“ଆମ ପାଇଁ ଦିଲ୍ଲୀର ସବୁ ଫାଟକ ବନ୍ଦ କରିଦେଇଥିଲେ ସେମାନେ,” ବୁଟ୍ଟାର ସରିଂହ ଗାଁ ମୁଣ୍ଡରେ ବିଟ୍ଟୁ ମଲାନ କହନ୍ତି । “ଏବେ ସେମାନଙ୍କ ପାଇଁ ପଞ୍ଜାବର ସବୁ ଗାଁର ଫାଟକ ବନ୍ଦ ହୋଇଯାଇଛି ।”

ଶ୍ରୀ ମୁକ୍ତସର ସାହିବ ଜିଲ୍ଲାର ମଲାନ ଗାଁ ନିବାସୀ ବିଟ୍ଟୁ ମଲାନ, ପାଞ୍ଚ ଏକର ଜମିର ମାଲିକାନା ଥିବା ଜଣେ କୃଷକ । ତାଙ୍କ କଥାରେ ସେ ଯେଉଁ  ‘ସେମାନେ’ ଏବଂ ‘ସେମାନଙ୍କ’ ଶବ୍ଦ ବ୍ୟବହାର କରନ୍ତି, ତାହା ବିଜେପିକୁ ସୂଚାଏ, କେନ୍ଦ୍ରରେ ଶାସନ କ୍ଷମତାରେ ଥିବା ଏବଂ ଲୋକସଭା ନିର୍ବାଚନରେ ପଞ୍ଜାବରେ ନିହାତି ଏକୁଟିଆ ହୋଇ ପଡ଼ିଥିବା ଦଳ । ଯେଉଁ ‘ଆମମାନଙ୍କ’ ପାଇଁ ଦିଲ୍ଲୀରେ ପ୍ରବେଶ ମନା କରାଯାଇଥିଲା, ସେମାନେ ହେଲେ ୨୦୨୦ ନଭେମ୍ବରରେ ଦେଶର ରାଜଧାନୀ ରାସ୍ତାରେ ପଦଯାତ୍ରାରେ ଆଗେଇ ଯାଉଥିବା ହଜାର ହଜାର ସଂଖ୍ୟକ କୃଷକ ।

ପଞ୍ଜାବର ମାନସପଟଳରେ ଏବେ ବି କିଷାନ ଆନ୍ଦୋଳନ ଏବଂ ଜାତୀୟ ରାଜଧାନୀର ପ୍ରବେଶ ପଥରେ ତମ୍ବୁ ପକାଇ ଅସ୍ଥାୟୀ ସହର ଗଠନର ସ୍ମୃତି ଅମଳିନ ରହିଛି । ତିନିଟି ଗ୍ରୀଷ୍ମ ପୂର୍ବରୁ, ଏହି ରାଜ୍ୟର ଲକ୍ଷ ଲକ୍ଷ କୃଷକ ପ୍ରତିବାଦ ଏବଂ ଆଶାର ସମ୍ମିଳିତ ଭାବ ସହିତ ଏକ ଲମ୍ବା ଅଭିଯାନରେ ବାହାରିଥିଲେ । ଧାଡ଼ିକି ଧାଡ଼ି ଟ୍ରାକ୍‌ଟର ଓ ଟ୍ରେଲରରେ ବସି ସେମାନେ ଶହ ଶହ ମାଇଲ ଅତିକ୍ରମ କରି ରାଜଧାନୀରେ ଏକତ୍ର ହୋଇଥିଲେ କେବଳ ଗୋଟିଏ ଦାବି ପୂରଣ ପାଇଁ: ସେମାନଙ୍କ ଜୀବିକା ବିପନ୍ନ କରିବାର ଆଶଙ୍କା ରହିଥିବା ତିନିଟି କୃଷି ଆଇନର ପ୍ରତ୍ୟାହାର ।

