ସେରା ବାଡ଼ୋଲିରେ ଅଗଷ୍ଟ ଆରମ୍ଭର ଏକ ଉଷ୍ମ ଅପରାହ୍ଣ । ରାସ୍ତାଘାଟ ପ୍ରାୟତଃ ଜନଶୂନ୍ୟ । ଉତ୍ତରାଖଣ୍ଡର ଆଲମୋଡ଼ା ଓ ପିଥୋରାଗଡ଼ ମଝିରେ ସୀମା ସାଜିଥିବା ସରଜୁ ନଦୀର ପୋଲ ଉପରୁ ପ୍ରାୟ ଏକ କିଲୋମିଟର ଦୂରରେ ସୂର୍ଯ୍ୟକିରଣରେ ଚମକୁଥିବା ଏକ ନାଲି ରଙ୍ଗର ଡାକ ବାକ୍ସ ଆମ ନଜରରେ ପଡ଼େ।
ଏ ଅଞ୍ଚଳର ସେଇ ଏକମାତ୍ର ନାଲି ରଙ୍ଗର ଡାକ ବାକ୍ସଟି, ହୁଏତ ଅନ୍ୟ କୌଣସି ସ୍ଥାନରେ ଏତେ ମହତ୍ତ୍ଵପୂର୍ଣ୍ଣ ମନେ ହୋଇ ନପାରେ । କିନ୍ତୁ ଏଠାରେ ତାହା ଅଗ୍ରଗତିର ଏକ ବଡ଼ ପଦକ୍ଷେପ । ୨୦୧୬ ଜୁନ୍ ୨୩ରେ ସେରା ବାଡ଼ୋଲିରେ ଉଦ୍ଘାଟିତ ହୋଇଥିଲା ଏକ ନୂତନ ଶାଖା ଡାକଘର କୁମାଓଁର ଏହି ଭାଗରେ ପ୍ରଥମ । ଏହା ଏବେ ଛଅଟି ଗାଁକୁ ଡାକସେବା ଦେଉଛି-ଭାନୋଲି ସେରା ଗୁନ୍ଥ, ସେରା (ଉର୍ଫ) ବାଡ଼ୋଲି, ଚୌନାପାତାଲ, ନାଇଲି, ବାଡ଼ୋଲି ସେରା ଗୁନ୍ଥ, ଏବଂ ସାର୍ତୋଲା । ଏହି ସବୁ ଗାଁର ଅଧିକାଂଶ ଲୋକ କୃଷକ ।
ସ୍ଥାନୀୟ ଡାକଘର ନ ଥିବାରୁ ଏ ଅଞ୍ଚଳର ବାସିନ୍ଦାମାନେ ସମ୍ମୁଖୀନ ହେଉଥିବା ସମସ୍ୟା ସଂପର୍କରେ PARIରେ ମୋର ଲେଖା ‘ଶେଷ ଶିବିର-ଏବଂ ବହୁ ଦୂରରେ ଏକ ପୋଲ’ ପ୍ରକାଶ ପାଇବାର ଦୁଇ ଦିନ ପରେ ଏହା ଘଟିଥିଲା । ଏବେ ଗର୍ବର ସହ ସେରା ବାଡ଼ୋଲିର ରହିଛି ଏହି ପିନ୍କୋଡ୍ ୨୬୨୫୩୨ ।
ପିଥୋରାଗଡ଼ର ଗଙ୍ଗୋଲିହାଟ ବ୍ଲକ୍ରେ ରହିଛି ଏହି ସବୁ ଗାଁ । କିନ୍ତୁ ସେମାନଙ୍କ ଡାକଘର ରହିଥିଲା ପୋଲ ଆରପଟେ, ପାଞ୍ଚ କିଲୋମିଟର ଦୂର ଆଲମୋଡ଼ା ଜିଲ୍ଲାର ଭାସିୟାଚାନା ବ୍ଲକ୍ରେ । ଯେତେବେଳେ ମୁଁ ପ୍ରଥମ ଥର ପାଇଁ ଯାଇଥିଲି, ଭାନୋଲିଗୁନ୍ଥ ଗାଁର ମଦନ ସିଂହ କହିଥିଲେ, “ବିଡ଼ମ୍ବନାର ବିଷୟ ଯେ'', "ସେମାନେ ଏ ପର୍ଯ୍ୟନ୍ତ ଆମକୁ ପିଥୋରାଗଡ଼ ଜିଲ୍ଲାର ଅଂଶ ବୋଲି ଗ୍ରହଣ କରନ୍ତି ନାହିଁ । ଏ କଥା ଏମିତି, ଯେ ଆମେ ପିଥୋରାଗଡ଼ରେ ରହୁ, କିନ୍ତୁ ଆମ ଠିକଣା ଅଛି ଆଲମୋଡ଼ାରେ ।”
