"ଲଙ୍କା, ରସୁଣ, ଅଦା... ଲାଉ ପତ୍ର, କଲରା... ଗୁଡ଼ ।"

ଏଠାରେ ଲଙ୍କା, ରସୁଣ, ଅଦା, କଲରା ଆଦି ଏକ ଖାଦ୍ୟ ରେସିପି ନୁହେଁ... ବରଂ ଜୈବିକ ଚାଷୀ ଗୁଲାବରାଣୀଙ୍କ ଶକ୍ତିଶାଳୀ ସାର ଏବଂ କୀଟନାଶକ, ଯାହା ସେ ପାନ୍ନା ବ୍ୟାଘ୍ର ସଂରକ୍ଷଣ କଡ଼ରେ ଥିବା ଚୁଙ୍ଗୁନା ଗାଁରେ ତିଆରି କରନ୍ତି ।

53 ବର୍ଷୀୟା ଏହି ମହିଳା ଜଣକ ମନେପକାନ୍ତି ଯେ ପ୍ରଥମ ଥର ଏପରି ତାଲିକା ଶୁଣି ଜୋରରେ ହସି ଉଠିଥିଲେ । ସେ କୁହନ୍ତି, ‘‘ମୁଁ ଭାବିଥିଲି, ମୁଁ ଏସବୁ କେଉଁଠାରୁ ପାଇବି? କିନ୍ତୁ ତା'ପରେ ମୁଁ ଜଙ୍ଗଲରେ ହେଉଥିବା ଲାଉ ପାଇଲି ... ।’’ ଗୁଡ଼ ଭଳି ଅନ୍ୟାନ୍ୟ ସାମଗ୍ରୀ ତାଙ୍କୁ ବଜାରରୁ କିଣିବାକୁ ପଡ଼ିଲା।

ସନ୍ଦେହୀ ପଡ଼ୋଶୀମାନେ ଏଥିରେ ତାଙ୍କୁ ସାହାଯ୍ୟ କରିନଥିଲେ, ସେ କ'ଣ ତିଆରି କରୁଛନ୍ତି ଜାଣିବାକୁ ଉତ୍ସୁକ ଥିଲେ। କିନ୍ତୁ ଅନ୍ୟ ଲୋକମାନେ କ’ଣ ଭାବୁଛନ୍ତି, ତାକୁ କେବେ ଗୁରୁତ୍ୱ ଦିଅନ୍ତି ନାହିଁ ଗୁଲାବରାଣୀ - ଏହା ଆଶ୍ଚର୍ଯ୍ୟଜନକ କଥା ନୁହେଁ ଯେ ସେ ପ୍ରାୟ 500 ଲୋକସଂଖ୍ୟା ବିଶିଷ୍ଟ ଗାଁର ପ୍ରଥମ ବ୍ୟକ୍ତି ଥିଲେ ଯିଏ ଜୈବିକ ଚାଷ ଆଡକୁ ଆଗକୁ ବଢୁଥିଲେ।

"ଆମେ ବଜାରରୁ କିଣୁଥିବା ଖାଦ୍ୟରେ ବିଭିନ୍ନପ୍ରକାର ଔଷଧ ଥାଏ ଏବଂ ଏଥିରେ ସମସ୍ତ ପ୍ରକାରର ରାସାୟନିକ ପଦାର୍ଥ ମିଶାଯାଇଥାଏ, ତେଣୁ ଆମେ ଭାବିଲୁ ଯେ ଏଗୁଡ଼ିକୁ କାହିଁକି ଖାଇବା," ଚାରି ବର୍ଷ ପୂର୍ବେ ତାଙ୍କ ଘରେ ହୋଇଥିବା ଏହି କଥାବାର୍ତ୍ତାକୁ ମନେ ପକାଇ କୁହନ୍ତି ଗୁଲାବରାଣୀ।

