ମାୟା ମୋହିତ୍ ତିନି-ମାସର ଶିଶୁ ଶୀତଲର ଯତ୍ନ ନେଉଛି ଯେତେବେଳେକି ପିଲାର ମା, ପୂଜା, ସେମାନଙ୍କ ଟେଣ୍ଟଠାରୁ ଅଳ୍ପ ଦୂରରେ ଥିବା ଏକ ସ୍ଥାନରେ କାମ କରୁଛି । ଦୁଇଟି କପଡା ଓ ଏକ ଟ୍ରାପ୍ଲିନ୍କୁ ନେଇ ସଞ୍ଜୟ ଗାନ୍ଧୀ ଜାତୀୟ ଉଦ୍ୟାନରେ ହୋଇଥିବା ଟେଣ୍ଟ ହେଉଛି ତାଙ୍କର ଘର । ମାୟା ଏକ ପଥର ଉପରେ ବସି, ସେହି ଉଦ୍ୟାନର ଏକ ଝରଣାରୁ ଆସୁଥିବା ପାଣିକୁ ରଖି ବାସନ ଧୋଉଛି, ଯେତେବେଳେକି ଶିଶୁଟି ତାର ଦୋଳି – ଲାଲ୍ କଭର୍ରେ ଆବୃତ୍ତ ଏକ ପୁରୁଣା ଜରି ସିମେଣ୍ଟ ବ୍ୟାଗ୍- ରେ ଶୋଇଛି ।
ଏଠାରେ ଏକ କାର୍ ପାର୍କ ନିର୍ମାଣ କାମ ଚାଲିଛି’’, ବୋଲି ମାୟା କୁହେ । ପାର୍କିଂ ଜୋନ୍ ମୁମ୍ବାଇର ବୋରିଭଲି ଇଷ୍ଟରେ ଉଦ୍ୟାନର ପ୍ରବେଶ ପଥରେ ତିଆରି ହେବ । ମାୟା ଡିସେମ୍ବର ୨୦୧୮ରେ ପରିବାରର ଅନ୍ୟ ସାତ ଜଣ ସଦସ୍ୟଙ୍କ ସହିତ ଆସିଥିଲା, ଯେଉଁଥିରେ ପୂଜା, ତାର ନଣନ୍ଦ ମଧ୍ୟ ସାମିଲ୍ ଅଛନ୍ତି । ସେମାନଙ୍କ ମଧ୍ୟରୁ କେତେଜଣ ମୁମ୍ବାଇ ଠାରୁ ୭୦କି.ମି. ଦୂରରେ ଥିବା ଖୋପୋଲିରେ ଥିବା ନିର୍ମାଣ ସାଇଟ୍ରେ କାମ କରିବାକୁ ଆସିଥିବା ବେଳେ, ପରିବାର ବର୍ଗଙ୍କ ମଧ୍ୟରୁ କେତେଜଣ ରାଜସ୍ଥାନରେ ଗୋଟିଏ ସାଇଟ୍ରେ କାମ ସମ୍ପୂର୍ଣ୍ଣ କରି ସାରିବା ପରେ ବରିଭଲି ଆସିଥିଲେ ।
ପ୍ରତିବର୍ଷ ବର୍ଷା ଋତୁରେ, ମୋହିତ ପରିବାର ଜଲ୍ନା ଜିଲ୍ଲାର ଜାଫେରାବାଦ୍ ତାଲୁକାରେ ଥିବା ତାଙ୍କ ଗ୍ରାମ ହର୍ପାଲ୍କୁ ଫେରି ଯାଆନ୍ତି । ଏହି ପରିବାର ବେଲ୍ଦାର୍ ସମ୍ପ୍ରଦାୟର ଅଂଶ ଅଟେ (କେତେକ ରାଜ୍ୟରେ ଏମାନଙ୍କୁ ଯାଯାବର ଭାବେ ତାଲିକାଭୂକ୍ତ କରାଯାଇଛି) । ମାୟାର ବାପାମା ଓ ତାର ଅନ୍ୟ ତିନି ଭାଇ ମଧ୍ୟ ହର୍ପାଲ୍ ଓ ଏହାର ଆଖପାଖ ଅଞ୍ଚଳରେ ବିଭିନ୍ନ ନିର୍ମାଣ ସାଇଟ୍ଗୁଡିକରେ କାମ କରନ୍ତି ବା ସେମାନେ କୃଷି ଶ୍ରମିକ ଭାବେ କାମ କରନ୍ତି । “ବହୁତ ଛୋଟ ବୟସରେ ମୋର ବାହଘର ହୋଇଥିଲା । ସେହି ସମୟରେ ମୁଁ ଚାଷଜମିରେ କାମ କରୁଥିଲି,” ବର୍ତ୍ତମାନ ମାୟାର ବୟସ ୨୫ ବର୍ଷ ବୋଲି ସେ କୁହେ ।
ମାୟାର ଶାଶୁ-ଶ୍ୱଶୁର ଦୀର୍ଘଦିନ ପର୍ଯ୍ୟନ୍ତ ମୁମ୍ବାଇ ଓ ମହାରାଷ୍ଟ୍ରର ଅନ୍ୟ ସ୍ଥାନଗୁଡିକରେ ବିଭିନ୍ନ ନିର୍ମାଣ ସାଇଟ୍ଗୁଡିକରେ କାମ କରୁଥିଲେ । “ତାପରେ ସେମାନେ ଗ୍ରାମରେ ଏକ ଏକର୍ ଜମି କିଣିଲେ ଓ ଗ୍ରାମକୁ ଫେରିଗଲେ,’’ ବୋଲି କହେ ମୁକେସ୍ ମୋହିତ୍, ତାଙ୍କର ଦେଢଶୁର। କିଛି ବର୍ଷ ପର୍ଯ୍ୟନ୍ତ ସେମାନେ କେବଳ କୃଷି ଶ୍ରମିକ ଭାବେ କାମ କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ବହୁଦିନ ପର୍ଯ୍ୟନ୍ତ କାମ ପାଇଁ ମିଳୁଥିବା ଦୈନିକ ପାରିଶ୍ରମିକର ପରିମାଣ ୧୫୦-୨୦୦ ଟଙ୍କା ମଧ୍ୟରେ ଅପରିବର୍ତ୍ତିତ ରହିବାରୁ, ପୁଣି ଥରେ ନିର୍ମାଣ ସାଇଟ୍କୁ ଫେରିବାକୁ ପରିବାର ନିଷ୍ପତ୍ତି ନେଇଥିଲା, ଯେଉଁଠାରେ ଦୈନିକ ପାରିଶ୍ରମିକ ୪୦୦-୫୦୦ ଟଙ୍କା ପର୍ଯ୍ୟନ୍ତ ମିଳିବା ସମ୍ଭାବନା ରହିଛି ।






