ଜୁଲାଇରୁ ନଭେମ୍ବର ୨୦୧୭ ମଧ୍ୟରେ ବିଦର୍ଭର କପା ଚାଷ ହେଉଥିବା ଜିଲ୍ଳା ମୁଖ୍ୟତଃ ୟବତମାଲରେ ଅଚାନକ ଅସ୍ଥିରତା, ମୁଣ୍ଡ ବୁଲାଇବା, ଦୃଷ୍ଟିଶକ୍ତି ଖରାପ ହୋଇଯିବା ଏବଂ ପେଟଯନ୍ତ୍ରଣା ସଂପର୍କରେ ଅଭିଯୋଗ କରି ଅଧିକ ସଂଖ୍ୟାରେ ଲୋକ ହସ୍ପିଟାଲକୁ ଆସିବାରେ ଲାଗିଲେ। ସେମାନେ ସମସ୍ତେ କପା ଚାଷୀ ବା ଶ୍ରମିକ ଥିଲେ ଯେଉଁମାନେ କି ନିଜ ନିଜ ଜମିରେ କୀଟନାଶକ ସିଞ୍ଚନ କରୁଥିବା ସମୟରେ ବିଷ ସଂସ୍ପର୍ଶରେ ଆସିଥିଲେ। ଅତି କମରେ ୫୦ ଜଣ ମଲେ, ୧,୦୦୦ରୁ ଅଧିକ କିଛି ମାସ ଧରି ଅସୁସ୍ଥ ରହିଲେ।
ତିନିଟି ଭାଗରେ ବିଭକ୍ତ ହୋଇଥିବା ସିରିଜର ଏହି ଦ୍ୱିତୀୟ ଆଲେଖ୍ୟରେ ପରୀ ସେହି ଅଞ୍ଚଳରେ କ’ଣ ହୋଇଥିଲା ଏବଂ ମହାରାଷ୍ଟ୍ର ସରକାରଙ୍କ ଦ୍ୱାରା ଗଠିତ ସ୍ୱତନ୍ତ୍ର ତଦନ୍ତକାରୀ ଦଳ କ’ଣ ପାଇଲା ସେ ସଂପର୍କରେ ଆଲୋକପାତ କରିଛି।
ତା’ପରେ ଆମେ ବିଦର୍ଭରେ କ’ଣ ପାଇଁ ଏତେ ଅଧିକ କୀଟନାଶକ ବ୍ୟବହାର କରାଯାଉଛି ସେହି ବିଷୟରେ ଜାଣିବାକୁ ଉଦ୍ୟମ କରିବା। ଏବଂ କ’ଣ ପାଇଁ ବିଟି କପା-ଗୁଣସୂତ୍ରରେ ପରିବର୍ତ୍ତନ କରି ସୃଷ୍ଟି କରାଯାଇଥିବା ଏକ ପ୍ରଜାତି ଯାହାକି ବଲୱର୍ମମାନଙ୍କଠାରୁ ରକ୍ଷା ପାଇବାରେ ସକ୍ଷମ ବୋଲି ଦାବି କରାଯାଉଥିଲା, ବର୍ତ୍ତମାନ ସେହି କୀଟ ଦ୍ୱାରା ଆକ୍ରାନ୍ତ ହେଉଛି ତାହା ଅନୁସନ୍ଧାନ କରିବା। ପିଙ୍କ ବଲୱର୍ମ ଏବେ ଏକ ପ୍ରତିଶୋଧମୂଳକ ଆଭିମୁଖ୍ୟ ନେଇ ଫେରିଛି-ତା’ ଦ୍ୱାରା ବ୍ୟାପକଭାବେ ଧ୍ୱଂସ ହେଉଛି।