"ମୋ ପରିବାର ଲୋକ ଭାବିଥିଲେ ଯେ ଜୈବିକ ଉପାୟରେ ଚାଷ କରିବା ଏକ ଭଲ ବିଚାର। ଆମେ ସମସ୍ତେ ଭାବୁଥିଲୁ ଯେ ଯଦି ଆମେ ଜୈବିକ (ଜୈବିକ ଭାବରେ ଚାଷ କରାଯାଇଥିବା) ଖାଦ୍ୟ ଖାଇବୁ, ତେବେ ଆମର ସ୍ୱାସ୍ଥ୍ୟ ଭଲ ରହିବ। ଜୈବିକ ସାର ଦ୍ୱାରା କୀଟପତଙ୍ଗର ସ୍ୱାସ୍ଥ୍ୟ ଖରାପ ହୁଏ, ଆମର ଭଲ ରୁହେ!" ସେ ମଜାରେ ମଜାରେ ଏପରି କହିଛନ୍ତି।

PHOTO • Priti David
PHOTO • Priti David

ବାମ: ପାନ୍ନା ଜିଲ୍ଲାର ଚୁଙ୍ଗୁନା ଗାଁରେ ତାଙ୍କ ଘରର ଷ୍ଟୋରରୁମ୍ ବାହାରେ ଗୁଲାବରାଣୀ ଡାହାଣ: ସ୍ୱାମୀ ଉଜିୟାନ ସିଂହଙ୍କ ସହ ଗୁଲାବରାଣୀ ଏବଂ କଲରା ପତ୍ର, ଗୋମୂତ୍ର ଏବଂ ଅନ୍ୟାନ୍ୟ ଜିନିଷ ବ୍ୟବହାର କରି ସେମାନେ ତିଆରି କରୁଥିବା ପ୍ରାକୃତିକ ଖତ ଥିବା ଏକ ମାଟିହାଣ୍ଡି ସହ

PHOTO • Priti David
PHOTO • Priti David

'ମୋ ପରିବାର ଭାବୁଥିଲେ ଜୈବିକ ଭାବରେ ଚାଷ କରିବା ଏକ ଭଲ ବିଚାର। 'ଆମେ ସମସ୍ତେ ଭାବୁଥିଲୁ ଯେ ଯଦି ଆମେ ଜୈବିକ (ଜୈବିକ ଭାବରେ ଉତ୍ପାଦିତ) ଖାଦ୍ୟ ଖାଇବୁ, ତେବେ ଆମର ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିବ,' କୁହନ୍ତି ଗୁଲାବରାଣୀ

ବର୍ତ୍ତମାନ ତୃତୀୟ ବର୍ଷ ପାଇଁ ସେମାନଙ୍କର ୨.୫ ଏକର ଜମିରେ ଜୈବିକ କୃଷି କରୁଛନ୍ତି, ସେ ଏବଂ ତାଙ୍କ ସ୍ୱାମୀ ଉଜିୟାନ ସିଂହ ଖରିଫ ଫସଲ ଧାନ, ମକା, ହରଡ଼, ରାଶି ଏବଂ ରବି ଫସଲ ଗହମ, ଚଣା, ସୋରିଷ ଚାଷ କରନ୍ତି; ବର୍ଷସାରା ପନିପରିବା ଚାଷ କରାଯାଏ - ଟମାଟୋ, ବାଇଗଣ, ଲଙ୍କା, ଗାଜର, ମୂଳା, ବିଟ୍, ଭେଣ୍ଡି, ଶାଗ, କଖାରୁ, ବିନ୍‌ସ ଇତ୍ୟାଦି ।  "ଆମକୁ ବଜାରରୁ ଅଧିକ କିଛି କିଣିବାକୁ ପଡୁନାହିଁ," ସେ ଖୁସି ହୋଇ କୁହନ୍ତି ।

