ରବିବାର ସକାଳ ସମୟ, କିନ୍ତୁ ଜ୍ୟୋତିରିନ୍ଦ୍ର ନାରାୟଣ ଲାହିରୀ ବ୍ୟସ୍ତ ଅଛନ୍ତି। ହୁଗଲି ଜିଲ୍ଲା ସ୍ଥିତ ନିଜ ଆପାର୍ଟମେଣ୍ଟର ଗୋଟିଏ କୋଣରେ ଥିବା କୋଠରୀରେ ଏହି ୫୦ ବର୍ଷ ବୟସ୍କ ବ୍ୟକ୍ତି ୧୭୭୮ ମସିହାରେ ମେଜର ଜେମ୍ସ ରେନେଲଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ସୁନ୍ଦରବନର ପ୍ରଥମ ମାନଚିତ୍ରକୁ ଦେଖୁଛନ୍ତି।
‘‘ଏହା ଇଂରେଜମାନଙ୍କ ସର୍ବେକ୍ଷଣ ଉପରେ ଆଧାରିତ ସୁନ୍ଦରବନର ପ୍ରଥମ ପ୍ରାମାଣିକ ମାନଚିତ୍ର। ହେନ୍ତାଳ ବନ କୋଲକାତା ପର୍ଯ୍ୟନ୍ତ ବ୍ୟାପି ରହିଥିଲା ବୋଲି ଏହି ମାନଚିତ୍ରରେ ଦର୍ଶାଯାଇଛି। ସେବେଠାରୁ ଅନେକ କିଛି ବଦଳି ଯାଇଛି,’’ ମାନଚିତ୍ର ଉପରେ ଆଙ୍ଗୁଠି ବୁଲାଇ ଲାହିରୀ କୁହନ୍ତି। ଭାରତ ଏବଂ ବାଂଲାଦେଶ, ଉଭୟ ସୀମାରେ ବ୍ୟାପିଥିବା ସବୁଠୁ ବଡ଼ ହେନ୍ତାଳ ଜଙ୍ଗଲ ସୁନ୍ଦରବନ ନିଜର ବିଶାଳ ଜୈବ ବିବିଧତା ଏବଂ ନିଶ୍ଚିତ ଭାବେ ମହାବଳ ବାଘ ବା ରୟାଲ ବେଙ୍ଗଲ ଟାଇଗର୍ (ପାନ୍ଥେରା ଟାଇଗ୍ରିସ୍) ପାଇଁ ପ୍ରସିଦ୍ଧ।
ତାଙ୍କ କୋଠରୀ କାନ୍ଥକୁ ଲାଗି ରହିଥିବା ବହିଥାକରେ ସୁନ୍ଦରବନ ସମ୍ପର୍କରେ ପ୍ରତ୍ୟେକ ପରିକଳ୍ପିତ ବିଷୟ ଉପରେ ଶତାଧିକ ଶୀର୍ଷକ ବିଶିଷ୍ଟ ପୁସ୍ତକ ଭର୍ତ୍ତି ହୋଇ ରହିଛି ଯେଉଁଥିରେ ଉଦ୍ଭିଦ, ଜୀବଜଗତ, ଦୈନନ୍ଦିନ ଜୀବନ, ମାନଚିତ୍ର, ଆଟଲାସ୍ ଓ ଇଂରାଜୀ ଓ ବଙ୍ଗଳା ଭାଷାରେ ପ୍ରକାଶିତ ପୁସ୍ତକ ମଧ୍ୟ ରହିଛି। ସେ ଏହି ଠାରେ ‘ସୁଧୁ ସୁନ୍ଦରବନ ଚର୍ଚ୍ଚା’ରେ ପ୍ରକାଶ ପାଇବାକୁ ଥିବା ପ୍ରସଙ୍ଗ ଉପରେ ଗବେଷଣା ଓ ପତ୍ରିକାର ସଂଖ୍ୟା ପ୍ରକାଶ ପାଇଁ ଯୋଜନା ପ୍ରସ୍ତୁତ କରିଥାନ୍ତି । ଏହି ତ୍ରୈମାସିକ ପତ୍ରିକାରେ ସୁନ୍ଦରବନ ବିଷୟରେ ଅନେକ ପ୍ରସଙ୍ଗ ସ୍ଥାନ ପାଇଥାଏ। ୨୦୦୯ରେ ଆଇଲା ବାତ୍ୟା ଯୋଗୁ ଏହି ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହେବା ପରେ ସେ ଏହି ପତ୍ରିକା ପ୍ରକାଶନ ଆରମ୍ଭ କରିଥିଲେ।
‘‘ସେହି ଅଞ୍ଚଳର ସ୍ଥିତି ବିଷୟରେ ଜାଣିବା ଲାଗି ମୁଁ ସେଠାକୁ ଏକାଧିକ ବାର ଯାତ୍ରା କରିଥିଲି। ତାହା ଭୟାନକ ଥିଲା,’’ ସେ ତତ୍କାଳୀନ ସମୟ କଥା ମନେ ପକାଇ କୁହନ୍ତି। ‘‘ପିଲାମାନଙ୍କ ସ୍କୁଲ ବନ୍ଦ ହୋଇଯାଇଥିଲା, ଅନେକ ଲୋକ ବାସହରା ହୋଇଯାଇଥିଲେ, ବହୁସଂଖ୍ୟାରେ ପୁରୁଷ କାମ ପାଇଁ ଅନ୍ୟତ୍ର ପ୍ରବାସ କରିଥିଲେ, ଏବଂ ସବୁ ଦାୟିତ୍ୱ ମହିଳାଙ୍କ ଉପରକୁ ଆସିଯାଇଥିଲା। ନଦୀ ବନ୍ଧ ରହିବ କିମ୍ବା ଭୁଶୁଡ଼ି ପଡ଼ିବ ତାହା ଉପରେ ଲୋକଙ୍କ ଭାଗ୍ୟ ସମ୍ପୂର୍ଣ୍ଣ ଭାବେ ନିର୍ଭର କରୁଥିଲା।’’
ବିପର୍ଯ୍ୟୟ ଉପରେ ଗଣମାଧ୍ୟମର ଖବର ଲାହିରୀଙ୍କୁ ବିକ୍ଷିପ୍ତ ଏବଂ ଅତିରଞ୍ଜିତ ଲାଗିଥିଲା। ‘‘ଗଣମାଧ୍ୟମ ସୁନ୍ଦରବନ ଉପରେ ଚିରାଚରିତ ତଥ୍ୟର ପ୍ରଚାର କରିଥାଏ। ସାଧାରଣତଃ, ସେଥିରେ ଆପଣଙ୍କୁ ବାଘ ଆକ୍ରମଣ କିମ୍ବା ବର୍ଷାର ବୃତ୍ତାନ୍ତ ଶୁଣିବାକୁ ମିଳିପାରେ। ଯେତେବେଳେ ବର୍ଷା କିମ୍ବା ବନ୍ୟା ଆସିନଥାଏ, ସୁନ୍ଦରବନକୁ ନେଇ କୌଣସି ଖବର ପ୍ରକାଶ ପାଇବା ବିରଳ,’’ ସେ କୁହନ୍ତି। ‘‘ବିପର୍ଯ୍ୟୟ, ବନ୍ୟ ଜୀବନ ଓ ପର୍ଯ୍ୟଟନ - ଏସବୁ ପ୍ରସଙ୍ଗ ଉପରେ ଗଣମାଧ୍ୟମର ବିଶେଷ ରୁଚି ରହିଥାଏ।’’









