ତିନି ଆଙ୍ଗୁଠି, ଗୋଟିଏ ଓଦା ଆୟତାକାର କପଡ଼ା ଖଣ୍ଡ ଓ ଏକ ହାଲୁକା ସ୍ପର୍ଶ। ‘‘ମୋତେ ଅତି ସତର୍କ ହେବାକୁ ପଡ଼ିଥାଏ।’’
ବିଜୟା ଉପକୂଳ ଆନ୍ଧ୍ରପ୍ରଦେଶର ସ୍ଥାନୀୟ ମିଠା ପୁତେରୁକୁଲୁ ତିଆରି ସମ୍ପର୍କରେ ସୂଚନା ଦେଉଛନ୍ତି। ଚାଉଳ ପିଠଉରେ ପ୍ରସ୍ତୁତ ପତଳା କାଗଜ ଭଳି ଚାଦରକୁ ମୋଡ଼ି ସେଥିରେ ଗୁଡ଼, କାଜୁକିସମିସ୍ ଭଳି ଡ୍ରାଏଫ୍ରୁଟ୍ ଭରିବା ପରେ ଘିଅ ଦେଇ ଏହି ମିଠା ତିଆରି କରାଯାଏ। ପର୍ବପର୍ବାଣୀ ସମୟରେ ଏହାର ବିକ୍ରି ବୃଦ୍ଧି ପାଇଥାଏ। ବିଜୟା ଜଣେ କୁଶଳୀ ମିଠା କାରୀଗର ଏବଂ ସେ ଦୈନିକ ପ୍ରାୟ ୨୦୦ ରେକୁ ତିଆରି କରିଥା’ନ୍ତି। ସେଗୁଡ଼ିକୁ ସ୍ଥାନୀୟ ମିଠା ଦୋକାନୀମାନେ କିଣନ୍ତି। ‘‘ପୁତେରୁକୁଲୁ ତିଆରି ସମୟରେ ମୋତେ ସମ୍ପୂର୍ଣ୍ଣ ଭାବେ ସେଥିପ୍ରତି ଧ୍ୟାନ ଦେବାକୁ ହୋଇଥାଏ। ମୁଁ କାହା ସହିତ କଥା ହୋଇପାରିବି ନାହିଁ,’’ ସେ ପରୀକୁ କହିଛନ୍ତି।
‘‘ପୁତେରୁକୁଲୁ ବିନା ମୋ ଘରେ କୌଣସି ପର୍ବପର୍ବାଣୀ, ପୂଜାପାଠ କିମ୍ବା କୌଣସି ବିଶେଷ ସମାରୋହ ଅସମ୍ପୂର୍ଣ୍ଣ ଲାଗିଥାଏ,’’ ଜି. ରାମକୃଷ୍ଣ କୁହନ୍ତି। ସେ ସ୍ଥାନୀୟ କିଛି ଦୋକାନରେ ପ୍ୟାକିଂ ସାମଗ୍ରୀ ଓ ବକ୍ସ ଯୋଗାଇ ଦେବାରେ ସହାୟତା କରିଥାନ୍ତି। ସେ ଗର୍ବର ସହିତ କୁହନ୍ତି, ‘‘ମୁଁ ଏହାକୁ ଖୁବ୍ ପସନ୍ଦ କରିଥାଏ କାରଣ ଏହା ଆଚମ୍ବିତ କରିଦେଇଥାଏ। ପ୍ରଥମ କଥା ହେଉଛି ଏହା କାଗଜ ଭଳି ଦେଖାଯାଏ, ଏବଂ ଆପଣ ଭାବିବେ ଯେ ଆପଣ କାଗଜ ଖାଉଛନ୍ତି। କିନ୍ତୁ ଆପଣ ଏହାକୁ ଖାଇବା କ୍ଷଣି, ଏହା ମୁହଁରେ ମିଳେଇଯାଏ। ଦୁନିଆରେ ଆଉ କେଉଁଠି ଏମିତି ମିଠା ଥିବ ବୋଲି ମୋତେ ଲାଗୁ ନାହିଁ।’’
ଆନ୍ଧ୍ରପ୍ରଦେଶର ଡକ୍ଟର ବି.ଆର ଆମ୍ବେଦକର କୋନସୀମା ଜିଲ୍ଲାରେ ଉତ୍ପାଦିତ ହେଉଥିବା ଚାଉଳରୁ ଏହି ପତଳା ମିଠା ତିଆରି ହୁଏ। ରାମଚନ୍ଦ୍ରପୁରମ୍ ମଣ୍ଡଳ ଅଧୀନ ଆତ୍ରେୟପୁରମ୍ ଗ୍ରାମ ନିବାସୀ ମିଠେଇ କାରୀଗର କାୟଲା ବିଜୟା କୋଟା ସତ୍ୟବତୀ କୁହନ୍ତି, ‘‘ଏ ଚାଉଳ ଅଠାଳିଆ ହୋଇଥାଏ। ସେଥିପାଇଁ ଏହାକୁ ରେକୁ (ମିଠା ଚାଦର) ତିଆରି ଛଡ଼ା ଅନ୍ୟ କୌଣସି କାମରେ କେହି ଉପଯୋଗ କରନ୍ତି ନାହିଁ। ଆତ୍ରେୟପୁରମର ପୁତରେକୁ ୨୦୨୩ରେ ଭୌଗୋଳିକ ସଂକେତକ (ଜିଆଇ) ଟ୍ୟାଗ ମିଳିଥିଲା। ଏହି ଜିଆଇ ଟ୍ୟାଗ୍ ୧୪ ଜୁନ୍ ୨୦୨୩ରେ ବିଶାଖାପାଟଣାରେ ସାର ଆର୍ଥର୍ କଟନ୍ ଆତ୍ରେୟପୁରମ୍ ପୁତରେକୁଲା ମାନ୍ୟୁଫେକ୍ଚରର୍ସ ୱେଲଫେୟାର ଆସୋସିଏସନକୁ ଦିଆଯାଇଥିଲା।
ରାଜ୍ୟର ତୃତୀୟ ଖାଦ୍ୟ ପଦାର୍ଥ ରୂପରେ ପୁତରେକୁ ଜିଆଇ ଟ୍ୟାଗ୍ ମିଳିଛି। ପୂର୍ବରୁ ତିରୁପତି ଲଡ଼ୁ ଏବଂ ବାନ୍ଦର ଲଡୁକୁ ଏହି ମାନ୍ୟତା ପ୍ରଦାନ କରାଯାଇଥିଲା। ଆନ୍ଧ୍ରପ୍ରଦେଶରେ ହସ୍ତଶିଳ୍ପ, ଖାଦ୍ୟ ପଦାର୍ଥ, କୃଷି ଏବଂ ଅନ୍ୟାନ୍ୟ ଶ୍ରେଣୀରେ ଜିଆଇ ଟ୍ୟାଗ୍ ପାଇଥିବା ୨୧ଟି ଉତ୍ପାଦ ରହିଛି । ଗତ ବର୍ଷ ପୁତରେକୁ ସମେତ ଗୋଆର ବେବିଙ୍କା ମିଠା, ମୁରୈନାର ଗଜକ ଏବଂ ମୁଜାଫରପୁରର ଗୁଡ଼କୁ ମଧ୍ୟ ଜିଆଇ ଟ୍ୟାଗ୍ ଦିଆଯାଇଥିଲା ।




















