ତାଙ୍କର ୩ଟି ଛେଳି ଜଣକା ୩ଟି ଲେଖାଏଁ ଛୁଆ ଦେଇଥିବାରୁ ହୁସନ ଆରା ଅତିଶୟ ଖୁସି ଅଛନ୍ତି । ସେମାନଙ୍କ ମଧ୍ୟରୁ ୬ଟି ଛୁଆ ଚଳିତବର୍ଷ ଅକ୍ଟୋବର ୩୦ ତାରିଖରେ ଜନ୍ମ ହୋଇଥିଲେ । ବାକି ୩ଟି ଦିନକ ପୂର୍ବରୁ ଦୁନିଆକୁ ଆସିଥିଲେ । ନିଜେ କ୍ଷୀର ଖାଇବା ଭଳି ସେମାନେ ଉପଯୁକ୍ତ ହୋଇନଥିବାରୁ ହୁସନ ଆରା ପ୍ରାୟତଃ ସେମାନଙ୍କୁ କିଭଳି ଠିକ୍ ଭାବେ କ୍ଷୀର ମିଳିବ ସେ ନେଇ ଯତ୍ନବାନ ଥାଆନ୍ତି । ସେ ଜାଣିଛନ୍ତି ଯେ ଛେଳିଛୁଆଗୁଡ଼ିକ ବଡ଼ ହୋଇଯିବା ପରେ ତାହା ତାଙ୍କ ପାଇଁ ରୋଜଗାରର ଏକ ଉତ୍ସ ହେବ ।
ହୁସନ ଆରା ବିହାରର ସୀତାମାଢି ଜିଲ୍ଲାର ବାଜପଟ୍ଟି ବ୍ଲକର ବାରି ଫୁଲୱାରିଆ ଗାଁରେ ରହନ୍ତି । ସେହି ପଞ୍ଚାୟତରେ ରହୁଥିବା ୫୭୦୦ ବାସିନ୍ଦାଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ଗରିବ ଏବଂ ନାମମାତ୍ର ଚାଷୀ ବା ଭୂମିହୀନ କୃଷି ଶ୍ରମିକ । ହୁସନ ଆରା ସେମାନଙ୍କ ମଧ୍ୟରୁ ଜଣେ ।
ଖୁବ୍ ସାନ ବୟସରୁ ସେ ତାଙ୍କର ସଂପର୍କୀୟ ମହମ୍ମଦ ସବିରଙ୍କୁ ବିବାହ କରିଥିଲେ । ୫ ବର୍ଷ ତଳେ ସବିର ଏକ ଚମଡ଼ା ବ୍ୟାଗ୍ ନିର୍ମାଣକାରୀ ୟୁନିଟରେ କାମ କରିବା ଲାଗି ହାଇଦ୍ରାବାଦ ଯାଇଥିଲେ । ତା’ ପୂର୍ବରୁ ସେ ମଧ୍ୟ ଜଣେ କୃଷି ଶ୍ରମିକ ଥିଲେ । ହୁସନ ଆରା କହନ୍ତି, “ସବିର ମାସକୁ ୫୦୦୦ ଟଙ୍କା ରୋଜଗାର କରନ୍ତି ଏବଂ ସମୟ ସମୟରେ ଘରକୁ ୨୦୦୦ ଟଙ୍କା ପଠାନ୍ତି । ଯେହେତୁ ତାଙ୍କୁ ନିଜର ଖର୍ଚ୍ଚ ତୁଲାଇବାକୁ ଥାଏ ତେଣୁ ତାଙ୍କ ପଟରୁ ଘରକୁ ଟଙ୍କା ପଠାଇବାରେ ଅନିୟମିତତା ହୋଇଥାଏ ।’’







