ସୁନୀତା ନିଷାଦ ମନେ ପକାଇ କୁହନ୍ତି ଯେ, କିପରି ତାଙ୍କୁ କୋଭିଡ-୧୯ ମହାମାରୀ ସମୟରେ ହରିୟାଣାରୁ ଉତ୍ତର ପ୍ରଦେଶର ନିଜ ଜନ୍ମସ୍ଥାନ ମହାରାଜଗଞ୍ଜକୁ ଏକାକୀ ଯାତ୍ରା କରିବାକୁ ପଡ଼ିଥିଲା।
ସେ ସେହି ଲକ୍ଷାଧିକ ପ୍ରବାସୀଙ୍କ ମଧ୍ୟରୁ ଜଣେ, ଯାହାଙ୍କୁ ଅଚାନକ ଜାତୀୟ ଲକଡାଉନ ଘୋଷଣା ପରେ ଅସ୍ଥିରତାର ସାମ୍ନା କରିବାକୁ ପଡ଼ିଥିଲା। ସେଥିପାଇଁ ସେ କେନ୍ଦ୍ର ବଜେଟ୍ କିମ୍ବା ଅନ୍ୟ ସ୍ଥାନରେ ଘୋଷଣା କରାଯାଇଥିବା କୌଣସି ନୂଆ ସରକାରୀ ଯୋଜନାକୁ ନେଇ ଆଗ୍ରହ ପ୍ରକାଶ ନକରିବା ଆଦୌ ଆଶ୍ଚର୍ଯ୍ୟର ବିଷୟ ନୁହେଁ।
‘‘ଆପଣ ମୋତେ ବଜେଟ ବିଷୟରେ ପଚାରୁଛନ୍ତି,’’ ସେ ଏହି ରିପୋର୍ଟରଙ୍କୁ ପଚାରିଥିଲେ। ‘‘ଏହା ବଦଳରେ ସରକାରଙ୍କୁ ପଚାରନ୍ତୁ କରୋନା (କୋଭିଡ-୧୯) ବେଳେ ଆମକୁ ଘରକୁ ପଠାଇବା ଲାଗି ସେମାନଙ୍କ ପାଖରେ କାହିଁକି ଯଥେଷ୍ଟ ଟଙ୍କା ନଥିଲା।’’
ବର୍ତ୍ତମାନ ଏହି ୩୫ ବର୍ଷ ବୟସ୍କା ମହିଳା ଜଣଙ୍କ ହରିୟାଣାରେ କାମକୁ ଫେରିଆସିଛନ୍ତି ଏବଂ ରୋହତକର ଲାଧୋତ ଗ୍ରାମରେ ପ୍ଲାଷ୍ଟିକ ବର୍ଜ୍ୟ ଅଲଗା କରୁଛନ୍ତି । ‘‘ମଜବୁର୍ ହୁଁ (ମୁଁ ଅସହାୟ)। ସେହି କାରଣରୁ ମୋତେ ଏଠାକୁ ଫେରିବାକୁ ହୋଇଥିଲା।’’
ପୁନଃଚକ୍ରଣ ଲାଗି ଫିଙ୍ଗି ଦିଆଯାଇଥିବା ଅତର ଡବାରୁ ପବନ ବାହାର କରି, ସେ କୁହନ୍ତି, ‘‘ମେରେ ପାସ ବଡ଼ା ମୋବାଇଲ ନହିଁ ହୈ, ଛୋଟା ମୋବାଇଲ ହୈ (ମୋ ପାଖରେ ବଡ଼ ମୋବାଇଲ ନାହିଁ, କିନ୍ତୁ ଛୋଟ ମୋବାଇଲ ଅଛି)। ବଜେଟ୍ କ’ଣ ମୁଁ ଜାଣିବି କେମିତି?’’ ଡିଜିଟାଲକରଣ ବଢ଼ିବା ସହିତ, ସରକାରୀ ଯୋଜନାର ତ୍ୱରିତ ଉପଲବ୍ଧତା ପାଇଁ ଗୋଟିଏ ସ୍ମାର୍ଟଫୋନ ଏବଂ ଏକ ଇଣ୍ଟରନେଟ୍ ସଂଯୋଗର ଆବଶ୍ୟକତା ରହିଛି । କିନ୍ତୁ ଗ୍ରାମୀଣ ଭାରତରେ ଅନେକ ଲୋକଙ୍କ ପାଖରେ ଏହାର ଉପଲବ୍ଧତା ନାହିଁ।





