ମହଲ ଉପରେ ରାଜକୀୟ ପତାକା ନୂଆ ସୁଲତାନଙ୍କ ହୃଦୟର ସ୍ପନ୍ଦନ ଭଳି ଫଡ଼ଫଡ଼ ହୋଇ ଉଡ଼ୁଥିଲା, ଯିଏକି ସେଦିନ ଦ୍ୱିପ୍ରହରରେ ନିଜର ବିଳାସପୂର୍ଣ୍ଣ ଶଯ୍ୟାରେ ବିଶ୍ରାମ କରିବା ଲାଗି ଶୋଇ ରହିଥିଲେ। କ୍ଷମତାକୁ ଆସିବା ପରେ ସେ ସବୁ ବିଦ୍ରୋହକୁ ଗୋଟିଏ ପରେ ଗୋଟିଏ ଦଳିମକଚି ଦେଇଥିଲେ, ଓ ଏହିପରି ଏକ ରାଜବଂଶର ନିରଙ୍କୁଶ ଶାସନକୁ ସମାପ୍ତ କରି ଦେଇଥିଲେ। ନିଜର ବୀରତ୍ୱ ଉପରେ ତାଙ୍କର ଯଥେଷ୍ଟ ଭରସା ଥିଲା, ସେଥିପାଇଁ ଯୁଦ୍ଧଭୂମିକୁ ସେ ବିନା କବଚରେ ଯାଉଥିଲେ, ନିଜର ଖୋଲା ଛାତିକୁ ପିଟି, ଶିକାରୀ ପଶୁମାନଙ୍କ ସମ୍ପୂର୍ଣ୍ଣ ସେନାକୁ ସେ ଏକାକୀ ମୃତ୍ୟୁମୁଖରେ ପହଞ୍ଚାଇ ଦେଇଥିଲେ। ସେ ଭାବିଥିଲେ ଯେ ଏଗୁଡ଼ିକ ତ’ ସାମାନ୍ୟ କୀଟପତଙ୍ଗ, କିନ୍ତୁ ତାଙ୍କ ଚିନ୍ତାଧାରା ଠାରୁ ବିପରୀତ ଏଗୁଡ଼ିକୁ କାବୁ କରିବା ଅତ୍ୟନ୍ତ କଷ୍ଟକର ଥିଲା। ବାସ୍ତବରେ ସେ ଅତ୍ୟନ୍ତ ତୀକ୍ଷ୍ଣ ବୁଦ୍ଧିସମ୍ପନ୍ନ ଥିଲେ, ଯାହା ପ୍ରତି ଥର ତାଙ୍କୁ ବିପଦକୁ ଅବଦମିତ କରିବାରେ ସହାୟକ ହେଉଥିଲା। କିନ୍ତୁ ଡିସେମ୍ବରର ହାୱା କ୍ରୁର ଥିଲା।
ବର୍ତ୍ତମାନ ଯେଉଁ ଜିନିଷର ଆବଶ୍ୟକତା ଥିଲା, ତାହା ଥିଲା ମେଟାରିଜିୟମ ଏନିସୋପଲିର ବିଶାଳ ଭଣ୍ଡାର। ଏହି ପରଜୀବୀ କବକ ସାରା ବିଶ୍ୱର ମାଟିରେ ସ୍ୱାଭାବିକ ଭାବେ ଉଠିଥାଏ ଏବଂ କୀଟଗୁଡ଼ିକୁ ନଷ୍ଟ କରିଦେଇଥାଏ। ଶୀର୍ଷ ବିଶେଷଜ୍ଞମାନଙ୍କୁ ନେଇ ଗଠିତ ଏକ ସମିତି ଘୋଷଣା କରି ଦେଇଥିଲା ଯେ ଏହି କୀଟଗୁଡ଼ିକୁ ମାରିବା ଲାଗି, ସେମାନଙ୍କୁ ଭିତରୁ ଖାଉଥିବା, ଏହି ପରଜୀବୀ କବକ ଶସ୍ତା, ଅଧିକ ପ୍ରଭାବୀ ଏବଂ ଦୀର୍ଘସ୍ଥାୟୀ ହୋଇପାରିବ। ପୂର୍ବରୁ ଧନୀ ସହଯୋଗୀମାନଙ୍କ ଦ୍ୱାରା ଭଣ୍ଡାରଣ ବ୍ୟବସ୍ଥା କରି ଦିଆଯାଇଛି। ଏବେ କେବଳ ଗୋଟିଏ ଆହ୍ୱାନ ଅଛି ଯେ ଯୁବକମାନଙ୍କର ଏକ ଗୋଷ୍ଠୀର ସନ୍ଧାନ କରାଯାଉ ଏବଂ ଏହି ଜୈବିକ କୀଟନାଶକଗୁଡ଼ିକ ଜରିଆରେ ସେହି କୀଟଗୁଡ଼ିକ ଉପରେ ଜୋରଦାର ପ୍ରହାର କରାଯାଉ।
ସନ୍ଧ୍ୟା ହୋଇସାରିଥିଲା, ଏବଂ ସେ ଥକିଯାଇଥିଲେ। ସେ ଚାହୁଁଥିଲେ ଯେ ତାଙ୍କର ମସ୍ତିଷ୍କ ଏବେ ବିଶ୍ରାମ ନେଉ, ଦୌଡ଼ିବା ବନ୍ଦ କରୁ। ଏହା କେବଳ ବିରୋଧ ପ୍ରଦର୍ଶନ କରୁଥିବା କୀଟମାନଙ୍କର ଲଗାତାର କୋଳାହଳ ନଥିଲା ଯାହା ପବନ ଉପରେ ଆକ୍ରମଣ କରି କବଜା କରିବା ଏବଂ ସବୁକିଛିକୁ ଏତେ ଅସହନୀୟ କରିବା ଲାଗି ଆସିଥିଲା। ଆହୁରି କିଛି ମଧ୍ୟ ଥିଲା, ଯାହା ତାଙ୍କୁ ଭିତରୁ ଯନ୍ତ୍ରଣା ଦେଉଥିଲା। ଏହା କ’ଣ ତାଙ୍କର ଅହଂକାର ଥିଲା? ସେ କ’ଣ ବାସ୍ତବରେ ଡରିଯାଇଥିଲେ? ନା ରାତିରେ କିଛି ହୋଇଯିବ ବୋଲି ଭାବି ସେ ଚିନ୍ତିତ ଥିଲେ? ତାଙ୍କୁ କ’ଣ ଏହି ଆଭାସ ମିଳିସାରିଥିଲା ଯେ ତାଙ୍କର ଶକ୍ତି ଦୁର୍ବଳ ହେବାକୁ ଯାଉଛି? ନିଜକୁ ଏହି ପ୍ରଶ୍ନ ପଚାରିବା ପୀଡ଼ାଦାୟକ ଥିଲା। ନିଜ ମସ୍ତିଷ୍କକୁ ଏଥିରୁ ମୁକ୍ତ କରିବା ଲାଗି ସେ ବେପରୁଆ ଭାବେ ଝରକା ବାହାରକୁ ଦେଖିଲେ। କଳା ଦିଗନ୍ତରେ ଅସ୍ତଗାମୀ ସୂର୍ଯ୍ୟ ଅଶୁଭ ପ୍ରତୀତ ହେଉଥିଲା।



