କମ୍ୟୁନିଟି ହଲ୍ ପରିସରରେ ସୈନିକ ତକଲିର ପ୍ରବେଶ ଦ୍ୱାରରେ ଏକ ଅମର ଯବାନ ସ୍ମାରକୀ ଛିଡା ହୋଇଛି। ଏଥିରେ ଗାଁର ୧୮ ଜଣ ସଶସ୍ତ୍ର ବାହିନୀର ଯୋଦ୍ଧାଙ୍କ ନାମ ଲିପିବଦ୍ଧ ହୋଇଛି ଯେଉଁମାନେ ଯୁଦ୍ଧରେ ପ୍ରାଣ ହରାଇଥିଲେ।
ମହାରାଷ୍ଟ୍ରର ଶିରୋଲ ତାଲୁକର କୋଲ୍ହାପୁର ସହରଠାରୁ ୫୦ କିଲୋମିଟର ଦୂରରେ ଥିବା ସୈନିକ ତକଲିର ଏକ ଦୀର୍ଘ ସାମରିକ ଇତିହାସ ରହିଛି - କେତେକ ପୁରୁଷାନୁକ୍ରମେ ପ୍ରାୟ ୫,୫୦୦ ଜନବିଶିଷ୍ଟ ଏହି ଗାଁର ପ୍ରାୟ ପ୍ରତ୍ୟେକ ପରିବାର ଭାରତୀୟ ସଶସ୍ତ୍ର ସେନା ବାହିନୀରେ ସେବା କରିବାକୁ ଜଣେ ସୈନିକ ପଠାଇଛନ୍ତି।
ସୈନିକମାନଙ୍କ କଲ୍ୟାଣ ପାଇଁ ଏକ ସଙ୍ଗଠନ ସୈନିକ ସମାଜ କଲ୍ୟାଣ ମଣ୍ଡଳ ୨୦୦୭ ରେ ଏହି ସ୍ମାରକୀ ନିର୍ମାଣ କରିଥିଲେ। ମଣ୍ଡଳର ସଭାପତି ତଥା ସୈନିକ ତକଲିର ବାସିନ୍ଦା ଲେଫ୍ଟନାଣ୍ଟ ବାବାସାହେବ ସୀତାରାମ ପାଟିଲ କହିଛନ୍ତି ଯେ, ୩୬ ବର୍ଷ ସେବା ପରେ ୨୦୦୩ ରେ ଭାରତୀୟ ନୌସେନାରୁ ଅବସର ନେଇଥିଲେ। "ଗାଁରେ ପ୍ରାୟ ୧୨୦୦ ପରିବାର ଅଛନ୍ତି। ପୂର୍ବରୁ ପ୍ରତ୍ୟେକ ପରିବାରର ଅତି କମ୍ରେ ଜଣେ ସଦସ୍ୟ ସଶସ୍ତ୍ର ବାହିନୀରେ ଯୋଗ ଦେଇଥିଲେ। କିନ୍ତୁ ଆଜିକାଲି [ସଶସ୍ତ୍ର ବାହିନୀରେ] ଚାକିରିର ଅଭାବ ଦେଖାଦେଇଛି। ଯଦିଓ ଗାଁର ଲୋକମାନେ ଚେଷ୍ଟା କରୁଛନ୍ତି, ଏବେ ସେଠାରେ କଡ଼ା ପ୍ରତିଯୋଗିତା ଚାଲିଛି ଏବଂ ସେନାରେ ଯୋଗଦେବା ସଂଖ୍ୟା ହ୍ରାସ ପାଇଛି।”






