ୱାର୍କସପ୍ରେ କୌଣସି ନାମ ଫଳକ ଲାଗିନଥିଲା । ‘‘ୟହ ତୋ ଏକ୍ ଗୁନାମ୍ ଦୁକାନ୍ ହୈ ( ଏହା ହେଉଛି ଏକ ବେନାମୀ ଦୋକାନ),” ବୋଲି ମହମଦ୍ ଅଜିମ୍ କୁହନ୍ତି । ଭିତରେ, ୮x ୮ଫୁଟ୍ର ବିଶିଷ୍ଟ ସେଡ୍ରକାନ୍ଥଗୁଡିକ ଅଳନ୍ଧୁ ଆଉ ବୁଢିଆଣି ଜାଲରେ ଭର୍ତ୍ତି ହୋଇ ରହିଥିଲା । ଗୋଟିଏ କୋଣରେ ଏକ ଛୋଟ ଲୁହା ଭାଟି ଥିଲା ଆଉ କେନ୍ଦ୍ର ଭାଗରେ ପୋଡିଯାଇଥିବା କଳା ବାଲିର ଏକ ଗଦା ଥିଲା ଯାହାକୁ ନୀଳ ରଙ୍ଗର ଏକ ତାରପୁଲିନ୍ରେ ଘୋଡାଇ ରଖାଯାଇଥିଲା ।
ପ୍ରତିଦିନ ପ୍ରାୟ ଭୋର୍ ୭ଟା ବେଳେ ପଶ୍ଚିମ ହାଇଦ୍ରାବାଦ୍ରେଦୁଧ୍ବୌଲିର ସଙ୍କୀର୍ଣ୍ଣ ରାସ୍ତା ଦେଇ ଅଜିମ୍ ସାଇକେଲ୍ ଚଲାଇ ଆସନ୍ତି ଆଉ ତାଙ୍କ ବାଇସାଇକେଲ୍କୁ ଏହି ୱାର୍କସପ୍ ନିକଟରେ ପାର୍କ କରନ୍ତି । ଏହାର ପଛ ପାଖର କାନ୍ଥ ଆଉ ହାକିମ୍ ମୀର୍ ୱଜିର ଅଲ୍ଲି ସମାଧି ସ୍ଥଳର ପ୍ରାଚୀର ଗୋଟିଏ ଅଟେ ।
ଏଠାରେ, ଧୂଳିମୟ ପ୍ଲାଷ୍ଟିକ୍ ପାତ୍ରଗୁଡିକ ମଧ୍ୟରେ, କଳଙ୍କି ଲାଗିଥିବା ଧାତୁର ବାକ୍ସ, ଭଙ୍ଗା ବାଲ୍ଟିଗୁଡିକ ଆଉ ଟୁଲ୍ ତଥା ପଞ୍ଚ୍ଗୁଡିକ ଚଟାଣ ଉପରେ ଚତୁର୍ଦିଗ ବିଛାଡି ହୋଇ ପଡି ରହିଥିଲା ଆଉ ସେଠାରେ କାମ କରିବାକୁ ପ୍ରାୟତଃ ଜାଗା ନଥିଲା ବୋଲି କହିଲେ ଚଳିବ । ସେ ମଧ୍ୟରେ ସେ ତାଙ୍କର କାର୍ଯ୍ୟଦିବସ ଆରମ୍ଭ କରନ୍ତି- ସ୍ୟାଣ୍ଡ-କାଷ୍ଟ ଧାତୁ ଟୋକେନ୍ ତିଆରି କରିବା କାମ ସହିତ ।
ଅଠେଇଶି ବର୍ଷୀୟ ଅଜିମ୍ ତିଆରି କରୁଥିବା ଟୋକେନ୍ଗୁଡ଼ିକ ହାଇଦ୍ରାବାଦ୍ର କିଛି ପୁରୁଣା ଚା’ଦୋକାନ ଆଉ ଭୋଜନାଳୟଗୁଡିକରେ ବର୍ତ୍ତମାନ ମଧ୍ୟ ବ୍ୟବହାର କରାଯାଉଅଛି (ଅର୍କଏନ୍) । ଅତୀତରେ, ଏହି ଟୋକେନ୍ଗୁଡିକୁ ମିଲ୍, ମିଲିଟାରୀ ଆଉଟ୍ଲେଟ୍, ରେଲ୍ୱେ, ବ୍ୟାଙ୍କ୍, କ୍ଲବ୍, ସମବାୟ ଆଉ ଅନ୍ୟାନ୍ୟ ବିଭିନ୍ନ ସଂସ୍ଥାଗୁଡିକ ଦ୍ୱାରା ବ୍ୟବହାର କରାଯାଉଥିଲା। ହେଲେ, ସମୟ ବିତିବା ସହିତ ଲୋକମାନେ ଅଧିକରୁ ଅଧିକ ପ୍ଲାଷ୍ଟିକ୍ ଟୋକେନ୍ ବା କାଗଜର ରସିଦ ବ୍ୟବହାର କରୁଥିବାରୁ, ଏଗୁଡିକର ଚାହିଦା ଦ୍ରୁତ ଗତିରେ ହ୍ରାସ ପାଇବାରେ ଲାଗିଛି । ତଥାପି, ହାଇଦ୍ରାବାଦ୍ର କେତେକ ରେଷ୍ଟୁରାଣ୍ଟ ସେମାନଙ୍କ ଦିନର ଉପାର୍ଜନ ହିସାବ କରିବାକୁ ଏବେ ମଧ୍ୟ ଧାତୁର ଟୋକେନ୍ ଉପରେ ନିର୍ଭର କରୁଛନ୍ତି: ଜଣେ ଗ୍ରାହକ କୌଣସି ବ୍ୟଞ୍ଜନ ଅର୍ଡର କଲେ, ତାଙ୍କୁ ସେହି ବ୍ୟଞ୍ଜନ ପାଇଁ ଉଦ୍ଦିଷ୍ଟ ଏକ ଟୋକେନ୍ ଦିଆଯାଇଥାଏ ।
ଅଜ୍ଜୁ – ଯେଉଁ ନାମରେ ଅଜିମ୍ଙ୍କୁ ତାଙ୍କ ପରିବାରର ସଦସ୍ୟ ତଥା ଅନ୍ୟ ଦୋକାନୀମାନେ ଡାକିଥାନ୍ତି, ଆକଳନ କରି କୁହନ୍ତି ଯେ ସେ ହେଉଛନ୍ତିହାଇଦ୍ରାବାଦ୍ର ସେହି ୧୦ ଜଣ କାରିଗରମାନଙ୍କ ମଧ୍ୟରୁ ଜଣେ, ଯେଉଁମାନେ ଏବେ ମଧ୍ୟ ଏହି କଏନ୍ଗୁଡ଼ିକୁ ପାରଦର୍ଶିତା ସହିତ ତିଆରି କରିବାକୁ ସକ୍ଷମ ହୋଇପାରୁଛନ୍ତି ।



