ଦିଲ୍ଲୀର ପ୍ରବେଶ ପଥରେ ପହଞ୍ଚି ସେମାନେ ଏମିତି ଏକ ବିରାଟ ପ୍ରାଚୀରର ସମ୍ମୁଖୀନ ହୋଇଥିଲେ ଯାହା କି ସେମାନଙ୍କ ଦାବି ପ୍ରତି ଉଦାସୀନ ସରକାରଙ୍କ ଦ୍ୱାରା ଗଢ଼ା ହୋଇଥିଲା । ଆନ୍ଦୋଳନରେ ଅଂଶଗ୍ରହଣକାରୀ କୃଷକମାନଙ୍କ କହିବା ଅନୁସାରେ, ପାଖାପାଖି ବର୍ଷେ ପର୍ଯ୍ୟନ୍ତ, ସେଇଠାରେ ହିଁ ସେମାନଙ୍କ ରାତି କଟିଥିଲା, କେତେବେଳେ ହାଡ଼ଥରା ନିର୍ଜନତାରେ ତ ଆଉ କେତେବେଳେ ଅନ୍ୟାୟର ପ୍ରଖର ନିଆଁରେ । ଥର୍ମୋମିଟରର ପାରଦ ମାତ୍ର ୨ ଡିଗ୍ରୀରେ ରହୁ କି ୪୫ ଡିଗ୍ରୀ ସେଲସିୟସରେ ପହଞ୍ଚୁ, ସେଥିକୁ ଖାତିର ନ କରି ସେମାନେ କାଳାତିପାତ କରିଥିଲେ । ସେମାନଙ୍କ ପାଇଁ ଘର ପାଲଟିଥିଲା ଲୁହାର ଟ୍ରେଲର ।

ଦୀର୍ଘ ୩୫୮ ଦିନର ଉଠାପକା ସ୍ଥିତି ଭିତରେ, ଦିଲ୍ଲୀ ଚାରିପାଖେ ସେମାନେ ସ୍ଥାପନ କରିଥିବା ଶିବିର ଭିତରେ ୭୦୦ରୁ ଅଧିକ କୃଷକ ପ୍ରାଣ ହରାଇଥିଲେ ଏବଂ ପଞ୍ଜାବକୁ ଫେରିଥିଲା ସେମାନଙ୍କ ମୃତଦେହ । ପ୍ରତିଟି ମୃତଦେହ ବହନ କରୁଥିଲା ସେମାନଙ୍କ ସଂଘର୍ଷର ନିରବ ପ୍ରମାଣ । କିନ୍ତୁ ଆନ୍ଦୋଳନ ଥମି ନଥିଲା । ସେମାନଙ୍କ ତ୍ୟାଗ ଓ ବୃହତ୍ତର ସଂଘର୍ଷ ବଳରେ ବର୍ଷେ ହେଲା ସେମାନଙ୍କ ଦାବିକୁ ଅଗ୍ରାହ୍ୟ କରି ଗର୍ଜନ କରିଆସୁଥିବା ସରକାର ଆଣ୍ଠେଇବାକୁ ବାଧ୍ୟ ହୋଇଥିଲେ । ଶେଷରେ, ୨୦୨୧ ମସିହା ନଭେମ୍ବର ୧୯ ତାରିଖ ଦିନ କୃଷି ଆଇନଗୁଡ଼ିକ ପ୍ରତ୍ୟାହାର କରାଗଲା ବୋଲି ପ୍ରଧାନ ମନ୍ତ୍ରୀ ଘୋଷଣା କରିଥିଲେ ।

ଏବେ ପଞ୍ଜାବର ପାଳି, ହିସାବନିକାଶ କରିବାର ସମୟ । ଏବଂ ସେତେବେଳେ ଦିଲ୍ଲୀରେ ସେମାନଙ୍କ ପ୍ରତି ପ୍ରଦର୍ଶିତ ଆଚରଣକୁ ଫେରସ୍ତ କରିବା ଲାଗି ସ୍ଥିର କରିଛନ୍ତି ବିଟ୍ଟୁ ମଲାନ ଓ ତାଙ୍କ ଭଳି ଅନେକ କୃଷକ । ପ୍ରତିଟି ପ୍ରପୀଡ଼ିତ କୃଷକଙ୍କ ତରଫରୁ ହିସାବନିକାଶ କରିନେବା ନିଜର କର୍ତ୍ତବ୍ୟ ବୋଲି ଧରି ନେଇଥିବା ବିଟ୍ଟୁ, ଏପ୍ରିଲ ୨୩ ତାରିଖ ଦିନ ବଟ୍ଟାର ସରିଂହ ଗାଁରେ ଫରିଦକୋଟ ଲୋକସଭା ନିର୍ବାଚନ ମଣ୍ଡଳୀର ବିଜେପି ପ୍ରାର୍ଥୀ ହଂସରାଜ ହଂସଙ୍କ ସହିତ ମୁହାଁମୁହିଁ ହୋଇଥିଲେ ।

