ଶ୍ୟାମରାଓ ଏବଂ ଅଞ୍ଜାମ୍ମାଙ୍କର ସ୍ୱାସ୍ଥ୍ୟ ଖୁବ୍ ଦୁର୍ବଳ। କିନ୍ତୁ ଏମାନେ ସ୍ୱାସ୍ଥ୍ୟ ବାବଦରେ ଆଉ କିଛି କରିବା ବନ୍ଦ କରିଦେଇଛନ୍ତି। ଶ୍ୟାମରାଓ କହନ୍ତି, "ଡାକ୍ତର? ଚିକିତ୍ସା? ଏ ସବୁ ଖୁବ୍ ବ୍ୟୟବହୁଳ।" ୱାର୍ଧା ଅସ୍ଥି ଗାଁର ଏହି ଯୋଡି ଏହିପରି ନିଷ୍ପତ୍ତି ନେଇଥିବା ଲକ୍ଷ ଲକ୍ଷ ଲୋକଙ୍କ ମଧ୍ୟରେ ସାମିଲ୍ ହୋଇଯାଇଛନ୍ତି। ୨୧ ପ୍ରତିଶତ ପର୍ଯ୍ୟନ୍ତ ଭାରତୀୟ ସେମାନଙ୍କର କୌଣସି ନା କୌଣସି ରୋଗ ପାଇଁ ଆଉ ଡାକ୍ତରୀ ଚିକିତ୍ସା କରାଉନାହାନ୍ତି। (ଯାହାକି ଗତ ଦଶ ବର୍ଷ ପୂର୍ବରୁ ୧୧ ପ୍ରତିଶତ ଥିଲା)। ସେମାନେ ଏହି ଖର୍ଚ୍ଚ ତୁଲାଇ ପାରିବେ ନାହିଁ। ଶ୍ୟାମରାଓ ପଚାରିଲେ, "ଯଦି ଆମେ ଡାକ୍ତର ପାଖକୁ ଯିବୁ, ଔଷଧ କେମିତି କିଣିବୁ।"
ଗତ ଜୁଲାଇରେ ତାଙ୍କ ପୁଅ ପ୍ରଭାକର ଖାଟଲେ ଆତ୍ମହତ୍ୟା କରିଥିଲେ। କୃଷି କାମ କରୁଥିବା ବହୁ ଅନ୍ୟ ଲୋକଙ୍କ ଭଳି ସେ ମଧ୍ୟ କୃଷି କ୍ଷେତ୍ରରେ ଦେଖାଦେଉଥିବା ବିପର୍ଯ୍ୟୟ ଦ୍ୱାରା ସମ୍ପୂର୍ଣ ଭାବେ ଭାଙ୍ଗି ପଡିଥିଲେ। ଶ୍ୟାମରାଓ କହନ୍ତି, ସେ କରିଥିବା ଋଣ ପାଇଁ ହିଁ ଜୀବନ ଦେଇଦେଲା। ଏହି ଘଟଣା ପରେ ସେମାନଙ୍କ ଦ୍ୱିତୀୟ ପୁଅ ଘୋର ଅବସାଦ ଭିତରକୁ ଚାଲିଯାଇଛି, ସେ ଏବେ ବୃଦ୍ଧ ବାପା ମାଙ୍କର ଦେଖାଶୁଣା କରିବା ଅବସ୍ଥାରେ ନାହିଁ। ତାର ଏ ଅବସ୍ଥାରେ ଚିକିତ୍ସା ବି ହେଉଥିବା ଭଳି ଲାଗୁନାହିଁ।
ଘରୋଇ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଉଛାଳ
ସ୍ୱାସ୍ଥ୍ୟ ହିଁ ସମ୍ପଦ, ଏହି ଲୋକକଥାକୁ, ଅପ୍ରତ୍ୟାଶିତ ଭାବେ ବଢୁଥିବା-ନିୟନ୍ତ୍ରଣହୀନ- ଘରୋଇ ସ୍ୱାସ୍ଥ୍ୟସେବା କ୍ଷେତ୍ର ଏଠାରେ ଏକ ସମ୍ପୂର୍ଣ ନୂଆ ଅର୍ଥ ଦେଇଛି। ସରକାରୀ ସ୍ୱାସ୍ଥ୍ୟସେବାରେ ଅବନତିର ଅର୍ଥ ଗରିବ ଲୋକମାନେ ଘରୋଇ ଡାକ୍ତରଖାନା ଓ ଡାକ୍ତରମାନଙ୍କୁ ଅଧିକ ଲାଭ ଦେବେ। ସାରା ଦେଶରେ ସ୍ୱାସ୍ଥ୍ୟ ହେଉଛି ଗ୍ରାମୀଣ ପରିବାର ଗୁଡିକର ଦ୍ୱିତୀୟ ସର୍ବାଧିକ ହାରରେ ବଢୁଥିବା ଋଣ ଭାର। (ଭାରତର ମୁଣ୍ଡ ପିଛା ସ୍ୱାସ୍ଥ୍ୟ ଖର୍ଚ୍ଚ ସାରା ବିଶ୍ୱର ସର୍ବନିମ୍ନ କେତୋଟି ଦେଶ ମଧ୍ୟରୁ ଅନ୍ୟତମ। ଦେଶର ମୋଟ ଘରୋଇ ଉତ୍ପାଦର ୧ ପ୍ରତିଶତରୁ ବି କମ୍ ସ୍ୱାସ୍ଥ୍ୟ କ୍ଷେତ୍ରରେ ଖର୍ଚ୍ଚ ହେଉଛି।
