“ଚାଦର ବାଦନି କଣ୍ଢେଇ ନାଚ ସହିତ ଆମ ପୂର୍ବ ପୁରୁଷମାନଙ୍କର ଏକ ଘନିଷ୍ଠ ସଂପର୍କ ରହିଛି।” ତପନ ମୁର୍ମୁ କହନ୍ତି, “ମୁଁ ଯେତେବେଳେ ଏହା ପରିବେଷଣ କରେ... ମୋତେ ଲାଗେ ସେମାନେ ଯେମିତି ମୋତେ ଘେରି ରହିଛନ୍ତି।”
ଏହା ଥିଲା ୨୦୨୩ ମସିହା ଜାନୁଆରୀ ମାସର ଆରମ୍ଭ ସମୟ ଏବଂ ପଶ୍ଚିମବଙ୍ଗ ବୀରଭୂମ ଜିଲ୍ଲା ଅନ୍ତର୍ଗତ ଖଞ୍ଜନପୁର ଗାଁର ଏକ ପଲ୍ଲୀ ଗାଁ, ସରପୁକୁରଡାଙ୍ଗାରେ ପାଳିତ ହେଉଥାଏ ଫସଲ ଅମଳ ପର୍ବ। ବୟସର କୋଡ଼ିଏ ଦଶକ ଅତିକ୍ରମ କରିବାକୁ ଯାଉଥିବା ତପନ, ଜଣେ ଚାଷୀ ଏବଂ ସାନ୍ତାଳ ଆଦିବାସୀ ସଂପ୍ରଦାୟର ସମୃଦ୍ଧ ପରମ୍ପରାକୁ, ବିଶେଷତଃ ‘ଚାଦର ବାଦନି’ ନାମରେ ପରିଚିତ ଚିତ୍ତାକର୍ଷକ କଣ୍ଢେଇ କଳା ପ୍ରଦର୍ଶନକୁ ନେଇ ସେ ଗର୍ବ ଅନୁଭବ କରନ୍ତି।
ପରୀ ଟିମ୍ ସହିତ କଥାବାର୍ତ୍ତା ସମୟରେ ଉଜ୍ଜ୍ୱଳ ଲାଲ ରଙ୍ଗର କପଡ଼ାରେ ଢାଙ୍କି ହୋଇଥିବା ଏକ ଗମ୍ବୁଜ ଆକୃତିର ପିଞ୍ଜରାକୁ ହାତରେ ଧରିଥାଆନ୍ତି ତପନ। ଏହା ଭିତରେ ଥାଏ କାଠରେ ଗଢ଼ା ଅନେକ ଛୋଟ ଛୋଟ ମାନବାକୃତିର କଣ୍ଢେଇ। ଗଛର ପତ୍ର, ବାଉଁଶ ଏବଂ ଏକ ଦଉଡ଼ିକୁ ନେଇ ପ୍ରସ୍ତୁତ ଏକ ଜଟିଳ କାରିଗରୀ ପ୍ରକ୍ରିୟାରେ କୌଶଳକ୍ରମେ ସେହି ସବୁ କଣ୍ଢେଇର ଅଙ୍ଗଭଙ୍ଗୀ ପରିଚାଳିତ ହେବ।
“ମୋର ଦୁଇ ପାଦକୁ ଲକ୍ଷ୍ୟ କରନ୍ତୁ ଏବଂ କେମିତି ମୁଁ ଏହି କଣ୍ଢେଇଗୁଡ଼ିକୁ ନଚାଉଛି ଦେଖନ୍ତୁ।” ନିଜ ମାତୃଭାଷା ସାନ୍ତାଳୀରେ ଧୀର ସ୍ୱରରେ ଗୀତଟିଏ ଗାଇବା ସମୟରେ ଏହି ଚାଷୀଙ୍କ କାଦୁଅ ସରସର ପାଦ ଦୁଇଟି ଚଳଚଞ୍ଚଳ ହୋଇଉଠେ।