ପୂର୍ବ ମଧ୍ୟପ୍ରଦେଶର ପାନ୍ନା ବ୍ୟାଘ୍ର ସଂରକ୍ଷଣ କୂଳରେ ଚୁଙ୍ଗୁନା ଗ୍ରାମ ଅବସ୍ଥିତ। ଏଠାକାର ଅଧିକାଂଶ ପରିବାର ରାଜଗଣ୍ଡ ଆଦିବାସୀ ସମୁଦାୟର, ଯେଉଁମାନେ ବର୍ଷା ଏବଂ ନିକଟବର୍ତ୍ତୀ କେନାଲ ଉପରେ ନିର୍ଭର କରି ସେମାନଙ୍କ ଛୋଟ ଛୋଟ ଜମିରେ ଚାଷ କରନ୍ତି । ଅନେକ ଋତୁକାଳୀନ କାମ ପାଇଁ କଟନି ଭଳି ନିକଟବର୍ତ୍ତୀ ସହର ଏବଂ ଉତ୍ତରରେ ଅବସ୍ଥିତ ଉତ୍ତର ପ୍ରଦେଶର କିଛି ଅଞ୍ଚଳକୁ ଯାଇଥାନ୍ତି ।

‘‘ପ୍ରାରମ୍ଭରେ ଆମେ କେବଳ ଗୋଟିଏ କିମ୍ବା ଦୁଇ ଜଣ ଚାଷୀ ଥିଲୁ ଯେଉଁମାନେ ଜୈବିକ ଉପାୟରେ ଚାଷ କରିବା ଆରମ୍ଭ କରିଥିଲେ। ତା'ପରେ ୮-୯ ଜଣ ଏଥିରେ ସାମିଲ ହୋଇଥିଲେ,’’ କୁହନ୍ତି ଗୁଲାବରାଣୀ । ସେ ହିସାବ କୁହନ୍ତି ଯେ ତାଙ୍କ ସମୁଦାୟର ସଦସ୍ୟମାନଙ୍କ ଦ୍ୱାରା ପ୍ରାୟ ୨୦୦ ଏକର ଜମିରେ ଏବେ ଜୈବିକ ଚାଷ ହେଉଛି।

ସମାଜସେବୀ ଶରଦ ଯାଦବ କୁହନ୍ତି, ‘‘ଦାଦନ ସଂଖ୍ୟା(ଚୁଙ୍ଗୁନାରେ) ହ୍ରାସ ପାଇଛି, ଏବଂ କେବଳ ଜାଳେଣି କାଠ ପାଇଁ ଜଙ୍ଗଲ ଉପରେ ଲୋକ ନିର୍ଭର କରୁଛନ୍ତି ।’’ ଶରଦ ହେଉଛନ୍ତି ପିପୁଲ୍ସ ସାଇନ୍ସ ଇନଷ୍ଟିଚ୍ୟୁଟ୍ (ପିଏସ୍‌ଆଇ)ର ଜଣେ କ୍ଲଷ୍ଟର ସଂଯୋଜକ ଏବଂ ନିଜେ ଜଣେ ଚାଷୀ।

ପିଏସ୍‌ଆଇ କର୍ମଚାରୀ କୁହନ୍ତି ଯେ ଗୁଲାବରାଣୀଙ୍କ ସ୍ପଷ୍ଟ କଥା ଏବଂ ତାଙ୍କର ପ୍ରଶ୍ନ କରିବା ମନୋଭାବ ତାଙ୍କୁ ଜଣେ ପ୍ରଭାବଶାଳୀ ଭାବେ ଗଢ଼ି ତୋଳିଛି । ସେମାନେ ପରାମର୍ଶ ଦେଇଥିବା ପଦ୍ଧତି ବ୍ୟବହାର କରି ସେ ପ୍ରଥମ ଥର ମକା ଫସଲ କରିଥିଲେ ଏବଂ ସେଥିରେ ଭଲ କରିଥିଲେ। ତାଙ୍କର ସଫଳତା ଅନ୍ୟମାନଙ୍କୁ ପ୍ରେରଣା ଯୋଗାଇଥିଲା।

