ଯେତେଦୂର ତାଙ୍କର ମନେ ପଡ଼େ, ଏକଦା ମୋହନଲାଲଙ୍କ ମନପ୍ରାଣକୁ ଆଚ୍ଛାଦିତ କରିଥିଲା କାହିଁ କେଉ ଦୂରରୁ ଭାସି ଆସୁଥିବା ହାତୁଡ଼ି ପିଟିବାର ଧ୍ୱନି । ଗୋଟିଏ ତାଳ, ଗୋଟିଏ ଲୟରେ ସୃଷ୍ଟ ଏହି ଧ୍ୱନି ଶୁଣି ଶୁଣି ସେ ବଡ଼ ହୋଇଥିଲେ ଏବଂ ଭବିଷ୍ୟତରେ ଏହି ବାଦ୍ୟଯନ୍ତ୍ର ଗଢ଼ିବା ଯେ ତାଙ୍କ ଜୀବନ ସାରା ଆବେଗ ଭରି ଦେବ ବୋଲି ଜାଣିପାରିଥିଲେ।
ରାଜସ୍ଥାନର ବାଡ଼ମେର ଜିଲ୍ଲା ଅନ୍ତର୍ଗତ ନନ୍ଦ ଗାଁର ଏକ ଲୋହାର (କମାର) ପରିବାରରେ ଜନ୍ମ ନେଇଥିଲେ ମୋହନଲାଲ । ଆଠ ବର୍ଷ ବୟସରେ ସେ ତାଙ୍କ ବାପା ଭବରାରାମ ଲୋହାରଙ୍କ କାମରେ ସାହାଯ୍ୟ କରିବା ଆରମ୍ଭ କରି ତାଙ୍କ ହାତକୁ ହାତୁଡ଼ି ଓ ଅନ୍ୟ ଉପକରଣ ବଢ଼ାଇ ଦେଉଥିଲେ । ସେ କହନ୍ତି, “ମୁଁ କେବେହେଲେ ସ୍କୁଲକୁ ଗଲି ନାହିଁ ଏବଂ ଏହି ସବୁ ଯନ୍ତ୍ରପାତି ଧରି ଖେଳିବାରେ ଲାଗିଗଲି ।”
ତାଙ୍କ ପରିବାର ଗଡୁଲିୟା ଲୋହାର ସଂପ୍ରଦାୟର ଏବଂ ଏହା ରାଜସ୍ଥାନରେ ଅନ୍ୟାନ୍ୟ ପଛୁଆ ବର୍ଗ ରୂପେ ତାଲିକାଭୁକ୍ତ । ସେମାନେ ମାରୱାଡ଼ି ଓ ହିନ୍ଦୀ କହନ୍ତି । ପାଞ୍ଚ ଦଶନ୍ଧି ତଳେ, ୧୯୮୦ ଦଶକର ପ୍ରାରମ୍ଭିକ ଭାଗରେ ଅଧିକ କାମ ଖୋଜିବା ଲାଗି ଜୟସାଲମେର ଆସିବା ବେଳେ ମୋହନଲାଲ କିଶୋର ବୟସରେ ଥିଲେ । ସେବେଠାରୁ ସେ ବିଭିନ୍ନ ଧାତୁରେ, ଆଲୁମିନିୟମ, ରୁପା, ଷ୍ଟିଲ ଏବଂ ଏମିତି କି ପିତ୍ତଳରେ ବି, ମୋର୍ଚାଙ୍ଗ ଗଢ଼ି ଆସୁଛନ୍ତି ।
“କେବଳ ଖଣ୍ଡିଏ ଲୋହା (ଲୁହା)କୁ ଛୁଇଁ ଦେଇ ଏଥିରୁ ଭଲ ଶବ୍ଦ ବାହାରିବ କି ନାହିଁ ବୋଲି ମୁଁ କହିପାରିବି,” ମୋହନ ଲାଲ କହନ୍ତି । କାରଣ, ଲାଲ ଟହଟହ ଗରମ ଲୁହାରେ ହାତୁଡ଼ି ପିଟି ଏହାକୁ ମୋର୍ଚାଙ୍ଗର ଆକାର ଦେବାରେ ସେ ତାଙ୍କ ଜୀବନକାଳର ୨୦,୦୦୦ ଘଣ୍ଟାରୁ ଅଧିକ ସମୟ ବିତାଇ ଦେଇଛନ୍ତି । ମୋର୍ଚାଙ୍ଗ ଏକ ତାଳ ବାଦ୍ୟଯନ୍ତ୍ର, ଯାହାର ସ୍ୱର ସାରା ଜୟସାଲମେରର ବାଲି ସ୍ତୁପରେ ଝଙ୍କୃତ ହୁଏ ।
“ମୋର୍ଚାଙ୍ଗ ଗଢ଼ିବା କଷ୍ଟକର କାମ”, କହନ୍ତି ଏହି ୬୫ ବର୍ଷୀୟ କାରିଗର ଜଣକ । ହେଲେ ଆଜି ଯାଏଁ କେତୋଟି ମୋର୍ଚାଙ୍ଗ ଗଢ଼ିଛନ୍ତି ତାହା ସେ ମନେ ପକାଇ ପାରନ୍ତିନି; “ଗିନତି ସେ ବାହାର ହୈ ୱହ (ତାହାକୁ ଗଣି ହେବ ନାହିଁ) ।”
ଗୋଟିଏ ମୋର୍ଚାଙ୍ଗ (ମୋରସିଙ୍ଗ ଭାବରେ ମଧ୍ୟ ଉଚ୍ଚାରିତ)ର ଲମ୍ବା ମୋଟାମୋଟି ୧୦ ଇଞ୍ଚ । ଏଥିରେ ଘୋଡ଼ା ନାଲ ଭଳି ଏକ ଗୋଲାକାର ଧାତବ ଖଣ୍ଡ ସହିତ ଦୁଇଟି ସମାନ୍ତରାଳ କେନା ସଂଲଗ୍ନ ହୋଇଥାଏ । ଏଗୁଡ଼ିକର ମଧ୍ୟ ଭାଗରେ ଥିବା ଧାତବ ପାତିଆ ଭଳି ଅଂଶକୁ ଟ୍ରିଗର କୁହାଯାଏ ଏବଂ ଏହା ମୋର୍ଚାଙ୍ଗର ଗୋଟିଏ କଡ଼ରେ ଲାଗିଥାଏ । ବାଦ୍ୟକାର ଏହାକୁ ନିଜର ଆଗଦାନ୍ତରେ ଚାପି ଧରି ଏହା ଭିତରକୁ ନାକରେ ପବନ ଛାଡ଼ନ୍ତି । ଗୋଟିଏ ହାତରେ ସେ ମୋର୍ଚାଙ୍ଗର ଜିଭ ବା ପାତିଆ ଭଳି ଅଂଶକୁ ଚଳାଇ ଏଥିରୁ ସଙ୍ଗୀତର ସ୍ୱର ସୃଷ୍ଟି କରୁଥିବା ବେଳେ ଅନ୍ୟ ହାତରେ ଏହାର ଗୋଲାକାର ଲୁହା ଅଂଶକୁ ଧରିଥାଆନ୍ତି ।












