କେନ୍ଦ୍ର ମୁମ୍ବାଇଠାରୁ ପ୍ରାୟ ୯୫ କିଲୋମିଟର ଦୂରରେ ଥାନେ ଜିଲ୍ଲାରେ ସାପ୍ରିଆ ପାହାଡ଼ର ପାଦବେଶରେ ଥିବା ନିମ୍ବାବାଲି ଗାଁରେ ଆମର ଗାରେଲ୍ପଡ଼ା। ୱାର୍ଲି ଆଦିବାସୀମାନଙ୍କର ଏହି ଛୋଟ ପଡ଼ାରେ ଅଳ୍ପ କେଇଟି ଘର, ପ୍ରାୟ ୨୦-୨୫।
ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ଏହି ପଡ଼ା ନିଜର ପାରମ୍ପରିକ ଢଙ୍ଗରେ ଦୀପାବଳି ପର୍ବ ପାଳନ କରିଥିଲା। ଏହି ମାସ ଆରମ୍ଭରୁ ସମସ୍ତେ ପର୍ବର ପ୍ରସ୍ତୁତିରେ ବ୍ୟସ୍ତ ରହିଲେ।
ଆମ ସଂପ୍ରଦାୟ ପାଇଁ ଦୀପାବଳି ଦିନମାନଙ୍କର ୪ଟି ମୁଖ୍ୟ ପର୍ବ ବାଘବର୍ଷି, ବାର୍କି ତିୱଲି, ମୋଠି ତିୱଲି ଏବଂ ବଳିପ୍ରତିପଦା। ଚଳିତବର୍ଷ ଆମେ ନଭେମ୍ବର ୫ରୁ ୮ପର୍ଯ୍ୟନ୍ତ ଏଗୁଡ଼ିକ ପାଳନ କରିଥିଲୁ। ୱାର୍ଲିମାନେ ବାଘକୁ ଦେବତା ଭାବରେ ସମ୍ମାନ ଦିଅନ୍ତି ଏବଂ ବାଘବର୍ଷିରେ ଆମେ ବାଘମାନଙ୍କୁ ପ୍ରାର୍ଥନା କରୁ। ଆଦିବାସୀ ପଡ଼ାଗୁଡ଼ିକ ସାଧାରଣତଃ ଜଙ୍ଗଲ ମଧ୍ୟରେ ଥାଏ। ଅତୀତରେ ୱାର୍ଲିମାନେ ସେମାନଙ୍କ ଜୀବନ ଜୀବିକା ପାଇଁ ସମ୍ପୂର୍ଣ୍ଣ ଜଙ୍ଗଲ ଉପରେ ନିର୍ଭରଶୀଳ ଥିଲେ। ସେମାନେ ନିଜ ଗୃହପାଳିତ ପଶୁମାନଙ୍କୁ ଜଙ୍ଗଲ ଭିତରକୁ ଚରାଇବାକୁ ନେଉଥିଲେ, ଯେମିତି ଆଜି ବି କେଇଜଣ କରୁଛନ୍ତି। ସେମାନେ ତାଙ୍କୁ ଆକ୍ରମଣ ନକରିବା ପାଇଁ ବାଘଙ୍କୁ ପ୍ରାର୍ଥନା କରନ୍ତି- ଏବଂ ଭୟରୁ ଭକ୍ତି ଆସେ।












