ଏଇ ବର୍ଷ ମାର୍ଚ୍ଚ ୧୫ ତାରିଖରେ ଯେତେବେଳେ ମରାଠୱାଡାର ଲାଟୁର୍ ଜିଲ୍ଲା ଅନ୍ତର୍ଗତ ୟେଲ୍ଲୋରୀ ଗ୍ରାମରେ କୁଆପଥର ଝଡ଼ ହେବା ଆରମ୍ଭ ହେଲା, ସେତେବେଳକୁ ରାଓସାହେବ ୱାଲ୍କେ ତାଙ୍କ କ୍ଷେତରୁ ବାହାରି ଯାଇଥିଲେ ଓ ସେ ଘର ଆଡ଼କୁ ଆସୁଥିଲେ । “ଏହି ତାଣ୍ଡବଲୀଳା ପ୍ରାୟ ୧୯ ମିନିଟ୍ ପର୍ଯ୍ୟନ୍ତ ଚାଲିଥିଲା’’, ବୋଲି ସେ ମନେପକାଇ କୁହନ୍ତି । “କୁଆପଥରଗୁଡିକ ବିରାଟ ଆକାରର ହୋଇଥିଲେ ଓ ସେଗୁଡ଼ିକ ଜୋର୍ରେ ବାଡ଼େଇ ହେଉଥିଲା । ମୁଁ ବଞ୍ଚିଗଲି କାରଣ ମୁଁ ସଙ୍ଗେ ସଙ୍ଗେ ମୋ ଜମିରେ ଥିବା ଏକ ପାଳଗଦା ତଳେ ଲୁଚିଗଲି । ମୋ ଚାରିପାଖରେ ଅନେକ ପକ୍ଷୀଙ୍କର କରୁଣ ବିଳାପ ଶବ୍ଦ ମୁଁ ଶୁଣିପାରୁଥିଲି।
ଉଣେଇଶି ମିନିଟ୍ ପରେ, ଯେତେବେଳେ ୭୦ ବର୍ଷ ବୟସ୍କ ୱାଲ୍କେ, ପାଳଗଦା ଭିତରୁ ବାହାରକୁ ଆସିଲେ, ସେତେବେଳେ ସେ ନିଜ ଚାଷଜମିର ଅବସ୍ଥା ଦେଖି ବିଶ୍ୱାସ କରିପାରିଲେ ନାହିଁ । “କେବଳ ମୃତ ପକ୍ଷୀ, ଚେରସହିତ ଉପୁଡି ଯାଇଥିବା ଗଛ, ନଷ୍ଟ ହୋଇଯାଇଥିବା ବିଲାତିବାଇଗଣ ଓ ଆହତ ପଶୁମାନେ ଦିଶୁଥିଲେ’’ ସେ କୁହନ୍ତି । “ଧ୍ୱଂସର ତାଣ୍ଡବଲୀଳାରଭୟାବହତା ଦେଖି ମୁଁ ନିଜକୁ ନିଜେ ବିଶ୍ୱାସ କରିପାରିଲି ନାହିଁ । ମୋର ଅନୁଭବ ହେଲା ଯେ ମୁଁ ଯେପରି ପକ୍ଷୀମାନଙ୍କ ଶବାଗାର ଭିତରେ ଚାଲୁଛି; କାଳେ ସେମାନଙ୍କ ଉପରେ ମୋର ଗୋଡ଼ ପଡ଼ିଯିବ’’, ସେଥିପାଇଁ ମୋତେ ସତର୍କ ରହିବାକୁ ହେଲା।
ସେ କିନ୍ତୁ ଅଧିକ ସମୟ ପାଇଁ ନିଶ୍ଚିନ୍ତ ହୋଇ ରହିପାରିଲେ ନାହିଁ । ଦୁଇଟି ସ୍ଥାନରେ ୱାଲ୍କେଙ୍କ ଜମି ରହିଛି, ପ୍ରତ୍ୟେକ ଜମିର ଆକାର ୧୧ଏକର ହେବ । ଘରକୁ ପହଞ୍ଚିବା ପରେ, ତାଙ୍କର ୨୫ ବର୍ଷ ବୟସର ବୋହୁ ଲଳିତା, ଜମିରୁ ଘରକୁ ଫେରିବା ରାସ୍ତାରେ ସେହି ପ୍ରବଳ ଝଡ଼ରେ ଫସି ଯାଇଥିବା କଥା ଜାଣିବାକୁ ପାଇଲେ। ୱାଲକେ କହନ୍ତି “ଲଳିତା ମୁଣ଼୍ଡରେ ଏକ ଝୁଡ଼ି ମୁଣ୍ଡାଇଥିଲେ’’। କିନ୍ତୁ ଲୁଚିବା ପାଇଁ ବା ଆଶ୍ରୟ ନେବା ପାଇଁ ସେଠାରେ କୌଣସି ସ୍ଥାନ ନଥିଲା । ‘‘ସେ ଝୁଡ଼ିଟିକୁ ନିଜ ମୁଣ୍ଡରେ ଧରିଥିବାରୁ, କୁଆପଥରଗୁଡିକ ତାଙ୍କ ଆଙ୍ଗୁଳିରେ ଆସି ବାଡ଼େଇ ହେଉଥିଲା । ତିନିଟି ଆଙ୍ଗୁଠି ଛିଡ଼ିଯାଇଛି ।’’
୧୭ ସଦସ୍ୟ ବିଶିଷ୍ଟ ୱାଲ୍କେଙ୍କ ପରିବାର, ଝଡ଼ ଥମିବା ସଙ୍ଗେ ସଙ୍ଗେ ଲଳିତାଙ୍କୁ ଡାକ୍ତରଖାନାକୁ ନେଇଗଲେ । “ତାଙ୍କ ବାମ ହାତର ସେହି ଆଙ୍ଗୁଠିଗୁଡ଼ିକୁ ତାଙ୍କୁ ହରାଇବାକୁ ପଡିଲା,” ବୋଲି ୱାଲ୍କେ କୁହନ୍ତି ।" “ଏଥିରେ ତାଙ୍କ ଶରୀରରୁ ବହୁ ପରିମାଣର ରକ୍ତସ୍ରାବ ମଧ୍ୟ ହୋଇଛି। ବର୍ତ୍ତମାନ ସେ ତାଙ୍କ ମା’ଙ୍କ ଘରେ ଅଛନ୍ତି’’ ।






