ବାବଲୁ କୈବର୍ତ୍ତଙ୍କ ପାଇଁ କୌଣସି ସାଧାରଣ ନିର୍ବାଚନରେ ଭୋଟ ଦେବାର ଏହା ଦ୍ୱିତୀୟ ଅବସର ।

ଗତ ନିର୍ବାଚନରେ ବାବଲୁ ଯେତେବେଳେ ପ୍ରଥମ ଥର ପାଇଁ ଭୋଟ ଦେବାକୁ ଯାଇଥିଲେ, ସେତେବେଳେ ସେଠାକାର ଅଧିକାରୀମାନେ ତାଙ୍କୁ ତୁରନ୍ତ ବାଟ ଛାଡ଼ି ଦେଇଥିଲେ । ତାଙ୍କୁ ଧାଡ଼ିରେ ଅପେକ୍ଷା କରିବାକୁ ପଡ଼ି ନଥିଲା । କିନ୍ତୁ, ପଶ୍ଚିମ ବଙ୍ଗ ପୁରୁଲିଆ ଜିଲ୍ଲାର ପାଲମା ଭୋଟଦାନ କେନ୍ଦ୍ର ଭିତରକୁ ଯିବା ପରେ, ସେ କେମିତି ତାଙ୍କ ଭୋଟ ଦେବେ ବୋଲି ବାବଲୁଙ୍କ ମନରେ ପ୍ରଶ୍ନ ଉଠିଥିଲା ।

୨୪ ବର୍ଷୀୟ ବାବଲୁ ଜଣେ ଦୃଷ୍ଟିହୀନ ବ୍ୟକ୍ତି ଏବଂ ୨୦୧୯ ସାଧାରଣ ନିର୍ବାଚନ ସମୟରେ ସ୍ଥାନୀୟ ପ୍ରାଥମିକ ସ୍କୁଲରେ ସ୍ଥାପିତ ଭୋଟଦାନ କେନ୍ଦ୍ରରେ ବ୍ରେଲ୍‌ ଭୋଟ୍‌ କାଗଜ କିମ୍ବା ବ୍ରେଲ୍‌ ଇଭିଏମ୍‌ (ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ)ର କୌଣସି ବ୍ୟବସ୍ଥା ନଥିଲା ।

“କ’ଣ କରିବାକୁ ହେବ ବୋଲି ମୁଁ ଜାଣି ନଥିଲି । ଯଦି ମୋତେ ସହାୟତା କରିବାକୁ ଆସିଥିବା ବ୍ୟକ୍ତି ଜଣକ ନିର୍ବାଚନ ଚିହ୍ନ ସଂପର୍କରେ ମିଛ କହନ୍ତି ତେବେ କ’ଣ ହେବ?” ଦ୍ୱିତୀୟ ବର୍ଷ ଅଧିସ୍ନାତକ ଶ୍ରେଣୀର ଛାତ୍ର ବାବଲୁ ପଚାରନ୍ତି । ଯଦିବା ସେ ବ୍ୟକ୍ତି ଜଣକ ସତ କହନ୍ତି, ତଥାପି ଗୁପ୍ତ ଭୋଟଦାନ ସଂପର୍କିତ ତାଙ୍କର ଗଣତାନ୍ତ୍ରିକ ଅଧିକାର କ୍ଷୁର୍ଣ୍ଣ ହେବ ବୋଲି ସେ ଯୁକ୍ତି ଦର୍ଶାନ୍ତି । କିଛି ମାତ୍ରାରେ ଦୁର୍ବଳ ଅନୁଭବ କରୁଥିଲେ ହେଁ ବାବଲୁ ତାଙ୍କୁ କୁହାଯାଇଥିବା ସୁଇଚ୍‌ ଟିପିଥିଲେ ଏବଂ ବାହାରକୁ ଆସିବା ପରେ ଏହାକୁ ଯାଞ୍ଚ କରିଥିଲେ । ସେ କହନ୍ତି, “ସୌଭାଗ୍ୟର କଥା ଯେ, ସେହି ବ୍ୟକ୍ତି ଜଣଙ୍କ ମୋତେ ମିଛ କହି ନଥିଲେ ।”

