ଶାନ୍ତିଲାଲ, ଶାନ୍ତୁ, ଟିଣ୍ୟୋ : ଜଣେ ବ୍ୟକ୍ତିଙ୍କର – ତିନୋଟି ନାଁ। କିନ୍ତୁ ଆମେ ଆଉ ଏକ ଚତୁର୍ଥ ନାଁରେ ତାଙ୍କୁ ସମ୍ବୋଧନ କରିପାରିବା। ସାବରକଣ୍ଠା ଜିଲ୍ଲା ଅନ୍ତର୍ଗତ ୱଡ଼ାଲି ଗ୍ରାମର କଥିତ ଭାଷାରେ ତାଙ୍କର ନାଁ ହୋଇଯାଏ ‘ଶୋନ୍ତୁ’। ତେଣୁ ଆସନ୍ତୁ ତାଙ୍କୁ ଏହି ନାଁରେ ଡାକିବା।
ଶୋନ୍ତୁ ଏକ ଭିନ୍ନ ଚରିତ୍ର। ତାଙ୍କ କ୍ଷେତ୍ରରେ ଅସାଧାରଣ, ଅନନ୍ୟ, ଲୋକପ୍ରିୟ ଭଳି ବିଶେଷଣ ଲଗାଯାଇ ପାରିବ ନାହିଁ। ବରଂ, ସଚ୍ଚୋଟ, ଗରିବ, ପଛୁଆ କିମ୍ବା ଦଳିତ ବୋଲି ତାଙ୍କୁ ଆମ କହିପାରିବା। ତାଙ୍କର ଚରିତ୍ର ସହନଶୀଳ, ସଂଘର୍ଷପୂର୍ଣ୍ଣ ଏବଂ ଦିଗହରା ଭଳି ଲାଗେ। ବେଳେବେଳେ ଶୋନ୍ତୁ ସମ୍ପୂର୍ଣ୍ଣ ଭାବେ ଅସ୍ତିତ୍ୱହୀନ ଲାଗିଥାନ୍ତି। ଅନ୍ୟ ସମୟରେ, ଜଣେ ସାଧାରଣ ଲୋକ ପାଇଁ ଯେତିକି ଆବଶ୍ୟକ, କେବଳ ସେତିକି ସେ ନିଜକୁ ପରିପ୍ରକାଶ କରନ୍ତି।
ପରିବାରରେ ଛଅ ଜଣଙ୍କୁ ନେଇ ସେ ବଡ଼ ହୋଇଛନ୍ତି – ମାତାପିତା, ଜଣେ ବଡ଼ ଭାଇ ଏବଂ ଦୁଇ ଜଣ ଭଉଣୀ (ଜଣେ ତାଙ୍କ ଠାରୁ ସାନ)। ସେମାନଙ୍କ ପରିବାର ଅତି ଗରିବ। ପରିବାରର ବର୍ଦ୍ଧିତ ଚାହିଦାକୁ ସବୁଦିନ ପାଇଁ ସମାପ୍ତ କରି ଦିଆଯାଇଥିଲା। ମାତାପିତା ଓ ବଡ଼ ଭାଇଭଉଣୀ ଯେତିକି ରୋଜଗାର କରୁଥିଲେ, ପରିବାର ପାଇଁ ଦୁଇ ବେଳା ଖାଦ୍ୟ ଯୋଗାଡ଼ କରିବା ଲାଗି ସେତିକି ଯଥେଷ୍ଟ ହେଉଥିଲା। ବାପା ଗୋଟିଏ ମାଟାଡୋରରେ ମାଲ ପରିବହନ କରୁଥିଲେ, କିନ୍ତୁ କୌଣସି ଅନ୍ୟ ଯାତ୍ରୀଙ୍କୁ ନେଉନଥିଲେ, ସେଥିପାଇଁ କୌଣସି ଅତିରିକ୍ତ ରୋଜଗାର ନଥିଲା। ମା’ ଜଣେ ଦିନ ମଜୁରିଆ ଥିଲେ, ତାଙ୍କୁ କେବେ କାମ ମିଳୁଥିଲା, ଆଉ କେବେ ମିଳୁନଥିଲା। ସୌଭାଗ୍ୟବଶତଃ ତା’ର ବାପା ମଦ୍ୟପ ନଥିଲେ, ତେଣୁ ଘରେ ସେତେଟା ଅଶାନ୍ତି ନଥିଲା। କିନ୍ତୁ ଶୋନ୍ତୁ ଅନେକ ଦିନ ପରେ ଏହାକୁ ହୃଦୟଙ୍ଗମ କରିପାରିଥିଲେ।