ଭିଡିଓ ଦେଖନ୍ତୁ ପ୍ରଚାର ସମୟରେ ବିଜେପି ପ୍ରାର୍ଥୀମାନଙ୍କୁ ଜବାବ ମାଗନ୍ତି ପଞ୍ଜାବର କୃଷକମାନେ

ସେତେବେଳେ, ୨୦୨୦ ନଭେମ୍ବରରେ ଜାତୀୟ ରାଜଧାନୀ ଅଭିମୁଖେ ଯାତ୍ରା କରୁଥିବା ହଜାର ହଜାର କୃଷକଙ୍କୁ ଦିଲ୍ଲୀରେ ପ୍ରବେଶ କରାଇ ଦିଆଯାଇ ନଥିଲା । ଏବେ, ୨୦୨୪ରେ ଏହା ଋଣ ପରିଶୋଧ କରିବାର ସମୟ ବୋଲି ସ୍ଥିର କରିଛନ୍ତି କୃଷକମାନେ

ବିଟ୍ଟୁଙ୍କ ତୁହାକୁ ତୁହା ପ୍ରଶ୍ନ ଓ ମନ୍ତବ୍ୟର ସମ୍ମୁଖୀନ ହୋଇଥିଲେ ହଂସ: “ଆମେ କୌଣସି ପଶୁ ଉପରେ ବି ଗାଡ଼ି ମଡ଼ାଇବା କଥା ଚିନ୍ତା କରିପାରୁନାହିଁ, କିନ୍ତୁ ଲଖିମପୁର ଖିରିରେ (ଅଜୟ ମିଶ୍ର) ଟେନିଙ୍କ ପୁଅ ନିର୍ଦ୍ଦୟ ଭାବରେ ଜୀପ୍‌ ମଡ଼ାଇ, ସେମାନଙ୍କ ଅଙ୍ଗପ୍ରତ୍ୟଙ୍ଗକୁ ଦଳିଦେଇ, କୃଷକମାନଙ୍କର ଜୀବନ ନେଇଗଲା । ଖନୌରି ଏବଂ ଶମ୍ଭୁ ରେ ଗୁଳି ବର୍ଷଣ କରାଗଲା । ପ୍ରୀତପାଲଙ୍କ ଅପରାଧ କ’ଣ ଥିଲା ? ତାଙ୍କ ହାଡ଼କୁ ଗୁଣ୍ଡ କରିଦିଆଗଲା, ମୁହଁର ହନୁହାଡ଼ ଭାଙ୍ଗିଦିଆଗଲା, ଏ ସବୁର କାରଣ ଏତିକି ଯେ ସେ ଲଙ୍ଗର ରେ ସେବା କରିବାକୁ ଯାଇଥିଲେ । ଏବେ ସେ ଚଣ୍ଡୀଗଡ଼ର ପିଜିଆଇ (ହାସପାତାଳ)ରେ ପଡ଼ି ରହିଛନ୍ତି, ଆପଣ ତାଙ୍କୁ ଭେଟିବାକୁ ଯାଇଛନ୍ତି କି ?

“ପଟିଆଲାର ଜଣେ ୪୦ ବର୍ଷୀୟ ବ୍ୟକ୍ତି, ଦୁଇଟି ଛୋଟ ଛୋଟ ପିଲାଙ୍କ ବାପା, ଲୁହବୁହା ବାଷ୍ପରେ ତାଙ୍କ ଆଖି ଦୁଇଟି ହରାଇଲେ । ତାଙ୍କ ପାଖରେ ମାତ୍ର ତିନି ଏକର ଜମି ଅଛି । ଆପଣ ତାଙ୍କ ଘରକୁ ଯାଇଥିଲେ କି? ନା । ଆପଣ ସିଂଘୁ କୁ ଯିବା ଲାଗି ଉଦ୍ୟମ କରିଥିଲ କି? ନା ।” ହଂସରାଜ ହଂସଙ୍କ ପାଖରେ ଏସବୁ ପ୍ରଶ୍ନର କୌଣସି ଉତ୍ତର ନଥିଲା ।