ଭୋଟଦାନ କ୍ଷେତ୍ରରେ ଭିନ୍ନକ୍ଷମ ବ୍ୟକ୍ତିମାନଙ୍କ ସୁବିଧାକୁ ନଜରରେ ରଖି ସ୍ଥାପନ କରାଯାଇଥିବା ସମସ୍ତ ଭୋଟଗ୍ରହଣ କେନ୍ଦ୍ରରେ ବ୍ରେଲ୍‌ ଭୋଟ କାଗଜ ଏବଂ ବ୍ରେଲ୍‌ ଇଭିଏମ୍‌ ବ୍ୟବହାର ଲାଗି ଭାରତର ନିର୍ବାଚନ କମିଶନଙ୍କ ନିର୍ଦ୍ଦିଷ୍ଟ ନିର୍ଦ୍ଦେଶ ରହିଛି । ଭିନ୍ନକ୍ଷମମାନଙ୍କ ଅଧିକାର ସଂପର୍କିତ କୋଲକାତାର ‘ଶ୍ରୁତି ଡିସ୍‌ଆବିଲିଟି ରାଇଟ୍‌ସ ସେଣ୍ଟର’ର ନିର୍ଦ୍ଦେଶିକା ଶାମ୍ପା ସେନଗୁପ୍ତ କହନ୍ତି, “କାଗଜପତ୍ରରେ ଅନେକ ବ୍ୟବସ୍ଥା ରହିଛି । ହେଲେ, ଠିକ୍‌ ଭାବରେ କାର୍ଯ୍ୟକାରୀ ହେଉନାହିଁ ।”

ଏବେ ପୁଣି ସାଧାରଣ ନିର୍ବାଚନ ପାଖେଇ ଆସିଲାଣି । ହେଲେ, ୨୦୨୪ ସାଧାରଣ ନିର୍ବାଚନର ଷଷ୍ଠ ପର୍ଯ୍ୟାୟରେ ଭୋଟ ଦେବା ପାଇଁ ଘରକୁ ଫେରିବେ କି ନାହିଁ ବୋଲି ବାବଲୁ ସ୍ଥିର କରିପାରି ନାହାନ୍ତି । ଭୋଟଦାତା ଭାବେ ବାବଲୁଙ୍କ ନାଁ ପୁରୁଲିଆରେ ପଞ୍ଜୀକୃତ ହୋଇଛି ଏବଂ ସେଠାରେ ମେ ମାସ ୨୫ ତାରିଖ ଦିନ ଭୋଟଗ୍ରହଣ କରାଯିବ ।

PHOTO • Prolay Mondal

ମେ ୨୫ ତାରିଖ ଦିନ ଘରକୁ ଯିବେ କି ନାହିଁ ବୋଲି ସ୍ଥିର କରିପାରିନାହାନ୍ତି ବାବଲୁ କୈବର୍ତ୍ତ । ଗତ ଥର ସେ ଯେଉଁ ଭୋଟଦାନ କେନ୍ଦ୍ରରେ ଭୋଟ ଦେଇଥିଲେ ସେଠାରେ ବ୍ରେଲ୍‌ ଇଭିଏମ୍‌ କିମ୍ବା ବ୍ରେଲ ଭୋଟ କାଗଜ ନଥିଲା । କେବଳ ଭୋଟଗ୍ରହଣ କେନ୍ଦ୍ରରେ ପହଞ୍ଚିବା ହିଁ ଚିନ୍ତାର ବିଷୟ ନୁହେଁ, ଏହାର ଆର୍ଥିକ ଦିଗକୁ ନେଇ ବି ସେ ଚିନ୍ତିତ

ଭୋଟଗ୍ରହଣ କେନ୍ଦ୍ରରେ ତାଙ୍କ ଭଳି ଭିନ୍ନକ୍ଷମମାନଙ୍କ ପାଇଁ ସୁବିଧାର ଅଭାବ ହିଁ ତାଙ୍କ ମନରେ ଉପୁଜିଥିବା ଅନିଶ୍ଚିତତାର ଏକମାତ୍ର କାରଣ ନୁହେଁ । ଏବେ ସେ କୋଲକାତାରେ ତାଙ୍କ ବିଶ୍ୱବିଦ୍ୟାଳୟର ଛାତ୍ରାବାସରେ ରହୁଛନ୍ତି ଏବଂ ଟ୍ରେନ୍‌ରେ କୋଲକାତାରୁ ପୁରୁଲିଆ ଯିବାକୁ ଛଅରୁ ସାତ ଘଣ୍ଟା ଲାଗେ ।