PHOTO • Priti David
PHOTO • Priti David

ବାମ: ଗୁଲାବରାଣୀଙ୍କ ୨.୫ ଏକର ଜମିରେ ଯେଉଁଠାରେ ସେ ଜୈବିକ ସାର ଏବଂ କୀଟନାଶକ ବ୍ୟବହାର କରି ଫସଲ ଚାଷ କରନ୍ତି । ଡାହାଣ: ପରିବାର ଲୋକଙ୍କ ଖାଦ୍ୟ ଆବଶ୍ୟକତା ସେମାନଙ୍କ ଜମିରୁ ପୂରଣ ହୋଇଥାଏ

*****

"ଆମେ ମାସିକ ୫,୦୦୦ ଟଙ୍କା ପର୍ଯ୍ୟନ୍ତ ସାର ଏବଂ କୀଟନାଶକ - ୟୁରିଆ ଏବଂ DAP ଉପରେ ଖର୍ଚ୍ଚ କରୁଥିଲୁ," ଉଜିୟାନ ସିଂହ କୁହନ୍ତି। ଶରଦ କୁହନ୍ତି, ସେମାନଙ୍କ ଜମି ରାସାୟନିକ ସାର ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ ହୋଇଯାଇଥିଲା, ଯାହାକୁ ସ୍ଥାନୀୟ ଭାବରେ ‘ଚିଡକା କ୍ଷେତି’ (ଛିଞ୍ଚନ ଏବଂ ଚାଷ) କୁହାଯାଏ ।

"ଏବେ ଆମେ ଆମର ନିଜସ୍ୱ ମଟକା ଖାଦ (ମାଟି ପାତ୍ର ଖତ) ତିଆରି କରୁ," ଗୁଲାବରାଣୀ ପଛପଟେ ପଡ଼ିଥିବା ଏକ ବଡ଼ ମାଟି ପାତ୍ରକୁ ଇଙ୍ଗିତ କରି କୁହନ୍ତି । ସେ ଆହୁରି କହିଛନ୍ତି, ‘‘ମୋତେ ଘର କାମ ମଧ୍ୟରେ ସମୟ ବାହାର କରିବାକୁ ପଡ଼େ ।’’ ଜମି ବ୍ୟତୀତ ପରିବାର ପାଖରେ ୧୦ଟି ଗାଈଗୋରୁ ଅଛନ୍ତି; ସେମାନେ କ୍ଷୀର ବିକ୍ରି କରନ୍ତି ନାହିଁ, କିନ୍ତୁ ଏହାକୁ ସେମାନଙ୍କର ଛୋଟ ପରିବାର ପାଇଁ ବ୍ୟବହାର କରନ୍ତି - ଦୁଇଟି ଝିଅ ଏବଂ ଗୋଟିଏ ପୁଅ। ପୁଅ ବାହା ହୋଇସାରିଛି ।

ଲଙ୍କା, ଅଦା ଏବଂ ଗୋମୂତ୍ର ସହିତ କଲରା, ଲାଉ ଏବଂ ନିମ୍ବ ପତ୍ର ଆବଶ୍ୟକ। ‘‘ଆମକୁ ଏହାକୁ ଗୋଟିଏ ଘଣ୍ଟା ପାଇଁ ଫୁଟାଇବାକୁ ପଡ଼େ। ତା'ପରେ ଆମେ ଏହାକୁ ବ୍ୟବହାର କରିବା ପୂର୍ବରୁ ଅଢ଼େଇରୁ ତିନି ଦିନ ରଖିଥାଉ। କିନ୍ତୁ ଏହା ଆମକୁ ଆବଶ୍ୟକ ହେବା ପର୍ଯ୍ୟନ୍ତ ପାତ୍ରରେ ରହିପାରିବ। କିଛି ଲୋକ ଏହାକୁ ୧୫ ଦିନ ପର୍ଯ୍ୟନ୍ତ ରଖନ୍ତି, ଫଳରେ ଏହା ଭଲ ଭାବେ ଉପଯୋଗୀ ହୋଇଯାଏ,’’ ଜୈବିକ ଚାଷୀ କୁହନ୍ତି।