ଶୋନ୍ତୁ ଯେତେବେଳେ ୱଡ଼ାଲିର ଶାରଦା ହାଇସ୍କୁଲରେ ନବମ ଶ୍ରେଣୀରେ ପଢ଼ୁଥିଲେ, ସେହି ସମୟରେ ଗାଁକୁ ଏକ ସର୍କସ ଆସିଥିଲା। କିନ୍ତୁ ଟିକେଟ ଦର ମହଙ୍ଗା ଥିଲା। ତେବେ ସ୍କୁଲର ଛାତ୍ରଛାତ୍ରୀଙ୍କ ପାଇଁ ଟିକେଟ୍ ଦର ୫ ଟଙ୍କା ରଖାଯାଇଥିଲା। ସ୍କୁଲ ନେଇକି ଯିବା ଲାଗି ଶୋନ୍ତୁଙ୍କ ପାଖରେ ଆଦୌ ଟଙ୍କା ନଥିଲା। ‘‘ଛିଡ଼ା ହୁଅ,’’ ଶିକ୍ଷକ ଆଦେଶ ଦେଲେ। ‘‘ତୁମେ କାହିଁକି ଟଙ୍କା ଆଣିନାହଁ, ପୁଅ?’’ ତାଙ୍କ କଥା ସ୍ନେହବୋଳା ଲାଗୁଥିଲା। ‘‘ମେମ୍, ମୋ ବାପା ଅସୁସ୍ଥ ଏବଂ ମା’ଙ୍କୁ ତାଙ୍କର ସୂତାକଳରୁ ଟଙ୍କା ମିଳି ନାହିଁ,’’ ଶୋନ୍ତୁ କାନ୍ଦିବାକୁ ଲାଗିଲେ।
ପରଦିନ ତା’ର ସହପାଠିନୀ କୁସୁମ ପଠାନ ‘ରମଜାନର ଆଶୀର୍ବାଦ ପାଇବା ଲାଗି’ ତା’କୁ ୧୦ ଟଙ୍କା ଦେଲେ। ପରଦିନ ସେ ପଚାରିଲା, ‘‘ମୁଁ ଦେଇଥିବା ଟଙ୍କା ନେଇ ତୁମେ କ’ଣ କଲ?’’ ଶୋନ୍ତୁ ଗମ୍ଭୀର ଭାବେ କହିଲା : ‘‘ପାଞ୍ଚ ଟଙ୍କା ମୁଁ ସର୍କସରେ ଖର୍ଚ୍ଚ କଲି ଏବଂ ଆଉ ପାଞ୍ଚ ଟଙ୍କା ମୁଁ ଘରଖର୍ଚ୍ଚରେ ସହାୟତା କରିବା ଲାଗି ଘରେ ନେଇ ଦେଲି।’’ କୁସୁମ, ରମଜାନ, ଶୋନ୍ତୁ ଓ ସର୍କସ – ଏକ ସୁନ୍ଦର ଦୁନିଆ।
ସେ ଯେତେବେଳେ ଏକାଦଶ ଶ୍ରେଣୀରେ ପଢ଼ୁଥିଲେ ତାଙ୍କ ମାଟି ଘରକୁ ଇଟା ଓ ସିମେଣ୍ଟରେ ଆଉ ଥରେ ଗଢ଼ିବାର ଥିଲା, ଯଦିଓ ବିନା ପ୍ଲାଷ୍ଟରରେ। ଯାହାର ଖର୍ଚ୍ଚ ତୁଲାଇବା ଲାଗି ସେମାନେ ଅସମର୍ଥ ଥିଲେ। ଜଣେ ରାଜମିସ୍ତ୍ରୀଙ୍କୁ ଦିନ ମଜୁରିରେ ଡକାଗଲା, ଏବଂ ଅବଶିଷ୍ଟ କାମ ପରିବାର ଲୋକମାନେ କରିଥିଲେ। ଏସବୁ କାମରେ ଅନେକ ଦିନ ଲାଗିଥିଲା ଏବଂ ଶୋନ୍ତୁ କିଛି ଜାଣିବା ପୂର୍ବରୁ ତାଙ୍କର ଫାଇନାଲ ପରୀକ୍ଷା ପାଖେଇ ଆସିଥିଲା। ହେଲେ ତାଙ୍କର ଶ୍ରେଣୀ ଉପସ୍ଥିତି ଯଥେଷ୍ଟ ନଥିଲା। ପ୍ରଧାନ ଶିକ୍ଷକଙ୍କୁ ଗୁହାରି କରିବା ଏବଂ ନିଜର ପରିସ୍ଥିତି ସମ୍ପର୍କରେ କହିବା ପରେ, ତାଙ୍କୁ ପରୀକ୍ଷା ଦେବା ପାଇଁ ଅନୁମତି ମିଳିଲା।
ସେ ଦ୍ୱାଦଶ ଶ୍ରେଣୀକୁ ଉତ୍ତୀର୍ଣ୍ଣ ହେଲେ ଏବଂ ଅଧିକ ଭଲ କରିବାକୁ ସଂକଳ୍ପ ନେଲେ। ଶୋନ୍ତୁ କଠିନ ପରିଶ୍ରମ କରିବା ଆରମ୍ଭ କଲେ, କିନ୍ତୁ ଠିକ୍ ଏହି ସମୟରେ, ତାଙ୍କର ମା’ ଅସୁସ୍ଥ ହୋଇପଡ଼ିଲେ। ମା’ଙ୍କର ଅସୁସ୍ଥତା ଦିନକୁ ଦିନ ଅଧିକ ଖରାପ ହେବାକୁ ଲାଗିଲା ଏବଂ ତାଙ୍କର ଫାଇନାଲ ପରୀକ୍ଷା