ବାହେରାରୁ ବହୁ ଲୋକ ବାହାରକୁ ଯାଆନ୍ତି କାମ କରିବା ପାଇଁ। ସେମାନଙ୍କ ମଧ୍ୟରୁ ଅଧିକାଂଶ ଲୋକ ନିର୍ମାଣ କାର୍ଯ୍ୟ କରନ୍ତି। ବାହେରାରେ ଏହି ପରିବାରର ଛୋଟ ଚାଷ ଜମି ଖଣ୍ଡିଏ ରହିଛି, ଯାହା ଏକ ଏକରରୁ କମ୍ ହେବ। ନିରା କହିଲେ, ‘ଅନ୍ୟ କାହା ଜମିରେ କାମ କଲେ ଆମେ ଦିନକୁ ୧୦୦ ଟଙ୍କା ପାଇଥାଉ। ଏହି ଜମିକୁ ଲିଜ୍ ଦିଆଯାଇଛି। ପ୍ରତିବର୍ଷ ଭାଗଚାଷୀ ଆମକୁ ୧୦ରୁ ୨୦ ବସ୍ତା ଧାନ କିମ୍ବା ଗହମ ଦେଇଥାଏ। ଯହା ଅମଳ ଉପରେ ନିର୍ଭର କରେ। ଲକ୍ଷ୍ନୌରେ ୪ ବର୍ଷ କାମ କରି ଏହି ପରିବାର ଯାହା ଉପାର୍ଜନ କରିଛନ୍ତି, ସେଥିରେ ଗାଁରେ ତିନି ବଖୁରିଆ ଇଟା ଘର ଖଣ୍ଡିଏ ହୋଇପାରିବ। ତା ପରେ ସେମାନେ ପାଇଖାନାଟିଏ କରିବେ ଏବଂ ସବୁ ଇଟା କାନ୍ଥକୁ ପ୍ଲାଷ୍ଟର କରିବେ।
ପ୍ରତିଦିନ ସାଢେ ୭ଘଣ୍ଟାର କାମ ପାଇଁ ସଂଗୀତା ଏବଂ ତାଙ୍କ ମାଆଙ୍କୁ ୩୫୦ ଟଙ୍କା ଲେଖାଏଁ ମିଳିଥାଏ। ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ କାମ ପାଇଁ ସେମାନେ ଯାହା ପାଆନ୍ତି, ତାହା ଜଣେ ସାଧାରଣ ଶ୍ରମିକର ମଜୁରୀ ସହ ସମାନ। କାମରେ କେବେ ଛୁଟି ନାହଁ। କାମ ନକଲେ ମଜୁରୀ ମିଳେନି। ସଂଗୀତାଙ୍କ ବାପା ସଲିକ୍ରମ ସେହି ଗୋଟିଏ ସ୍ଥାନରେ ମିସ୍ତ୍ରୀ ଭାବେ କାମ କରନ୍ତି। ତାଙ୍କର ଦୈନିକ ମଜୁରୀ ୫୫୦ଟଙ୍କା। ଉଭୟ ମିସ୍ତ୍ରୀ ଏବଂ ଶ୍ରମିକ କାର୍ଯ୍ୟ କରନ୍ତି ଶ୍ୟାମୁ। ତାଙ୍କ ଦୈନିକ ମଜୁରୀ ୪୦୦ ଟଙ୍କା। ସବା ସାନ ଝିଅ ଆରତୀର ମାସିକ ରୋଜଗାର ୬୦୦ ଟଙ୍କା। ମାଲିକଙ୍କ ଘରେ ରୋଷେଇ କରି ସେ ଏହି ଅର୍ଥ ଉପାର୍ଜନ କରନ୍ତି। ଏହି ପରିବାର ସମସ୍ତଙ୍କ ଆୟରୁ ମାସିକ ୧୦, ୦୦୦ ଟଙ୍କା ସଂଚୟ କରିଥାନ୍ତି।
ଏଠାରେ ପ୍ରାୟ ଅଧିକାଂଶ ନିର୍ମାଣ କାର୍ଯ୍ୟରେ ମହିଳାମାନେ ଶ୍ରମିକ ଭାବେ କାମ କରିଥାନ୍ତି। ସେମାନେ ୫୦ କିଲୋଗ୍ରାମ ବିଶିଷ୍ଟ ସିମେଣ୍ଟ ଅଖା ଏବଂ ବାଲି ସିମେଣ୍ଟ ମସଲା କାନ୍ଧ ଏବଂ ମୁଣ୍ଡରେ ଉଠାଇଥାନ୍ତି। ସଂଗୀତାଙ୍କ ବଡ ଭଉଣୀ ସନ୍ତୋଷୀ ଏଥିରେ ବ୍ୟତିକ୍ରମ ଥିଲେ। ତାଙ୍କର ଧୈର୍ଯ୍ୟ ଏବଂ ଦୃଷ୍ଟି ଯୋଗୁ ତାଙ୍କୁ ଜଣେ ସ୍କ୍ରାପର ଭାବେ ତାଲିମ ଦେବାକୁ ଆଗ୍ରହ କରିଥିଲେ ଅନସାରୁଦ୍ଦିନ। ସେ କହନ୍ତି ‘ସନ୍ତୋଷୀ ପ୍ରାୟ ୭୦ ପ୍ରତିଶତ ମିସ୍ତ୍ରୀ ପାଲଟି ଯାଇଥିଲେ। ତା ପରେ କିନ୍ତୁ ସେ ବାହା ହୋଇଗଲେ।’ ବତ୍ତମାନ ସନ୍ତୋଷୀ ତାଙ୍କ ସ୍ୱାମୀଙ୍କ ସହ ପୁନେରେ ଜଣେ ସାଧାରଣ ଶ୍ରମିକ ଭାବେ କାମ କରୁଛନ୍ତି। ମିସ୍ତ୍ରୀ ଭାବରେ ନୁହେଁ, ଯାହା ସେ ହୋଇପାରିଥାନ୍ତେ।