ସାରା ପଞ୍ଜାବରେ, ବିଭିନ୍ନ ଗାଁର ପ୍ରବେଶ ପଥରେ ବିଜେପି ପ୍ରାର୍ଥୀମାନଙ୍କୁ ଉତ୍କଣ୍ଠାର ସହିତ ଅପେକ୍ଷା କରିଛନ୍ତି ହଜାର ହଜାର ବିଟ୍ଟୁ- ମନେହୁଏ ପ୍ରତିଟି ଗାଁ ପାଲଟିଛି ଆଉ ଏକ ବୁଟ୍ଟାର ସରିଂହ । ଜୁନ ୧ ତାରିଖ ଦିନ ପଞ୍ଜାବରେ ଭୋଟଗ୍ରହଣ କରାଯିବ । ଗୈରିକ ଦଳ ପ୍ରଥମେ ୧୩ଟି ନିର୍ବାଚନ ମଣ୍ଡଳୀରୁ ୯ଟି ଲାଗି ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିଲା । କିନ୍ତୁ ପ୍ରାର୍ଥୀ ତାଲିକା ସଂପୂର୍ଣ୍ଣ କରିବା ଲାଗି ମେ ୧୭ ତାରିଖରେ ଆଉ ଚାରି ଜଣଙ୍କ ନାମ ଘୋଷଣା କରିଥିଲା । ଗାଁ ଗାଁରେ ସମସ୍ତଙ୍କୁ ଏବେ ସ୍ୱାଗତ କରୁଛି କୃଷକମାନଙ୍କ କଳାପତାକା, ପ୍ରତିବାଦର ଧ୍ୱନି ଏବଂ ପ୍ରଶ୍ନବାଣ ଏବଂ ଗାଁରେ ପ୍ରବେଶ କରିବାକୁ ସେମାନଙ୍କୁ ଛାଡ଼ି ଦିଆଯାଉନାହିଁ ।

“ଆମେ ପ୍ରୀନିତ କୌରଙ୍କୁ ଆମ ଗାଁ ଭିତରକୁ ଯିବା ଲାଗି ଛାଡ଼ିବୁ ନାହିଁ । ବହୁ ବର୍ଷ ଧରି ତାଙ୍କ ପ୍ରତି ଅନୁଗତ କେତେକ ପରିବାରର ଲୋକଙ୍କୁ ମଧ୍ୟ ଆମେ ପ୍ରଶ୍ନ ପଚାରିଛୁ,” ରଘୁବୀର ସିଂହ କହନ୍ତି । ରଘୁବୀର ପଟିଆଲା ଜିଲ୍ଲା ଡାକାଲା ଗାଁରେ ଚାରି ଏକର ଜମିର ମାଲିକ ଜଣେ କୃଷକ । ପଟିଆଲାରୁ ଚାରି ଥର ସାଂସଦ ରୂପେ ନିର୍ବାଚିତ ହୋଇଥିବା ପ୍ରୀନିତ କୌର ପଞ୍ଜାବର ପୂର୍ବତନ କଂଗ୍ରେସ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହଙ୍କ ସ୍ତ୍ରୀ । ୨୦୨୧ରେ ଉଭୟ କଂଗ୍ରେସ ଛାଡ଼ିଥିଲେ ଏବଂ ଗତ ବର୍ଷ ବିଜେପିରେ ଯୋଗ ଦେଇଥିଲେ । ଅନ୍ୟ ଅନେକ ବିଜେପି ପ୍ରାର୍ଥୀଙ୍କ ଭଳି ଅନେକ ସ୍ଥାନରେ ପ୍ରୀନିତଙ୍କୁ ମଧ୍ୟ କଳାପତାକା ଏବଂ ‘ ମୁର୍ଦାବାଦ ’ ଧ୍ୱନି ସହିତ ସ୍ୱାଗତ କରାଯାଉଛି ।

