ହଉସାବାଇ ପାଟିଲଙ୍କର ମଦ୍ୟପ ସ୍ୱାମୀ ତାଙ୍କୁ ନିର୍ଦ୍ଦୟ ଭାବେ ମାଡ଼ ମାରିବା ଆରମ୍ଭ କଲେ। ଗୋଟିଏ ପୁଲିସ ଷ୍ଟେସନ୍ ଆଗରେ ନିଜ ପତ୍ନୀଙ୍କ ପ୍ରତି ଏମିତି ବ୍ୟବହାର କରିବାରେ ତାଙ୍କୁ କିଛି ଫରକ୍ ପଡୁନଥିଲା। ହଉସାବାଇ କହିଲେ,‘‘ସେ ମାଡ଼ରେ ମୋ ପିଠିରେ ଯନ୍ତ୍ରଣା ଆରମ୍ଭ ହେଲା। ସାଙ୍ଗଲିର ଭବାନି ନଗରରେ ଥିବା ଏକ ଛୋଟ ପୋଲିସ ଷ୍ଟେସନ୍ ବାହାରେ ଏ ଘଟଣା ଘଟୁଥିଲା। ଷ୍ଟେସନ୍ରେ ଥିବା ମୋଟ ଚାରିଜଣ ପୋଲିସ କର୍ମଚାରୀଙ୍କ ମଧ୍ୟରୁ ସେ ସମୟରେ ଦୁଇଜଣ ଉପସ୍ଥିତ ଥିଲେ। ଆଉ ଦୁଇଜଣ ଦୁଇଜଣ ମଧ୍ୟାହ୍ନ ଭୋଜନ ପାଇଁ ଯାଇଥିଲେ।’’ ତା ପରେ ତାଙ୍କର ମଦ୍ୟପ ସ୍ୱାମୀ ‘ଏକ ବଡ଼ ପଥର’ ଉଠାଇଲେ। ସେ ଚିତ୍କାର କରି ଉଠିଲେ, ‘‘ମୁଁ ତୋତେ ଏହି ପଥରରେ ଏହିଠାରେ ହିଁ ମାରିଦେବି।’’
ଏ ଦୃଶ୍ୟ ଦେଖି ଦେଖି ପୋଲିସ ଷ୍ଟେସନ ଭିତରେ ଥିବା ଦୁଇ ଜଣ ପୋଲିସ କର୍ମଚାରୀ ବାହାରକୁ ଦଉଡ଼ି ଆସିଲେ। ହଉସାବାଇ କହିଲେ, ‘‘ସେମାନେ ଆମ କଳହ ତୁଟାଇବାକୁ ଉଦ୍ୟମ କଲେ।’’ ସେଠାରେ ହଉସାବାଇଙ୍କ ଭାଇ ମଧ୍ୟ ଥିଲେ। ହଉସାବାଇ ତାଙ୍କ ଭାଇଙ୍କୁ କହିଲେ, ଯେ ସେ ଆଉ ସେ ଅତ୍ୟାଚାର କରୁଥିବା ତାଙ୍କ ସ୍ୱାମୀଙ୍କ ଘରକୁ ଫେରିବାକୁ ଚାହାନ୍ତି ନାହିଁ। “ମୁଁ କହିଲି ମୁଁ ଯିବିନାହିଁ, ମୁଁ ଯିବିନାହିଁ। ମୁଁ ଏଠାରେ ରହିବି, ତୁମେ ମୋତେ ତୁମ ଘର ପାଖରେ ଏକ ଛୋଟ ଜାଗା ଦିଅ। ସ୍ୱାମୀଙ୍କ ସହ ଯାଇ ମୃତ୍ୟୁ ମୁଖରେ ପଡ଼ିବା ଅପେକ୍ଷା, ମୁଁ ଏଇଠି ରହିବି ଏବଂ ଯାହାକିଛି ପାଇବି ସେଥିରେ ଚଳିଯିବି... ମୁଁ ଆଉ ତାଙ୍କଠାରୁ ମାଡ଼ ଖାଇବାକୁ ଚାହୁଁନାହିଁ। ’’ କିନ୍ତୁ ଭାଇ ତାଙ୍କର ଏ ଅନୁରୋଧ ଶୁଣିଲେ ନାହିଁ।
