“ସୁନ୍ଦରବନରେ ବଞ୍ଚିବା ପାଇଁ ଆମେ ପ୍ରତିଦିନ ସଂଘର୍ଷ କରିଥାଉ। ଯଦିଓ କରୋନାଭୂତାଣୁ ପାଇଁ ସାମୟିକ ଅଚଳ ଅବସ୍ଥା ସୃଷ୍ଟି ହୋଇଛି, ଏ ବିପଦରୁ ମଧ୍ୟ ଆମେ ବର୍ତ୍ତିଯିବୁ, ଏକଥା ଆମେ ଜାଣିଛୁ । ଆମର କ୍ଷେତରେ ଆଳୁ, ପିଆଜ, କଲରା, ଛଚିନ୍ଦ୍ରା ଓ ମୁନିଗା ଛୁଇଁ ଭର୍ତ୍ତି ହୋଇରହିଛି । ଧାନର ମଧ୍ୟ କୌଣସି ଅଭାବ ନାହିଁ । ଆମ ପୋଖରୀଗୁଡିକରେ ମଧ୍ୟ ମାଛ ଭର୍ତ୍ତି ହୋଇ ରହିଛି । ଏଣୁ ଭୋକଉପାସରେ ମରିବାର କୌଣସି ଆଶଙ୍କା ନାହିଁ,” ବୋଲି ସରଳ ଦାସ, ମୌସନିରୁ ଫୋନ୍ ମାଧ୍ୟମରେ ଜଣାଇଛନ୍ତି ।
ଦେଶବ୍ୟାପୀ ତାଲାବନ୍ଦ ଯୋଗୁଁ ସମଗ୍ର ଦେଶରେ ଖାଦ୍ୟ ଯୋଗାଣ ବ୍ୟବସ୍ଥା ବାଧାପ୍ରାପ୍ତ ହୋଇଥିବା ବେଳେ ଭାରତୀୟ ସୁନ୍ଦରବନର ପଶ୍ଚିମ ପାର୍ଶ୍ୱରେ ୨୪ ବର୍ଗ କିଲୋମିଟର ଅଞ୍ଚଳରେ ବ୍ୟାପିଥିବା ଏକ ଛୋଟ ଦ୍ୱୀପ - ମୌସନିରେ ଏନେଇ କେହି ଚିନ୍ତିତ ନୁହନ୍ତି । “ତାଲାବନ୍ଦ ଯୋଗୁଁ ପନିପରିବା ଓ ଉତ୍ପାଦ ଯାହା ଏଠାରୁ ନମ୍ଖାନା ବା କାକ୍ଦ୍ୱୀପ୍ ବଜାରକୁ ପ୍ରତିଦିନ ଡଙ୍ଗାରେ ପଠା ଯାଉଥିଲା, ତାହା ବର୍ତ୍ତମାନ ପଠା ଯାଇପାରୁନାହିଁ,” ବୋଲି ଦାସ୍ କୁହନ୍ତି ।
ଜରୁରୀକାଳୀନ ପରିସ୍ଥିତ ପାଇଁ ରହିଥିବା କେତେକ ‘ସ୍ୱତନ୍ତ୍ର ଡଙ୍ଗା’ ଏବେ ମଧ୍ୟ ମୌସନିରୁ ୨୦ରୁ ୩୦ କିଲୋମିଟର ଦୂରରେ ଅବସ୍ଥିତ ନମ୍ଖାନା ଓ କାକଦ୍ୱୀପର ପାଇକାରୀ ବଜାରରେ ପରିବା ପହଞ୍ଚାଉଛନ୍ତି । ଡଙ୍ଗାରେ ଯାତ୍ରା କଲେ ୩୦ ମିନିଟ୍ ସମୟ ଲାଗେ କିନ୍ତୁ ସେଠାରୁ ସାଧାରଣତଃ ଯେଉଁ ଟ୍ରେନ୍ ବା ଟ୍ରକ୍ରେ ଉତ୍ପାଦଗୁଡିକୁ କୋଲ୍କାତାକୁ ନିଆଯାଏ ତାହା ଏବେ ପ୍ରାୟତଃ ଉପଲବ୍ଧ ହେଉନାହିଁ ।
ମୌସନିର ତିନୋଟି ମୂଖ୍ୟ ଫସଲ – ଧାନ, କଲରା ଓ ପାନ ପତ୍ର – ର କୋଲ୍କାତା ବଜାରରେ ବହୁତ ଚାହିଦା ରହିଛି । “ଏଣୁ କେଉଁଠାରୁ ଏହି ସବୁ ଖାଦ୍ୟ ସହରକୁ ଉପଲବ୍ଧ ହୋଇପାରିବ ତାହା ଏବେ ଏହି ସହର ପାଇଁ ଚିନ୍ତାର ବିଷୟ ପାଲଟିଛି” ବୋଲି ମୌସନି ଦ୍ୱୀପରେ ବଗଦଙ୍ଗା ସମବାୟ ବିଦ୍ୟାଳୟରେ କିରାଣୀ ଭାବେ କାମ କରୁଥିବା ଦାସ, ୫୧, କୁହନ୍ତି । ତାଙ୍କର ପାଞ୍ଚ ଏକର ଜମି ଅଛି ଯାହା ସେ ବଗଦଙ୍ଗା ଗ୍ରାମର ନାମମାତ୍ର ଚାଷୀମାନଙ୍କୁ ଭଡାରେ ଦେଇଛନ୍ତି ।








