‘‘ଆରେ! ତୁମେ ଏଠାରେ କ’ଣ କରୁଛ?’’ ଜିଜ୍ଞାସୁ ଦୃଷ୍ଟିରେ ଚାହିଁ କଠୋର ସ୍ୱରରେ ସେ ପଚାରିଲେ ।
ତୁରନ୍ତ ମୁଁ ଅନୁଭବ କରିପାରିଲି ଯେ ମୁଁ ତାଙ୍କୁ ଯେଉଁ ସ୍ଥାନରେ ଭେଟିଲି ସେ ଉଚ୍ଚ ନଦୀ ତଟକୁ ବୋଧହୁଏ ଅଧିକ ଲୋକ ଯାଆନ୍ତି ନାହିଁ ।
ଅନିରୁଦ୍ଧ ସିଂ ପାତାର ନଦୀତଟରୁ ତଳକୁ ଓହ୍ଲାଇ ନଈ ଆଡ଼କୁ ଯାଉଥିଲେ, ଏହି ସମୟରେ ସେ ହଠାତ୍ ଅଟକି ଗଲେ ଏବଂ ପଛକୁ ବୁଲି ମୋତେ ଚେତାବନୀ ଦେଲେ : ‘‘ଏହି ସ୍ଥାନରେ ସେମାନେ ଶବ ପୋଡ଼ିଥାନ୍ତି । ଗତକାଲି କେହି ଜଣେ ପ୍ରାଣ ହରାଇଥିଲା । ସେଠି ଛିଡ଼ା ହୁଅ ନାହିଁ । ମୋ ସହିତ ଆସ !’’
ଯଥାର୍ଥ ନିର୍ଦ୍ଦେଶ, ମୁଁ ଭାବିଲି, ମୃତକମାନେ ଅର୍ଜିଥିବା ଏକାନ୍ତ ଅବସ୍ଥାରେ, ସେମାନଙ୍କୁ ବିଶ୍ରାମ ନେବାକୁ ଛାଡ଼ି ଦେବା ଠିକ୍ ହେବ।
ଦୁଇ ମିଟର ଉଚ୍ଚା ନଈପଠାରୁ ତଳକୁ ଓହ୍ଲାଇବା ସମୟରେ ମୁଁ ତାଙ୍କୁ ଦେଖୁଥିଲି, ସେ ପଶ୍ଚିମବଙ୍ଗ ପୁରୁଲିଆ ଜିଲ୍ଲାରେ ଥିବା କାଙ୍ଗସବତୀ ନଦୀରେ ଆଣ୍ଠୁ ବୁଡ଼ିବା ଭଳି ଗଭୀର ପାଣିରେ ଚତୁରତାର ସହ ପ୍ରବେଶ କରୁଥିଲେ। ତାଙ୍କର ଗତି ସହିତ ତାଳ ଦେଇ, ମୁଁ ସେତିକି ଦ୍ରୁତ ଗତିରେ ନଈପଠାରେ ଚାଲୁଥିଲି ।
ତାଙ୍କର ଚପଳତା, ତାଙ୍କ ବୟସ ଉପରେ ନୁହେଁ ବରଂ ତାଙ୍କ କୌଶଳ ଉପରେ ନିର୍ଭରଶୀଳ ଥିଲା, ଯାହାକି ଅତି ପ୍ରେରଣାଦାୟୀ ଥିଲା। ତେବେ ୬୦ ପାଖାପାଖି ବୟସରେ ପହଞ୍ଚିଥିବା ସେହି ବ୍ୟକ୍ତିଙ୍କୁ ମୁଁ ସାହସ କରି ପଚାରିଲି, ‘‘ମଉସା, ଆପଣ ଏ ନଦୀରେ କ’ଣ କରୁଛନ୍ତି ?’’
ଅନିରୁଦ୍ଧ ନିଜ ଅଣ୍ଟାରେ ଥଳି ଆକାରରେ ବାନ୍ଧିଥିବା ଧଳା କପଡ଼ାକୁ ସାମାନ୍ୟ ହୁଗୁଳା କରି ସେ ଧରିଥିବା ଅନେକଗୁଡ଼ିଏ ମାଛ ମଧ୍ୟରୁ ଚିଙ୍ଗୁଡ଼ିଟିଏ ଅତି ସନ୍ତର୍ପଣରେ ବାହାର କରି ଦେଖାଇଲେ ଏବଂ ଶିଶୁସୁଲଭ ଉତ୍ସାହ ନେଇ କହିଲେ, ‘‘ଏ ଚିଙ୍ଗରି (ଚିଙ୍ଗୁଡ଼ି)କୁ ଦେଖୁଛ? ଏହା ଆଜି ଆମର (ତାଙ୍କ ପରିବାରର) ମଧ୍ୟାହ୍ନ ଭୋଜନ ହେବ। ଶୁଖ୍ନୋଲଙ୍କା ଏବଂ ରୋସୁନ ସହିତ ରନ୍ଧା ହୋଇଥିବା ଏହି ଚିଙ୍ଗୁରି ଗୋରମ ଭାତ ସହ ବହୁତ ଭଲ ଲାଗିଥାଏ।’’ ଶୁଖିଲା ଲଙ୍କା ଓ ରସୁଣ ସହିତ ରନ୍ଧା ହୋଇଥିବା ଚିଙ୍ଗୁଡ଼ି ଗରମ ଗରମ ଭାତ ସହିତ ଖାଇଲେ ବେଶ୍ ସୁଆଦିଆ ଲାଗିଥାଏ ।






