ବଙ୍ଗଳା ଖୋଲ୍‌ ତୁଳନାରେ ଅହମୀୟା ଖୋଲ୍‌ ବାଜାରୁ କମ୍‌ ଶବ୍ଦ ବାହାରିଥାଏ। ନେଗେଡ଼ା ତୁଳନାରେ ଢ଼ୋଲ ରୁ ଅଧିକ ଶବ୍ଦ ଉତ୍ପନ୍ନ ହୁଏ। ଗିରିପଡ ବାଡ୍ୟୋକର ଏହାକୁ ଭଲ ଭାବେ ଜାଣନ୍ତି । ସେ ଜଣେ ବାଜା ନିର୍ମାତା ହୋଇଥିବାରୁ ନିଜର ଦୈନନ୍ଦିନ କାର୍ଯ୍ୟରୁ ଏହି ଜ୍ଞାନ ହାସଲ କରିଛନ୍ତି ।

‘‘ଯୁବକମାନେ ମୋତେ ସେମାନଙ୍କର ସ୍ମାର୍ଟଫୋନ୍‌ ଦେଖାଇ ଏକ ନିର୍ଦ୍ଦିଷ୍ଟ ସ୍କେଲ୍‌ରେ ତାଳକୁ ଆଡଜଷ୍ଟ କରିବା ଲାଗି କୁହନ୍ତି,’’ ଆସାମ ମାଜୁଲିରେ ରହୁଥିବା ଏହି ବରିଷ୍ଠ କାରୀଗର ଜଣଙ୍କ କୁହନ୍ତି । ‘‘ଆମକୁ ଆପ୍‌ ଦରକାର ନାହିଁ।’’

ଗିରିପଡ କୁହନ୍ତି ଯେ, ଗୋଟିଏ ଟ୍ୟୁନର୍‌ ଆପ୍‌ରେ କରାଯାଉଥିବା ଏହି ପ୍ରକ୍ରିୟା ପରୀକ୍ଷାମୂଳକ ଓ ତ୍ରୁଟିପୂର୍ଣ୍ଣ ହୋଇପାରେ। ବାଦ୍ୟଯନ୍ତ୍ରର ଚମଡ଼ା କୋଷାବରଣକୁ ଠିକ୍‌ ଭାବେ ଲଗାଇବା ଏବଂ ଭିଡ଼ିବା ଉପରେ ଏହା ନିର୍ଭର କରିଥାଏ। ‘‘ତା’ପରେ ଯାଇ ଟ୍ୟୁନର୍‌ ଆପ୍‌ ଠିକ୍‌ ଭାବେ କାମ କରିଥାଏ।’’

ଗିରିପଡ ଓ ତାଙ୍କ ପୁଅ ପଡୁମ୍‌ ବଂଶାନୁକ୍ରମିକ ଭାବେ ବାଡ୍ୟୋକର (ବା ବାଦ୍ୟକର) କାମ କରି ଆସୁଛନ୍ତି । ସଙ୍ଗୀତ ବାଦ୍ୟଯନ୍ତ୍ର ଓ ମରାମତି କରିବା ଲାଗି ପରିଚିତ ଥିବା ଏହି ସମ୍ପ୍ରଦାୟ ଧୁଲି ବା ଶବ୍ଦକାର ନାମରେ ମଧ୍ୟ ପରିଚିତ। ଏମାନେ ତ୍ରିପୁରା ରାଜ୍ୟରେ ଅନୁସୂଚିତ ଜାତି ଭାବେ ମାନ୍ୟତା ଲାଭ କରିଛନ୍ତି ।

ପଡୁମ୍‌ ଓ ଗିରିପଡ ମୁଖ୍ୟତଃ ଢୋଲ୍‌, ଖୋଲ୍‌ ଟବ୍‌ଲା ତିଆରି କରନ୍ତି। ‘‘ ହତ୍ର ଆୟୋଜନ ହେଉଥିବାରୁ ଆମକୁ ବର୍ଷସାରା କାମ ମିଳିଥାଏ,’’ ପଡୁମ୍‌ କୁହନ୍ତି । ‘‘ଆମେ ପେଟ ପୋଷିବା ଲାଗି ଯଥେଷ୍ଟ ରୋଜଗାର କରିପାରିବୁ।’’

Left: Podum Badyokar sits in his family’s shop in Majuli, Assam.
PHOTO • Prakash Bhuyan
Right: Negeras and small dhols that have come in for repairs line the shelves
PHOTO • Prakash Bhuyan

ବାମ : ପଡୁମ୍‌ ବାଡ୍ୟୋକର ଆସାମର ମାଜୁଲିରେ ଥିବା ତାଙ୍କ ପରିବାରର ଦୋକାନରେ ରହିଛନ୍ତି। ଡାହାଣ : ମରାମତି ପାଇଁ ଆସିଥିବା ନେଗେଡ଼ା ଓ ଛୋଟ ଢୋଲ ଗୁଡ଼ିକ ଥାକରେ ଧାଡ଼ି ହୋଇ ଥୁଆ ହୋଇଛି

