ଚିରଚିରିଆ ହେଉଛି ବାଙ୍କା ଜିଲ୍ଲାର ସାନ୍ତାଳ ହାମଲେଟ୍ ଯେଉଁଠି ୮୦ ପରିବାର ବାସ କରନ୍ତି। ଅଧିକାଂଶ ପରିବାରର ନିଜର ଛୋଟ ଛୋଟ କ୍ଷେତ ଅଛି ଏବଂ ଗାଈ ଗୋରୁ ବି ରଖିଛନ୍ତି। ପୁରୁଷମାନେ ପାଖ ଗାଁ କିମ୍ବା ସହରକୁ ଯାଇ ନିର୍ମାଣ ଶ୍ରମିକ ବା ବିଲ ବାଡ଼ିରେ କାମ କରନ୍ତି।
ହାମଲେଟର ବରିଷ୍ଠ ନାଗରିକ ସିଦ୍ଧ ମୁର୍ମୁଙ୍କ କହିବାନୁସାରେ, “ଏହା ଏକ ବରାହ ରୂପୀ ଗାଁ, ଯାହାର ଅର୍ଥ ହେଉଛି ସବୁ ସମ୍ପ୍ରଦାୟ (ଜଟ୍) ଏଠାରେ ବାସ କରନ୍ତି।’’ “ଏଠାରେ ବିଭିନ୍ନ ସମ୍ପ୍ରଦାୟର ସାନ୍ତାଳ ବାସ କରନ୍ତି। ଯଥା- ମୁଁ ମୁର୍ମୁ, ବିର୍ସା, ହେମ୍ବ୍ରମ, ଟୁଡୁ...”
ମୁଁ ସିଦ୍ଧକୁ କହିଲି ସେ କିମ୍ବା ଅନ୍ୟ କେହି ଏକ ଗପ କିମ୍ବା ସାନ୍ତାଳୀରେ କିଛି ଲୋକ କଥା କହିବେ କି। ସେ କହିଲେ, “ଗପ ନୁହେଁ ଆମେ ଗୀତ ଗାଇବୁ।’’ ସେ ବାଦ୍ୟଯନ୍ତ୍ର ପାଇଁ ଡାକିଲା- ଦୁଇ ମନହର, ଏକ ଦୀଘା, ଏକ ଝାଲ। ଖିତା ଦେବୀ, ବରକି ହେମ୍ବ୍ରମ, ପାକୁ ମୁର୍ମୁ, ଚୁଟକି ହେମ୍ବ୍ରମ ଓ ଅନ୍ୟ ମହିଳାମାନେ ତୁରନ୍ତ ସାମିଲ ହେଲେ ଏବଂ ବାଦ୍ୟ ଯନ୍ତ୍ର ବଜାଇବା ଆରମ୍ଭ କଲେ। କିଛି ସମୟ ପରେ ସେମାନେ ହାତରେ ହାତ ଛନ୍ଦି ଏକ ସୁନ୍ଦର ଗୀତରେ ମଜ୍ଜି ଗଲେ।
ଏହି ଗୀତରେ ଚିରଚିରିଆ ସମ୍ପ୍ରଦାୟର ଲୋକେ ତାଙ୍କ ଜୀବନ ଶୈଳୀ ସମ୍ପର୍କରେ ଗାଉଥିଲେ। ଆଉ ସୋହରାଇ ଉତ୍ସବ କଥା ବି ଏହି ଗୀତରେ ଥିଲା। ଫସଲ ଅମଳ ଋତୁରେ ଜାନୁଆରୀ ମାସରେ ୧୨ ଦିନ ଧରି ଏହି ଉତ୍ସବ ପାଳନ କରାଯାଏ। ଏହି ସମୟରେ ସାନ୍ତାଳମାନେ ଗାଈ ଗୋରୁ ଓ ତାଙ୍କ ଦେବତାଙ୍କୁ ପୂଜା କରନ୍ତି। ଜମି ଯେଭଳି ଉର୍ବର ହେବ ସେଥିପାଇଁ ସେମାନେ ପ୍ରାର୍ଥନା କରନ୍ତି। ଶେଷରେ ଏକ ସାମୂହିକ ଭୋଜି ହୁଏ, ତା ସହ ଗୀତ ନାଚ ଚାଲେ।