“ସାଧାରଣ ଦିନଗୁଡ଼ିକରେ”, କୁହନ୍ତି ଏ. ଶିବକୁମାର, “ମୁଁ ୪୦-୫୦ କିମି ସାଇକେଲ ଚଳାଇ ବାଲଟି ଓ ପାତ୍ର ଭଳି ପ୍ଲାଷ୍ଟିକ ସାମଗ୍ରୀ ବିକ୍ରି କରିଥାଏ ।” ନାଗପଟ୍ଟିନମ ଜିଲ୍ଲାର ୩୩ ବର୍ଷ ପୁରୁଣା ଏହି ଆଦିବାସୀ ପଡ଼ା ଆରାସୁରରେ ତାଙ୍କର ଦୈନିକ କାର୍ଯ୍ୟ ଭୋର ୫ଟାରୁ ଆରମ୍ଭ ହୋଇଥାଏ। ସ୍ୱତନ୍ତ୍ର ଭାବେ ଡିଜାଇନ ହୋଇଥିବା ପ୍ଲାଷ୍ଟିକ ସାଇକେଲରେ ସେ ରଙ୍ଗବେରଙ୍ଗର ପ୍ଲାଷ୍ଟିକ ସାମଗ୍ରୀ ବାନ୍ଧି ନିଜ ପରିବାର ଚଳାଇବା ପାଇଁ ସେଗୁଡ଼ିକୁ ବିକ୍ରି କରିଥାନ୍ତି। ସେ କୁହନ୍ତି, ସାଧାରଣ ଦିନଗୁଡ଼ିକରେ ତାଙ୍କର ୩୦୦ରୁ ୪୦୦ ଟଙ୍କା ରୋଜଗାର ହୋଇଥାଏ-ଯାହାକି ତାଙ୍କର ୬ ଜଣିଆ ପରିବାର ଚଳାଇବାକୁ ଯଥେଷ୍ଟ ।
ଏବେ କିନ୍ତୁ ସମୟ ସ୍ୱାଭାବିକ ନାହିଁ ।
ଲକଡାଉନରେ ଜୀବନ ତାଙ୍କର ସେସବୁ କାର୍ଯ୍ୟକଳାପକୁ ବନ୍ଦ କରି ଦେଇଛି ଏବଂ ଏଥିସହିତ ତାଙ୍କ ପରିବାରର ଆୟ ଠପ ହୋଇଯାଇଛି । କିନ୍ତୁ ଶିବକୁମାର କୋଭିଡ-୧୯ ସଙ୍କଟ ସମୟରେ ଆଶାର କିରଣ ଦେଖିପାରୁଛନ୍ତି।ସେ କୁହନ୍ତି, “ୱନାବିଲ ନଥିଲେ, ସେ ଭୋକରେ ଥାଆନ୍ତେ” ।
‘ୱନାବିଲ’ ଏକ ତାମିଲ ଶବ୍ଦ ଯାହାର ଅର୍ଥ ‘ଇନ୍ଦ୍ରଧନୁ’ । ଏହା ମଧ୍ୟ ନାଗାପଟ୍ଟିନମ ଜିଲ୍ଲାର ସଦର ବ୍ଲକ ଅନ୍ତର୍ଗତ ସିକ୍କଲ ଗ୍ରାମରେ ଥିବା ଏକ ପ୍ରାଥମିକ ବିଦ୍ୟାଳୟର ନାମ। ଏପ୍ରିଲ ୨୧ ତାରିଖ ସୁଦ୍ଧା ୪୪ ଜଣ କରୋନା ପଜିଟିଭଙ୍କୁ ଚିହ୍ନଟ କରାଯିବା ପରେ ନାଗାପଟ୍ଟିନମକୁ ତାମିଲନାଡ଼ୁର ଏକ କୋଭିଡ-୧୯ ହଟସ୍ପଟ ଭାବେ ଚିହ୍ନଟ କରାଯାଇଛି ।
ଏହି ସ୍କୁଲରେ ସାଧାରଣତଃ ଜନଜାତି ସମ୍ପ୍ରଦାୟର ଛାତ୍ରଛାତ୍ରୀମାନେ ଶିକ୍ଷାଗ୍ରହଣ କରିଥାନ୍ତି-ଏପରିକି ବନ୍ଦ ଥିବା ସମୟରେ ଏହା ଆରାସୁର ଏବଂ ଅନ୍ୟ ଗ୍ରାମଗୁଡ଼ିକ ପାଇଁ ତେଜରାତି ସାମଗ୍ରୀର ବ୍ୟବସ୍ଥା କରିଥାଏ । ଲକଡାଉନର ପ୍ରଭାବ ଗମ୍ଭୀର ହେବା ସହିତ ଏହି ସ୍କୁଲ ପକ୍ଷରୁ ୧,୨୨୮ଟି ପରିବାରକୁ ସହାୟତା ଯୋଗାଇ ଦିଆଯାଉଛି, ଏମାନଙ୍କ ମଧ୍ୟରୁ ପାଖାପାଖି ୧,୦୦୦ ପରିବାର ଅତ୍ୟନ୍ତ ପଛୁଆ ବର୍ଗର। ଏଠାକାର ହଜାର ହଜାର ଲୋକଙ୍କ ପାଇଁ ଏହି ସ୍କୁଲ ଖାଦ୍ୟ ସୁରକ୍ଷା ସୁନିଶ୍ଚିତ କରିଛି ।