ଫାଗୁନ (ଫେବୃଆରୀ-ମାର୍ଚ୍ଚ) ଠାରୁ ଆରମ୍ଭ ହେଉଥିବା ପାର୍ବଣ ଋତୁ ଏବଂ ମିସିଂ (ବା ମିଶିଂ) ସମ୍ପ୍ରଦାୟର ଅଲି ଆଏ ଲିଗାଙ୍ଗ ବସନ୍ତ ପର୍ବ ସମୟରେ ରୋଜଗାର ବୃଦ୍ଧି ପାଏ । ପର୍ବ ଆୟୋଜନ ସମୟରେ ହେଉଥିବା ଗୁମରାଗ ନୃତ୍ୟରେ ଢୋଲ୍‌ ଏକ ଅଭିନ୍ନ ଅଙ୍ଗ ହୋଇଥାଏ ଏବଂ ସୋଟ୍‌ (ମାର୍ଚ୍ଚ-ଏପ୍ରିଲ) ମାସରେ ନୂଆ ଢୋଲ କିଣିବା ଏବଂ ପୁରୁଣା ଢୋଲ ମରାମତି କରିବାର ଚାହିଦା ବଢ଼ିଯାଏ। ରାଜ୍ୟର ଏକ ପ୍ରମୁଖ ପର୍ବ ବୋହାଗ୍‌ ବିହୁ ପାଳନ ସମୟରେ ମଧ୍ୟ ଢୋଲ ଚାହିଦା ବୃଦ୍ଧି ପାଇଥାଏ।

ଭାଦ୍ରୋ ମାସ ସମୟରେ ନେଗେଡ଼ା ଖୋଲ୍‌ ର ଚାହିଦା ବଢ଼ିଯାଏ। ରାସ୍‌ ଠାରୁ ଆରମ୍ଭ କରି ବିହୁ ପର୍ଯ୍ୟନ୍ତ ସବୁ ଅହମୀୟା ସାଂସ୍କୃତିକ କାର୍ଯ୍ୟକ୍ରମରେ ବାଜାର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥାଏ। ଆସାମରେ ପ୍ରାୟ ୬ଟି ବାଜା ବିଶେଷ ଭାବେ ଲୋକପ୍ରିୟ, ସେଥିମଧ୍ୟରୁ ଅଧିକାଂଶ ଏଠାରେ ମାଜୁଲିରେ ତିଆରି ଓ ବ୍ୟବହାର କରାଯାଏ। ପଢ଼ନ୍ତୁ : ମାଜୁଲିର ରାସ୍‌ ମହୋତ୍ସବ ଏବଂ ହତ୍ର ସମୂହ

ଏପ୍ରିଲ ମାସର ଗରମ ଦିନରେ ନିଜ ଦୋକାନ ବାହାରେ ବସି ପଡୁମ୍‌ ଏକ ଗୋରୁ ଚମଡ଼ାରୁ ଲୋମ ବାହାର କରୁଛନ୍ତି ଯାହାକି ଶେଷରେ ଗୋଟିଏ ଟବଲା (ତବଲା)ର ଟାଲି ବା ଉପରିସ୍ତ ଭାଗ ରୂପେ ବ୍ୟବହୃତ ହେବ । ବ୍ରହ୍ମପୁତ୍ରର ମାଜୁଲି ଦ୍ୱୀପରେ ଥିବା ସମସ୍ତ ପାଞ୍ଚଟି ବାଦ୍ୟଯନ୍ତ୍ର ଦୋକାନକୁ ବାଡ୍ୟୋକର ପରିବାରମାନେ ଚଲାଇଥା’ନ୍ତି। ଏମାନେ ପ୍ରବାସୀ ବଙ୍ଗାଳୀ ସମ୍ପ୍ରଦାୟ।

‘‘ମୋ ବାପା କୁହନ୍ତି, ସେ ଏମିତି ଦେଖି ଦେଖି ଶିଖିଛନ୍ତି, ମୁଁ ମଧ୍ୟ ତାହା କରିବା ଉଚିତ୍‌,’’ ଏହି ୨୩ ବର୍ଷ ବୟସ୍କ ଯୁବକ କୁହନ୍ତି । ‘‘ ହାଟୋ ଢୋରି ଶିକାଇନି ଦିୟେ (ସେ ହାତ ଧରି ଶିଖାଇ ଦିଅନ୍ତି ନାହିଁ)। ଏପରିକି ସେ ମୋର ତ୍ରୁଟି ସଂଶୋଧନ କରନ୍ତି ନାହିଁ । ଦେଖି ଦେଖି ମୁଁ ସେଗୁଡ଼ିକୁ ସଜାଡ଼ିଥାଏ।’’

ପଡୁମ୍‌ ଯେଉଁ ଚମଡ଼ା ସଫା କରିବାରେ ବ୍ୟସ୍ତ ଅଛନ୍ତି ତାହା ଏକ ବଳଦର ସମ୍ପୂର୍ଣ୍ଣ ଚମଡ଼ା ଯାହାକୁ ସେମାନେ ପ୍ରାୟ ୨,୦୦୦ ଟଙ୍କା ଦେଇ କିଣି ଆଣିଛନ୍ତି । ପ୍ରଥମ ପଦକ୍ଷେପ ହେଉଛି ଫୁଟ୍‌ସାଇ (ନିଆଁ ପାଉଁଶ) କିମ୍ବା ଶୁଖିଲା ବାଲି ଉପଯୋଗ କରି ଚମଡ଼ା ଉପରେ ଥିବା ଲୋମକୁ ବାହାର କରିବା। ଏହାପରେ ବୋଟାଲୀ (ବଟାଳି) ବ୍ୟବହାର କରି ଏହାକୁ ଚାଞ୍ଛି ଦିଆଯାଇଥାଏ।