ଅମୃତସର, ହୋଶିଆରପୁର, ଗୁରଦାସପୁର ଏବଂ ବଠିଣ୍ଡାରେ ମଧ୍ୟ ସେହି ଏକା ସ୍ଥିତି ଏବଂ ତାଙ୍କ ଦଳର ପ୍ରାର୍ଥୀମାନେ ପ୍ରତିକୂଳ ସ୍ଥିତିର ସମ୍ମୁଖୀନ ହେଉଛନ୍ତି । ପ୍ରାର୍ଥୀ ରୂପେ ଘୋଷିତ ହେବାର ମାସକ ପରେ ବି ତିନି ଥର ପାଇଁ କଂଗ୍ରେସରୁ ସାଂସଦ ରୂପେ ନିର୍ବାଚିତ ତଥା ଲୁଧିଆନାରୁ ଏବେକାର ବିଜେପି ପ୍ରାର୍ଥୀ ରବନୀତ ସିଂହ ବିଟ୍ଟୁ, ବିଭିନ୍ନ ଗାଁରେ ପ୍ରଚାର କରିବା ନିହାତି କଷ୍ଟକର ବୋଲି ଅନୁଭବ କରୁଛନ୍ତି ।

PHOTO • Courtesy: BKU (Ugrahan)
PHOTO • Vishav Bharti

ବାମ: ବର୍ଣ୍ଣାଲା (ସାଂଗରୁର)ରେ ଶାସକ ଦଳର ପ୍ରାର୍ଥୀମାନଙ୍କୁ ଗାଁରେ ପୂରାଇ ନ ଦେବା ପାଇଁ ପ୍ରତିବାଦକାରୀ କୃଷକମାନେ ଏକ ମାନବ ପ୍ରାଚୀର ଗଠନ କରିଛନ୍ତି । ଡାହାଣ: ନିକଟରେ ଆନ୍ଦୋଳନ ଅବସରରେ ମନରେଗା ମଜଦୁର ସଂଘର ସଭାପତି ଶେର ସିଂହ ଫରୱାହି (ପତାକାରେ ମୁହଁ ଢାଙ୍କି ହୋଇଥିବା)

PHOTO • Courtesy: BKU (Dakaunda)
PHOTO • Courtesy: BKU (Dakaunda)

ସାଂଗରୁରର ଆଉ ଏକ ଗାଁ ମେହଲକଲାନରେ ଗାଁ ଭିତରକୁ ବିଜେପି ପ୍ରାର୍ଥୀମାନଙ୍କ ପ୍ରବେଶ ରୋକିବା ଲାଗି କୃଷକମାନେ ଗାଁ ମୁଣ୍ଡରେ ଏକାଠି ହୋଇଛନ୍ତି । ଏ କୃଷକ ଆନ୍ଦୋଳନର ଜୁଆରରେ ପ୍ଲାବିତ ଏହି ଅଞ୍ଚଳର ଇତିହାସ

ଦେଶର ଅନ୍ୟାନ୍ୟ ଭାଗରେ, ରାଜନେତାମାନେ ହୁଏତ ସଂଖ୍ୟାଲଘୁ ବିରୋଧୀ ଏବଂ ‘ଭାବାବେଗ ପ୍ରତି ଆଘାତ’ ଭଳି ଆଳଙ୍କାରିକ ବର୍ଣ୍ଣନା ଉପରେ ଜୋର ଦେଉଥିବେ । କିନ୍ତୁ ପଞ୍ଜାବରେ, ସେମାନେ କୃଷକମାନଙ୍କର ୧୧ଟି ପ୍ରଶ୍ନର ସମ୍ମୁଖୀନ ହେଉଛନ୍ତି (ନିମ୍ନ ରିପୋର୍ଟ ଦେଖନ୍ତୁ) । ନ୍ୟୂନତମ ସମର୍ଥନ ମୂଲ୍ୟ (ଏମ୍‌ଏସ୍‌ପି)ର ଆଇନଗତ ବୈଧତା ସଂପର୍କରେ, ବର୍ଷେ କାଳ ସଂଘର୍ଷ ସମୟରେ ପ୍ରାଣ ହରାଇଥିବା କୃଷକଙ୍କ ସଂପର୍କରେ, ଲଖିମପୁରର ସହିଦମାନଙ୍କ ସଂପର୍କରେ, ଖନୌରିରେ ମୁଣ୍ଡରେ ଗୁଳି ବାଜି ପ୍ରାଣ ହରାଇଥିବା ଶୁଭକରନ ସଂପର୍କରେ, କୃଷକମାନଙ୍କ ଉପରେ ଥିବା ଋଣଭାର ସଂପର୍କରେ, ସେମାନଙ୍କୁ ପ୍ରଶ୍ନ ପଚରାଯାଉଛି ।

