ଜୁଲାଇ ୨୦୨୧ ସକାଳେ କୁହୁଡ଼ି ପଡ଼ିଥିଲା, ଯେତେବେଳେ କୃଷକ ଶିବରାମ ଗାୱାରୀ ଭୀମଶଙ୍କର ବନ୍ୟଜନ୍ତୁ ଅଭୟାରଣ୍ୟର ସୀମାନ୍ତରେ ଥିବା ତାଙ୍କ କ୍ଷେତରେ ପହଞ୍ଚିଲେ, ସେ ଦେଖିଲେ ତାଙ୍କ ଧାନ ଫସଲର ପାଞ୍ଚ ଗୁଣ୍ଠରୁ ଅଧିକ (ପ୍ରାୟ ୦.୧୨୫ ଏକର) ଜମିର ଅଧା ଫସଲ ଖାଇ ଯାଇଥିଲା। ବାକି ଫସଲ ଚକଟି ମାଟିରେ ମିଶାଇ ଦେଇଥିଲା।
ସେ କୁହନ୍ତି, “ମୁଁ ଏହା ପୂର୍ବରୁ ଏପରି କେବେ ଦେଖି ନଥିଲି।’’ ଏହି ଦୁଃଖ ଏବେ ବି ତାଜା ହୋଇରହିଛି। ସେ ପଶୁମାନଙ୍କର ପାଦଚିହ୍ନ ଅନୁସରଣ କଲେ ଯାହା ତାଙ୍କୁ ଜଙ୍ଗଲକୁ ନେଇଗଲା ଏବଂ ହଠାତ୍ ଗାଭା (ବୋସ ଗୌରସ ଏବଂ ବେଳେବେଳେ ଭାରତୀୟ ବାଇସନ କୁହାଯାଏ) ଦେଖାଗଲା। ସବୁଠୁ ବଡ଼ ଗୋଜାତୀୟ ପ୍ରାଣୀ, ସେମାନେ ଭୟାନକ ଦେଖାଯାନ୍ତି – ଅଣ୍ଡିରା ଗାଭା ବା ଭାରତୀୟ ବାଇସନର ଉଚ୍ଚତା ୬ ଫୁଟରୁ ଅଧିକ ଏବଂ ଓଜନ ୫୦୦ରୁ ୧୦୦୦ କିଲୋଗ୍ରାମ ମଧ୍ୟରେ।
ଯେତେବେଳେ ମୋଟା ମୋଟା ବାଇସନଙ୍କ ଏକ ପଲ କ୍ଷେତ ଭିତରେ ପଶି ଖୋଳି ଦିଅନ୍ତି, ସେମାନେ ବଡ଼ ଗାତ ସୃଷ୍ଟି କରନ୍ତି ଯାହା ଉଭୟ ଫସଲ ଏବଂ ଚାରାକୁ ସଂପୂର୍ଣ୍ଣ ଭାବରେ ନଷ୍ଟ କରିଦିଏ। “ଗାଭା ଗତ ତିନିବର୍ଷ ଧରି ପ୍ରତି ସିଜିନରେ ମୋର ଫସଲ ନଷ୍ଟ କରିଦେଇଛି। ଚାଷ ଛାଡ଼ିଦେବା ମୋର ଏକମାତ୍ର ବିକଳ୍ପ,’’ କୁହନ୍ତି ଶିବରାମ। ଡନ୍ରେ ଥିବା ତାଙ୍କ ଟିଣ ଛପର ଘର ସାମ୍ନାରେ ସେ ବସିଛନ୍ତି ଯେଉଁଠି ୨୦୨୧ ମସିହାରୁ ଏକ ଗାଭା ପଲ ଡେରାପକାଇ ରହିଆସୁଛନ୍ତି।