Podum scrapes off the matted hair from an animal hide using some ash and a flat-edged chisel
PHOTO • Prakash Bhuyan

ପଡୁମ୍‌ ଏକ ଚଉଡ଼ା ମୁହଁ ଥିବା ବଟାଳି ଏବଂ କିଛି ପାଉଁଶ ବ୍ୟବହାର କରି ପ୍ରାଣୀଙ୍କ ଚମଡ଼ାରୁ ଲୋମକୁ ଚାଞ୍ଛି ବାହାର କରିଦିଅନ୍ତି

ସଫା ହୋଇଥିବା ଚମଡ଼ାକୁ ଏକ୍ଟେରା ନାମକ ଦାଓ ବ୍ଲେଡ୍‌ ଉପଯୋଗ କରାଯାଇ ଗୋଲାକାର ଖଣ୍ଡରେ କାଟି ଦିଆଯାଏ। ଏସବୁ ଟାଲି (ଚମଡ଼ାର କୋଷାବରଣ)ରେ ପରିଣତ ହୋଇଯିବ । ପଡୁମ୍‌ କୁହନ୍ତି, ‘‘ ଟାଲି କୁ ବାଦ୍ୟଯନ୍ତ୍ରର ମଝି ଭାଗ ସହିତ ବନ୍ଧା ହେଉଥିବା ରଶି ମଧ୍ୟ ଚମଡ଼ାରେ ତିଆରି ହୁଏ। ଏହା ଗୋଟିଏ ଛୋଟ ପ୍ରାଣୀଙ୍କ ଠାରୁ ଆସିଥାଏ ଯାହାକି ନରମ ଓ ଚିକ୍କଣ ହୋଇଥାଏ।’’

ସ୍ୟାହି (ଟାଲି ମଝିରେ ଥିବା ଗୋଲାକାର କଳା ଭାଗ)କୁ ଉଷୁନା ଚାଉଳ ପିଠଉରେ ମିଶ୍ରିତ ଲୁହା ଗୁଣ୍ଡ ବା ଘୁନ୍‌ ରେ ତିଆରି କରାଯାଏ। ‘‘ଏହା ( ଘୁନ୍‌ ) ଏକ ମେସିନରେ ତିଆରି କରାଯାଏ,’’ ହାତରେ ଅଳ୍ପ କିଛି ମେଞ୍ଚା ଧରି ସେ କୁହନ୍ତି । ‘‘ସ୍ଥାନୀୟ କମାରଙ୍କ ଠାରୁ ମିଳୁଥିବା ଜିନିଷ ଠାରୁ ଏହା ଉନ୍ନତ ଯାହାକି ଖଦଡ଼, ପରସ୍ତଯୁକ୍ତ ହୋଇଥାଏ ଏବଂ ଆପଣଙ୍କ ହାତକୁ ଆଘାତ ପହଞ୍ଚାଇ ପାରେ।

ଏହି ଯୁବ କାରୀଗର ଜଣଙ୍କ ଗାଢ଼ ଧୂସର ରଙ୍ଗର କିଛି ଘୁନ୍‌ ଏହି ରିପୋର୍ଟରଙ୍କ ହାତ ପାପୁଲିରେ ରଖିଦିଅନ୍ତି। ଅଳ୍ପ ମାତ୍ରାରେ ହୋଇଥିଲେ ସୁଦ୍ଧା ସେହି ପାଉଡର୍‌ ଆଶ୍ଚର୍ଯ୍ୟଜନକ ଭାବେ ଓଜନିଆ ହୋଇଥାଏ।

ଟାଲି ଉପରେ ଅତ୍ୟନ୍ତ ସତର୍କତାର ସହିତ ଘୁନ୍‌ ର ପ୍ରଲେପ ଦେବାକୁ ହୁଏ। ପ୍ରଥମେ କାରୀଗର ଟାଲି କୁ ୩-୪ ଥର ସଫା କରନ୍ତି ଏହାପରେ ତା’ ଉପରେ ଉଷୁନା ଚାଉଳ ଗୁଣ୍ଡର ପ୍ରଲେପ ଦେଇ ଖରାରେ ଶୁଖାଇ ଦିଅନ୍ତି । ଚାଉଳରେ ଥିବା ମଣ୍ଡ ଅଂଶ ଟାଲି କୁ ଅଠାଳିଆ କରିଦିଏ। ଟାଲି ସମ୍ପୂର୍ଣ୍ଣ ଭାବେ ଶୁଖିବା ପୂର୍ବରୁ, ସ୍ୟାହି ର ଗୋଟିଏ ପରସ୍ତ ଲଗାଯାଏ ଏବଂ ଗୋଟିଏ ପଥରରେ ପୃଷ୍ଠଭାଗକୁ ପଲିସ୍‌ କରାଯାଏ। ପ୍ରତ୍ୟେକ ପରସ୍ତ ମଧ୍ୟରେ ୨୦-୩୦ ମିନିଟ୍‌ ବ୍ୟବଧାନ ରଖି ଏହା କରାଯାଏ। ଏହାପରେ ଏହାକୁ ଗୋଟିଏ ଘଣ୍ଟା ପର୍ଯ୍ୟନ୍ତ ଛାଇରେ ଶୁଖାଇ ଦିଆଯାଏ।

