ସେଦିନର କଥା ଆଜି ବି ମୋର ମନେ ଅଛି । ମୋ ମାଆ ପାଖରେ କମ୍ବଳ ଭିତରେ ଗୁଞ୍ଜି ହୋଇ ମୁଁ ତା’ର କାହାଣୀ ଶୁଣୁଥିଲି- “ଆଉ ଜୀବନର ପ୍ରକୃତ ଅର୍ଥ ଖୋଜିବା ପାଇଁ ସିଦ୍ଧାର୍ଥ ନିଜ ଘର ଛାଡ଼ିଲେ,” ସେ କହିଲା । ରାତି ସାରା ବର୍ଷା ଲାଗି ରହିଥିଲା । ଆମ ଘରୁ ମାଟିଗାତ ଭଳି ଗନ୍ଧ ବାହାରୁଥିଲା, ମହମବତୀରୁ ନିର୍ଗତ କଳାଧୂଆଁ ଛାତ ଛୁଇଁବାକୁ ଚେଷ୍ଟା କରୁଥିଲା ।
“ସିଦ୍ଧାର୍ଥଙ୍କୁ ଭୋକ ଲାଗିଲେ କ’ଣ ହେବ?” ମୁଁ ପଚାରିଲି । ସତେ ମୁଁ କେଡ଼େ ବୋକା ଥିଲି ?ସିଦ୍ଧାର୍ଥ ତ ଭଗବାନ ।
ତା’ପରେ, ୧୮ ବର୍ଷ ପରେ, ମୁଁ ସେଇ ଏକା କୋଠରିକୁ ଫେରିଲି । ବର୍ଷା ହେଉଥିଲା । ଝରକା କାଚରୁବୁନ୍ଦା ବୁନ୍ଦା ପାଣି ଝରି ପଡୁଥିଲା । ମୋ ପାଖରେ, ଏକ କମ୍ବଳ ଭିତରେ ଗୁଞ୍ଜି ହୋଇ ମୋ ମାଆ ଖବର ଶୁଣୁଥିଲା । “୨୧ ଦିନିଆ ଲକ୍ଡାଉନ୍ ଆରମ୍ଭ ହେବା ଦିନରୁ ଭାରତର ବିଭିନ୍ନ ବଡ଼ ବଡ଼ ସହରରୁ ପାଞ୍ଚ ଲକ୍ଷ ପ୍ରବାସୀ ଚାଲି ଚାଲି ନିଜ ନିଜ ଗାଁକୁ ଫେରିଛନ୍ତି ।”
ଆଜି ବି ସେଇ ଏକା ପ୍ରଶ୍ନ : ସେମାନଙ୍କୁ ଭୋକ ଲାଗିଲେ କ’ଣ ହେବ ?