“ମୋତେ ପଇସା ଖର୍ଚ୍ଚ କଥା ଭାବିବାକୁ ପଡ଼ିବ । ଏବେ ବି ମୋତେ ଟ୍ରେନ୍‌ ଟିକେଟ କରିବାକୁ ପଡ଼େ ଏବଂ ଏଠାରୁ ବସ୍‌ ଭଡ଼ା ଦେଇ ଷ୍ଟେସନ ଯାଏଁ ଯିବାକୁ ହୁଏ,” ବାବଲୁ କହନ୍ତି । ଭାରତର ୨୬.୮ ନିୟୁତ ସାଧାରଣ ଭିନ୍ନକ୍ଷମଙ୍କ ମଧ୍ୟରୁ ୧୮ ନିୟୁତରୁ ଅଧିକ ଗ୍ରାମାଞ୍ଚଳରେ ରହନ୍ତି ଏବଂ ୧୯ ପ୍ରତିଶତ ଦୃଷ୍ଟିଶକ୍ତି ସଂପର୍କିତ ଭିନ୍ନକ୍ଷମ (୨୦୧୧ ଜନଗଣନା) । ଶାମ୍ପା କହନ୍ତି ଯେ, ଏ ସଂପର୍କିତ ନୀତି ନିୟମ ଯେତେବେଳେ ବି କାର୍ଯ୍ୟକାରୀ ହୁଏ, ସାଧାରଣତଃ ସହରାଞ୍ଚଳ ମଧ୍ୟରେ ସୀମିତ ରହିଥାଏ । ସେ ଆହୁରି କହନ୍ତି, “କେବଳ ନିର୍ବାଚନ କମିଶନ ଯଦି ଉଦ୍ୟମ କରନ୍ତି, ତେବେ ଏଭଳି ସଚେତନତା ଅଭିଯାନ କରାଯାଇପାରିବ ଏବଂ ଏ କ୍ଷେତ୍ରରେ ରେଡିଓ ଅନ୍ୟତମ ମାଧ୍ୟମ ହେବା ଉଚିତ ।”

କୋଲକାତାର ଯାଦବପୁର ବିଶ୍ୱବିଦ୍ୟାଳୟରେ ଭିନ୍ନକ୍ଷମଙ୍କ ପାଇଁ ଉଦ୍ଦିଷ୍ଟ କେନ୍ଦ୍ର ‘ସେଣ୍ଟର ଫର୍‌ ପର୍ସନସ ଉଇଥ୍‌ ଡିସ୍‌ଆବିଲିଟିଜ୍‌’ରେ ଏହି ରିପୋର୍ଟରଙ୍କ ସହ କଥାବାର୍ତ୍ତା ସମୟରେ ବାବଲୁ କହନ୍ତି, “କାହାକୁ ଭୋଟ ଦେବି ବୋଲି ମୁଁ ଦ୍ୱିଧାରେ ରହିଛି ।”

“ହୁଏତ ସେମାନଙ୍କ ଦଳ ଓ ସେମାନଙ୍କ ନେତା ଭଲକାମ କରୁଛନ୍ତି ବୋଲି ଭାବି ମୁଁ ଜଣେ ବ୍ୟକ୍ତିଙ୍କୁ ଭୋଟ ଦେଇପାରେ । କିନ୍ତୁ ନିର୍ବାଚନ ପରେ, ସେମାନେ ଅନ୍ୟ ଦଳକୁ ଚାଲି ଯାଇପାରନ୍ତି,” ଅଭିଯୋଗ କରିବା ଭଳି କଣ୍ଠରେ କହନ୍ତି ବାବଲୁ । ଗତ କିଛି ବର୍ଷ ହେଲା ଏବଂ ବିଶେଷତଃ ୨୦୨୧ ରାଜ୍ୟ ବିଧାନସଭା ନିର୍ବାଚନ ସମୟରେ, ପଶ୍ଚିମ ବଙ୍ଗର ବହୁ ରାଜନେତା ଦଳ ବଦଳାଇଥିବା ଦେଖାଯାଇଥିଲା ଏବଂ ତାହା ବି ଅନେକ ଥର ।