‘‘ସମ୍ପୂର୍ଣ୍ଣ ଭାବେ ନଶୁଖିବା ପର୍ଯ୍ୟନ୍ତ ଆମକୁ ଏହା ଘଷିବାକୁ ପଡ଼ିଥାଏ। ପାରମ୍ପରିକ ଭାବେ ୧୧ ଥର ଏପରି କରିବାକୁ ହୁଏ। ମେଘୁଆ ପାଗ ଥିଲେ, ପୂରା ପ୍ରକ୍ରିୟାରେ ସମ୍ପୂର୍ଣ୍ଣ ଗୋଟିଏ ସପ୍ତାହ ଲାଗିପାରେ।

Left: The curved dao blade, two different botalis (flat-edged chisels) and a screwdriver used like an awl are some of the tools used by the craftsmen.
PHOTO • Prakash Bhuyan
Right: The powdered iron or ghun used to paint the circular section of the taali is heavier than it looks
PHOTO • Prakash Bhuyan

ବାମ : କାରୀଗରମାନେ ନିର୍ମାଣ କାମରେ ଗୋଲାକାର ଦାଓ ବ୍ଲେଡ୍‌, ଦୁଇ ପ୍ରକାରର ବୋଟାଲୀ (ବଟାଳି) ଏବଂ ଫୋଡ଼ଣି ରୂପେ ବ୍ୟବହାର କରାଯାଉଥିବା ସ୍କ୍ରୁଡ୍ରାଇଭର୍‌ ଆଦି ଉପକରଣ ଉପଯୋଗ କରିଥା’ନ୍ତି । ଡାହାଣ : ଟାଲିର ମଝି ଗୋଲାକାର ଭାଗ ତିଆରି କରିବା ଲାଗି ବ୍ୟବହୃତ ହେଉଥିବା ଲୁହା ଗୁଣ୍ଡ ବା ଘୁନ୍‌ ଅପେକ୍ଷାକୃତ ଅଧିକ ଓଜନିଆ ହୋଇଥାଏ

Giripod and Podum cut small sheets from the hide to fit the instruments being worked on. A toolbox holds the many items necessary for preparing the leather: different types of chisels, blades, a hammer, mallet, stones and sandpaper
PHOTO • Prakash Bhuyan
Giripod and Podum cut small sheets from the hide to fit the instruments being worked on. A toolbox holds the many items necessary for preparing the leather: different types of chisels, blades, a hammer, mallet, stones and sandpaper
PHOTO • Prakash Bhuyan

ବାଜା ତିଆରି କରିବା ଲାଗି ଗିରିପଡ ଏବଂ ପଡୁମ୍‌ ଚମଡ଼ାରୁ ଛୋଟ ଛୋଟ ଖଣ୍ଡ କାଟୁଛନ୍ତି । ଚମଡ଼ାକୁ ପ୍ରସ୍ତୁତ କରିବା ଲାଗି ଏହି ଉପକରଣ ବାକ୍ସରେ ବିଭିନ୍ନ ସାମଗ୍ରୀ ରହିଛି : ଭିନ୍ନ ଭିନ୍ନ ପ୍ରକାର ବଟାଳି, ବ୍ଲେଡ୍‌, ଗୋଟିଏ ହାତୁଡ଼ି, ପଥର ଏବଂ ବାଲି କାଗଜ

*****

ଗିରିପଡ ଚାରି ଭାଇଙ୍କ ମଧ୍ୟରେ ସବୁଠୁ ସାନ ଥିଲେ ଏବଂ ୧୨ ବର୍ଷ ବୟସରେ ସେ ପରିବାର ବେଉସାରେ ସହଯୋଗ କରିବା ଆରମ୍ଭ କରି ଦେଇଥିଲେ। ସେତେବେଳେ ସେ କୋଲକାତାରେ ରହୁଥିଲେ। ଅଳ୍ପ କିଛିଦିନ ବ୍ୟବଧାନରେ ପିତାମାତା ମୃତ୍ୟୁବରଣ କରିବା ପରେ ସେ ନିସଙ୍ଗ ଅନୁଭବ କଲେ ।

‘‘ଏହି କଳା ଶିଖିବା ଲାଗି ମୋର ଆଗ୍ରହ ନଥିଲା,’’ ସେ କୁହନ୍ତି । କିଛି ବର୍ଷ ପରେ ଯେତେବେଳେ ତାଙ୍କ ମନରେ ଆଗ୍ରହ ସୃଷ୍ଟି ହେଲା ସେ ଆସାମକୁ ଫେରିଆସିବା ପାଇଁ ନିଷ୍ପତ୍ତି ନେଲେ । ପ୍ରଥମେ, ସେ ଢୋଲ ତିଆରି ଦୋକାନରେ କାମ କଲେ। କିଛି ବର୍ଷ ପରେ ସେ ଏକ ସ’ ମିଲ୍‌ରେ କାମ କଲେ ଏବଂ ତା’ପରେ କାଠ କଟା ବ୍ୟବସାୟ କଲେ। ସେହି ଦିନ କଥା ସ୍ମରଣ କରି ସେ କୁହନ୍ତି, ‘‘ବର୍ଷା ଦିନେ କାଦୁଅ ରାସ୍ତାରେ ପାହାଡ଼ ତଳକୁ ଗଡ଼ୁଥିବା କାଠ ଗଣ୍ଡି ଭର୍ତ୍ତି ଟ୍ରକରେ ଯାତ୍ରା କରିବା ବିପଦପୂର୍ଣ୍ଣ ଥିଲା। ମୁଁ ନିଜ ଆଖି ସାମ୍ନାରେ ଅନେକ ଲୋକଙ୍କ ମୃତ୍ୟୁ ଦେଖିଲି।’’

