବା ଛକ ଚିହ୍ନରେ ଚିହ୍ନିତ କରାଯାଇଛି। “ଏହିଠାରୁ ଆପଣଙ୍କୁ ପାଣି ମିଳିବ। ଠିକ୍ ଏହି ଜାଗାରେ ବୋର୍ୱେଲ ବସାନ୍ତୁ, ଆପଣ ନିଜେ ଦେଖିବେ,” ଅନନ୍ତପୁର ଜିଲ୍ଲାର ଏହି ଗାଁରେ ସେ ଆମକୁ କହନ୍ତି।
ଗୋଟିଏ ଗାଁ ଛାଡ଼ି ଆଉ ଏକ ଗାଁରେ ନଇଁ ନଇଁ କ୍ଷେତ ସାରା ବୁଲୁଥାଆନ୍ତି ରାୟୁଲୁ ଦୋମାତିମ୍ମାନା। ଦୁଇ ହାତରେ ସେ ଧରିଥିବା ଦୁଇଟି କେନା ବାହାରିଥିବା ଗଛ ଡାଳଟି ତାଙ୍କୁ ରାୟଲାପ୍ପାଦୋଡ୍ଡିରେ ପାଣି ଥିବା ସ୍ଥାନ ଯାଏଁ ବାଟ କଢ଼ାଇ ନେବ। ଆମକୁ ବୁଝାଇବାକୁ ଯାଇ ସେ କହନ୍ତି, “ଏ ଡାଳଟି ଯେତେବେଳେ ଉପରକୁ ଡେଇଁଲା ଭଳି ଲାଗିବ, ସେଇଟା ହିଁ ଠିକ୍ ସ୍ଥାନ।” ଭୂତଳ ଜଳ ଖୋଜିବାର ଏହି ପ୍ରଣାଳୀରେ “୯୦ ପ୍ରତିଶତ ସଫଳତା” ମିଳିଥାଏ ବୋଲି ସେ ବିନମ୍ର ଭାବରେ କହନ୍ତି।
ଅନନ୍ତପୁରର ଭିନ୍ନ ଏକ ମଣ୍ଡଳରେ ଚନ୍ଦ୍ରଶେଖର ରେଡ୍ଡିଙ୍କୁ ସେହି ଅସମାହିତ ପ୍ରଶ୍ନ ଘାରିଥାଏ, ଯାହା କି ଯୁଗ ଯୁଗ ଧରି ଦାର୍ଶନିକମାନଙ୍କ ପାଇଁ ଅନୁତ୍ତରିତ ହୋଇ ରହିଆସିଛି। ମୃତ୍ୟୁ ପରେ ଜୀବନ ଅଛି କି ? ରେଡ୍ଡିଙ୍କ ବିଶ୍ୱାସ ଯେ ସେ ଏହାର ଉତ୍ତର ଜାଣିଛନ୍ତି। “ଜଳ ହିଁ ଜୀବନ,” ସେ କହନ୍ତି। ତେଣୁ ସେ ଗୋଟିଏ କବରଖାନାରେ ଚାରିଟି ଗଭୀର ନଳକୂପ ବା ବୋର୍ୱେଲ୍ ବସାଇଛନ୍ତି। ତାଙ୍କ କ୍ଷେତରେ ରହିଛି ଆଉ ୩୨ଟି। ଏବଂ ତାଙ୍କ ପାଖରେ ଉପଲବ୍ଧ ଏହି ଜଳ ଉତ୍ସରୁ ସାରା ଜାମ୍ବୁଲାଦିନ ଗାଁକୁ ପାଣି ଯୋଗାଇବା ପାଇଁ ସେ ୮ କିଲୋମିଟର ଲମ୍ବା ଏକ ପାଇପ୍ଲାଇନ୍ ବିଛାଇଛନ୍ତି।
ଅନ୍ଧବିଶ୍ୱାସ, ଇନ୍ଦ୍ରଜାଲ, ଭଗବାନ, ସରକାର, ଜ୍ଞାନକୌଶଳ ଏବଂ ନଡ଼ିଆ - ପାଣି ଖୋଜିବା ପାଇଁ ଅନନ୍ତପୁରର ପ୍ରାଣମୂର୍ଚ୍ଛା ଉଦ୍ୟମରେ ଏ ସମସ୍ତଙ୍କୁ କାମରେ ଲଗାଯାଇଛି। ହେଲେ ସମସ୍ତଙ୍କର ମିଳିତ ସଫଳତାର ହାର ସେତେଟା ପ୍ରଭାବିତ କରିବା ଭଳି ନୁହେଁ। ଯଦିଓ ପୂଜାରୀ ଅଞ୍ଜନେୟୁଲୁଙ୍କର ଭିନ୍ନମତ।
ଏହି ଭଦ୍ର ଓ ଅମାୟିକ ସ୍ୱଭାବର ବ୍ୟକ୍ତି ଜଣକ କହନ୍ତି ଯେ, ତାଙ୍କ ପଦ୍ଧତି କେବେହେଲେ ବିଫଳ ହୁଏ ନାହିଁ। ଭଗବାନ ତାଙ୍କୁ ଏହି କଳା ଦେଇଛନ୍ତି। “କେବଳ ସେହି ସମୟରେ ଏହା କାମ କରେନି, ଯେତେବେଳେ ଲୋକେ ମୋତେ ଅଶୁଭ ବେଳାରେ କାମ କରିବାକୁ ବାଧ୍ୟ କରନ୍ତି,” ସେ କହନ୍ତି। (ଗୋଟିଏ ବୋର୍ୱେଲ ସ୍ଥାନ ନିରୂପଣ ଲାଗି ଭଗବାନ ୩୦୦ ଟଙ୍କା ନିଅନ୍ତି)। ଆଉ ଆମକୁ ସାଙ୍ଗରେ ନେଇ ସେ କ୍ଷେତ ସାରା ବୁଲାନ୍ତି, ଏବଂ ତାଙ୍କ ହାତ ପାପୁଲିରେ ଥିବା ନଡ଼ିଆଟିକୁ ଝୁଲାଇବାରେ ଲାଗିଥାଆନ୍ତି।