*****

ବାବଲୁ ଜଣେ ସ୍କୁଲ କି କଲେଜ ଶିକ୍ଷକ ହେବାକୁ ଚାହାଁନ୍ତି – ସରକାରୀ ଚାକିରିଟିଏ, ଯେଉଁଥିରୁ କି ସ୍ଥାୟୀ ରୋଜଗାର ମିଳିପାରିବ ।

କିଛି ଦିନ ହେଲା ଅନେକ ଅପ୍ରୀତିକର କାରଣରୁ ଖବରର ଶିରୋନାମାରେ ରହିଆସିଛି ରାଜ୍ୟ ସ୍କୁଲ ସର୍ଭିସ୍‌ କମିଶନ (ଏସ୍‌ଏସ୍‌ସି) । ପୂର୍ବତନ ପ୍ରଫେସର ଏବଂ ରାଜ୍ୟ ଉଚ୍ଚ ମାଧ୍ୟମିକ ପରିଷଦର ସଭାପତି ଗୋପା ଦତ୍ତା କହନ୍ତି, “ଏହି କମିଶନ (ଯୁବ ସମାଜ ପାଇଁ) ନିଯୁକ୍ତିର ଏକ ବୃହତ୍‌ ଉତ୍ସ ରୂପେ ବିବେଚିତ ହେଉଥିଲା । କାରଣ, ସବୁଆଡ଼େ ସ୍କୁଲ ରହିଛି- ଗାଁରେ ଏବଂ ଛୋଟ ଛୋଟ ସହରରେ ଏବଂ ବଡ଼ ନଗରୀରେ ।” ଆଗକୁ ସେ ଆହୁରି କହନ୍ତି, “ସ୍କୁଲ ଶିକ୍ଷକ ହେବା ଲାଗି ଅନେକ ଲୋକ ଅଭିଳାଷ ପୋଷଣ କରୁଥିଲେ ।”

PHOTO • Prolay Mondal

‘କାହାକୁ ଭୋଟ ଦେବି ବୋଲି ମୁଁ ନିଶ୍ଚିତ ନୁହେଁ,’ ବାବଲୁ କହନ୍ତି । ସେ ଏଥିପାଇଁ ଚିନ୍ତିତ ଯେ ଯେଉଁ ପ୍ରାର୍ଥୀଙ୍କୁ ସେ ଭୋଟ ଦେବେ, ସେ ହୁଏତ ଫଳାଫଳ ଘୋଷଣା ପରେ ଅନ୍ୟ ଦଳକୁ ଚାଲି ଯାଇପାରନ୍ତି । ପ୍ରାୟ ପାଞ୍ଚ ବର୍ଷ ହେଲା ପଶ୍ଚିମ ବଙ୍ଗରେ ଦଳବଦଳର ଏହି ଧାରା ଦେଖିବାକୁ ମିଳିଛି

ଗତ ସାତ କି ଆଠ ବର୍ଷ ହେଲା, ନିଯୁକ୍ତି ପ୍ରକ୍ରିୟା ଉପରେ ପ୍ରଶ୍ନବାଚୀ ଲାଗି ରହିଛି । ଆପାର୍ଟମେଣ୍ଟରେ ଥାକ ମରାଯାଇଥିବା ବିଡ଼ା ବିଡ଼ା ନୋଟ୍‌ ବାହାରିଛି, ମନ୍ତ୍ରୀମାନେ ଜେଲ୍‌ ଯାଇଛନ୍ତି, ସ୍ୱଚ୍ଛ ଓ ନିରପେକ୍ଷ ନିଯୁକ୍ତି ପ୍ରକ୍ରିୟା ଦାବିରେ ପ୍ରାର୍ଥୀମାନେ ମାସ ମାସ ଧରି ଶାନ୍ତିପୂର୍ଣ୍ଣ ଧାରଣାରେ ବସିଛନ୍ତି ଏବଂ ଅଳ୍ପ ଦିନ ତଳେ, କଲିକତା ହାଇକୋର୍ଟ ୨୫,୦୦୦ରୁ ଅଧିକ ବ୍ୟକ୍ତିଙ୍କ ନିଯୁକ୍ତିକୁ ବାତିଲ କରିଦେଇଛନ୍ତି । ମେ ମାସ ପ୍ରଥମ ସପ୍ତାହରେ ହାଇକୋର୍ଟଙ୍କ ଏହି ଆଦେଶ ଉପରେ ସୁପ୍ରିମ କୋର୍ଟ ରହିତାଦେଶ ଜାରି କରି ଯୋଗ୍ୟ ଓ ଅଯୋଗ୍ୟ ପ୍ରାର୍ଥୀଙ୍କ ମଧ୍ୟରେ ପାର୍ଥକ୍ୟ ନିରୂପଣ କରିବା ଲାଗି କହିଛନ୍ତି ।