ତା’ପରେ ସେ ଏହି କାରିଗରୀକୁ ଫେରିଲେ ଏବଂ ୧୦-୧୨ ବର୍ଷ ପର୍ଯ୍ୟନ୍ତ ଜୋରହାଟ୍‌ ରେ ରହି କାମ କଲେ। ତାଙ୍କର ସବୁ ପିଲା - ତିନି ଜଣ ଝିଅ ଓ ଗୋଟିଏ ପୁଅ ସେଠି ଜନ୍ମ ନେଇଥିଲେ। ଥରେ ଆସାମର କିଛି ଯୁବକ ତାଙ୍କ ଠାରୁ ଗୋଟିଏ ଢୋଲ କିଣି ନେଇଥିଲେ। ସେମାନେ ଏହାକୁ ଫେରାଇବାକୁ ନେଇ ଗଣ୍ଡଗୋଳ ହେଲା। ସେହି ପିଲାମାନେ ଗୁଣ୍ଡା ଶ୍ରେଣୀର ହୋଇଥିବାରୁ ଅଧିକ ସମସ୍ୟା ସୃଷ୍ଟି କରିପାରନ୍ତି ବୋଲି କହି ପୁଲିସ ଗିରିପଡଙ୍କୁ ଅନ୍ୟତ୍ର ଦୋକାନ କରିବାକୁ ପରାମର୍ଶ ଦେଲା।

‘‘ମୁଁ ମଧ୍ୟ ଭାବିଲି ଯେ ଆମେ ବଙ୍ଗାଳୀ, ଯଦି ସେମାନେ ଏକାଠି ହୋଇଯିବେ ତା’ହେଲେ ସାମ୍ପ୍ରଦାୟିକ ଗଣ୍ଡଗୋଳ ହେବ, ମୋ ଜୀବନ ଓ ପରିବାର ପ୍ରତି ବିପଦ ଦେଖାଦେବ,’’ ସେ କୁହନ୍ତି । ‘‘ତେଣୁ ମୁଁ ଜୋରହାଟ୍‌ ଛାଡ଼ି ମାଜୁଲି ଚାଲି ଆସିଲି।’’ ମାଜୁଲିରେ ଅନେକ ଗୁଡ଼ିଏ ହତ୍ର (ବୈଷ୍ଣବ ମଠ) ପ୍ରତିଷ୍ଠା ହୋଇଥିବାରୁ ତାଙ୍କୁ ହତ୍ରିୟ ପରମ୍ପରାରେ ବ୍ୟାପକ ଭାବେ ବ୍ୟବହାର ହେଉଥିବା ଖୋଲ୍‌ ତିଆରି ଓ ମରାମତି କାମ ସ୍ଥିର ଭାବେ ମିଳିଲା।

‘‘ଏହି ସ୍ଥାନ ଏକ ଜଙ୍ଗଲ ଥିଲା ଏବଂ ଆଖପାଖରେ ବେଶୀ ଦୋକାନ ନଥିଲା।’’ ସେ ନିଜର ପ୍ରଥମ ଦୋକାନ ବାଲିସାପୋରୀ (ବା ବାଲି ସାପୋରୀ) ଗ୍ରାମରେ ଖୋଲିଲେ ଏବଂ ଚାରି ବର୍ଷ ପରେ ସେ ଗରମୁରକୁ ଚାଲି ଆସିଲେ। ୨୦୨୧ରେ ତାଙ୍କ ପରିବାର ପ୍ରଥମ ଦୋକାନ ଠାରୁ ପ୍ରାୟ ୩୦ କିଲୋମିଟର ଦୂରରେ ସେମାନଙ୍କର ଦ୍ୱିତୀୟ ଦୋକାନ ଖୋଲିଲା ଯାହାକି ପୂର୍ବ ତୁଳନାରେ ସାମାନ୍ୟ ବଡ଼ ଥିଲା।

Left: Surrounded by other musical instruments, a doba (tied with green thread) sits on the floor awaiting repairs.
PHOTO • Prakash Bhuyan
Right: Bengali khols (in blue) are made from clay and have a higher pitch than the wooden Assamese khols (taller, in the back)
PHOTO • Prakash Bhuyan

ବାମ : ଅନ୍ୟ ସଙ୍ଗୀତ ବାଦ୍ୟଯନ୍ତ୍ର ସହିତ ଏକ ଡୋବା (ସବୁଜ ସୂତାରେ ବନ୍ଧା ହୋଇଛି) ଚଟାଣରେ ମରାମତି ଅପେକ୍ଷାରେ ରହିଛି। ଡାହାଣ : ବଙ୍ଗାଳୀ ଖୋଲ୍‌ (ନୀଳ ରଙ୍ଗରେ) ମାଟିରେ ତିଆରି ହୋଇଥାଏ ଏବଂ କାଠର ଅହମୀୟା ଖୋଲ୍‌ (ଲମ୍ବା ପଛ ଆଡ଼କୁ) ତୁଳନାରେ ଅଧିକ ଉଚ୍ଚ ଶବ୍ଦ ସୃଷ୍ଟି କରିଥାଏ