ପୂର୍ବରୁ ମା’ ଆରପାରିକୁ ଚାଲିଗଲେ। ଏହି କ୍ଷତି, ଯନ୍ତ୍ରଣା, ଜଣେ ୧୮ ବର୍ଷ ବୟସର ବାଳକ ପାଇଁ ଅସହନୀୟ ଥିଲା। ପରୀକ୍ଷା ପାଖେଇ ଆସିବାର ଚାପ ସେ ଅନୁଭବ କରିପାରୁଥିଲେ, ପୂର୍ବରୁ ସେ ଯେତେ କଠିନ ପରିଶ୍ରମ କରିଥିଲେ ସୁଦ୍ଧା କିଛି କାମ ଦେଲା ନାହିଁ। ସେ ୬୫ ପ୍ରତିଶତ ମାର୍କ ପାଇଲେ। ଶୋନ୍ତୁ ଆଗକୁ ପାଠ ପଢ଼ିବାର ଆଗ୍ରହ ଛାଡ଼ି ଦେଲେ।
ସେ ପଢ଼ିବାକୁ ଭଲ ପାଉଥିଲେ, ତେଣୁ ସେ ସର୍ବସାଧାରଣ ପାଠାଗାରକୁ ଯିବା ଆରମ୍ଭ କଲେ ଏବଂ ଘରକୁ ପଢ଼ିବା ଲାଗି ବହି ଆଣିଲେ। ତାଙ୍କର ଏହି ଆଗ୍ରହ ଦେଖି, ଜଣେ ବନ୍ଧୁ ତାଙ୍କୁ ୱଡ଼ାଲି ଆର୍ଟସ୍ କଲେଜରେ ଇତିହାସ ସ୍ନାତକ ଶ୍ରେଣୀରେ ନାମ ଲେଖାଇବାକୁ ରାଜି କରାଇଲେ। ‘‘ତୁମେ କେତେକ ଶ୍ରେଷ୍ଠ ପୁସ୍ତକ ପଢ଼ିବା ଲାଗି ସୁଯୋଗ ପାଇବ,’’ ସେ କହିଲେ। ଶୋନ୍ତୁ ଶ୍ରେଣୀରେ ନାମ ଲେଖାଇଲେ କିନ୍ତୁ କେବଳ ପାଠାଗାରରୁ ବହି ଆଣିବା ଏବଂ ଫେରାଇବା ପାଇଁ କଲେଜ ଯାଉଥିଲେ। ଦିନର ବାକି ସମୟ ସେ ସୂତା କଳରେ କାମ କରୁଥିଲେ। ସନ୍ଧ୍ୟାରେ ସେ ବହି ପଢ଼ୁଥିଲେ, ଆଉ ହଁ, ଏଣେତେଣେ ବୁଲୁଥିଲେ। କଳା ସ୍ନାତକ ପ୍ରଥମ ବର୍ଷରେ ସେ ୬୩ ପ୍ରତିଶତ ନମ୍ବର ରଖିଲେ।
ପ୍ରାଧ୍ୟାପକ ଯେତେବେଳେ ତାଙ୍କର ପରୀକ୍ଷା ଫଳ ଦେଖିଲେ, ସବୁଦିନ କଲେଜ ଆସିବା ପାଇଁ ତାଙ୍କୁ ଅନୁରୋଧ କଲେ। ଏହାପରେ ଶୋନ୍ତୁ ନିଜ ପାଠପଢ଼ାକୁ ଉପଭୋଗ କରିବାକୁ ଲାଗିଲେ। ଏହା ଥିଲା ତାଙ୍କର ତୃତୀୟ ବର୍ଷ ପାଠପଢ଼ା। ଅସାଧାରଣ ପଠନ କୌଶଳ ଥିବା ଜଣେ ବିଦ୍ୟାର୍ଥୀକୁ ଏକ ମେଧାବୀ ପ୍ରମାଣପତ୍ର ଦେବାକୁ ୱଡ଼ାଲି ଆର୍ଟସ୍ କଲେଜ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଲେ। ଶୋନ୍ତୁ ସେହି ପ୍ରମାଣପତ୍ର ପାଇଲେ। ‘‘ପାଠାଗାରକୁ ଯାଇ ବହି ଆଣିବା ଲାଗି ତୁମେ କେତେବେଳେ ସମୟ ପାଅ ଶାନ୍ତିଲାଲ?’’ ତାଙ୍କର ପ୍ରଫେସର ଚକିତ ହୋଇ ପଚାରିଥିଲେ। ୨୦୦୩ରେ ଶୋନ୍ତୁ ୬୬ ପ୍ରତିଶତ ନମ୍ବର ରଖି କଳା ସ୍ନାତକ ତୃତୀୟ ବର୍ଷ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ।







