ବରିଷ୍ଠ ୱର୍ଲି କଳାକାର ଜିଭ୍ୟା ସୋମା ମାସେ (୧୯୩୪-୨୦୧୮)ଙ୍କର ପୁଅ ସଦାଶିବ କହିଲେ, “ଲୋକମାନେ ଭାବୁଛନ୍ତି ଯଦି ଆପଣ କପଡ଼ା ଉପରେ କିଛି ଆଙ୍କିଦେଲେ ତା’ ହେଲେ ତାହା ୱର୍ଲି ଚିତ୍ରକଳା ହୋଇଗଲା । କିନ୍ତୁ ସେମାନେ(ଅଣ ୱର୍ଲି ଚିତ୍ରକର)ଆମର ଈଶ୍ୱରଙ୍କ ସଂପର୍କରେ କିଭଳି ଚିତ୍ର ଅଙ୍କନ କରାଯିବ ତାହା ଜାଣିନାହାନ୍ତି । ସେମାନେ ଆମର କାହାଣୀକୁ ବି ଜାଣିନାହାନ୍ତି ।’’ ପାଳଘର ଜିଲ୍ଲାର ଦହାନୁ ତାଲୁକାର ଗଞ୍ଜଡ଼ ଗାଁରେ ଥିବା ସେମାନଙ୍କର ଘରେ ୨୦୧୫ରେ ମୁଁ ସେମାନଙ୍କୁ ସାକ୍ଷାତ କରିବା ସମୟରେ ସେ ଏହା କହିଥିଲେ । ତାଙ୍କ ବାପାଙ୍କୁ ସେତେବେଳେ ପ୍ରାୟ ୮୦ ବର୍ଷ ହୋଇଥିଲା ।
ୱର୍ଲିମାନଙ୍କ ଦ୍ୱାରା କରାଯାଉଥିବା ଚିତ୍ରାଙ୍କନ ଶୈଳୀ ଏବେ ପ୍ରଦର୍ଶନୀ, ହୋଟେଲ, ଡ୍ରଇଂ ରୁମ୍, ଦୁପଟ୍ଟାରେ, ଶାଢି ଓ ରୋଷେଇ ସରଞ୍ଜାମରେ ଦେଖିବାକୁ ମିଳୁଛି । କିନ୍ତୁ ଅଧିକାଂଶ ସମୟରେ ଅଣୱର୍ଲି କଳାକାରଙ୍କ ଦ୍ୱାରା ଏସବୁ ତିଆରି ହୋଇଥାଏ । ଏହି ନିଆରା ଚିତ୍ରକଳା ପୂର୍ବରୁ ୱର୍ଲି ସଂପ୍ରଦାୟର ଲୋକମାନଙ୍କ ଦ୍ୱାରା ସଂରକ୍ଷିତ ଥିଲା । ମହାରାଷ୍ଟ୍ର-ଗୁଜରାଟ ସୀମାର ଉଭୟ ପାଖରେ ଏହି ଆଦିବାସୀ ସଂପ୍ରଦାୟର ଲୋକମାନେ ବସବାସ କରୁଛନ୍ତି । ମହାରାଷ୍ଟ୍ରରେ ସେମାନେ ଧୁଲେ, ନାସିକ ଏବଂ ପାଲଘର ଜିଲ୍ଲାରେ ବସବାସ କରୁଥିବାବେଳେ ଗୁଜରାଟରେ ମୁଖ୍ୟତଃ ଭଲସାଡରେ ରହିଥାନ୍ତି ।