ଦୋକାନ କାନ୍ଥରେ ଖୋଲ୍‌ ଗୁଡ଼ିକ ଧାଡ଼ି ଧାଡ଼ି ହୋଇ ସଜାଇ ରଖାଯାଇଛି। ମାଟିରେ ତିଆରି ହୋଇଥିବା ବଙ୍ଗଳା ଖୋଲ୍‌ ପଶ୍ଚିମବଙ୍ଗରେ ତିଆରି କରାଯାଏ ଏବଂ ଏହାର ଦାମ୍‌ ଆକାର ଉପରେ ନିର୍ଭର କରି ୪,୦୦୦ ଟଙ୍କା କିମ୍ବା ତତୋଧିକ ହୋଇଥାଏ। ଏହାର ବିପରୀତ ଅହମିୟା ଖୋଲ୍‌ କାଠରେ ତିଆରି ହୋଇଥାଏ। ଢୋଲ୍‌ ର ଦାମ୍‌ ଏଥିରେ ବ୍ୟବହାର କରାଯାଇଥିବା କାଠକୁ ଆଧାର କରି ୫,୦୦୦ ଟଙ୍କା କିମ୍ବା ତା’ଠାରୁ ଅଧିକ ହୋଇଥାଏ। ଚମଡ଼ା ବଦଳାଇବା ଏବଂ ଏହାକୁ ପୁନର୍ବାର ଭିଡ଼ି ବାନ୍ଧିବା ପାଇଁ ଜଣେ ଗ୍ରାହକଙ୍କୁ ପ୍ରାୟ ୨,୫୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥାଏ।

ମାଜୁଲିରେ ନାମଘର (ପ୍ରାର୍ଥନା ଘର)ର ଗୋଟିଏ ଡୋବା (ଏକ ପ୍ରକାରର ବାଜା) ଚଟାଣ ଉପରେ ଥୁଆ ହୋଇଛି । ଏହା କିରାସିନିର ବ୍ୟବହୃତ ଡ୍ରମରେ ତିଆରି ହୋଇଥାଏ। ଆଉ କିଛି ଡୋବା ପିତ୍ତଳ କିମ୍ବା ଆଲୁମିନିୟମରେ ତିଆରି ହୋଇଥାଏ। ‘‘ଯଦି ସେମାନେ ଡ୍ରମ ମଗେଇବା ଏବଂ ତା’ପରେ ଡୋବା ତିଆରି କରିବା ଲାଗି କୁହନ୍ତି, ଆମେ ସେମିତି କରିଦେଉ। ଅନ୍ୟଥା, ଗ୍ରାହକ ମଧ୍ୟ ଡ୍ରମ୍‌ ନେଇ ଆସିପାରିବେ ଏବଂ ଆମେ ଚମଡ଼ା ଠିକ୍‌ କରିପାରିବୁ,’’ ପଡୁମ୍‌ କୁହନ୍ତି । ଏହା ମରାମତି ପାଇଁ ଆସିଛି।

ସେ ଆହୁରି କୁହନ୍ତି, ‘‘ବେଳେବେଳେ ଆମକୁ ଡୋବା ମରାମତି କରିବା ଲାଗି ହତ୍ର ଏବଂ ନାମଘର କୁ ଯିବାକୁ ପଡ଼ିଥାଏ। ‘‘ପ୍ରଥମ ଦିନ ଆମେ ଯାଇ ମାପି ଥାଉ। ପରଦିନ ଆମେ ଚମଡ଼ା ନେଇ ଯାଉ ଏବଂ ହତ୍ର ରେ ହିଁ ଏହାର ମରାମତି କରିଥାଉ। ଏଥିରେ ଆମକୁ ପ୍ରାୟ ଗୋଟିଏ ଘଣ୍ଟା ସମୟ ଲାଗିଥାଏ।’’

ଚମଡ଼ା କାମ କରୁଥିବା ଲୋକଙ୍କ ସହିତ ଭେଦଭାବ କରାଯିବାର ଏକ ଦୀର୍ଘ ଇତିହାସ ରହିଛି। ‘‘ ଢୋଲ ବଜାଉଥିବା ଲୋକମାନେ ଢୋଲ ବଜାଇବା ପାଇଁ ନିଜ ଆଙ୍ଗୁଠିରେ ଲାଳ ଲଗାଇଥା’ନ୍ତି। ନଳକୂଅର ୱାଶର୍‌ ମଧ୍ୟ ଚମଡ଼ାରେ ତିଆରି,’’ ଗିରିପଡ କୁହନ୍ତି । ‘‘ସେଥିପାଇଁ ଜାଟ୍‌-ପାଟ୍‌ (ଜାତି ବର୍ଣ୍ଣ)କୁ ନେଇ ଭେଦଭାବ କରିବାର କୌଣସି ଅର୍ଥ ନାହିଁ । ଚମଡ଼ାକୁ ନେଇ ଆପତ୍ତି କରିବା ମଧ୍ୟ ବେକାର୍‌ କଥା।’’