କେବଳ କୃଷକ ନୁହଁନ୍ତି, କୃଷି ଶ୍ରମିକମାନେ ମଧ୍ୟ କେନ୍ଦ୍ରରେ ଶାସନ କ୍ଷମତାରେ ଥିବା ଦଳର ପ୍ରାର୍ଥୀମାନଙ୍କ ପାଇଁ ଅଡୁଆ ସୃଷ୍ଟି କରୁଛନ୍ତି । “ବଜେଟ୍‌ରେ ବ୍ୟୟ ହ୍ରାସ କରି ବିଜେପି ମନରେଗା (ମହାତ୍ମା ଗାନ୍ଧି ଜାତୀୟ ଗ୍ରାମୀଣ ନିଶ୍ଚିତ ନିଯୁକ୍ତି ଯୋଜନା)କୁ ଖତମ୍‌ କରିଦେଇଛି । କେବଳ କୃଷକମାନଙ୍କ ପାଇଁ ନୁହେଁ, ସେମାନେ କୃଷି ଶ୍ରମିକମାନଙ୍କ ପାଇଁ ମଧ୍ୟ ବିପଜ୍ଜନକ,” ପଞ୍ଜାବ ମନରେଗା ମଜଦୁର ସଂଘର ସଭାପତି ଶେର ସିଂହ ଫଡ଼ୱାହି କହନ୍ତି ।

ଏବଂ ତେଣୁ ପ୍ରାର୍ଥୀମାନଙ୍କର ସେହି ‘ଉପଚାର’ ଅବ୍ୟାହତ ରହେ । କୃଷି ଆଇନଗୁଡ଼ିକ ୧୮ ମାସ ତଳେ ପ୍ରତ୍ୟାହୃତ ହୋଇଥିଲା ସତ, ହେଲେ ଏ ଯାଏଁ କ୍ଷତ ଶୁଖିନାହିଁ । ସେହି ସବୁ ଆଇନ ଥିଲା: ଦର ନିଶ୍ଚିତତା ଏବଂ କୃଷି ସେବା ସଂପର୍କିତ କୃଷକ (ସଶକ୍ତୀକରଣ ଏବଂ ସୁରକ୍ଷା) ଆଇନ, ୨୦୨୦ ; କୃଷକଙ୍କ ଉତ୍ପାଦ କାରବାର ଓ ବାଣିଜ୍ୟ (ଉନ୍ନତି ଓ ସୁବିଧା) ଆଇନ, ୨୦୨୦ ଏବଂ ଅତ୍ୟାବଶ୍ୟକ ସାମଗ୍ରୀ (ସଂଶୋଧନ) ଆଇନ, ୨୦୨୦ । କୃଷକମାନେ ଏବେ ବି ସନ୍ଦେହରେ ରହିଛନ୍ତି, ସେମାନଙ୍କ କହନ୍ତି ଯେ, ଏହି ଆଇନଗୁଡ଼ିକୁ ଗଳାବାଟ ଦେଇ ପୁଣି ଲାଗୁ କରାଯାଉଛି ।

ଭୋଟଗ୍ରହଣକୁ ଆଉ ଅଳ୍ପ ଦିନ ବାକି ଥିବା ବେଳେ ପଞ୍ଜାବରେ ପ୍ରଚାର ସରଗରମ ହେବାରେ ଲାଗିଛି ଏବଂ ସେହିଭଳି କୃଷକମାନଙ୍କ ପ୍ରତିରୋଧ ବି ଜୋରଦାର ହେଉଛି । ମେ ମାସ ୪ ତାରିଖ ଦିନ, ପଟିଆଲାର ସେହରା ଗାଁର କେତେକ କୃଷକ ଗାଁ ଭିତରକୁ ବିଜେପି ପ୍ରାର୍ଥୀ ପ୍ରୀନିତ କୌରଙ୍କ ପ୍ରବେଶର ପ୍ରତିବାଦ କରୁଥିବା ସମୟରେ ସୁରିନ୍ଦରପାଲ ସିଂହ ନାମକ ଜଣେ କୃଷକଙ୍କର ମୃତ୍ୟୁ ଘଟିଥିଲା । ପ୍ରୀନିତ କୌରଙ୍କ ପାଇଁ ତାଙ୍କ ସୁରକ୍ଷା କର୍ମୀମାନେ ରାସ୍ତା ଅବରୋଧ ହଟାଇବାକୁ ଉଦ୍ୟମ କରିବା ବେଳେ ତାଙ୍କର ମୃତ୍ୟୁ ହୋଇଥିଲା ବୋଲି କୃଷକମାନେ ଅଭିଯୋଗ କରନ୍ତି । କିନ୍ତୁ ପ୍ରୀନିତ ଏହାକୁ ଦୃଢ଼ ସ୍ୱରରେ ଅସ୍ୱୀକାର କରିଛନ୍ତି ।

