ହୀରା ନିନିମା ଓ କଳ୍ପନା ରାୱଲ, ଉଭୟଙ୍କୁ ୩୫ ବର୍ଷ, ୧୫ କିଲୋମିଟର ଦୂରରେ ରୁହନ୍ତି। କିନ୍ତୁ ପୁତ୍ର ସନ୍ତନାର ଇଚ୍ଛା ଉଭୟଙ୍କୁ ଏକାଠି କରିଛି। ବଂଶଓ୍ୱାଡ଼ା ଜିଲ୍ଲାର ସେବନା ଗାଁରେ ମୁଁ ହୀରାଙ୍କୁ ଭେଟିବା ବେଳେ ସେ କହିଲେ, ‘‘ଝିଅମାନେ ବାପା ମାଆଙ୍କର କ’ଣ କରିବେ?’’ କଳ୍ପନା କହିଲେ, ‘‘ଜଣେ ଉତ୍ତରାଧିକାରୀ ରହିବା କଥା - ଅତି କମ୍ରେ ଗୋଟିଏ ପୁଅ।’’ କଳ୍ପନାଙ୍କ ଘର ରାଜସ୍ଥାନର ଏହି ସମାନ ଜିଲ୍ଲାର ୱାକା ଗାଁରେ।
ବେଳେବେଳେ କୃଷି ଶ୍ରମିକ ଭାବେ କାମ କରନ୍ତି ହୀରା, ଅନ୍ୟ ସମୟରେ ଘର କାମ କରନ୍ତି, ୨୦୧୨ରୁ ୭ ବର୍ଷ ଭିତରେ ସେ ୬ଟି କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି। ତାଙ୍କ ସାନ ଝିଅର ବୟସ ମାତ୍ର ଦୁଇ ମାସ। ସେ କହନ୍ତି, ‘‘ମୋ ଷଷ୍ଠ ପିଲାଟି ଝିଅ ବୋଲି ମୋତେ କୁହାଯାଇ ନଥିଲା। କିନ୍ତୁ ମୁଁ ଯେତେବେଳେ ଶୁଣିଲି ମୋ ଶାଶୁ କାନ୍ଦୁଛନ୍ତି, ମୋ ଆଖିରୁ ବି ଲୁହ ଖସିବା ଆରମ୍ଭ ହେଲା। ଏମିତିକି ମୋ ସ୍ୱାମୀଙ୍କ ଠାରୁ ମଧ୍ୟ ମୁଁ ବେଶୀ କାନ୍ଦିଲି।’’
ବହୁ ଦୁଃଖର ସହ ସେ କହିଲେ, ‘‘ମୋ ଦ୍ୱିତୀୟ ଝିଅ [ଜନ୍ମ] ପରଠାରୁ ମୁଁ ଜଣେ ବାବାଜୀ ପାଖକୁ ଯାଉଛି। ଗୋଟେ ନଡ଼ିଆ ରଖି ସେ କିଛି ମନ୍ତ୍ର ଉଚ୍ଚାରଣ କରନ୍ତି। ତା ପରେ ନଡ଼ିଆକୁ ଭାଙ୍ଗି ମୁଁ ପାଣି ପିଏ। କିନ୍ତୁ ସେ କହନ୍ତି, ମୁଁ ମୋ ମାଆଙ୍କ ଠାରୁ ମଧ୍ୟ ବେଶୀ ଅଭିଶପ୍ତ।’’ ତାଙ୍କର ପାଞ୍ଚ ଭଉଣୀଙ୍କ ଭିତରୁ ସେ ସାନ।
ସେବନା ଗାଁର ଭିଲ୍ ଆଦିବାସୀ ସଂପ୍ରଦାୟର ହେଉଛନ୍ତି ହୀରା। ଗାଁରେ ପ୍ରାୟ ୧,୨୩୭ ଜଣ ଲୋକ ବସବାସ କରନ୍ତି। ସଂପୂର୍ଣ୍ଣ ଗାଁ ନିରକ୍ଷର। ସେ ଏବଂ ଏଠାକାର ଅନେକ ମହିଳାମାନେ ବହୁ ପିଲାଙ୍କୁ ଜନ୍ମ ଦିଅନ୍ତି। ସେଥିପାଇଁ ତାଙ୍କ ସ୍ୱାସ୍ଥ୍ୟ ପାଇଁ ବେଳେବେଳେ ତାଙ୍କୁ ବହୁ ମୂଲ୍ୟ ଦେବାକୁ ପଡେ। ତାଙ୍କୁ ୩୫ ବର୍ଷ, କିନ୍ତୁ ତା ଠାରୁ ସେ ଢେର ଅଧିକ ବୟସ୍କ ଏବଂ ଦୁର୍ବଳ ଦେଖାଯାଉଛନ୍ତି। ତାଙ୍କ ଶରୀର କ୍ଷୀଣ ହେବା ସାଙ୍ଗକୁ ଭାବାବେଗ ସହ ମଧ୍ୟ ଲଢେଇ କରି ମାନସିକସ୍ତରରେ ଦୁର୍ବଳ ହୋଇ ପଡ଼ିଲେଣି।