ସମାନ ଜିଲ୍ଲାର ବାଇଫାଡ ଗାଁରେ ଗୋପାଳ ବିଥୋବା ଯାଦବ ନାମକ ଜଣେ କୃଷକ ତାଙ୍କର ସ୍ୱାସ୍ଥ୍ୟ ଖର୍ଚ୍ଚ ତୁଲାଇବା ପାଇଁ ତାଙ୍କ ଜମି ବନ୍ଧା ପକାଇଛନ୍ତି। ସେ କହନ୍ତି, "ଡାକ୍ତରଖାନାରେ ମାତ୍ର ୪୦ ମିନିଟ୍ ରହିବା ପାଇଁ ମୋତେ ୧୦,୦୦୦ ଟଙ୍କା ଦେବାକୁ ହେଲା।" ଅନ୍ୟମାନଙ୍କ ମଧ୍ୟରୁ ଅନେକ ଏହାଠାରୁ ବହୁ ଅଧିକ ଦେଇଛନ୍ତି। ଯେହେତୁ ଟଙ୍କା ଆବଶ୍ୟକ ଥିଲା ଯାଦବ ତାଙ୍କର ନଅ ଏକର ଜମିର ମାଲିକାନାକୁ ବନ୍ଧକ ସ୍ୱରୂପ ପରିବର୍ତ୍ତିତ କରିଛନ୍ତି। ଏହା ପରେ ବର୍ଷ ପରେ ବର୍ଷ ଭଲ ଫସଲ ହେଲାନାହିଁ, ଫଳରେ ସେ କହନ୍ତି, "ଜମି ଏବେ ମୋ ଦଖଲରେ ଅଛି, କିନ୍ତୁ ମାଲିକାନା ଋଣ ଦେଇଥିବା ଲୋକ ନାଁରେ ଅଛି।"
ତାଙ୍କ ପଡୋଶୀ ବିଶ୍ୱନାଥ ଜାଡେଙ୍କ ପରିବାରରେ ଆଠଜଣ ସଦସ୍ୟ, ଯେଉଁମାନେ ଚାରି ଏକର ଜମିରୁ ଚଳନ୍ତି। ମେରୁହାଡରେ ଗୋଟିଏ ଅସ୍ତେ୍ରାପଚାର ଫଳରେ ତାଙ୍କୁ ୩୦,୦୦୦ ଟଙ୍କା ଖର୍ଚ୍ଚ କରିବାକୁ ହେଲା। ଏମ୍ଆର୍ଆଇ ସ୍କାନ୍ ବାବଦକୁ ୫,୦୦୦ ଟଙ୍କା, ଡାକ୍ତରଖାନାରେ ରୁମ୍ ପାଇଁ ୭,୫୦୦ ଟଙ୍କା ଏବଂ ଔଷଧ ପାଇଁ ୨୦,୦୦୦ ଟଙ୍କା ଖର୍ଚ୍ଚ କରିବାକୁ ହେଲା। ଏ ସବୁ ପରେ ଯିବା ଆସିବା ଖର୍ଚ୍ଚ। ମାତ୍ର ଗୋଟିଏ ବର୍ଷ ଭିତରେ ଜାଡେଙ୍କୁ ୬୫,୦୦୦ ଟଙ୍କା ଖର୍ଚ୍ଚ କରିବାକୁ ହେଲା।
ଏହି ପରିବାରମାନେ ସ୍ୱାସ୍ଥ୍ୟ ସେବା ବାବଦକୁ ଯେତେ ଟଙ୍କା ଖର୍ଚ୍ଚ କରିଛନ୍ତି, ତାହା ଆଶ୍ଚଯର୍ଜନକ। ଚାଷରେ କ୍ଷତିକୁ ସହି ନ ପାରି ଗତବର୍ଷ ନଭେମ୍ବରରେ ନାମଦେଓ ବୋଣ୍ଡେ ଆତ୍ମହତ୍ୟା କଲେ। ତାଙ୍କର ମଧ୍ୟ ସ୍ୱାସ୍ଥ୍ୟ ସେବା ବାବଦକୁ ବହୁ ଖର୍ଚ୍ଚ ହୋଇଥିଲା। ୟାଭାତମାଲର କୋଠୁଡା ଗାଁରେ ରହୁଥିବା ତାଙ୍କ ଭାଇ ପାଣ୍ଡୁରାଙ୍ଗ କହନ୍ତି, "ନାମଦେଓ ମଧ୍ୟ ଚନ୍ଦ୍ରପୁର, ୟାଭାତମଲ ସହର ଓ ବାନି ସହରକୁ ତିନି ଥର ଯାଇଥିଲେ। ଏହି ତିନି ଥରକୁ ମିଶାଇ ସ୍ୱାସ୍ଥ୍ୟ ସମସ୍ୟା ବାବଦକୁ ତାଙ୍କୁ ୪୦,୦୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡିଥିଲା।"