“ମୋତେ ଡର ଲାଗୁଛି,” ସାଂପ୍ରତିକ ସ୍ଥିତିକୁ ଲକ୍ଷ୍ୟ କରି ବାବଲୁ କହନ୍ତି । “ପ୍ରାର୍ଥୀମାନଙ୍କ ଭିତରୁ ୧୦୪ ଜଣ ଦୃଷ୍ଟିହୀନ ବୋଲି ମୁଁ ଶୁଣିଛି । ହୁଏତ ସେମାନେ ନିଯୁକ୍ତି ପାଇଁ ଯୋଗ୍ୟ । ହେଲେ କେହି କ’ଣ ସେମାନଙ୍କ ସଂପର୍କରେ ଭାବୁଛନ୍ତି?”

କେବଳ ଏସ୍‌ଏସ୍‌ସି ନିଯୁକ୍ତି କ୍ଷେତ୍ରରେ ନୁହେଁ, ଅନ୍ୟ ଅନେକ କ୍ଷେତ୍ରରେ ମଧ୍ୟ ସରକାରୀ କର୍ତ୍ତୃପକ୍ଷ ଭିନ୍ନକ୍ଷମମାନଙ୍କ ଆବଶ୍ୟକତାକୁ ଅଣଦେଖା କରିଆସିଛନ୍ତି ବୋଲି ବାବଲୁ ଅନୁଭବ କରନ୍ତି । “ପଶ୍ଚିମ ବଙ୍ଗରେ ଦୃଷ୍ଟିହୀନ ଭିନ୍ନକ୍ଷମଙ୍କ ପାଇଁ ପର୍ଯ୍ୟାପ୍ତ ସ୍କୁଲ ନାହିଁ,” ସେ କହନ୍ତି, “ଏ କ୍ଷେତ୍ରରେ ଏକ ଦୃଢ଼ ଆଧାର ଗଢ଼ିବା ସକାଶେ ଆମେ ସ୍ୱତନ୍ତ୍ର ସ୍କୁଲ ଆବଶ୍ୟକ କରୁ ।” ବିକଳ୍ପ ବ୍ୟବସ୍ଥା ନଥିବାରୁ ଦିନେ ତାଙ୍କୁ ଘର ଛାଡ଼ିବାକୁ ପଡ଼ିଥିଲା ଏବଂ କଲେଜରେ ପାଠ ପଢ଼ିବା ଲାଗି ସେ ଚାହୁଁଥିଲେ ହେଁ ଆଉ ଘରକୁ ଫେରି ପାରି ନଥିଲେ । “ଭିନ୍ନକ୍ଷମମାନଙ୍କ ପାଇଁ କୌଣସି ସରକାର ଚିନ୍ତା କରୁଥିବା କଥା ମୁଁ କେବେହେଲେ ଶୁଣିନାହିଁ ।”

ତଥାପି ବାବଲୁ ସକାରାତ୍ମକ ଦୃଷ୍ଟିଭଙ୍ଗୀ ପୋଷଣ କରନ୍ତି । “ଚାକିରିଟିଏ ଖୋଜିବା ପୂର୍ବରୁ ମୋ ହାତରେ ଆଉ କିଛି ବର୍ଷ ରହିଛି,” ସେ କହନ୍ତି, “ଆଗକୁ ସ୍ଥିତି ବଦଳିବ ବୋଲି ମୁଁ ଆଶା କରୁଛି ।”