ସେ ଥରକେ ପାଞ୍ଚରୁ ୧୦ ଲିଟର ତିଆରି କରନ୍ତି। ସେ କହିଛନ୍ତି, ‘‘ଏକ ଏକର ପାଇଁ ଗୋଟିଏ ଲିଟର ଯଥେଷ୍ଟ। ଏହାକୁ ୧୦ ଲିଟର ପାଣିରେ ମିଶାଯିବା ଆବଶ୍ୟକ। ଯଦି ଆପଣ ଅଧିକ ବ୍ୟବହାର କରିବେ ତେବେ ଫୁଲ ଝଡ଼ି ଯାଇପାରେ ଏବଂ ଫସଲକୁ ନଷ୍ଟ କରିପାରେ।’’ ପ୍ରଥମେ ପଡ଼ୋଶୀମାନେ ପରୀକ୍ଷାମୂଳକ ବ୍ୟବହାର ପାଇଁ ଗୋଟିଏ ବୋତଲ ମାଗୁଥିଲେ।

PHOTO • Priti David
PHOTO • Priti David

ବାମ: ନାତୁଣୀ ଅନାମିକାଙ୍କ ସହିତ ନିଜ ରୋଷେଇ ଘରେ ଗୁଲାବରାଣୀ । ଡାହାଣ: ଉଜିୟାନ ସିଂହ ଏବଂ କିଛି ଦୂରରେ ପାଣି ପମ୍ପ ଚଲାଇବା ପାଇଁ ସୋଲାର୍ ପ୍ୟାନେଲ୍

PHOTO • Priti David
PHOTO • Priti David

ବାମ: ରାଜିନ୍ଦର ସିଂହ ପ୍ରଯୁକ୍ତିବିଦ୍ୟା ସମ୍ବଳ କେନ୍ଦ୍ର (ଟିଆରସି) ପରିଚାଳନା କରନ୍ତି, ଯାହା କୃଷି ଉପକରଣ ପାଇଁ ଋଣ ଦେଇଥାଏ । ଡାହାଣ: ସିହାବନ ଗାଁର ଏକ ଚାଷଜମି ଯେଉଁଠାରେ ଚାରିଟି ଭିନ୍ନ ଭିନ୍ନ ପାରମ୍ପରିକ କିସମର ଧାନ ପାଖେ ପାଖେ ଲଗାଯାଇଛି

ଉଜିୟାନ ସିଂହ କୁହନ୍ତି, ‘‘ବର୍ଷସାରା ଖାଇବା ପାଇଁ ଆମକୁ ଯଥେଷ୍ଟ ପରିମାଣରେ ମିଳିଯାଏ। ଆମେ ବାର୍ଷିକ ପ୍ରାୟ ୧୫,୦୦୦ ଟଙ୍କାର ଉତ୍ପାଦ ବିକ୍ରି କରିପାରୁ।’’ ମଧ୍ୟ ଭାରତର ଅନ୍ୟମାନଙ୍କ ପରି, ଏହି ଚାଷୀମାନେ ମଧ୍ୟ ବନ୍ୟପ୍ରାଣଙ୍କ ଦ୍ୱାରା ନିରନ୍ତର ଫସଲ ନଷ୍ଟ ହେବାର ଯନ୍ତ୍ରଣା ଭୋଗିଥାନ୍ତି। ସେ ‘ପରୀ’କୁ କହିଛନ୍ତି, ‘‘ସରକାର ନୂଆ ଆଇନ ପ୍ରଣୟନ କରିଥିବାରୁ ଆମେ ଆଉ ସେମାନଙ୍କୁ ଧରିପାରିବୁ ନାହିଁ କିମ୍ବା ମାରିପାରିବୁ ନାହିଁ। ନୀଳଗାଈ ଗହମ ଏବଂ ମକା ଖାଇ ଫସଲକୁ ସମ୍ପୂର୍ଣ୍ଣ ନଷ୍ଟ କରିଦିଏ।’’ ବନ୍ୟପ୍ରାଣୀ ସୁରକ୍ଷା ଆଇନ ୧୯୭୨ ଜଙ୍ଗଲୀ ଘୁଷୁରୀ ହତ୍ୟାକୁ ନିଷେଧ କରଛି।