ପାଞ୍ଚ ବର୍ଷ ପୂର୍ବରୁ ସେମାନଙ୍କ ପରିବାର ନୟା ବଜାରରେ ଜମି ଖଣ୍ଡେ କିଣି ନିଜ ପାଇଁ ଘରଟିଏ ତୋଳିଥିଲେ। ସେମାନେ ମିସିଂ, ଅହମୀୟା, ଦେଓରୀ ଓ ବଙ୍ଗାଳୀ ଲୋକମାନଙ୍କୁ ନେଇ ଏକ ମିଶ୍ରିତ ସମାଜରେ ରୁହନ୍ତି । ସେମାନେ କେବେ ଭେଦଭାବର ଶିକାର ହୋଇଛନ୍ତି କି? ‘‘ଆମେ ମନିଡାସ (ମଣିଦାସ) ଅଟୁ। ମୃତ ଗୋରୁଙ୍କ ଚମଡ଼ା ବାହାର କରୁଥିବା ରବିଡାସ (ରବିଦାସ) ସମ୍ପ୍ରଦାୟ ଅଧିକ ଭେଦଭାବର ଶିକାର ହୋଇଥା’ନ୍ତି । ବଙ୍ଗରେ ଜାତିଗତ ଭେଦଭାବ ଅଧିକ। ଏଠି ସେମିତି ନାହିଁ,’’ ଗିରିପଡ ଉତ୍ତର ଦିଅନ୍ତି ।

*****

ସାଧାରଣତଃ ଜୋର୍‌ହାଟ୍‌ ର କାକୋଜନ୍‌ ରେ ଥିବା ମୁସଲିମ୍‌ ବ୍ୟବସାୟୀଙ୍କ ଠାରୁ ଗୋଟିଏ ବଳଦର ସମ୍ପୂର୍ଣ୍ଣ ଚମଡ଼ାକୁ ପ୍ରାୟ ୨,୦୦୦ ଟଙ୍କାରେ ବାଡ୍ୟୋକରମାନେ କିଣିଥା’ନ୍ତି । ଏଠାରେ ମିଳୁଥିବା ଚମଡ଼ାର ଦାମ୍‌ ଅଧିକ କିନ୍ତୁ ଏହା ନିକଟସ୍ଥ ଲକ୍ଷୀମପୁର ଜିଲ୍ଲାରେ ମିଳୁଥିବା ଚମଡ଼ା ତୁଳନାରେ ଉନ୍ନତ ମାନର। ‘‘ସେମାନେ ଲୁଣରେ ଚମଡ଼ାର ଉପଚାର କରନ୍ତି ଯାହାକି ଚମଡ଼ାର ସ୍ଥାୟିତ୍ୱ କମାଇ ଦେଇଥାଏ,’’ ପଡୁମ୍‌ କୁହନ୍ତି।

Procuring skins for leather has become difficult these days, craftsmen say. Rolls of leather and a set of khols awaiting repairs are stored in one corner of the shop
PHOTO • Prakash Bhuyan
Procuring skins for leather has become difficult these days, craftsmen say. Rolls of leather and a set of khols awaiting repairs are stored in one corner of the shop
PHOTO • Prakash Bhuyan

କାରୀଗରମାନେ କୁହନ୍ତି, ବର୍ତ୍ତମାନ ଚମଡ଼ା କିଣିବା କଷ୍ଟକର ହେଲାଣି। ଦୋକାନର ଗୋଟିଏ କୋଣରେ ଗୁଡ଼ା ହୋଇଥିବା ଚମଡ଼ା ଏବଂ ମରାମତି ଅପେକ୍ଷାରେ ଥିବା ଖୋଲ୍‌ ର ଗୋଟିଏ ସେଟ୍‌ ପଡ଼ି ରହିଛି

ଆଇନରେ ପରିବର୍ତ୍ତନ କାରଣରୁ ବର୍ତ୍ତମାନ ଚମଡ଼ା କିଣିବା କଷ୍ଟକର ହୋଇପଡ଼ିଛି। ଆସାମ ଗୋ ସଂରକ୍ଷଣ ଆଇନ, ୨୦୨୧ ସବୁପ୍ରକାର ଗୋହତ୍ୟା ଉପରେ ନିଷିଦ୍ଧାଦେଶ ଜାରି କରିଥାଏ। ତେବେ ୧୪ ବର୍ଷରୁ ଅଧିକ ବୟସ ଟପିସାରିଥିବା ଏବଂ ସ୍ଥାୟୀ ରୂପରେ ଅକ୍ଷମ ପ୍ରାଣୀଙ୍କ ହତ୍ୟା ପାଇଁ ଏହି ଆଇନରେ ଅନୁମତି ରହିଛି, କିନ୍ତୁ ଏଥିପାଇଁ ଜଣେ ପ୍ରାଣୀ ଚିକିତ୍ସକଙ୍କ ପ୍ରମାଣପତ୍ର ଆବଶ୍ୟକ। ଏହାଦ୍ୱାରା ଚମଡ଼ାର ଖର୍ଚ୍ଚ ବୃଦ୍ଧି ପାଇଛି, ନୂଆ ଉପକରଣ ଓ ମରାମତି କାମ ପାଇଁ ଧାର୍ଯ୍ୟ ମୂଲ୍ୟ ବୃଦ୍ଧି ପାଇଛି। ‘‘ଦରବୃଦ୍ଧିକୁ ନେଇ ଲୋକମାନେ ଆପତ୍ତି କରୁଛନ୍ତି କିନ୍ତୁ କିଛି କରିହେବ ନାହିଁ,’’ ପଡୁମ୍‌ କୁହନ୍ତି।

