“ଏଇ ନିଅ ତୁମର ଉପହାର,” ଗୁମଲା ଜିଲ୍ଲା ତେତ୍ରା ଗ୍ରାମ ପଞ୍ଚାୟତର ସରପଞ୍ଚ ଟେରେସା ଲାକ୍ରାଙ୍କୁ ଏହା କହିଲେ ସେଠାକାର ‘ହିତାଧିକାରୀ କମିଟି’ ସଦସ୍ୟ ବିହାରୀ ଲାକ୍ରା। ଏବଂ ତାଙ୍କ ହାତରେ ଗୁଞ୍ଜି ଦେଲେ ୫,୦୦୦ ଟଙ୍କା। ‘ଉପହାର’ ରୂପରେ ନଗଦ ୫,୦୦୦ ଟଙ୍କା ଥାଇପାରେ ବୋଲି ଟେରେସାଙ୍କର ଆଦୌ ଧାରଣା ନଥିଲା। ନା ସତରେ ତାଙ୍କୁ ସେହି ଟଙ୍କା ମିଳିଲା - କାରଣ, ଠିକ୍ ସେହି ମୁହୂର୍ତ୍ତରେ, ରାଞ୍ଚିରୁ ଯାଇଥିବା ଦୁର୍ନୀତି ନିରୋଧକ ବ୍ୟୁରୋ (ACB)ର ଏକ ଟିମ୍ ସରପଞ୍ଚଙ୍କୁ ଘେରିଗଲେ ଏବଂ ‘ବେଆଇନ ପାରିତୋଷିକ’ ଦାବି କରିବା ବା ଲାଞ୍ଚ ମାଗିବା ଅପରାଧରେ ଦୁର୍ନୀତି ନିବାରଣ ଆଇନ-୧୯୮୮ ଅନୁସାରେ ତାଙ୍କୁ ଗିରଫ କଲେ।
ଏହି କାର୍ଯ୍ୟାନୁଷ୍ଠାନ ଯୋଗୁଁ ଭାଙ୍ଗି ପଡ଼ିଲେ ଓରାଓଁ ଆଦିବାସୀ ସଂପ୍ରଦାୟର ୪୮ ବର୍ଷୀୟା ଟେରେସା, ଏବଂ ଯେଉଁ ବ୍ଲକ୍ରେ ତାଙ୍କ ପଞ୍ଚାୟତ ରହିଛି, ଝାଡ଼ଖଣ୍ଡର ସେହି ବସିଆ ବ୍ଲକ୍ର ୮୦,୦୦୦ରୁ ଅଧିକ ଲୋକଙ୍କୁ ଏହା ମର୍ମାହତ କଲା। କେହି ଜଣେ ହେଲେ ଏ କଥା ଭାବିଲେନି ଯେ, ୫,୦୦୦ ଟଙ୍କାର ଲାଞ୍ଚ ନେବା ଅଭିଯୋଗରେ ଜଣଙ୍କୁ ଗିରଫ କରିବା ପାଇଁ ଦୁର୍ନୀତି ନିରୋଧକ ବ୍ୟୁରୋର ଏକ ଟିମ୍ ରାଞ୍ଚିରୁ ଏଠାକୁ, ପାଖାପାଖି ୧୦୦ କିଲୋମିଟର ଦୂରକୁ କାହିଁକି ଆସିଲା - ମୋତେ ସେଠାକୁ ଯିବା ପାଇଁ ଗୋଟିଏ ବଡ଼ କାର୍ରେ- ଏସ୍ୟୁଭିରେ ଦୁଇ ଘଣ୍ଟାରୁ ଅଧିକ ସମୟ ଲାଗିଗଲା। ଅବଶ୍ୟ, ଯେଉଁ ବିଚାରପତିଙ୍କ ସମ୍ମୁଖରେ ତାଙ୍କୁ ପେଶ୍ କରାଯାଇଥିଲା, ସେ ମଧ୍ୟ ଏ ସଂପର୍କରେ ସ୍ପଷ୍ଟ ମନ୍ତବ୍ୟ ଦେଇଥିଲେ। ହୁଏତ କାର୍ରେ ଦୁର୍ନୀତି ନିରୋଧକ ବ୍ୟୁରୋ ଟିମ୍ର ଯିବା ଆସିବାରେ ପ୍ରାୟ ପାଞ୍ଚ ଘଣ୍ଟା ଲାଗିଥିବ ଏବଂ କେବଳ ସେହି ବାବଦରେ ହିଁ ଜବତ ଅର୍ଥ ପରିମାଣର ଅଧା ଖର୍ଚ୍ଚ କରିବାକୁ ପଡ଼ିଥିବ- ତା ଛଡ଼ା ଅନ୍ୟାନ୍ୟ ଖର୍ଚ୍ଚ ବି ଅଛି।
ଟେରେସାଙ୍କୁ ଘଟଣାସ୍ଥଳକୁ, ଅର୍ଥାତ୍ ବସିଆ ବ୍ଲକ୍ର ପଞ୍ଚାୟତ ଅଫିସ୍କୁ, ତାଙ୍କ ସହଯୋଗୀ ଗ୍ରାମ ପଞ୍ଚାୟତ ସଦସ୍ୟମାନେ ନେଇ ଯାଇଥିଲେ ସୁଦ୍ଧା ଏହା କାହାରିକୁ ଆଶ୍ଚର୍ଯ୍ୟଜନକ ମନେ ହୋଇ ନଥିଲା। ପରବର୍ତ୍ତୀ ସମୟରେ ସେହି ବ୍ୟକ୍ତିମାନେ ହିଁ ତାଙ୍କ ବିରୋଧରେ ସାକ୍ଷ୍ୟ ପ୍ରଦାନ କରିଥିଲେ। ଏହା ବି କମ୍ କୌତୁହଳର କଥା ନୁହେଁ ଯେ, ଟେରେସାଙ୍କୁ ଗିରଫ କରିଥିବା ଟିମ୍ ତାଙ୍କୁ, ଟେରେସାଙ୍କ କହିବା ଅନୁସାରେ, “ସେମାନେ ମୋତେ ବସିଆ ଥାନାକୁ ନେଇ ନଥିଲେ”- ଯାହା କି ବ୍ଲକ୍ ପଞ୍ଚାୟତ କାର୍ଯ୍ୟାଳୟର ଠିକ୍ ସାମନାରେ ଅବସ୍ଥିତ। ନାଟକର ଏହି ଦୃଶ୍ୟଠାରୁ ମାତ୍ର କେଇ ମିଟର ଦୂରରେ। ତା ବଦଳରେ “ସେମାନେ ମୋତେ ଗାଡ଼ିରେ ବସାଇ ୧୦-୧୫ କିଲୋମିଟର ଦୂର କାମଦରା ବ୍ଲକ୍ର ଏକ ଥାନାକୁ ନେଇଗଲେ।”
ତାହା ଥିଲା ୨୦୧୭, ଜୁନ୍ ମାସ ପାଖାପାଖି ସମୟର ଘଟଣା।
ପଛକଥାକୁ ମନେ ପକାଇ, ୧୨ଶ ଶ୍ରେଣୀ ପାସ୍ କରିଥିବା ଏହି ମହିଳା ଜଣକ ଏବେ ତାହାର କାରଣ ବୁଝି ପାରନ୍ତି, “ବସିଆ ଥାନାରେ, ସମସ୍ତେ ମୋତେ ଜାଣନ୍ତି। ସେମାନେ ସମସ୍ତେ ଜାଣନ୍ତି ଯେ ମୁଁ ଅପରାଧୀ ନୁହେଁ।” ପରବର୍ତ୍ତୀ ସମୟରେ, ରାଞ୍ଚିର ଏକ ସ୍ୱତନ୍ତ୍ର ଅଦାଲତରେ ତାଙ୍କ ମାମଲାର ଶୁଣାଣି ଆରମ୍ଭ ହେଲା।