PARIରେ ରିପୋର୍ଟ ପ୍ରକାଶ ପାଇବାର କିଛି ସପ୍ତାହ ପରେ, ମୁଁ ନୂଆ ଡାକଘର ଦେଖିବାକୁ ପୁଣି ଯାଇଥିଲି । ଏ ପର୍ଯ୍ୟନ୍ତ ଭାସିୟାଚାନାରେ ଥିବା ନିକଟତମ ଡାକଘରୁ ଡାକ ପାଇବାକୁ ୧୦ ଦିନ ଯାଏ ଏବଂ ଜିଲ୍ଲା ସଦର ମହକୁମା ପିଥୋରାଗଡ଼ ସହରରୁ ଚିଠିଟିଏ କି ମନି ଅର୍ଡର ପାଇବାକୁ ମାସେ ଯାଏ ଅପେକ୍ଷା କରିବାକୁ ପଡୁଥିବା ଗାଁ ଲୋକଙ୍କ ସ୍ଥିତି କେତେ ଦୂର ବଦଳିଛି ? ଏଭଳି ବିଳମ୍ବ ଯୋଗୁଁ ସେମାନେ ଗୁରୁତ୍ଵପୂର୍ଣ୍ଣ ସାକ୍ଷାତ୍କାର ଏବଂ ବିଶେଷ କାର୍ଯ୍ୟକ୍ରମରେ ଯୋଗ ଦେଇପାରୁ ନଥିଲେ । ବେଳେବେଳେ, ଗୁରୁତ୍ଵପୂର୍ଣ୍ଣ ଚିଠିପତ୍ର ଆଣିବାକୁ ସେମାନଙ୍କୁ ୭୦ କିଲୋମିଟର ଦୂର ଆଲମୋଡ଼ାର ଡାକଘରକୁ ଯିବାକୁ ପଡୁଥିଲା ।
ନୂଆ ଡାକଘର ଦ୍ଵାରା ଯେଉଁ ଛଅଟି ଗାଁ ଉପକୃତ ହେବେ ସେଠାକାର ବାସିନ୍ଦାମାନେ ମୋତେ କହିଲେ ଯେ ସେମାନେ ମିଠା ବାଣ୍ଟି ଏହାର ଉଦ୍ଘାଟନ ଉତ୍ସବ ପାଳନ କରିଥିଲେ । ହସହସ ମୁହଁରେ ସେରା ବାଡ଼ୋଲି ଗାଁର ମୋହନ ଚନ୍ଦ୍ର ଯୋଶୀ କହନ୍ତି, “ଅନ୍ୟ କେଉଁ ସ୍ଥାନରେ ଲୋକେ ନୂଆ ପଦବୀ କିମ୍ବା ନିଯୁକ୍ତିର ଆଗମନକୁ ପାଳନ କରନ୍ତି । ଆମ କ୍ଷେତ୍ରରେ ଆମେ ଡାକ ବାକ୍ସର ଆଗମନକୁ ପାଳନ କରିଲୁ!'' "ଏଣିକି ଆମ ଜୀବନ ଆଉ ଆଗଭଳି ହୋଇ ରହିବ ନାହିଁ ।”
ଗୋଟିଏ ଛୋଟ କୋଠରିରେ ଗୋଟିଏ ଟେବୁଲ, ଚାରିଟି ଚଉକି ଏବଂ ଗୋଟିଏ ଷ୍ଚିଲ୍ ଆଲମାରିକୁ ନେଇ ଗଠିତ ନୂଆ ଡାକଘର । ଏକମାତ୍ର କର୍ମଚାରୀ କୈଳାସ ଚନ୍ଦ୍ର ଉପାଧ୍ୟାୟ, ଉଭୟ ପୋଷ୍ଟମ୍ୟାନ୍ ଓ ପୋଷ୍ଟମାଷ୍ଟରଙ୍କ ଦାୟିତ୍ଵ ତୁଲାଉଛନ୍ତି । ସେରା ବାଡ଼ୋଲିରୁ ପ୍ରାୟ ୧୨ କିଲୋମିଟର ଦୂର ଗନାଇ ଡାକଘରେ ସେ ନିଯୁକ୍ତି ପାଇଥିଲେ ଏବଂ ଅନ୍ୟ କେହି ନିଯୁକ୍ତି ପାଇବା ପର୍ଯ୍ୟନ୍ତ ନୂଆ ଶାଖାର ଦାୟିତ୍ଵ ନେବାକୁ ତାଙ୍କୁ କୁହାଯାଇଛି। ଉପାଧ୍ୟାୟ କହନ୍ତି, “ଡାକ ବିଭାଗ କହିବା ଅନୁସାରେ ମାସେ କି ଦି ମାସ ଭିତରେ ଜଣେ ପୋଷ୍ଟମାଷ୍ଟର ଓ ପୋଷ୍ଟମ୍ୟାନ୍ଙ୍କୁ ନିଯୁକ୍ତି ଦିଆଯିବ ।” ପ୍ରତିଦିନ ସକାଳେ ସେ ଗନାଇରୁ ଡାକ ସଂଗ୍ରହ କରନ୍ତି ଏବଂ ସେରା ବାଡ଼ୋଲି ଡାକଘରକୁ ଆସିବା ବାଟରେ ପହଞ୍ଚାଇ ଦିଅନ୍ତି ।