ଏବେ ଗହମ ଅମଳ ସଂପର୍କୀୟ କାର୍ଯ୍ୟକ୍ରମ ଶେଷ ହେବା ପରେ କୃଷକମାନେ ଅପେକ୍ଷାକୃତ ଭାବେ କାର୍ଯ୍ୟମୁକ୍ତ ସ୍ଥିତିରେ ଅଛନ୍ତି ଏବଂ ତେଣୁ ଆଗାମୀ ଦିନରେ ଏହି ନାଟକର ଆହୁରି ଅନେକ ଅଙ୍କ ଦେଖିବାକୁ ମିଳିବ ବୋଲି ଅନୁମାନ କରାଯାଉଛି । ବିଶେଷତଃ ସାଙ୍ଗରୁର ଭଳି କ୍ଷେତ୍ରରେ, ଯେଉଁଠିକାର ମାଟି ପ୍ରତିରୋଧର ପ୍ରଖର ସ୍ରୋତରେ ବୁଡ଼ି ରହିଛି, ଏବଂ ଯେଉଁଠି ତେଜା ସିଂହ ସ୍ୱତନ୍ତର, ଧରମ ସିଂହ ଫକ୍କର ଏବଂ ଜାଗିର ସିଂହ ଜୋଗାଙ୍କ ଭଳି ବିପ୍ଳବୀ କୃଷକ ନେତାଙ୍କ ଯୁଗାନ୍ତକାରୀ ଉପାଖ୍ୟାନ ଶୁଣି ଶୁଣି ପିଲାମାନେ ବଡ଼ ହୋଇଛନ୍ତି, ସେଠାରେ ଏହି ସମ୍ଭାବନା ଅଧିକ ।

ଗାଁକୁ ପ୍ରବେଶ ସମୟରେ ବିଜେପି ପ୍ରାର୍ଥୀମାନେ ସମ୍ମୁଖୀନ ହେଉଥିବା ପ୍ରଶ୍ନର ତାଲିକା

ଆଗକୁ ଆହୁରି ଅଧିକ ସମସ୍ୟା ରହିଛି । ନିକଟରେ ବର୍ଣ୍ଣାଲାରେ ଭାରତୀୟ କିଷାନ ୟୁନିଅନ (ବିକେୟୁ ଏକତା ଉଗ୍ରାହନ ) ନେତା ଝଣ୍ଡା ସିଂହ ଜେଠୁକେ ଘୋଷଣା କରିଥିଲେ: “ମାତ୍ର ସପ୍ତାହଟେ ଅପେକ୍ଷା କରନ୍ତୁ ଏବଂ ଆପଣମାନେ ଦେଖିବେ ଯେ ସେମାନଙ୍କୁ କେବଳ ପଞ୍ଜାବର ଗାଁରୁ ନୁହେଁ, ସହରରୁ ବି ଘଉଡ଼ାଇ ଦିଆଯାଉଥିବ । ମନେ ଅଛି ତ, ଦିଲ୍ଲୀରେ ସେମାନେ କେମିତି ପାଚେରି ଉଠାଇ ଆଉ କଣ୍ଟା ପୋତି ଆମ ରାସ୍ତା ରୋକିଥିଲେ ? ଆମେ କିନ୍ତୁ ବାଡ଼ ପକାଇ କିମ୍ବା କଣ୍ଟା ପୋତି ରାସ୍ତା ଅବରୋଧ କରିବୁ ନାହିଁ, କିନ୍ତୁ ମାନବ ପାଚେରି ଗଢ଼ିବୁ । ଲଖିମପୁରରେ ସେମାନେ ଆମ ଉପରେ ଗାଡ଼ି ଚଢ଼ାଇ ଦେଇଥିଲେ, କିନ୍ତୁ ସେମାନଙ୍କୁ ଗାଁ ଭିତରେ ପୂରାଇ ନ ଦେବା ପାଇଁ ଆମେ ଆମ ଶରୀରକୁ ବ୍ୟବହାର କରିବା ଲାଗି ପ୍ରସ୍ତୁତ।”