ବାବଲୁଙ୍କ ବୟସ ୧୮ ବର୍ଷ ହେବା ପରଠାରୁ ସେ ତାଙ୍କ ପରିବାରର ଏକମାତ୍ର ରୋଜଗାରିଆ ସଦସ୍ୟ ରୂପେ ରହିଆସିଛନ୍ତି। ତାଙ୍କ ଭଉଣୀ, ବୁନୁରାଣୀ କୈବର୍ତ୍ତ, ଦୃଷ୍ଟିହୀନଙ୍କ ପାଇଁ ଉଦ୍ଦିଷ୍ଟ କଲିକତା ବ୍ଲାଇଣ୍ଡ ସ୍କୁଲ୍‌ର ନବମ ଶ୍ରେଣୀ ଛାତ୍ରୀ। ତାଙ୍କ ମାଆ ସନ୍ଧ୍ୟା ପାଲମାରେ ରହନ୍ତି । ବାବଲୁଙ୍କ ପରିବାର କୈବର୍ତ୍ତ ସଂପ୍ରଦାୟର (ରାଜ୍ୟରେ ଅନୁସୂଚିତ ଜାତି ରୂପେ ତାଲିକାଭୁକ୍ତ) ଏବଂ ମାଛ ଧରିବା ସେମାନଙ୍କର ପାରମ୍ପରିକ ଜୀବିକା । ବାବଲୁଙ୍କ ବାପା ମାଛ ଧରି ବିକ୍ରି କରୁଥିଲେ, କିନ୍ତୁ କ୍ୟାନ୍‌ସରରେ ପୀଡ଼ିତ ବୋଲି ଜଣାପଡ଼ିବା ପରେ, ଯାହା କିଛି ସଞ୍ଚୟ କରି ରଖିଥିଲେ, ସବୁ ତାଙ୍କ ଚିକିତ୍ସାରେ ଖର୍ଚ୍ଚ ହୋଇଯାଇଥିଲା ।

୨୦୧୨ରେ ତାଙ୍କ ବାପାଙ୍କ ମୃତ୍ୟୁ ପରେ ବାବଲୁଙ୍କ ମାଆ କିଛି ଦିନ ପାଇଁ ଘର ବାହାରକୁ ଯାଇ କାମ କରିଥିଲେ । “ସେ ପରିବାପତ୍ର ବିକ୍ରି କରୁଥିଲେ,” ବାବଲୁ କହନ୍ତି, “କିନ୍ତୁ ଏବେ ତାଙ୍କ ବୟସ ୫୦ରୁ ଅଧିକ ଏବଂ ସେ କଠିନ କାର୍ଯ୍ୟ କରିପାରୁନାହାନ୍ତି ।” ସନ୍ଧ୍ୟା କୈବର୍ତ୍ତ ବିଧବା ଭତ୍ତା ବାବଦରେ ପ୍ରତି ମାସରେ ୧,୦୦୦ ଟଙ୍କା ଲେଖାଏଁ ପାଆନ୍ତି । “ଗତ ବର୍ଷ ଅଗଷ୍ଟ କି ସେପ୍‌ଟେମ୍ବର ମାସରୁ ତାଙ୍କୁ ଏହି ଭତ୍ତା ମିଳିବା ଆରମ୍ଭ ହେଲା,” ବାବଲୁ କହନ୍ତି ।

PHOTO • Antara Raman

'ଭିନ୍ନକ୍ଷମ ବ୍ୟକ୍ତିମାନଙ୍କ ପାଇଁ କୌଣସି ସରକାର ଚିନ୍ତା କରୁଥିବା କଥା ମୁଁ କେବେହେଲେ ଶୁଣିନାହିଁ'

ପିଲାଙ୍କୁ ଟ୍ୟୁସନ୍‌ କରି ଏବଂ ପୁରୁଲିଆର କେତେକ ସ୍ଥାନୀୟ ଷ୍ଟୁଡିଓରେ ସଙ୍ଗୀତ ସଂଯୋଜନା କରି ସେ ଯାହା କିଛି ରୋଜଗାର କରନ୍ତି । ସେ ମଧ୍ୟ ମାନବିକ ପେନ୍‌ସନ ଯୋଜନା ଅଧୀନରେ ମାସକୁ ୧,୦୦୦ ଟଙ୍କା ଭତ୍ତା ପାଆନ୍ତି । ବାବଲୁ ଜଣେ ପ୍ରଶିକ୍ଷିତ କଣ୍ଠଶିଳ୍ପୀ ଏବଂ ସେ ବଂଶୀ ଓ ସିନ୍ଥେସାଇଜର୍‌ ମଧ୍ୟ ବଜାନ୍ତି । ସବୁ ସମୟରେ ତାଙ୍କ ଘରେ ସଙ୍ଗୀତ ସଂସ୍କୃତି ରହିଆସିଛି, ବାବଲୁ କହନ୍ତି, “ମୋର ଠାକୁରଦା (ଜେଜେବାପା) ରବି କୈବର୍ତ୍ତ, ପୁରୁଲିଆର ଜଣେ ସୁପରିଚିତ ଲୋକଗୀତ ଶିଳ୍ପୀ ଥିଲେ । ସେ ବଂଶୀ ବଜାଉଥିଲେ ।” ଯଦିଓ ବାବଲୁ ଜନ୍ମ ନେବାର ବହୁ ପୂର୍ବରୁ ତାଙ୍କର ମୃତ୍ୟୁ ହୋଇସାରିଥିଲା, ତଥାପି ତାଙ୍କ ନାତି କହନ୍ତି ଯେ, ତାଙ୍କରି ପାଖରୁ ହିଁ ଉତ୍ତରାଧିକାର ସୂତ୍ରରେ ସେ ସଙ୍ଗୀତ ପ୍ରତି ଏହି ମୋହ ହାସଲ କରିଛନ୍ତି । “ମୋ ବାପା ବି ସେହି ଏକାକଥା କହୁଥିଲେ ।”