ପୋଲିସ କର୍ମଚାରୀମାନେ ଏ ଦମ୍ପତିଙ୍କୁ ବେଶ୍ କିଛି ସମୟ ଧରି ବୁଝାଇଲେ। ଶେଷରେ, ସେମାନେ ବୁଝାଇ ସୁଝାଇ ଦୁହିଁଙ୍କୁ ନେଇ ଗୋଟିଏ ଟ୍ରେନ୍ରେ ବସାଇ ସେମାନଙ୍କ ଗାଁକୁ ପଠାଇଦେଲେ। ହଉସାବାଇ କହିଲେ “ସେହି ପୋଲିସ୍ କର୍ମଚାରୀମାନେ ଆମ ପାଇଁ ଟିକେଟ୍ କିଣି, ମୋ ହାତରେ ଦେଲେ। ସେମାନେ ମୋ’ ସ୍ୱାମୀଙ୍କୁ କହିଲେ ସ୍ତ୍ରୀ ତୁମ ପାଖରେ ରୁହନ୍ତୁ ବୋଲି ଚାହୁଁଥିଲେ, ତାଙ୍କ ପ୍ରତି ଭଲ ବ୍ୟବହାର କର, ତାଙ୍କର ଧ୍ୟାନ ରଖ। ଝଗଡ଼ା କର ନାହିଁ।Ó
ପ୍ରକୃତରେ ପୋଲିସ୍ ଷ୍ଟେସନ୍ ବାହାରେ ହଉସାବାଇଙ୍କୁ ତାଙ୍କ ସ୍ୱାମୀ ମାଡ଼ ମାରିବା ଏକ ମିଛ ନାଟକ ଥିଲା। ଯେଉଁଥିରେ ପୋଲିସ୍ କର୍ମଚାରୀଙ୍କର ଧ୍ୟାନ ହଟାଇବା ପାଇଁ ସେମାନେ ମିଛ, ସ୍ୱାମୀ, ସ୍ତ୍ରୀ ଓ ଭାଇ ହୋଇ ଏତେ କଷ୍ଟକର ନାଟକ କରିଥିଲେ। ଏ ସବୁ ପଛରେ ଉଦ୍ଦେଶ୍ୟ ଥିଲା ଥାନା ଲୁଟ୍ କରିବା। ଏ ଘଟଣା ଭିତରେ ହଉସାବାଇଙ୍କର କମ୍ରେଡମାନେ ପୋଲିସ ଷ୍ଟେସନକୁ ଲୁଟ କରିନେଇଥିଲେ, ସେଠି ଥିବା ସମସ୍ତ ଚାରିଟି ଯାକ ରାଇଫଲକୁ ସେମାନେ ନେଇଯାଇଥିଲେ। ଏ ଘଟଣା ଥିଲା ୧୯୪୩ ମସିହାର। ସେତେବେଳେ ହଉସାବାଇଙ୍କୁ ୧୭ ବର୍ଷ ହୋଇଥିଲା। ସେ ତିନିବର୍ଷ ତଳୁ ସେ ବିବାହ କରିସାରିଥିଲେ, ତାଙ୍କର ଗୋଟିଏ ଛୋଟ ପୁଅ ଥିଲା, ଯାହାର ନାଁ ସୁଭାଷ। ବ୍ରିଟିଶ୍ ବିରୋଧୀ ଆନ୍ଦୋଳନରେ ଯିବା ସମୟରେ ହଉସାବାଇ ସୁଭାଷଙ୍କୁ ଜଣେ ମାଉସୀଙ୍କ ପାଖରେ ଛାଡ଼ି ଆସିଥିଲେ। ସେମାନଙ୍କ କଳହ ସତ ଲାଗିବ ବୋଲି ମିଛିମିଛିକା ସ୍ୱାମୀ ତାଙ୍କୁ ଏତେ ଜୋରରେ ମାଡ଼ ମାରିବାକୁ ନେଇ ପ୍ରାୟ ୭୪ ବର୍ଷ ପରେ ବି ସେ ଦୁଃଖ କରନ୍ତି। ହଉସାବାଇଙ୍କୁ ଏବେ ୯୧ ବର୍ଷ, ମହାରାଷ୍ଟ୍ରର ସାଙ୍ଗଲି ଜିଲ୍ଲାର ଭିଟାଠାରେ ସେ ଆମକୁ ତାଙ୍କର କାହାଣୀ କହୁଛନ୍ତି। ହଉସାବାଇ କହିଲେ “ ଏ ବୟସରେ ମୋ ଆଖି ଓ କାନ ମୋ ପାଇଁ ବଡ଼ ଆହ୍ବାନ ପାଲଟିଛି କିନ୍ତୁ ମୁଁ ନିଜେ ସବୁକଥା କହିବି।”