ତଥାପି, ସେମାନ ନ୍ୟାୟପ୍ରେମୀ କୃଷକଙ୍କୁ ଧନ୍ୟବାଦ ଦେବା କଥା ବୋଲି କହନ୍ତି ଶିରୋମଣି ଅକାଳୀ ଦଳର ନେତା ବିକ୍ରମ ସିଂହ ମାଜିଥିଆ । “ସେମାନେ ଗାଁ ଭିତରକୁ ସେମାନଙ୍କ ପ୍ରବେଶକୁ ଯାହା ରୋକିଛନ୍ତି । କିନ୍ତୁ ସେମାନେ ଦିଲ୍ଲୀରେ କୃଷକମାନଙ୍କ ସହିତ ଯେଉଁଭଳି ବ୍ୟବହାର କରାଯାଇଥିଲା, ସେଭଳି ଲୁହବୁହା ବାଷ୍ପ କିମ୍ବା ରବର ବୁଲେଟ୍‌ ସହିତ ବିଜେପି ନେତାମାନଙ୍କୁ ସ୍ୱାଗତ କରୁନାହାନ୍ତି।”

ଉଭୟ ବିଗତ ଏବଂ ନିକଟ ଅତୀତର ପ୍ରତିବାଦ ଏବଂ ଲୋକପ୍ରିୟ କାର୍ଯ୍ୟାନୁଷ୍ଠାନର ସ୍ମୃତି ପଞ୍ଜାବର ଜନମାନସରେ ଗଭୀର ରେଖାପାତ କରିଥାଏ । ଏହା ତ ମାତ୍ର ୨୮ ମାସ ତଳର କଥା, ଯେତେବେଳେ କି ଫିରୋଜପୁରର ଏକ ଫ୍ଲାଏଓଭର ଉପରେ ଲୋକେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅଟକ ରଖିଦେଇଥିଲେ । ଆଜି ସେମାନେ ତାଙ୍କ ଦଳର ପ୍ରାର୍ଥୀମାନଙ୍କୁ ଗାଁ ପାଖରେ ଅଟକାଇ ଦେଉଛନ୍ତି । ମୋଦି ସରକାର ଅମଳରେ ଭିନ୍ନ ଭିନ୍ନ ଦୁଇଟି ରାଜ୍ୟର ରାଜ୍ୟପାଳ ରୂପେ ଦୁଇ ଥର ନିଯୁକ୍ତି ପାଇଥିବା ସତ୍ୟପାଲ ମଲିକ ତାଙ୍କୁ ସେହି ପଦବୀ ପ୍ରଦାନ କରିଥିବା ଦଳକୁ ଏହା ହିଁ କହିଥିଲେ, “ପଞ୍ଜାବୀମାନେ ସେମାନଙ୍କ ଶତ୍ରୁକୁ ସହଜରେ ଭୁଲି ଯାଆନ୍ତି ନାହିଁ।”

ଅନୁବାଦ: ଓଡ଼ିଶାଲାଇଭ୍‍

Vishav Bharti

Vishav Bharti is a journalist based in Chandigarh who has been covering Punjab’s agrarian crisis and resistance movements for the past two decades.

यांचे इतर लिखाण Vishav Bharti
Editor : P. Sainath

पी. साईनाथ पीपल्स अर्काईव्ह ऑफ रुरल इंडिया - पारीचे संस्थापक संपादक आहेत. गेली अनेक दशकं त्यांनी ग्रामीण वार्ताहर म्हणून काम केलं आहे. 'एव्हरीबडी लव्ज अ गुड ड्राउट' (दुष्काळ आवडे सर्वांना) आणि 'द लास्ट हीरोजः फूट सोल्जर्स ऑफ इंडियन फ्रीडम' (अखेरचे शिलेदार: भारतीय स्वातंत्र्यलढ्याचं पायदळ) ही दोन लोकप्रिय पुस्तकं त्यांनी लिहिली आहेत.

यांचे इतर लिखाण साइनाथ पी.
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

यांचे इतर लिखाण OdishaLIVE