ଘରେ ପ୍ରଥମ ଥର ପାଇଁ ରେଡିଓରେ ବଂଶୀବାଦନ ଶୁଣିବା ବେଳକୁ ବାବଲୁ ପୁରୁଲିଆରେ ରହୁଥିଲେ । “ଖୁଲନା ରେଡିଓ କେନ୍ଦ୍ରରୁ ମୁଁ ବାଂଲାଦେଶର ଖବର ଶୁଣୁଥିଲି ଏବଂ ଖବର ଆରମ୍ଭ ହେବା ପୂର୍ବରୁ ସେମାନେ ଗୋଟିଏ ପ୍ରାରମ୍ଭିକ ସଙ୍ଗୀତ ବଜାଉଥିଲେ । ଏହି ସଙ୍ଗୀତ କ’ଣ ବୋଲି ମୁଁ ମୋ ମାଆଙ୍କୁ ପଚାରିଲି ।” ସେ ଯେତେବେଳେ ଏହା ବଂଶୀ ବୋଲି କହିଲେ ବାବଲୁ ଦ୍ୱନ୍ଦ୍ୱରେ ପଡ଼ିଲେ । ତା ପୂର୍ବରୁ ସେ କେବଳ ଗୋଟିଏ ଭିଂପୁ ନାଁରେ ପରିଚିତ ତୀବ୍ର ଓ କର୍କଶ ସ୍ୱର ବାହାରୁଥିବା ଏକ ପ୍ରକାରର ବଂଶୀ ଦେଖିଥିଲେ ଏବଂ ପିଲାବେଳେ ସେ ଏଥିରେ ଖେଳୁଥିଲେ । କିଛି ସପ୍ତାହ ପରେ ତାଙ୍କ ମାଆ ତାଙ୍କ ପାଇଁ ସେଠାକାର ଏକ ମେଳାରୁ ୨୦ ଟଙ୍କା ଦେଇ ବଂଶୀଟିଏ କିଣି ଆଣିଥିଲେ । ହେଲେ ତାହା କିଭଳି ବଜାଇବାକୁ ହେବ ସେ କଥା ଶିଖାଇବା ପାଇଁ ସେଠି କେହି ନଥିଲେ ।

ପୁରୁଲିଆରେ ଦୃଷ୍ଟିହୀନଙ୍କ ପାଇଁ ଥିବା ଏକ ସ୍କୁଲରେ ଯନ୍ତ୍ରଣାଦାୟକ ଅନୁଭୂତି କାରଣରୁ ବାଧ୍ୟ ହୋଇ ସେ ସ୍କୁଲ ଛାଡ଼ିଥିଲେ ଏବଂ ଦୁଇ ବର୍ଷ ଘରେ ରହିବା ପରେ ୨୦୧୧ରେ ବାବଲୁ କୋଲକାତା ଉପକଣ୍ଠ ନରେନ୍ଦ୍ରପୁରର ‘ବ୍ଲାଇଣ୍ଡ ବୟଜ ଏକାଡେମୀ’କୁ ଚାଲିଗଲେ । ବାବଲୁ କହନ୍ତି, “ଗୋଟିଏ ରାତିରେ ଏମିତି କିଛି ଘଟିଗଲା ଯାହାକି ମୋତେ ଭୟଭୀତ କରିଦେଲା । ସ୍କୁଲରେ ଭିତ୍ତିଭୂମି ସେତେ ଭଲ ନଥିଲା ଏବଂ ଛାତ୍ରମାନେ ରାତିରେ ଏକା ଏକା ରହୁଥିଲେ । ସେହି ଘଟଣା ପରେ ମୋତେ ଘରକୁ ନେଇଯିବା ପାଇଁ ମୁଁ ବାପାମାଆଙ୍କୁ କହିଲି ।”