ଜଳସେଚନ ପାଇଁ ନିକଟସ୍ଥ ଝରଣାରୁ ପାଣି କାଢ଼ିବାକୁ ସୋଲାର ପମ୍ପ ବ୍ୟବହାର କରାଯାଏ। ତାଙ୍କ ଜମିର ଶେଷ ଭାଗରେ ଥିବା ସୋଲାର ପ୍ୟନେଲଗୁଡ଼ିକୁ ଦେଖାଇ ଉଜିୟାନ ସିଂହ କୁହନ୍ତି ଯେ ଅନେକ ଚାଷୀ ବର୍ଷକୁ ତିନିଟି ଫସଲ କରିପାରିବେ।

ବିଲପୁରା ପଞ୍ଚାୟତ ଆଖପାଖରେ ଥିବା ୪୦ଟି ଗାଁରେ ସେବା ଯୋଗାଇବା ପାଇଁ ଏକ ପ୍ରଯୁକ୍ତିବିଦ୍ୟା ସେବା କେନ୍ଦ୍ର (ଟିଆରସି) ମଧ୍ୟ ସ୍ଥାପନ କରିଛି ପିପଲ୍ସ ସାଇନ୍ସ ଇନଷ୍ଟିଚ୍ୟୁଟ୍ (ପିଏସ୍‌ଆଇ)। ‘‘ଟିଆରସିରେ ସେମାନେ ୧୫ ପ୍ରକାରର ଧାନ ଏବଂ ୧୧ ପ୍ରକାରର ଗହମ ମହଜୁଦ ରଖିଛନ୍ତି, ମୁଖ୍ୟତଃ ପାରମ୍ପରିକ ବିହନ ଯାହା କମ୍‌ ବର୍ଷା, ପ୍ରବଳ ଥଣ୍ଡାରେ ବଢ଼ିପାରେ ଏବଂ ଏଥିରେ କମ୍ ପରିମାଣର ପୋକ ଲାଗିଥାଏ ଏବଂ ଅନାବନା ଘାସ ମଧ୍ୟ କମ୍‌ ପରିମାଣର ଥାଏ,’’ ଟିଆରସି ପରିଚାଳନା କରୁଥିବା ରାଜିନ୍ଦର ସିଂହ କୁହନ୍ତି ।

PHOTO • Priti David
PHOTO • Priti David

ବଂଶାନୁକ୍ରମିକ କିସମର ଧାନ (ବାମ) ଏବଂ ବିଲପୁରା ପଞ୍ଚାୟତର ଚୁଙ୍ଗୁନା ସମେତ ୪୦ଟି ଗ୍ରାମକୁ ସେବା ପ୍ରଦାନ କରୁଥିବା ପ୍ରଯୁକ୍ତିବିଦ୍ୟା ସେବା କେନ୍ଦ୍ରରେ ଡାଲି (ଡାହାଣ) ରଖାଯାଇଛି

PHOTO • Priti David
PHOTO • Priti David

ଚୁଙ୍ଗୁନାର ମହିଳାମାନେ ନଦୀକୁ ଗାଧୋଇବା ପାଇଁ ଯାଉଛନ୍ତି ଏବଂ ଆଜି ଅନୁଷ୍ଠିତ ହେବାକୁ ଥିବା ହଲଛଟ୍ ପୂଜା ପାଇଁ ପ୍ରସ୍ତୁତ ହେଉଛନ୍ତି

