ଗ୍ରୀଷ୍ମ ଋତୁରେ ଲଦାଖ ସୁରୁ ଉପତ୍ୟାକାରେ ଥିବା ବିଭିନ୍ନ ଗ୍ରାମର ପରିବେଶ ଜୀବନ୍ତ ହୋଇ ଉଠେ । ଅନାବନା ଜଙ୍ଗଲୀ ଫୁଲ ଏବଂ ବରଫାବୃତ୍ତ ପାହାଡ଼ ଚାରିପାଖରୁ ଘେରି ରହିଥିବା ଏହି ଉପତ୍ୟାକାରେ ଝରଣାଗୁଡ଼ିକ ସବୁଜ ସୁନ୍ଦର କ୍ଷେତ ଦେଇ ବୋହି ଯାଇଥାଏ । ଦିନରେ ଏକ ସୁନ୍ଦର ନୀଳ ଆକାଶ ଏବଂ ରାତିରେ ଆକାଶଗଙ୍ଗା ସ୍ପଷ୍ଟ ଭାବେ ଦେଖିହୁଏ ।
କାରଗିଲ୍ ଜିଲ୍ଲାର ଏହି ଉପତ୍ୟାକାରେ ପରିବେଶ ସହ ପିଲାମାନଙ୍କର ଏକ ସମ୍ବେଦନଶୀଳ ସମ୍ପର୍କ ରହିଛି । ୨୦୨୧ ମସିହାରେ ତାଇ ସୁରୁ ଗାଁରେ ଏହି ଫଟୋ ଉଠା ଯାଇଥିଲା । ଏଠାରେ ଝିଅମାନେ ପଥର ଉପରେ ଚଢ଼ିଥାନ୍ତି, ଫୁଲ ସଂଗ୍ରହ କରିଥାନ୍ତି କିମ୍ବା ଶୀତ ଋତୁରେ ବରଫ ସହ ଖେଳିଥାନ୍ତି ଓ ଝରଣାକୁ ଡେଇଁଥାନ୍ତି । ଖରାଦିନେ ପିଲାମାନେ ଅଧିକାଂଶ ସମୟରେ ଯଅ କ୍ଷେତରେ ଖେଳି ସମୟ ବିତାଇବାକୁ ପସନ୍ଦ କରିଥାନ୍ତି ।
କେନ୍ଦ୍ର ଶାସିତ ପ୍ରଦେଶ ଲଦାଖର ଅନ୍ୟ ଏକମାତ୍ର ଜିଲ୍ଲା ଲେହ ଏକ ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀ ହୋଇଥିବା ବେଳେ କାରଗିଲ୍ ଜିଲ୍ଲା ଏହା ଠାରୁ ଦୂର, ଉପାନ୍ତ ଏବଂ ବିଚ୍ଛିନ୍ନ ହୋଇ ରହିଛି ।
କାରଗିଲ୍, କାଶ୍ମୀର ଉପତ୍ୟାକାରେ ରହିଛି ବୋଲି ଅନ୍ୟତ୍ର ଅଧିକାଂଶ ଲୋକ ଭ୍ରମରେ ଥାଆନ୍ତି, କିନ୍ତୁ ଏହା ଠିକ୍ ନୁହେଁ । କାଶ୍ମୀରରେ ଅଧିକ ସଂଖ୍ୟାରେ ସୁନ୍ନି ମୁସଲମାନ ରହୁଥିବା ବେଳେ କାରଗିଲ୍ ଲୋକମାନଙ୍କ ମଧ୍ୟରୁ ଅଧିକାଂଶ ଶିୟା ଇସଲାମ ମାନ୍ୟତାରେ ବିଶ୍ୱାସ କରିଥାନ୍ତି ।
ସୁରୁ ଉପତ୍ୟାକାର ଶିୟା ମୁସଲମାନମାନେ କାରଗିଲ୍ ସହରଠାରୁ ଦକ୍ଷିଣରେ ୭୦ କିଲୋମିଟର ଦୂରରେ ଥିବା ଏକ ପ୍ରମୁଖ ଧାର୍ମିକ କେନ୍ଦ୍ର ତାଇ ସୁରୁକୁ ମାନ୍ୟତା ଦେଇଥାନ୍ତି । ଏଠାକାର ଲୋକମାନଙ୍କ ପାଇଁ, ଇସାଲମୀୟ ନବବର୍ଷର ପ୍ରଥମ ମାସ – ମହରମରେ ଇମାମ ହୁସୈନଙ୍କ ପାଇଁ ଗଭୀର ସ୍ମୃତିଚାରଣ କରାଯାଇଥାଏ । ଇମାମ ହୁସୈନ ହେଉଛନ୍ତି ପୈଗମ୍ବର ମହମ୍ମଦଙ୍କ ନାତି । ୬୮୦ ଖ୍ରୀଷ୍ଟାବ୍ଦ, ଅକ୍ଟୋବର ୧୦ ତାରିଖରେ କର୍ବଲା ଯୁଦ୍ଧ (ଆଧୁନିକ ଇରାକରେ ଅବସ୍ଥିତ)ରେ ସେ ଓ ତାଙ୍କର ୭୨ ଜଣ ସହଯୋଗୀ ପ୍ରାଣ ହରାଇଥିଲେ ।
ମହରମ ସମୟରେ ପାଳନ କରାଯାଉଥିବା ଧାର୍ମିକ କାର୍ଯ୍ୟକ୍ରମରେ ଉଭୟ ପୁରୁଷ ଓ ମହିଳାମାନେ ଅଂଶଗ୍ରହଣ କରିଥାନ୍ତି । ଅଲଗା ଅଲଗା ଦିନରେ ଶୋଭାଯାତ୍ରା ବାହାରିଥାଏ ଯାହାକୁ ଜୁଲୁସ କିମ୍ବା ଦସ୍ତା ବୋଲି କୁହାଯାଇଥାଏ । ଏଥିମଧ୍ୟରୁ ସବୁଠୁ ବଡ଼ ଶୋଭାଯାତ୍ରା ମହରମର ଦଶମ ଦିନ- ଅଶୁର ଉପଲକ୍ଷେ ପାଳନ କରାଯାଇଥାଏ – ଯେଉଁଦିନ ହୁସୈନ ଏବଂ ତାଙ୍କର ସହଯୋଗୀମାନେ କର୍ବଲା ଯୁଦ୍ଧରେ ପ୍ରାଣ ହରାଇଥିଲେ। କିଛି ପୁରୁଷମାନେ ଜଞ୍ଜିର ଓ ପାତ ସାହାଯ୍ୟରେ ନିଜ ଶରୀରକୁ କଷ୍ଟ ଦେଇଥାନ୍ତି ଯାହାକୁ କମା ଜାନି କୁହାଯାଏ। ଏହାଛଡ଼ା ସମସ୍ତେ ଛାତି ବାଡ଼େଇ (ସୀନା ଜାନି) ଶୋକ ପ୍ରକଟ କରିଥାନ୍ତି ।


