ସଲିକ୍ରମଙ୍କୁ ଜଣେ ସ୍କ୍ରାପର ଭାବେ ତାଲିମ ଦେଇ ସେ ସନ୍ତୋଷୀଙ୍କ କ୍ଷତି ଭରଣା ପାଇଁ ଉଦ୍ୟମ କଲେ। ଅନସାରୁଦ୍ଦିନ କହିଲେ, ‘ସଲିକ୍ରମ କୌଣସି ପୁନରୁଦ୍ଧାର କାମ ପାଇଲେ ସେଠାରେ ସଂଗୀତାଙ୍କ ଦକ୍ଷତାର ଭଲ ବ୍ୟବହାର ହୋଇପାରିବ। ସଂଗୀତାଙ୍କ କଳା ପ୍ରକୃତିର ଦାନ। ୨୦ ବର୍ଷର କାମ ଭିତରେ ସେ ସଂଗୀତା ଭଳି ଝିଅ ଦେଖି ନାହାନ୍ତି। କିନ୍ତୁ ସଲିକ୍ରମ ଏଥିରେ ବେଶି ଉତ୍ସାହିତ ନୁହନ୍ତି। ତେଣୁ ସଂଗୀତା ନିଜର ଅଜଣା ଭବିଷ୍ୟତ ସହ ନ୍ଧି କରିଛନ୍ତି।
ସଂଗୀତାଙ୍କର ଏହି ଦକ୍ଷତା ତାଙ୍କୁ ଶାରୀରିକ କଷ୍ଟ କମ୍ କରିବାରେ ଯତ୍ କିଞ୍ଚିତ କାର୍ଯ୍ୟ କରିଥାଏ। ତାଙ୍କ ପୋଷାକରେ ଜମି ଯାଇଥିବା ପେଣ୍ଟିଂ ଏବଂ ସିମେଣ୍ଟ ଗୁଣ୍ଡକୁ ଦେଖାଇ ସେ କହିଲେ, ‘ମୋ ଆଖି ଏବଂ କାନ୍ଧ ଆଘାତପ୍ରାପ୍ତ। ଅଧିକାଂଶ ଦିନ ମୁଁ ଭୁତ ଭଳି ଦେଖାଯାଏ।’ ସକାଳ ୬ଟାରୁ ତାଙ୍କ ଦିନ ଆରମ୍ଭ ହୁଏ। ତାଙ୍କ ଘର ଠାରୁ ୨୦ ଫୁଟ ଦୂରରେ ଥିବା ହାଣ୍ଡ ପମ୍ପ ମାରି ସେ ୧୫ରୁ ୨୦ ବାଲ୍ତି ପାଣି ଉଠାନ୍ତି। ପରେ ସେ ଲୁଗା ସଫା କରନ୍ତି ଆଉ ଗାଧାନ୍ତି। ସେତେବେଳେ ଆରତୀ ଜଳଖିଆ ଏବଂ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ କରନ୍ତି। ଦିନର କାମ ସରିବା ପରେ ସେ ପୁଣି ୪-୫ ବାଲ୍ତି ପାଣି ଉଠାନ୍ତି ଏବଂ ରାତି ଖାଇବା ପ୍ରସ୍ତୁତ କରନ୍ତି। ନୁଡୁଲ, ଚିକେନ୍ ଏବଂ ମାଛ ତାଙ୍କର ପ୍ରିୟ ଖାଦ୍ୟ। ଘରର ପୁରୁଷ ଲୋକ କିଛି କିଣାକିଣି କରିବାକୁ ବାହାରକୁ ଯଆନ୍ତି ନହେଲେ ବିଶ୍ରାମ କରନ୍ତି। ଥରେ ଜଣେ କ୍ୟାଟରର ସହ କାମ କରୁଥିଲେ ଶ୍ୟାମୁ। ବେଳେବେଳେ ସେ ସ୍ୱତନ୍ତ୍ର ଖାଦ୍ୟ ପ୍ରସ୍ତୁତ କରିଦିଅନ୍ତି। ତେବେ ଅନେକ ସମୟରେ ସେ ନିଜ ପାଇଁ କାଦ୍ୟ ପ୍ରସ୍ତୁତ କରନ୍ତି ବୋଲି ସଂଗୀତା କହନ୍ତି। ତେବେ ଭଉଣୀମାନେ ଏ ସଂପର୍କରେ ଆଦୌ ପ୍ରଶ୍ନ କରନ୍ତି ନାହିଁ।