ଏହି ନୂଆ ସ୍କୁଲରେ ବାବଲୁଙ୍କୁ ବାଦ୍ୟଯନ୍ତ୍ର ବଜାଇବା ଲାଗି ଉତ୍ସାହିତ କରାଗଲା । ସେ ଉଭୟ ବଂଶୀ ଓ ସିନ୍ଥେସାଇଜର ବଜାଇ ଶିଖିଲେ ଏବଂ ସ୍କୁଲ ଅର୍କେଷ୍ଟ୍ରାର ଏକ ଅଂଶ ପାଲଟିଗଲେ । ଆଜିକାଲି ସେ ପ୍ରାୟତଃ ବିଭିନ୍ନ ଉତ୍ସବରେ ସଙ୍ଗୀତ ପରିବେଷଣ କରନ୍ତି ଏବଂ ଏହା ଛଡ଼ା ପୁରୁଲିଆର କଳାକାରମାନଙ୍କ ଦ୍ୱାରା ଗୀତ ପରିବେଷଣ ସମୟରେ ଦୁଇ ଗୀତର ଅନ୍ତରାଳରେ ବାଜୁଥିବା ସଙ୍ଗୀତ ରେକର୍ଡିଂ କରନ୍ତି । ପ୍ରତିଟି ଷ୍ଟୁଡିଓ ରେକର୍ଡିଂରୁ ସେ ୫୦୦ ଟଙ୍କା ରୋଜଗାର କରନ୍ତି । କିନ୍ତୁ ଏହା ନିୟମିତ ଆୟର ଏକ ଉତ୍ସ ନୁହେଁ, ବାବଲୁ କହନ୍ତି ।

“ମୁଁ ସଙ୍ଗୀତରେ ଭବିଷ୍ୟତ ଗଢ଼ି ପାରିବି ନାହିଁ,” ସେ କହନ୍ତି, “ଏଥିପାଇଁ ମୋ ପାଖରେ ଏତେ ସମୟ ନାହିଁ । ଆମର ପଇସାପତ୍ର ନଥିବାରୁ ମୁଁ ପର୍ଯ୍ୟାପ୍ତ ସଙ୍ଗୀତ ଶିଖି ପାରିଲି ନାହିଁ । ଏବେ, ମୋ ପରିବାରର ଭରଣପୋଷଣ କରିବା ମୋର ଦାୟିତ୍ୱ ।”

ଅନୁବାଦ : ଓଡ଼ିଶାଲାଇଭ୍‍

Sarbajaya Bhattacharya

Sarbajaya Bhattacharya is a Senior Assistant Editor at PARI. She is an experienced Bangla translator. Based in Kolkata, she is interested in the history of the city and travel literature.

यांचे इतर लिखाण Sarbajaya Bhattacharya
Editor : Priti David

प्रीती डेव्हिड पारीची वार्ताहर व शिक्षण विभागाची संपादक आहे. ग्रामीण भागांचे प्रश्न शाळा आणि महाविद्यालयांच्या वर्गांमध्ये आणि अभ्यासक्रमांमध्ये यावेत यासाठी ती काम करते.

यांचे इतर लिखाण Priti David
Illustration : Antara Raman

Antara Raman is an illustrator and website designer with an interest in social processes and mythological imagery. A graduate of the Srishti Institute of Art, Design and Technology, Bengaluru, she believes that the world of storytelling and illustration are symbiotic.

यांचे इतर लिखाण Antara Raman
Photographs : Prolay Mondal

Prolay Mandal has an M.Phil from the Department of Bengali, Jadavpur University. He currently works at the university's School of Cultural Texts and Records.

यांचे इतर लिखाण Prolay Mondal
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

यांचे इतर लिखाण OdishaLIVE