୨୫୦୦ ଟଙ୍କାର ଡାଉନ ପେମେଣ୍ଟ ଦେବା ପରେ ଜୀବନରେ ପ୍ରଥମ ଥର ପାଇଁ ରାଜେଶ ଅନ୍ଧାରେ ସ୍ମାର୍ଟଫୋନ ଧରିଲେ। ଦୁଇ ବର୍ଷ ପରେ, ତଥାପି ସେ ଏହାକୁ ଚଳାଇ ପାରୁନଥିଲେ। “ଏହା ମୋ ବଡ଼ ପୁଅ ଦିନେଶ ପାଇଁ ଏକ ଉପହାର ଥିଲା, ଯିଏକି ସ୍କୁଲରୁ ପାସ କରିଥିଲା,” ବୋଲି କୁହନ୍ତି ୪୩ ବର୍ଷୀୟ ରାଜେଶ। “ଅବଶିଷ୍ଟ ଅର୍ଥ ମୁଁ ୫ଟି କିସ୍ତିରେ ୧୦୦୦ ଟଙ୍କା ଲେଖାଏଁ ଦେଇ ସୁଝିଥିଲି। ଫୋନର ମୂଲ୍ୟ ପାଖାପାଖି ୭୫୦୦ ଟଙ୍କା ଥିଲା।”
ସ୍ମାର୍ଟଫୋନଟି ୧୬ ବର୍ଷୀୟ ଦିନେଶ ପାଇଁ ଥିଲା, କିନ୍ତୁ ମହାରାଷ୍ଟ୍ରର ପାଲଘର ଜିଲ୍ଲାର ଡୋଙ୍ଗରୀ ଗାଁ ଘରେ ଥିବା ରାଜେଶ ଏହାକୁ ବ୍ୟବହାର କରିବା ଲାଗି ଚେଷ୍ଟା କରିଥିଲା - ହେଲେ କିଛି ଫଳ ମିଳିଲା ନାହିଁ।
ଏ ଫୋନ ପାଇଁ ଦିନକୁ ୨୫୦ରୁ ୩୦୦ଟଙ୍କା ମଧ୍ୟରେ ରୋଜଗାର କରୁଥିବା ରାଜେଶଙ୍କ ଭଳି ଜଣେ ଦିନ ମଜୁରିଆ ନିଜର ଗୋଟିଏ ମାସର ଆୟକୁ ଖର୍ଚ୍ଚ କରିଥିଲେ। “ମୁଁ ଏହାକୁ ବ୍ୟବହାର କରି ଶିଖିବା ଲାଗି ଚେଷ୍ଟା କରିଥିଲି,” ସେ କୁହନ୍ତି। “କିନ୍ତୁ କିଛିଦିନ ପରେ ମୁଁ ନିରାଶ ହୋଇ ଛାଡ଼ି ଦେଇଥିଲି। ମୋର ପୁରୁଣା ଫୋନ ଭଲ, ଯାହାର କିପ୍ୟାଡ ରହିଛି”।
ତଲାସରୀର ଉପାନ୍ତ ପାର୍ବତ୍ୟାଞ୍ଚଳ ଏବଂ କଷ୍ଟକର ସ୍ଥିତିରେ ମୁଖ୍ୟତଃ କମ୍ ଆୟକାରୀ ଆଦିବାସୀ ପରିବାର ରହିଥାନ୍ତି। ଏହା ସତ୍ତ୍ୱେ ତାଙ୍କ ପୁଅଙ୍କ ବୟସର ପିଲାମାନେ ସ୍ମାର୍ଟଫୋନ ବ୍ୟବହାର କରିବାରେ ବେଶ୍ ସିଦ୍ଧହସ୍ତ। କିନ୍ତୁ ସେମାନେ ଏହାର ଦର ଏବଂ ସଂଯୋଗ ସ୍ଥିତି ସମ୍ପର୍କରେ ଅନଭିଜ୍ଞ।
ଗୁଜରାଟ ସୀମା ନିକଟରେ ଥିବା ଏହି ଆଦିବାସୀ ଇଲାକା ମୁମ୍ବାଇରୁ ମାତ୍ର ୧୩୦ କିମି ଦୂର-କିନ୍ତୁ ଏଠାରେ ଇଣ୍ଟରନେଟ ସଂଯୋଗ ସୁବିଧା ଅତ୍ୟନ୍ତ ଦୁର୍ବଳ। “ଏପରିକି ବିଦ୍ୟୁତ ଯୋଗାଣ ମଧ୍ୟ ଖୁବ୍ ଅସ୍ଥିର, ବିଶେଷ କରି ମୌସୁମୀ ଋତୁରେ,” କୁହନ୍ତି ୱାର୍ଲି ଜନଜାତିର ରାଜେଶ।
ତେଣୁ ଯଦି ଆପଣ ଡୋଙ୍ଗରିରେ ଏକ ଗଛ ମୂଳେ କିଛି ପୁଅପିଲାଙ୍କୁ ବସିଥିବା ଦେଖନ୍ତି ତ’ ସହଜରେ କହିହେବ ଯେ ସେଠାରେ କିଛି ମାତ୍ରାରେ ନେଟୱର୍କ ରହିଛି। ସେହି ପିଲାମାନଙ୍କ ମଧ୍ୟରୁ ଜଣେ କିମ୍ବା ଦୁଇ ଜଣଙ୍କ ନିକଟରେ ସ୍ମାର୍ଟ ଫୋନ ଥିବ, ଅନ୍ୟମାନେ ଆଗ୍ରହର ସହ ଏହାକୁ ଚାହିଁଥିବେ। ଆହୁରି ହଁ, ସେମାନେ କେବଳ ପୁଅ ପିଲା ହୋଇଥିବେ। ଏଠାରେ ନିଜର ସ୍ମାର୍ଟଫୋନ ଥିବା ଝିଅଙ୍କୁ ପାଇବା କଷ୍ଟକର।