ଥରେ ଗିରିପଡ ଗୋଟିଏ କାମରୁ ଘରକୁ ଫେରିଥିଲେ । ତାଙ୍କ ପାଖରେ ଚମଡ଼ା କାମ ସରଞ୍ଜାମ ଏବଂ ଦାଓ ବ୍ଲେଡ୍‌ ଥିଲା। ଏହି ସମୟରେ ଗୋଟିଏ ଚେକ୍‌ପୋଷ୍ଟରେ ପୁଲିସ ତାଙ୍କୁ ଅଟକାଇ ନାନା ପ୍ରଶ୍ନ ପଚାରିଥିଲା। ‘‘ମୋ ବାପା ସେମାନଙ୍କୁ ମଧ୍ୟ କହିଥିଲେ ଯେ, ସେ ଏହିସବୁ କାମ କରିଥା’ନ୍ତି ଏବଂ ଏଠାକୁ ଗୋଟିଏ ବାଦ୍ୟଯନ୍ତ୍ର ଦେବାକୁ ଆସିଥିଲେ’’ କିନ୍ତୁ ପୁଲିସ ତାଙ୍କୁ ଛାଡ଼ିବାକୁ ମନା କରି ଦେଇଥିଲା।

‘‘ଆପଣ ଜାଣନ୍ତି ଯେ, ପୁଲିସ ଆମକୁ ବିଶ୍ୱାସ କରିନଥିବ। ସେମାନେ ଭାବିଥିଲେ ଯେ, ଇଏ ବୋଧହୁଏ ଗୋହତ୍ୟା କରିବାକୁ ଯାଉଛି,’’ ପଡୁମ୍‌ କୁହନ୍ତି । ଶେଷରେ ସୁରକ୍ଷିତ ଭାବେ ଘରକୁ ଫେରିବା ଲାଗି ଗିରିପଡ ବାଧ୍ୟ ହୋଇ ପୁଲିସକୁ ୫,୦୦୦ ଟଙ୍କା ଦେଇଥିଲେ।

ଘୁନ୍‌ ବୋହି ନେବାରେ ମଧ୍ୟ ବିପଦ ରହିଛି କାରଣ ଏହାକୁ ବୋମା ପ୍ରସ୍ତୁତିରେ ବ୍ୟବହାର କରାଯାଏ। ଗୋଲାଘାଟ ଜିଲ୍ଲାରେ ଥିବା ଏକ ଲାଇସେନ୍ସ ପ୍ରାପ୍ତ ବଡ଼ ଦୋକାନରୁ ଗିରିପଡ ଥରକେ ଗୋଟିଏ କିମ୍ବା ଦୁଇ କିଲୋଗ୍ରାମ୍‌ ଓଜନର ଘୁନ୍‌ କିଣନ୍ତି । ସବୁଠୁ ପାଖ ରାସ୍ତା ଦେଇ ଦୋକାନକୁ ଥରେ ଯିବା ଆସିବାରେ ପ୍ରାୟ ୧୦ ଘଣ୍ଟା ସମୟ ଲାଗିଥାଏ ଏବଂ ନୌକାରେ ବ୍ରହ୍ମପୁତ୍ର ନଦୀ ପାର୍‌ କରିବାକୁ ହୁଏ।

‘‘ଯଦି ପୁଲିସ୍‌ ଏହାକୁ ଦେଖିଦିଏ କିମ୍ବା ଏହାକୁ ନେଇ ଯାଉଥିବା ବେଳେ ଆମକୁ ଧରିନିଏ ତା’ହେଲେ ଜେଲ୍‌ ଯିବାର ଭୟ ରହିଛି,’’ ଗିରିପଡ କୁହନ୍ତି । ‘‘ ଟବଲା ଉପରେ ଆମେ ଏହାକୁ କିଭଳି ବ୍ୟବହାର କରିଥାଉ ଯଦି ତାହା ଦେଖାଇ ଆମେ ସେମାନଙ୍କୁ ସନ୍ତୁଷ୍ଟ କରି ଦେଇପାରିବୁ ତା’ହେଲେ ଭଲ କଥା। ନଚେତ୍‌, ଆମେ ଜେଲ୍‌ ଯିବୁ।’’

ମୃଣାଲିନୀ ମୁଖାର୍ଜୀ ଫାଉଣ୍ଡେସନ୍‌ ଠାରୁ ପ୍ରାପ୍ତ ଏକ ଫେଲୋସିପ୍‌ ସହାୟତାରେ ଏହି କାହାଣୀ ପ୍ରସ୍ତୁତ କରାଯାଇଛି

ଅନୁବାଦ: ଓଡ଼ିଶାଲାଇଭ୍‍

Prakash Bhuyan

Prakash Bhuyan is a poet and photographer from Assam, India. He is a 2022-23 MMF-PARI Fellow covering the art and craft traditions in Majuli, Assam.

यांचे इतर लिखाण Prakash Bhuyan
Editor : Swadesha Sharma

Swadesha Sharma is a researcher and Content Editor at the People's Archive of Rural India. She also works with volunteers to curate resources for the PARI Library.

यांचे इतर लिखाण Swadesha Sharma
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

यांचे इतर लिखाण OdishaLIVE