ସେ କୁହନ୍ତି, ‘‘ଆମର ଚାଷୀ ସଦସ୍ୟମାନଙ୍କୁ ଆମେ ଦୁଇ କିଲୋ ପର୍ଯ୍ୟନ୍ତ ବିହନ ଦେଉଛୁ ଏବଂ  ଅମଳ କରିବା ପରେ ସେମାନଙ୍କୁ ଏହାର ଦୁଇଗୁଣ ଫେରାଇବାକୁ ପଡ଼ିବ।’’ ସେ ଆମକୁ କିଛି ଦୂରରେ ଥିବା ଏକ ଏକର ଧାନ ବିଲକୁ ଦେଖାନ୍ତି – ଯେଉଁଠି ପାଖାପାଖି ଲଗାଯାଇଥିବା ଚାରିଟି ଭିନ୍ନ କିସମର ଧାନ ଲଗାଯାଇଛି ଏବଂ ସେ ସମ୍ଭାବ୍ୟ ଅମଳ ତାରିଖ ବିଷୟରେ ଜଣାନ୍ତି ।

ଏହି ଅଞ୍ଚଳର ଚାଷୀମାନଙ୍କର ପରବର୍ତ୍ତୀ ଯୋଜନା ହେଉଛି ପନିପରିବା ବିକ୍ରି ପାଇଁ ଏକ ସାମୂହିକ ସଙ୍ଗଠନ ଆରମ୍ଭ କରିବେ। ଜୈବିକ ଚାଷ ପାଇଁ ଉତ୍ସାହିତ କରିବା ସହ ସେମାନେ ଉଚିତ ମୂଲ୍ୟ ପାଇବାକୁ ମଧ୍ୟ ଆଶା ରଖିଛନ୍ତି ।

ଆମେ ଫେରିବା ବେଳକୁ, ଗୁଲାବରାଣୀ ଗାଁର ଅନ୍ୟ ମହିଳାମାନଙ୍କ ସହିତ ଗାଧୋଇବା ପାଇଁ କେନାଲକୁ ଗଲେ ଏବଂ ଉପବାସ ଭାଙ୍ଗିବା ପୂର୍ବରୁ ସେମାନେ ହଲ୍‌ଛଟ୍ ପୂଜା କରିବେ। ଏହି ପୂଜା ହିନ୍ଦୁ କ୍ୟାଲେଣ୍ଡରର ପଞ୍ଚମ ମାସ ଭାଦ୍ରବ ମାସରେ ପଡ଼େ - ସେମାନଙ୍କ ପିଲାମାନଙ୍କ ପାଇଁ ଏହି ପୂଜା କରିଥାନ୍ତି । ‘‘ଆମେ ମହୁଆ ରାନ୍ଧିବୁ - ଏହାକୁ ଘୋଳ ଦହି ସହିତ ଫୁଟାଇବୁ - ଏବଂ ଆମର ଉପବାସ ଭାଙ୍ଗିବା ପାଇଁ ଖାଇବୁ,’’ କୁହନ୍ତି ଗୁଲାବରାଣୀ। ସେମାନେ ଜୈବିକ ଉପାୟରେ ଉତ୍ପାଦନ କରିଥିବା ଚଣା ଭଜା କରିବେ ଏବଂ ତାକୁ ମଧ୍ୟ ଖାଇବେ।

ଅନୁବାଦ : ଓଡ଼ିଶାଲାଇଭ୍‍

Priti David

प्रीती डेव्हिड पारीची वार्ताहर व शिक्षण विभागाची संपादक आहे. ग्रामीण भागांचे प्रश्न शाळा आणि महाविद्यालयांच्या वर्गांमध्ये आणि अभ्यासक्रमांमध्ये यावेत यासाठी ती काम करते.

यांचे इतर लिखाण Priti David
Editor : Sarbajaya Bhattacharya

Sarbajaya Bhattacharya is a Senior Assistant Editor at PARI. She is an experienced Bangla translator. Based in Kolkata, she is interested in the history of the city and travel literature.

यांचे इतर लिखाण Sarbajaya Bhattacharya
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

यांचे इतर लिखाण OdishaLIVE